ETV Bharat / bharat

ଦେଶରେ ନାହିଁ ତେଲ ସଙ୍କଟ, ସ୍ପଷ୍ଟୀକରଣ ଦେଲେ ସରକାର

author img

By

Published : Jun 16, 2022, 8:28 AM IST

ଦେଶରେ ନାହିଁ ତେଲ ସଙ୍କଟ, ସ୍ପଷ୍ଟୀକରଣ ଦେଲେ ସରକାର
ଦେଶରେ ନାହିଁ ତେଲ ସଙ୍କଟ, ସ୍ପଷ୍ଟୀକରଣ ଦେଲେ ସରକାର

ଦେଶର ବିଭିନ୍ନ ରାଜ୍ୟରେ ତେଲ ସଙ୍କଟ ସୃଷ୍ଟି ହୋଇଥିବା ଖବରକୁ ଖଣ୍ଡନ କଲେ କେନ୍ଦ୍ର ସରକାର । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଦେଶର ବିଭିନ୍ନ ରାଜ୍ୟରେ ତେଲ ସଙ୍କଟ ସୃଷ୍ଟି ହୋଇଛି । ରାଜସ୍ଥାନ, ମଧ୍ୟପ୍ରଦେଶ, ହିମାଚଳ ପ୍ରଦେଶ, ହରିୟାଣା ଭଳି କେତେକ ରାଜ୍ୟରେ ପେଟ୍ରୋଲ ଓ ଡିଜେଲର ଅଭାବ ରହିଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି । ରାଷ୍ଟ୍ରାୟତ ତେଲ କମ୍ପାନୀମାନେ ଡିଲରମାନଙ୍କୁ ଆବଶ୍ୟକ ପରିମାଣର ତେଲ ଯୋଗାଇ ପାରୁନଥିବା ଯୋଗୁଁ ଏବେ ଅନେକ ପେଟ୍ରୋଲ ଟାଙ୍କି ଶୁଖିଲା ପଡିଛି । ଏହାକୁ ନେଇ ଏବେ ଦେଶବ୍ୟାପୀ ଚର୍ଚ୍ଚା ଜୋର ଧରିଥିବା ବେଳେ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ସରକାର । କେନ୍ଦ୍ର ସରକାର ତେଲ ଅଭାବ ସମ୍ପର୍କିତ ଘଟଣାକୁ ଦୃଢ ଭାବେ ଖଣ୍ଡନ କରିଛନ୍ତି । ଦେଶରେ ତେଲ ଅଭାବ ଭଳି ସ୍ଥିତି ନାହିଁ ବୋଲି ସ୍ପଷ୍ଟ କରିଛି କେନ୍ଦ୍ର ।

ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ, ପେଟ୍ରୋଲ ପମ୍ପ ମାଲିକମାନଙ୍କ ଉପରେ ତେଲ କମ୍ପାନୀଗୁଡିକଙ୍କ ବକେୟା ଅର୍ଥ ପଡିରହିଛି । ଯାହାକୁ ପ୍ରଦାନ କରିବାକୁ କମ୍ପାନୀ ପମ୍ପ ମାଲିକମାନଙ୍କ ଉପରେ ଚାପ ପକାଉଛନ୍ତି । ସେମାନେ ଏହା ଦେଉନଥିବାରୁ ତେଲ କମ୍ପାନୀ ସେହି ସବୁ ନିର୍ଦ୍ଧିଷ୍ଟ ଅଞ୍ଚଳରେ ଯୋଗାଣ ହ୍ରାସ କରିଛନ୍ତି ବୋଲି କୁହାଯାଉଛି । ଅନ୍ୟପଟେ ଏ ସମ୍ପର୍କରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ''ଚାହିଦା ମୁତାବକ ଦେଶରେ ଯଥେଷ୍ଟ ପରିମାଣର ପେଟ୍ରୋଲ ଓ ଡିଜେଲ ଉତ୍ପାଦନ ହେଉଛି । ହେଲେ ହଠାତ୍ ଚାହିଦା ବୃଦ୍ଧି ହୋଇଥିବାରୁ କେତେକ ନିର୍ଦ୍ଧିଷ୍ଟ ଅଞ୍ଚଳରେ ଲଜିଷ୍ଟିକକୁ ନେଇ କିଛି ସମସ୍ୟା ସୃଷ୍ଟି ହୋଇଛି । ତେଲ କମ୍ପାନୀଗୁଡିକ ଏହି ସମସ୍ୟ ଦୂର କରିବା ଦିଗରେ ପ୍ରଚେଷ୍ଟା କରୁଛନ୍ତି ।''

ପ୍ରକାଶଥାଉ କି, ସୋମବାର ଭୋପାଳର ୧୫୨ ପେଟ୍ରୋଲ ପମ୍ପରୁ ୧୨ଟି ପମ୍ପ ଶୁଖିଲା ପଡିଥିଲା । ତୈଳ ଅଭାବ କେବଳ ସହର ନୁହେଁ, ସୀମା ବାହାରେ ଥିବା ପେଟ୍ରୋଲ ପମ୍ପର ସ୍ଥିତି ମଧ୍ୟ ସମାନ । ଭୋପାଳ ପରି ହିମାଚଳ ପ୍ରଦେଶର ସମାନ ଅବସ୍ଥା । ପେଟ୍ରୋଲ ଓ ଡିଜେଲ ନଥିବାରୁ ଏଠାରେ ୪୯୬ଟି ପେଟ୍ରୋଲ ପମ୍ପ ଏବେ ବନ୍ଦ ପଡିଛି । ହିମାଚଳ ପ୍ରଦେଶ ଖାଦ୍ୟ ଯୋଗାଣ ବିଭାଗ ଅନୁଯାୟୀ, ପ୍ରତିଦିନ ରାଜ୍ୟରେ ହାରାହାରି ୨୪୦ ମେଟ୍ରିକ ଟନ୍‌ ପେଟ୍ରୋଲ ଏବଂ ୧୩୦୦ ମେଟ୍ରିକ ଟନ ଡିଜେଲ ଉପଯୋଗ ହୋଇଥାଏ । ମୋଟ ଉପଭୋଗର ୫୦ ପ୍ରତିଶତ ତୈଳ IOCL(Indian Oil Corporation Limited) ଯୋଗାଣ କରୁଥିବା ବେଳେ BPCL ଏବଂ HPCL ୨୪ ପ୍ରତିଶତ ଲେଖାଏଁ ଯୋଗାଣ କରନ୍ତି । ଅତିରିକ୍ତ ୨ ପ୍ରତିଶତ ତୈଳ ଘରୋଇ କମ୍ପାନୀ ଯୋଗାଇଥାଏ ।

ରାଜ୍ୟସ୍ଥାନରେ HPCL ପକ୍ଷରୁ ପ୍ରାୟ ୨୫୦୦ ପେଟ୍ରୋଲ ପମ୍ପ ପରିଚାଳିତ ହୋଇଥାଏ । ମାତ୍ର କିଛି ଦିନ ହେଲା ଏଠାରେ ୨,୦୦୦ରୁ ଅଧିକ ପେଟ୍ରୋଲ ପମ୍ପ ଖାଲି ପଡିଛି । ଏଠାରେ ପେଟ୍ରୋଲ ପାଇଁ ଲୋକଙ୍କ ନାହିଁ ନଥିବା ଗହଳି ପରିଲକ୍ଷିତ ହେଉଛି । ଯଦିଓ IOCLର ୪,୦୦୦ ପମ୍ପରେ ଯୋଗାଣ ଠିକ୍ ଚାଲିଛି, ତଥାପି ଏହି ପମ୍ପଗୁଡିକ ରାଜ୍ୟ ଭିତରେ ବଢୁଥିବା ଚାହିଦା ପୂରଣ ଦିଗରେ ଅକ୍ଷମ ହେବ ବୋଲି ଆଶଙ୍କା କରାଯାଉଛି । ହରିୟାଣା ରାଜ୍ୟରେ ମଧ୍ୟ ପେଟ୍ରୋଲ ଓ ଡିଜେଲର ଅଭାବ ଦେଖାଦେଇଥିବା ଖବର ଆସିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.