ETV Bharat / bharat

Odisha Train Crash: ବିଦ୍ୟୁତ ଆଘାତରେ ଯାଇଛି 40 ଯାତ୍ରୀଙ୍କ ଜୀବନ !

author img

By

Published : Jun 6, 2023, 8:02 PM IST

Odisha train crash: ବିଦ୍ୟୁତ ଆଘାତରେ ଯାଇଛି 40 ଯାତ୍ରୀଙ୍କ ଜୀବନ
Odisha train crash: ବିଦ୍ୟୁତ ଆଘାତରେ ଯାଇଛି 40 ଯାତ୍ରୀଙ୍କ ଜୀବନ

40ଟି ମୃତଦେହରେ ନାହିଁ କୌଣସି ବାହ୍ୟ ଆଘାତର ଚିହ୍ନ । ଦୁର୍ଘଟଣା ପରେ ଓଭରହେଡ ବିଦ୍ୟୁତ ତାର ଛିଡି ବଗି ଚାର୍ଜ ହୋଇଥିବା ଯୋଗୁ ମୃତ୍ୟୁ ହୋଇଥିବା ସନ୍ଦେହ । ଅଧିକ ପଢନ୍ତୁ

ହାଇଦ୍ରାବାଦ: କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାର ତଦନ୍ତ ଯେତିକି ଆଗଉଛି, ସେତିକି ନୂଆ ଓ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ଏହି ଦୁର୍ଘଟଣାରେ ପ୍ରାୟ 40 ଜଣ ଯାତ୍ରୀଙ୍କ ମୃତ୍ୟୁ ବିଦ୍ୟୁତ ଆଘାତ କାରଣରୁ ହୋଇଥିବା ନେଇ ମଧ୍ୟ ସନ୍ଦେହ ପ୍ରକାଶ ପାଇଲାଣି । କାରଣ ଏହି 40 ମୃତଦେହରେ କୌଣସି ପ୍ରକାର ବାହ୍ୟ ଆଘାତ ଲାଗିଥିବାର ଚିହ୍ନ ନାହିଁ । ତେଣୁ ଦୁର୍ଘଟଣା ପରେ ଓଭର ହେଡ ତାର ଛିଡି ବଗଟି ଚାର୍ଜ ହୋଇଯାଇଥାଇ ପାରେ, ଓ ସେହି କାରଣରୁ ଏମାନଙ୍କ ମୃତ୍ୟୁ ହୋଇଥିବା ନେଇ ପ୍ରାଥମିକ ଭାବେ ସନ୍ଦେହ କରାଯାଉଛି ।

ବାଲେଶ୍ବର ଜିଆରପିର ତଦନ୍ତ ଅନୁସାରେ, ଦୁର୍ଘଟଣା ପରେ ରେଳ ଧାରଣା ଉପରେ ଦେଇ ଯାଇଥିବା ଉଚ୍ଚଶକ୍ତି ସମ୍ପନ୍ନ ଓଭରହେଡ ବିଦ୍ୟୁତ ତାର ଛିଡି କିଛି ବଗି ସଂସ୍ପର୍ଷରେ ଆସିଥାଇପାରେ । ଫଳରେ ବଗିରେ ଫସି ରହିଥିବା ଯାତ୍ରୀ ଏହି ବିଦ୍ୟୁତ ଆଘାତରେ ପ୍ରାଣ ହରାଇଥାଇ ପାରନ୍ତି । ଜିଆରପି ପୋଲିସର ସବ ଇନିସପେକ୍ଟର ଏତଲାରେ ଏହି ଦିଗ ମଧ୍ୟ ଉଲ୍ଲେଖ କରିଛନ୍ତି । ଦୁର୍ଘଟଣାର ପାରିପାର୍ଶ୍ବିକ ସ୍ଥିତି ଓ ମୃତ ଯାତ୍ରୀଙ୍କ ଶରୀରରେ କୌଣସି ଆଘାତ ଚିହ୍ନ ନମିଳିବା କାରଣରୁ ଏପରି ଦିଗକୁ ପ୍ରାଥମିକ ଭାବେ ତଦନ୍ତ ପରିସରଭୁକ୍ତ କରାଯାଇଛି । ହେଲେ ଏହାକୁ ବିଦ୍ୟୁତ ଆଘାତଜନିତ ମୃତ୍ୟୁ ବୋଲି ରେଳବାଇ କିମ୍ବା ପୋଲିସ ସ୍ପଷ୍ଟ ଭାବେ କହିନାହାନ୍ତି ।

ଆଜି ବାଲେଶ୍ବର ରେଳବାଇ ପୋଲିସ ଠାରୁ ସିବିଆଇ ତଦନ୍ତ ଭାର ଗ୍ରହଣ କରିଛି । ଘଟଣାସ୍ଥଳରେ ସିବିଆଇର ଏକ ଟିମ ମଧ୍ୟ ପହଞ୍ଚି ସାରିଛି । ପାରିପାର୍ଶ୍ବିକ ସ୍ଥିତି ଓ ଦୁର୍ଘଟଣାସ୍ଥଳରୁ ପ୍ରମାଣ ସଂଗ୍ରହ କରିଛି ସିବିଆଇ ଟିମ । ଅନ୍ୟପଟେ ଦୁର୍ଘଟଣାକୁ 4 ଦିନ ବିତିବାକୁ ବସିଥିବା ବେଳେ ଏପର୍ଯ୍ୟନ୍ତ ମଧ୍ୟ ମୃତଦେହ ଚିହ୍ନଟ ଓ ହସ୍ତାନ୍ତରଣ ପ୍ରକ୍ରିୟା ଶେଷ ହୋଇନି । ଭୁବନେଶ୍ବରରେ ଏହି ପ୍ରକ୍ରିୟା ଜାରି ରହିଛି । ବିଭିନ୍ନ ରାଜ୍ୟରୁ ମୃତକଙ୍କ ସମ୍ପର୍କୀୟ ଭୁବନେଶ୍ବର ଆସିବାରେ ଲାଗିଛନ୍ତି । ହେଲ୍ପଡେକ୍ସ ଖୋଲି ହେଲ୍ପଲାଇନ ନମ୍ବର ଓ ଓ୍ବେବ-ସାଇଟରେ ମୃତକଙ୍କ ଫଟୋ ଓ ଅନ୍ୟାନ୍ୟ ସୂଚନା ଅପଲୋଡ କରି ଚିହ୍ନଟ ପ୍ରକ୍ରିୟାକୁ ଆହୁରି ସହଜ କରିବାକୁ ପ୍ରୟାସ କରୁଛନ୍ତି ଭବନେଶ୍ବର ମହାନଗର ନିଗମ କର୍ତ୍ତୃପକ୍ଷ ।

ଆଜି ମୃତ୍ୟୁସଂଖ୍ୟା 288 କୁ ବୃଦ୍ଧି ପାଇଥିବା ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ସ୍ପଷ୍ଟ କରିଛନ୍ତି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଅନ୍ୟ ଦୁଇ ମନ୍ତ୍ରୀ କଟକ ବଡ ମେଡିକାଲ ଓ ଭୁବନେଶ୍ବର ଏମ୍ସରେ ଚିକିତ୍ସିତ ହେଉଥିବା ପଶ୍ଚିମବଙ୍ଗ ଆହତଙ୍କୁ ଭେଟି ସେମାନଙ୍କର ସ୍ବାସ୍ଥ୍ୟାବସ୍ଥା ତଦାରଖ କରିଛନ୍ତି । କିଛି ସ୍ଥାନରେ ମୃତଦେହ ହସ୍ତାନ୍ତରଣ ପ୍ରକ୍ରିୟାରେ ଲଜ୍ଜାଜନକ ଘଟଣା ମଧ୍ୟ ସାମ୍ନାକୁ ଆସୁଛି । ଘୋଷଣା ହୋଇଥିବା ସରକାରୀ ଅନୁକମ୍ପା ରାଶି ହଡପ କରିବା ପାଇଁ କିଛି ସ୍ଥାନରେ କିଛି ଅସାଧୁ ବ୍ୟକ୍ତିବିଶେଷ ମୃତଦେହକୁ ନିଜର ଦାବି କରୁଥିବା ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.