ETV Bharat / bharat

Atiq-Ashraf murder: ୟୁପି ପୋଲିସକୁ ନୋଟିସ ଜାରି କଲା NHRC

author img

By

Published : Apr 18, 2023, 7:40 PM IST

Atiq-Ashraf murder:ୟୁପି ପୋଲିସକୁ ନୋଟିସ ଜାରି କଲା NHRC
Atiq-Ashraf murder:ୟୁପି ପୋଲିସକୁ ନୋଟିସ ଜାରି କଲା NHRC

ମାଫିଆ ବ୍ରଦର୍ସ ଅତିକ-ଅଶରଫ ହତ୍ୟାକାଣ୍ଡ ଘଟଣାରେ ଉତ୍ତର ପ୍ରଦେଶ ପୋଲିସକୁ ନୋଟିସ ଜାରି କଲା ଜାତୀୟ ମାନବାଧିକାର ଆୟୋଗ (NHRC) । 4 ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ /ଲକ୍ଷ୍ନୌ: ମାଫିଆ ବ୍ରଦର୍ସ ଅତିକ-ଅଶରଫ ହତ୍ୟାକାଣ୍ଡ ପରେ କେହି କେହି ଏହାକୁ ସମର୍ଥନ କରୁଥିବା ବେଳେ ଏହାକୁ ନେଇ ବିରୋଧୀ ସାମ୍ବିଧାନିକ ବ୍ୟବସ୍ଥାର ହତ୍ୟା ବୋଲି କହୁଛନ୍ତି । ପୋଲିସ କଷ୍ଟଡିରେ ଥିବା ଦୁଇ ମାଫିଆଙ୍କୁ କିପରି 3 ଯୁବକ ଆସି ଗୁଳି କରି ହତ୍ୟା କଲେ ଓ ତୁରନ୍ତ ନାଟକୀୟ ଢଙ୍ଗରେ ଆତ୍ମସମର୍ପଣ କଲେ ତାକୁ ନେଇ ବିଭିନ୍ନ ଚର୍ଚ୍ଚା ଜାରି ରହିଛି । ଏହାରି ମଧ୍ୟରେ ଆଜି ଜାତୀୟ ମାନବାଧିକାର ଆୟୋଗ ମଧ୍ୟ ମାମଲାରେ ହସ୍ତକ୍ଷେପ କରିଛି । ଆୟୋଗ ଏନେଇ ଉତ୍ତର ପ୍ରଦେଶ ପୋଲିସକୁ ନୋଟିସ ମଧ୍ୟ ଜାରି କରିଛି । କେଉଁ ପରିସ୍ଥିତିରେ ଏପରି ଘଟଣା ଘଟିଲା ସେ ନେଇ ବିସ୍ତୃତ ତଥ୍ୟ ରଖିବା ପାଇଁ ଆୟୋଗ ରିପୋର୍ଟ ମାଗିଛି ।

ଜାରି ନୋଟିସରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ, ପ୍ରାୟାଗରାଜ ପୋଲିସ କମିଶନରଙ୍କୁ ରିପୋର୍ଟ ତଲବ କରାଯାଇଛି । 4 ସପ୍ତାହ ମଧ୍ୟରେ ଘଟଣାର ତଦନ୍ତ କରି ବିସ୍ତୃତ ରିପୋର୍ଟ ଦାଖଲ କରିବା ପାଇଁ 4 ସପ୍ତାହ ମହଲତ ମଧ୍ୟ ମିଳିଛି । ଦାଖଲ ହେବାକୁ ଥିବା ତଦନ୍ତ ରିପୋର୍ଟରେ ପୋଲିସ ସମସ୍ତ ଦିଗକୁ ତଦନ୍ତ ପରିସରକୁ ନେବାକୁ ଆୟୋଗ କହିଛନ୍ତି । ଯେପରି ମେଡିକାଲ ସାର୍ଟିଫିକେଟ କପି, ଉଭୟଙ୍କ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ, ବ୍ୟବଚ୍ଛେଦ ପ୍ରକ୍ରିୟାରେ କରାଯାଇଥିବା ଭିଡିଓଗ୍ରାଫି ସମ୍ବଳିତ ତଥ୍ୟ ଓ ହତ୍ୟାକାଣ୍ଡ ପରେ କରାଯାଇଥିବା ମାଜିଷ୍ଟ୍ରେଟସ୍ତରୀୟ ରିପୋର୍ଟକୁ ଦାଖଲ ହେବାକୁ ଥିବା ରିପୋର୍ଟରେ ଅନ୍ତର୍ଭୁକ୍ତ କରିବା ପାଇଁ ସମନରେ ନିର୍ଦ୍ଦେଶ ରହିଛି ।

ପୋଲିସ ଏହି ସମସ୍ତ ଦିଗରୁ ଘଟଣାକୁ ତଦନ୍ତ ପରିସରକୁ ନେଇ 4 ସପ୍ତାହ ଅର୍ଥାତ ଏକ ମାସ ମଧ୍ୟରେ ତଦନ୍ତ ରିପୋର୍ଟ ଆୟୋଗଙ୍କ ନିକଟରେ ଦାଖଲ କରିବ । ତେବେ ଏହି ଘଟଣାର ତଦନ୍ତ ପାଇଁ ଉତ୍ତର ପ୍ରଦେଶ ପୋଲିସ ଦୁଇଟି ସ୍ବତନ୍ତ୍ର ତଦନ୍ତକାରୀ ଟିମ (ଏସଆଇଟି) ଗଠନ କରିଛନ୍ତି । ଅଭିଯୁକ୍ତମାନେ ଏବେ 14 ଦିନିଆ ନ୍ୟାୟିକ ହାଜତରେ ଥିବା ବେଳେ ଖୁବଶୀଘ୍ର ସେମାନଙ୍କୁ ହତ୍ୟାକାଣ୍ଡସ୍ଥଳକୁ ନେଇ ପୋଲିସ କ୍ରାଇମ ସିନ ମଧ୍ୟ ରିକ୍ରିଏସନ କରିବ ।

ଶନିବାର ରାତି ପ୍ରାୟ 10.40 । ଉଭୟ ଗ୍ୟାଙ୍ଗଷ୍ଟାର ଭାଇ ପ୍ରାୟାଗରାଜ ହସ୍ପିଟାଲରୁ ଚେକ-ଅପ ପରେ ଫେରୁଥିଲେ । ପୋଲିସ କଷ୍ଟଡିରେ ଉଭୟଙ୍କ ହାତରେ ହ୍ୟାଣ୍ଡକଫ ମଧ୍ୟ ଥିଲା । ହସ୍ପିଟାଲ ବାହାରକୁ ଆସିବା ପରେ ସମାନଙ୍କୁ ଗଣମାଧ୍ୟମ ପ୍ରତିନିଧିମାନେ ଘେରି ଯାଇ ପ୍ରଶ୍ନ କରିଥିଲେ । ଉଭୟ ପୋଲିସ କଷ୍ଟଡିରେ ରହି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଉଥିଲେ । ଠିକ ଏହି ସମୟରେ ସିଧା ଅତିକର ମୁଣ୍ଡରେ ବନ୍ଧୁକ ଲଗାଇ ପଏଣ୍ଟ ବ୍ଲାଙ୍କ ରେଞ୍ଜରୁ ଗୁଳି କରିଥିଲା ଜଣେ ଅଭିଯୁକ୍ତ । କେହି କିଛି ବୁଝିବା ପୂର୍ବରୁ ଅସରଫ ଉପରେ ମଧ୍ୟ ଗୁଳି ବର୍ଷା ହୋଇଥିଲା । ଉଭୟ ସେଠାରେ ହିଁ ଟଳି ପଡିଥିଲା ।

ଖବର ପ୍ରସାରିତ ହେବା ପରେ ସମଗ୍ର ଦେଶରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଏହାକୁ କେହି କେହି ସ୍ବାଗତ କରିଥିବା ବେଳେ ବିରୋଧୀ ଦଳ ଏହାକୁ ଷଡଯନ୍ତ୍ର ଓ ଏପରି ଘଟଣା ଦେଶର ସମ୍ବିଧାନକୁ ଦୁର୍ବଳ କରୁଛି ବୋଲି ଅଭିଯୋଗ କିରଥିଲେ । ଆଜି ଏହି ଘଟଣାରେ ଜାତୀୟ ମାନବାଧିକାର ଆୟୋଗ ମଧ୍ୟ ରିପୋର୍ଟ ତଲବ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.