ETV Bharat / bharat

ବଦଳିଲା ନେହେରୁ ମେମୋରିଆଲ ନାମ, ଏଣିକି ଏହି ନାମରେ ହେବ ଜଣାଶୁଣା

author img

By

Published : Aug 16, 2023, 8:39 AM IST

ନେହେରୁ ମେମୋରିଆଲ ହେଲା ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ଓ ପାଠାଗାର । ଅଧିକ ପଢନ୍ତୁ

ବଦଳିଲା ନେହେରୁ ମେମୋରିଆଲ ନାମ
ବଦଳିଲା ନେହେରୁ ମେମୋରିଆଲ ନାମ

ନୂଆଦିଲ୍ଲୀ: ବଦଳିଲା ନେହେରୁ ମେମୋରିଆଲ ନାଁ । ନେହେରୁ ମ୍ୟୁଜିୟମ ଆଣ୍ଡ ଲାଇବ୍ରେରୀ ଏବେ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ହୋଇଛି । କେନ୍ଦ୍ର ସରକାର ଅଗଷ୍ଟ ୧୪ରେ ଆନୁଷ୍ଠାନିକ ଭାବେ ଦିଲ୍ଲୀ ସ୍ଥିତ ନେହେରୁ ମେମୋରିଆଲ ମ୍ୟୁଜିୟମ ଆଣ୍ଡ ଲାଇବ୍ରେରୀର ନାମ ପରିବର୍ତ୍ତନ କରି ପ୍ରଧାନମନ୍ତ୍ରୀ ମ୍ୟୁଜିୟମ ଆଣ୍ଡ ଲାଇବ୍ରେରୀ ସୋସାଇଟି ରଖିଛନ୍ତି । ଏନେଇ ମଙ୍ଗଳବାର ଜଣେ ବରିଷ୍ଠ ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ପିଏମ୍ ମ୍ୟୁଜିୟମ ଆଣ୍ଡ ଲାଇବ୍ରେରୀର କାର୍ଯ୍ୟକାରୀ ପରିଷଦ ଉପାଧ୍ୟକ୍ଷ ଏ. ସୂର୍ଯ୍ୟପ୍ରକାଶ ସୋସିଆଲ ମିଡିଆ ପ୍ଲାଟଫର୍ମ 'X' (ପୂର୍ବର ଟ୍ବିଟର)ରେ ସ୍ବାଧୀନତା ଦିବସର ଶୁଭେଚ୍ଛା ଜଣାଇ କହିଛନ୍ତି, ଏନଏମଏମଏଲ(NMML) ନାମ ସୋମବାର ଠାରୁ ପ୍ରଧାନମନ୍ତ୍ରୀ ମ୍ୟୁଜିୟମ ଆଣ୍ଡ ଲାଇବ୍ରେରୀ ହୋଇଛି, ଯାହାକି ସମାଜର ଗଣତାନ୍ତ୍ରିକରଣ ଓ ବିବିଧକରଣର ଅନୁରୂପ ଅଟେ । ଏହାସହିତ ତାଙ୍କ ପୋଷ୍ଟରେ ତିନି ମୂର୍ତ୍ତି ଭବନର ଏକ ଫଟୋ ମଧ୍ୟ ଲାଗିଥିବା ଦେଖାଯାଇଛି ।

କହିରଖୁଛୁ କି, ତିନି ମୂର୍ତ୍ତି ଭବନ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ସରକାରୀ ବାସଭବନ ଥିଲା । ଗତ ଜୁନରେ ଏନଏମଏମଏଲ ସୋସିଇଟିର ଏକ ସ୍ବତନ୍ତ୍ର ବୈଠକରେ ଏହାର ନାମ ବଦଳାଯାଇ ପିଏମଏଏଲ(ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ଓ ପାଠାଗାର) ରଖିବାକୁ ନିଷ୍ପତ୍ତି ହୋଇଥିଲା । ଏହାକୁ ନେଇ ସେତେବେଳେ କଂଗ୍ରେସ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲା । ଯେଉଁମାନଙ୍କ କୌଣସି ଇତିହାସ ନାହିଁ ସେମାନେ ଅନ୍ୟମାନଙ୍କ ଇତିହାସ ଲୋପ କରିବାକୁ ଯାଉଛନ୍ତି ବୋଲି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ କହିଥିଲେ ।

ସୂତ୍ର ଅନୁସାରେ, ନୂଆ ନାମ ଉପରେ ମୋହର ଲାଗିବା ପାଇଁ କିଛି ପ୍ରଶାସନିକ ପ୍ରକ୍ରିୟାର ଆବଶ୍ୟକତା ଥିଲା । ଅଗଷ୍ଟ ୧୪ରୁ ଆନୁଷ୍ଠାନିକ ଭାବେ ଏହାର ନାମ ପରବର୍ତ୍ତନ ହୋଇଛି । ଚଳିତ ବର୍ଷ ଜୁନରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନେହେରୁ ମେମୋରିଆଲ ନାମ ବଦଳିବା ପାଇଁ ନିଷ୍ପତ୍ତି ହୋଇଥିଲା । ଜୁନରେ ଆରମ୍ଭ ହୋଇଥିବା ପ୍ରକ୍ରିୟା ସ୍ବାଧୀନତା ଦିବସରେ ଚୂଡାନ୍ତ ହୋଇଛି ।

୨୦୧୬ରେ ପ୍ରଧାନମନ୍ତ୍ରୀ ମୋଦି ତିନି ମୂର୍ତ୍ତି ଭବନରେ ଭାରତର ସବୁ ପ୍ରଧାନମନ୍ତ୍ରୀଙ୍କୁ ସମର୍ପିତ କରି ଗୋଟିଏ ସଂଗ୍ରହାଳୟ ସ୍ଥାପନ କରିବାକୁ ବିଚାର ରଖିଥିଲେ । ୨୦୧୬ ନଭେମ୍ବରରେ କାର୍ଯ୍ୟକାରୀ ପରିଷଦ ବୈଠକରେ ଏହାକୁ ମଞ୍ଜୁରୀ ମିଳିଥିଲା । ଏବେ ସମସ୍ତ ପ୍ରକ୍ରିୟା ଶେଷ ହେବା ପରେ ସାଧାରଣ ଲୋକଙ୍କ ପାଇଁ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ଖୋଲାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.