ETV Bharat / bharat

Inspirational Story: ଚାରି ବୋହୂଙ୍କ ସହ ପରୀକ୍ଷା ଦେଲେ ଶାଶୁ

author img

By

Published : Mar 7, 2023, 9:33 AM IST

ଚାରି ବୋହୂଙ୍କ ସହ ପରୀକ୍ଷା ଦେଲେ ଶାଶୁ
ଚାରି ବୋହୂଙ୍କ ସହ ପରୀକ୍ଷା ଦେଲେ ଶାଶୁ

ନିଜର ୪ ବୋହୂଙ୍କ ସହ ମିଶି ପରୀକ୍ଷା ଦେଲେ ଶାଶୁ । ବିହାରରୁ ଆସିଥିବା ଏହି ଘଟଣାକୁ ନେଇ ଚାରିଆଡେ ଚର୍ଚ୍ଚା । ଅଧିକ ପଢନ୍ତୁ

ପାଟନା: ପାଠପଢାର କୌଣସି ବୟସସୀମା ନଥାଏ । ଇଚ୍ଛାଶକ୍ତି ଥିଲେ ବସୟର ଯେକୌଣସି ସୋପାନରେ ବି ଶିକ୍ଷାଲାଭ ହୋଇପାରିବ । ବିହାରରୁ ଆସିଥିବା ଏହିଭଳି କିଛି ଘଟଣା ବର୍ତ୍ତମାନ ସମୟରେ ବେଶ୍ ଚର୍ଚ୍ଚାରେ ରହିଛି । ବିହାରର ଜଣେ ମହିଳା ବୟସକୁ ଖାତିର ନକରି ନିଜର ଚାରି ବୋହୂଙ୍କ ସହିତ ମିଶି ପରୀକ୍ଷା ଦେଇଛନ୍ତି । ଏହି ମହିଳା ହେଉଛନ୍ତି ବିହାର ନାଳନ୍ଦା ଜିଲ୍ଲା ଚଣ୍ଡୀ ଅନ୍ତର୍ଗତ ଡିହ ଗ୍ରାମର ଶିବାରତି ଦେବୀ । ସେ ଗତ ୬ ମାସ ହେଲା ନିଜ ବୋହୂମାନଙ୍କ ସହ ପାଠ ପଢିଆସୁଛନ୍ତି । ଶିବାରତୀ ଦେବୀ ଏବଂ ତାଙ୍କର ବୋହୂମାନେ ଦିନବେଳା ଘର କାମ ଓ ଚାଷ କାମ କରନ୍ତି । ତା' ଭିତରୁ ସମୟ ବାହାର କରି ଏକାଠି ବସି ପାଠ ପଢନ୍ତି । ସଂସାର ଜଞ୍ଜାଳ ମଧ୍ୟରେ ପାଠପଢା ପ୍ରତି ଏହି ଶାଶୂ-ବୋହୂଙ୍କ ଆଗ୍ରହକୁ ସମସ୍ତେ ପ୍ରଶଂସା କରିଛନ୍ତି ।

ବିହାରରେ ଗତ ରବିବାର ଦିନ ମୁଖ୍ୟମନ୍ତ୍ରୀ ଅକ୍ଷର ଆଞ୍ଚଲ ଯୋଜନା ଅଧିନରେ ସାକ୍ଷରତା ପରୀକ୍ଷା ଆୟୋଜିତ ହୋଇଥିଲା । ଏଥିରେ ଗ୍ରାମୀଣ ଅଞ୍ଚଳର ପ୍ରାୟ ୯ ହଜାର ମହିଳା ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରେ ରହିଥିଲେ ନାଳନ୍ଦା ଡିହ ଗ୍ରାମର ୪୫ ବର୍ଷୀୟ ଶିବରାତି ଦେବୀ ଏବଂ ତାଙ୍କର ଚାରି ବୋହୂ ସୋଭା ଦେବୀ, ସୀମା ଦେବୀ, ବୀଣା ଦେବୀ ଓ ବିନ୍ଦୀ ଦେବୀ । ଏହି ଶାଶୂ ଓ ବୋହୂ ମିଶି ପରୀକ୍ଷା ଦେବାକୁ ସ୍ଥାନୀୟ ଆଦର୍ଶ ମଧ୍ୟ ବିଦ୍ୟାଳୟରେ ପହଞ୍ଚିଥିଲେ ଏବଂ ପରୀକ୍ଷା ଦେଇଥିଲେ । ଏହି ଘଟଣା ଏବେ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି ।

ଏନେଇ ଶାଶୂ ଶିବାରତି ଦେବୀ କହିଛନ୍ତି, ମୁଁ ନିଜର ୪ ବୋହୂଙ୍କ ସହ ସାକ୍ଷରତା ପରୀକ୍ଷା ଦେଇଛି । ତାଙ୍କର ସାନ ବୋହୂ କହିଛନ୍ତି ପ୍ରାୟ ୬ ମାସ ହେଲା ଆମେମାନେ ପାଠ ପଢୁଛୁ । ଏବେ ଆମେ ନିଜର ନାମ ଲେଖିପାରିବା ସହ ଅକ୍ଷର ଚିହ୍ନି ପଢିପାରୁଛୁ । ଲେଖାପଢା ସାଙ୍ଗକୁ ଆମକୁ ମିଶାଣ ଫେଡାଣ ମଧ୍ୟ ଆସୁଛି । ବିଳମ୍ବରେ ହେଉଛି ପୁଣିଥରେ ପାଠ ପଢିବାର ସୁଯୋଗ ପାଇ ଶିବାରତୀ ଦେବୀ ଏବଂ ତାଙ୍କର ବୋହୂମାନେ ବେଶ୍ ଖୁସି ପ୍ରକଟ କରିଛନ୍ତି ।

ପ୍ରକାଶଥାଉ କି, ମୁଖ୍ୟମନ୍ତ୍ରୀ ଅକ୍ଷର ଆଞ୍ଚଲ ଯୋଜନାରେ ବିହାରରେ ପ୍ରତି ୬ ମାସରେ ଥରେ ପରୀକ୍ଷା କରାଯାଏ । ୧୫ ବର୍ଷରୁ ୪୫ ବର୍ଷ ବୟସର ମହିଳା ଏହି ପରୀକ୍ଷାରେ ସାମିଲ ହୋଇଥାନ୍ତି । ଏଥିପାଇଁ ମହିଳାମାନଙ୍କୁ ୬ ମାସ ପ୍ରଶିକ୍ଷଣ ଦିଆଯାଇଥାଏ । ପ୍ରଶିକ୍ଷଣ ସମୟରେ ସେମାନଙ୍କୁ ଲେଖିବା, ପଢିବା, ମିଶାଣ ଫେଡାଣ ସହ ହସ୍ତାକ୍ଷର, ବିଭିନ୍ନ ସରକାରୀ ଯୋଜନୀ ସମ୍ପର୍କରେ ଶିକ୍ଷାଦାନ କରାଯାଏ । ୬ ମାସର ପାଠପଢା ପରେ ଏହି ପରୀକ୍ଷା ଅନୁଷ୍ଠିତ କରାଯାଏ । ଏହି କ୍ରମରେ ଗତ ରବିବାର ଦିନ ନାଳନ୍ଦାରେ ପରୀକ୍ଷା ଆୟୋଜିତ ହୋଇଥିଲା । ଏଥିରେ ଚଣ୍ଡୀ ଅନ୍ତର୍ଗତ ଡିହ ଗ୍ରାମର ଶାଶୂ ଶିବାରତୀ ଦେବୀଙ୍କ ସହ ତାଙ୍କର ବୋହୂମାନେ ସାମିଲ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.