ETV Bharat / bharat

Manish Sisodia In Court: କୋର୍ଟରେ ସିସୋଦିଆଙ୍କୁ ହାଜର କଲା CBI, ବିଭିନ୍ନ ସ୍ଥାନରେ ଆପ୍‌ର ବିକ୍ଷୋଭ

author img

By

Published : Feb 27, 2023, 4:20 PM IST

କୋର୍ଟରେ ସିସୋଦିଆଙ୍କୁ ହାଜର କଲା ସିବିଆଇ, ବିଭିନ୍ନ ସ୍ଥାନରେ ଆପର ବିକ୍ଷୋଭ
କୋର୍ଟରେ ସିସୋଦିଆଙ୍କୁ ହାଜର କଲା ସିବିଆଇ, ବିଭିନ୍ନ ସ୍ଥାନରେ ଆପର ବିକ୍ଷୋଭ

ରାଉଜ ଆଭିନ୍ୟୁ କୋର୍ଟରେ ହାଜର ହେଲେ ମନୀଷ ସିସୋଦିଆ । ଗତକାଲି ସଂଧ୍ୟାରେ ହୋଇଥିଲେ ଗିରଫ । ରିମାଣ୍ଡ ନା ବେଲ ସମସ୍ତଙ୍କ ନଜର । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଦିଲ୍ଲୀ ରାଉଜ ଆଭିନ୍ୟୁ କୋର୍ଟରେ ଗତକାଲି ଗିରଫ ହୋଇଥିବା ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ହାଜର କରିଛି ସିବିଆଇ । ଗତକାଲି (ରବିବାର) 8 ଘଣ୍ଟାର ଜେରା ପରେ ସଂଧ୍ୟାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିସୋଦିଆଙ୍କୁ ଗିରଫ କରିଥିଲା । ଆଜି କଡା ସୁରକ୍ଷା ମଧ୍ୟରେ ତାଙ୍କୁ ସିବିଆଇ ମୁଖ୍ୟାଳୟରୁ କୋର୍ଟକୁ ନିଆଯାଇଛି । ଆଜି ଶୁଣାଣିରେ ସିବିଆଇ ସିସୋଦିଆଙ୍କୁ ରିମାଣ୍ଡରେ ନେଇ ଅଧିକ ଜେରା କରିବା ପାଇଁ କୋର୍ଟରେ ପ୍ରାର୍ଥନା କରିବା ନେଇ ଅନୁମାନ କରାଯାଉଛି । ସିସୋଦିଆଙ୍କୁ ବେଲ୍ ମିଳୁଛି ନା ସିବିଆଇକୁ ରିମାଣ୍ଡ, ତାକୁ ନେଇ ସମସ୍ତଙ୍କ ମଧ୍ୟରେ ଅପେକ୍ଷା ରହିଛି ।

ଅନ୍ୟପଟେ ଗତକାଲି ସଂଧ୍ୟାରେ ସିସୋଦିଆଙ୍କ ଗିରଫଦାରୀ ପରେ ଦିଲ୍ଲୀରେ ଆମ ଆଦମୀ ପାର୍ଟିର ନେତାମାନେ ବିକ୍ଷୋଭ କରିଥିଲେ । ଆଜି ଦଳ ଜାତୀୟ ରାଜଧାନୀ ଦିଲ୍ଲୀ ସମେତ ବିଭିନ୍ନ ସ୍ଥାନରେ ପ୍ରତିବାଦ କରିଛି । ଅନ୍ୟତମ ଆପ ଶାସିତ ରାଜ୍ୟ ପଞ୍ଜାବରେ ମଧ୍ୟ ବିଜେପି ବିରୋଧରେ ନାରାବାଜୀ ସହ ସିସୋଦିଆଙ୍କ ଗିରଫଦାରୀ ରାଜନୈତିକ ଉଦ୍ଦେଶ୍ୟମୂଳକ ବୋଲି ଆମ ଆଦମୀ ପାର୍ଟି ଅଭିଯୋଗ କରିବା ସହ ପ୍ରତିବାଦ କରିଛି ।

ଗତକାଲି (ରବିବାର) ଅବକାରୀ ପିଲିସି ଦୁର୍ନୀତି ମାମଲାରେ ଦଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ସିବିଆଇ ଜେରା ଓ ପରେ ବିଳମ୍ବିତ ଅପରାହ୍ନରେ ଗିରଫ କରାଯିବା ପ୍ରସଙ୍ଗକୁ ନେଇ ଦିନ ତମାମ ଦିଲ୍ଲୀ ରାଜନୀତିରେ ଉଷ୍ମତା ଦେଖିବାକୁ ମିଳିଥିଲା । ପୂର୍ବାହ୍ନ ପ୍ରାୟ 11 ରେ ସିସୋଦିଆଙ୍କ ସମର୍ଥକଙ୍କ ସହ ସିବିଆଇ ମୁଖ୍ୟାଳୟରେ ପହଞ୍ଚିଥିଲେ । ତାଙ୍କ ଗିରଫଦାରୀ ନେଇ ଆଶଙ୍କା ଦେଖାଇଥିଲା ଆମ ଆଦମୀ ପାର୍ଟି । 8 ଘଣ୍ଟାର ଜେରା ପରେ ସିସୋଦିଆଙ୍କୁ ଗିରଫ କରାଯାଇଥିବା ସିବିଆଇ ପକ୍ଷରୁ ସୂଚନା ମିଳିଥିଲା । ଯାହାକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲା ଆମ ଆଦମୀ ପାର୍ଟି । ଏହି କାର୍ଯ୍ୟାନୁଷ୍ଠାନ ରାଜନୈତିକ ଅସହିଷ୍ଣୁତା ଓ ଏକଛତ୍ରବାଦ ବୋଲି କହିବା ସହ ଏହା ଗଣତନ୍ତ୍ର ପାଇଁ କଳାଦିନ ବୋଲି AAP କହିଥିଲା ।

ଦିନ ତମାମ ସିସୋଦିଆଙ୍କୁ କୌଣସି ମୁହୂର୍ତ୍ତରେ ଗିରଫ କରାଯାଇପାରେ ବୋଲି ଚର୍ଚ୍ଚା ଲାଗି ରହିଥିବା ବେଳେ ସଂଧ୍ୟାରେ ସିବିଆଇ ତାଙ୍କୁ ଗିରଫ କରିଥିଲା । ସନ୍ତୋଷଜନକ ଉତ୍ତର ନମିଳିବା ଓ ତଦନ୍ତରେ ସହଯୋଗ ନକରିବା କାରଣରୁ ତାଙ୍କୁ ଗିରଫ କରାଯାଇଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି । ଅନ୍ୟପଟେ ଗିରଫଦାରୀ ସୂଚନା ମିଳିବା ପରେ ଗତକାଲି ଆମ ଆଦମୀ ପାର୍ଟିର ନେତା ଓ କର୍ମୀ ସିବିଆଇ ମୁଖ୍ୟାଳୟ ସମେତ ବିଭିନ୍ନ ସ୍ଥାନରେ କେନ୍ଦ୍ର ଓ ବିଜେପି ବିରୋଧୀ ନାରାବାଜୀ କରିଥିଲେ । ସିବିଆଇ ମୁଖ୍ୟାଳୟ ବାହାରେ ଧାରା 144 ଜାରି କରାଯିବା ସହ ପୋଲିସ ଫୋର୍ସ ଓ ରାପିଡ ଆକ୍ସନ ଫୋର୍ସ ମୁତୟନ କରାଯାଇଛି । ଅପରାହ୍ନରେ ଧାରଣାରେ ବସିଥିବା ଆପର ପ୍ରାୟ 50 କର୍ମକର୍ତ୍ତାଙ୍କୁ ପୋଲିସ ସିବିଆଇ ମୁଖ୍ୟାଳୟ ସାମ୍ନାରୁ ଉଠାଇ ନେଇ ଅଟକ ରଖିଥିବା ବେଳେ ବର୍ତ୍ତମାନ ସୁଦ୍ଧା ମଧ୍ୟ ଛାଡିନଥିବା ଜଣାପଡିଛି ।

ଗତକାଲି ସଂଧ୍ୟାରେ ସିସୋଦିଆ ଗିରଫ ହୋଇଥିବା ବେଳେ ଆଜି ଅପରାହ୍ନରେ ତାଙ୍କୁ କୋର୍ଟରେ ହାଜର କରାଯାଇଛି । ତାଙ୍କୁ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଅଧିକ ଜେରାର ଆବଶ୍ୟକତା ଦର୍ଶାଇ ରିମାଣ୍ଡରେ ନେବା ପାଇଁ ସିବିଆଇ କୋର୍ଟରେ ଆବେଦନ କରିବ ବୋଲି ଅନୁମାନ କରାଯାଉଛି । ସିବିଆଇକୁ ରିମାଣ୍ଡ ନା ସିସୋଦିଆଙ୍କୁ ବେଲ ମିଳୁଛି ତାକୁ ନେଇ ସମଗ୍ର ଦେଶର ନଜର ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.