ETV Bharat / bharat

Maharashtra Sena VS Sena: ମହାରାଷ୍ଟ୍ରରେ ରହିବ ସିନ୍ଦେ ସରକାର, ଉଦ୍ଧବଙ୍କୁ ମହଙ୍ଗା ପଡିଲା ଆଗୁଆ ଇସ୍ତଫା

author img

By

Published : May 11, 2023, 2:04 PM IST

Updated : May 11, 2023, 2:25 PM IST

Maharashtra Sena VS Sena
Maharashtra Sena VS Sena

ସୁପ୍ରିମକୋର୍ଟରୁ ନିରାଶ ହେଲେ ଉଦ୍ଧବ ଠାକରେ । ସ୍ବେଚ୍ଛାକୃତ ଭାବେ ଇସ୍ତଫା ଦେଇଥିବାରୁ କିଛି କରିପାରିବୁନି କହିଲେ କୋର୍ଟ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ସିନ୍ଦେ ସରକାରଙ୍କୁ ବଡ ଆଶ୍ବସ୍ତି । ସୁପ୍ରିମକୋର୍ଟରୁ ନିରାଶ ହେଲେ ଉଦ୍ଧବ ଠାକରେ । ମହାରାଷ୍ଟ୍ରରେ ସେନା ବନାମ ସେନା ମାମଲାରେ ଆଜି ସୁପ୍ରିମକୋର୍ଟ କହିଛନ୍ତି, ଠାକରେ ସ୍ବେଚ୍ଛାରେ ନିଜ ପଦରୁ ଇସ୍ତଫା ଦେଇଥିବା ଯୋଗୁଁ ତାଙ୍କୁ ପୁଣିଥରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ପୁନଃସ୍ଥାପନ ପାଇଁ ନିର୍ଦ୍ଦେଶ ଦିଆଯାଇ ପାରିବ ନାହିଁ । ଉଦ୍ଧବ ଠାକରେ ଫ୍ଲୋର ଟେଷ୍ଟର ସାମ୍ନା କରିନାହାନ୍ତି । ତେଣୁ ଏଥିରେ କିଛି କରିପାରିବୁନି ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି । ଅର୍ଥାତ୍ ଉଦ୍ଧବଙ୍କ ଭୁଲ୍ ପାଇଁ ଏକନାଥ ସିନ୍ଦେ ସରକାରଙ୍କୁ ଆଶ୍ବସ୍ତି ମିଳିଛି ।

ରାଜ୍ୟପାଳଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠାଇଲେ ସୁପ୍ରିମକୋର୍ଟ: ଶିବସେନାର ଏକନାଥ ସିନ୍ଦେ ଗୋଷ୍ଠୀ ଦ୍ବାରା ବାଚସ୍ପତିଙ୍କ ନିଯୁକ୍ତିକୁ ସୁପ୍ରିମକୋର୍ଟ ଅସାମ୍ବିଧାନିକ ବୋଲି କହିଛନ୍ତି । ଏହାସହିତ ସମଗ୍ର ଘଟଣାରେ ରାଜ୍ୟପାଳଙ୍କ ଭୂମିକା ଉପରେ ପ୍ରଶ୍ନ ମଧ୍ୟ ଉଠାଇଛନ୍ତି । ବିଧାନସଭାରେ ଫ୍ଲୋର ଟେଷ୍ଟ ଡକାଇବା ରାଜ୍ୟପାଳଙ୍କର ଭୁଲ୍ ଥିଲା । ତାଙ୍କର ଏହି ନିଷ୍ପତ୍ତି ଅସାମ୍ବିଧାନିକ । ଦଳର ଆଭ୍ୟନ୍ତରୀଣ ବିବାଦର ସମାଧାନ ପାଇଁ ଫ୍ଲୋର ଟେଷ୍ଟର ବ୍ୟବହାର କରାଯାଇ ପାରିବ ନାହିଁ । ଯେହେତୁ ଉଦ୍ଧବ ଠାକରେ ସ୍ବେଚ୍ଛାକୃତ ଭାବେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ତେଣୁ ବର୍ତ୍ତମାନ ସମୟରେ ସିନ୍ଦେ ସରକାର ପ୍ରତି କୌଣସି ବିପଦ ନାହିଁ ବୋଲି ସର୍ବୋଚ୍ଚ କୋର୍ଟ କହିଛନ୍ତି ।

7 ଜଣିଆ ଖଣ୍ଡପୀଠ କରିବେ ବିଦ୍ରୋହୀ ବିଧାୟକଙ୍କ ସଭ୍ୟପଦ ରଦ୍ଦ ବିଚାର: ସିନ୍ଦେଙ୍କ ସମେତ ବିଦ୍ରୋହ କରି ଦଳ ଛାଡିଥିବା ୧୬ ବିଧାୟକଙ୍କ ସଭ୍ୟପଦ ରବ୍ଦ ପ୍ରସଙ୍ଗରେ ସୁପ୍ରିମକୋର୍ଟ କୌଣସି ନିଷ୍ପତ୍ତି ନେଇନାହାନ୍ତି । ବିଧାନସଭା ବାଚସ୍ପତିଙ୍କ ଉପରେ ଏନେଇ ଦାୟିତ୍ବ ନ୍ୟସ୍ତ କରିଛନ୍ତି କୋର୍ଟ । ଏହାସହିତ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଏହି ମାମଲାର ଶୁଣାଣିକୁ ୭ ଜଣିଆ ବୃହତ ସାମ୍ବିଧାନିକ ବେଞ୍ଚକୁ ପଠାଇଛନ୍ତି । ଯାହାଫଳରେ ମାମଲାର ଶୁଣାଣି ପୁଣିଥରେ ଝୁଲିକି ରହିଛି ।

କଣ ଥିଲା ମାମଲା: ଶିବସେନାର ବିଦ୍ରୋହୀ ବିଧାୟକମାନେ ଏକନାଥ ସିନ୍ଦେଙ୍କ ନେତୃତ୍ବରେ ଗୌହାଟୀର ଏକ ହୋଟେଲରେ ଥିବା ସମୟରେ ତତ୍କାଳୀନ ଉପବାଚସ୍ପତି ସିନ୍ଦେଙ୍କ ସହ ସମସ୍ତ ୧୬ ବିଧାୟକଙ୍କ ସଭ୍ୟ ପଦ ରବ୍ଦ ନେଇ ନୋଟିସ ଜାରି କରିଥିଲେ । ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ସିନ୍ଦେ ଗୋଷ୍ଠୀ । ସେହିପରି ମୁଖ୍ୟମନ୍ତ୍ରୀ ହେବା ପରେ ନୂତନ ବାଚସ୍ପତି ନିଯୁକ୍ତି କରିଥିଲେ । ସିନ୍ଦେ ଗୋଷ୍ଠୀର ସଚେତକଙ୍କୁ ଶିବସେନାର ମୁଖ୍ୟ ସଚେତକ ଭାବେ ନବନିର୍ବାଚିତ ବାଚସ୍ପତି ଅନୁମୋଦନ କରିବା ପ୍ରସଙ୍ଗକୁ ନେଇ ଉଦ୍ଧବ ଗୋଷ୍ଠୀ ମଧ୍ୟ ସର୍ବୋଚ୍ଚ ଅଦାଲତର ଦ୍ବାରସ୍ଥ ହୋଇଥିଲେ । ବିଦ୍ରୋହ କରି ଦଳ ଛାଡିଥିବା ୧୬ ବିଧାୟକଙ୍କ ସଭ୍ୟପଦ ରବ୍ଦ କରିବା ପାଇଁ କୋର୍ଟରେ ମାମଲା ଦାୟର ହୋଇଥିଲା ।

Last Updated :May 11, 2023, 2:25 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.