ETV Bharat / bharat

Supreme Court Collegium: ବିଭିନ୍ନ ହାଇକୋର୍ଟକୁ ମିଳିବ ନୂଆ ମୁଖ୍ୟ ବିଚାରପତି, 7ଜଣଙ୍କ ନାଁ ସୁପାରିଶ

author img

By

Published : Jul 7, 2023, 3:52 PM IST

Supreme court Collegium
Supreme court Collegium

ବିଭିନ୍ନ ରାଜ୍ୟର ହାଇକୋର୍ଟରେ ଖାଲିଥିବା ମୁଖ୍ୟ ବିଚାରପତି ପଦ ପୂରଣ ପାଇଁ 7 ଜଣଙ୍କ ନାଁ ସୁପାରିଶ କଲେ ସୁପ୍ରିମକୋର୍ଟ କଲେଜିୟମ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କୁ 7 ଜଣ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ନାଁ ସୁପାରିଶ କଲେ ସୁପ୍ରିମକୋର୍ଟ କଲେଜିୟମ । ରାଜ୍ୟର ବିଭିନ୍ନ ଉଚ୍ଚ ନ୍ୟାୟାଳୟରେ ଖାଲିଥିବା ମୁଖ୍ୟ ବିଚାରପତି ପଦ ପୂରଣ ଲାଗି ଏହି ନାମ ସୁପାରିଶ ହୋଇଛି । ଯେଉଁଥିରେ ମଣିପୁର, ଓଡ଼ିଶା, ତେଲେଙ୍ଗାନା, କେରଳ, ବମ୍ବେ, ଆନ୍ଧ୍ର ପ୍ରଦେଶ ଓ ଗୁଜୁରାଟ ହାଇକୋର୍ଟ ଲାଗି ମଧ୍ୟ ମୁଖ୍ୟ ବିଚାରପତିଙ୍କ ନାଁ ସାମିଲ ରହିଛି । ସୁପାରିଶ ହୋଇଥିବା ନାମ ମଧ୍ୟରେ ଜଣେ ମହିଳା ଥିବା ଜଣାପଡ଼ିଛି ।

ସୁପ୍ରିମକୋର୍ଟଙ୍କ ପ୍ରଧାନ ବିଚାରପତି ଜଷ୍ଟିସ ଡି. ୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତା ବିଶିଷ୍ଟ ଖଣ୍ଡପୀଠରେ ଜଷ୍ଟିସ ସଞ୍ଜୟ କିଶନ କୌଲ ଓ ଜଷ୍ଟିସ ସଞ୍ଜୀବ ଖନ୍ନାଙ୍କ କଲେଜିୟମ ହାଇକୋର୍ଟର ଖାଲି ଥିବା ମୁଖ୍ୟ ବିଚାରପତି ପଦ ଲାଗି ଏହି 7ଜଣଙ୍କ ନାଁ ସୁପାରିଶ କରିଛନ୍ତି । ସୁପାରିଶ ହୋଇଥିବା ନାମ ମଧ୍ୟରେ ଦିଲ୍ଲୀ, ଗୁଜୁରାଟ, କେରଳ ଓ ବମ୍ବେ ହାଇକୋର୍ଟର ବିଚାରପତି ସାମିଲ ଅଛନ୍ତି । ସେହିପରି ଆହ୍ଲାବାଦ ହାଇକୋର୍ଟର ସୁନୀତା ଅଗ୍ରୱାଲଙ୍କ ନାମକୁ ଗୁଜୁରାଟ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଲାଗି ସୁପାରିଶ କରାଯାଇଛି । ସୁପାରିଶ ହୋଇଥିବା 7 ଜଣିଆ ତାଲିକା ମଧ୍ୟରେ ସୁନୀତା କେବଳ ଜଣେ ମହିଳା ରହିଛନ୍ତି ।

ଅବସର ନେବେ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି:- ଚଳିତ ବର୍ଷ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟରତ ଏସ ମୁରଲୀଧର ଅବସର ନେବାକୁ ଯାଉଛନ୍ତି । ତାଙ୍କ ପରେ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ ଦାୟିତ୍ବ ନେବେ ଜଷ୍ଟିସ ଶୁଭାଶିଷ ତାଳପତ୍ର । 2011 ନଭେମ୍ବର 1ରେ ଜଷ୍ଟିସ ଶୁଭାଶିଷ ତାଳପତ୍ରଙ୍କୁ ଗୌହାଟୀ ହାଇକୋର୍ଟ ବିଚାରପତି ଭାବେ ନିଯୁକ୍ତ କରାଯାଇଥିଲା । 2013 ମସିହାରେ ତ୍ରିପୁରାରେ ପୃଥକ ଭାବେ ହାଇକୋର୍ଟ ସ୍ଥାପନ ହେବା ପରେ ଜଷ୍ଟିସ ଶୁଭାଶିଷ ତ୍ରିପୁରା ହାଇକୋର୍ଟ ବିଚାରପତି ଥିଲେ । ଜଷ୍ଟିସ ଶୁଭାଶିଷ ତାଳପତ୍ର 2018 ନଭେମ୍ବରରୁ 2019, ନଭେମ୍ବର ପର୍ଯ୍ୟନ୍ତ ସେ ତ୍ରିପୁରା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ଦାୟିତ୍ବ ନିର୍ବାହ କରିଥିଲେ ।

ଏହା ବି ପଢନ୍ତୁ- ଜଷ୍ଟିସ ଶୁଭାଶିଷ ତାଳପତ୍ର ହେବେ ଓଡିଶା ହାଇକୋର୍ଟ ମୁଖ୍ୟ ବିଚାରପତି

କେରଳ ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ ଆଶିଷ ଜେ ଦିଶାଈଙ୍କ ନାମ ସୁପାରିଶ ହୋଇଛି, ଯିଏକି ଏବେ ଗୁଜୁରାଟ କୋର୍ଟରେ ମୁଖ୍ୟ ବିଚାରପତି ଭାବେ ଦାୟିତ୍ବ ତୁଲାଉଛନ୍ତି । ଆନ୍ଧ୍ରପ୍ରଦେଶ ହାଇକୋର୍ଟ ଲାଗି ଧିରଜ ସିଂହ ଠାକୁର, ବମ୍ବେ ହାଇକୋର୍ଟ ଲାଗି ଦେବେନ୍ଦ୍ର କୁମାର ଉପାଧ୍ୟାଯ ଓ ତେଲେଙ୍ଗାନା ହାଇକୋର୍ଟ ଲାଗି ଆଲୋକ ଆନ୍ଧ୍ରେଙ୍କ ନାମ ସୁପାରିଶ ହୋଇଛି । ଜଷ୍ଟିସ ଆନ୍ଧ୍ରେ ଏବେ କର୍ଣ୍ଣାଟକ ହାଇକୋର୍ଟରେ ଦାୟିତ୍ବ ତୁଲାଉଥିବା ବେଳେ ଜଷ୍ଟିସ ଉପାଧ୍ୟାୟ ଆହ୍ଲାବାଦ ହାଇକୋର୍ଟ ଓ ଜଷ୍ଟିସ ଧିରେଜ ସିଂ ଠାକୁର ବମ୍ବେ ହାଇକୋର୍ଟରେ ଜଜ୍‌ ରହିଛନ୍ତି । ଏହାବ୍ୟତୀତ ସୁପ୍ରିମକୋର୍ଟରେ ଖାଲି ଥିବା 2 ଜଷ୍ଟିସଙ୍କ ପଦ ପୂରଣ ପାଇଁ ନାମକୁ ସୁପାରିଶ କରାଯାଇଛି । ଏଥିରେ ତେଲେଙ୍ଗାନା ହାଇକୋର୍ଟର ଜଷ୍ଟିସ ଉଜ୍ଜ୍ବଳ ଭୂଇଁୟା ଓ କେରଳ ହାଇକୋର୍ଟର ଜଷ୍ଟିସ ଏସ ଭେଙ୍କଟାରମଣ ଭଟ୍ଟି ସାମିଲ ରହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.