ETV Bharat / bharat

Maharashtra Crisis: ଆଜି ସୁପ୍ରିମକୋର୍ଟରେ ଶୁଣାଣି

author img

By

Published : Jul 11, 2022, 7:18 AM IST

Maharashtra crisis: ଆଜି ସୁପ୍ରିମକୋର୍ଟରେ ଶୁଣାଣି
Maharashtra crisis: ଆଜି ସୁପ୍ରିମକୋର୍ଟରେ ଶୁଣାଣି

ଆଜି ସର୍ବୋଚ୍ଚ କୋର୍ଟରେ ମହାରାଷ୍ଟ୍ର ରାଜନୈତିକ ସଙ୍କଟର ଶୁଣାଣି । ଦ୍ବାରସ୍ଥ ହୋଇଛନ୍ତି ଉଦ୍ଧବ ଠାକରେ । ସର୍ବୋଚ୍ଚ କୋର୍ଟଙ୍କ ରାୟ ଉପରେ ରହିଛି ସମସ୍ତଙ୍କ ନଜର । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଆଜି ସର୍ବୋଚ୍ଚ କୋର୍ଟରେ ମହାରାଷ୍ଟ୍ର ରାଜନୈତିକ ସଙ୍କଟ ମାମଲାର ଶୁଣାଣି ହେବ । ତେବେ ଆଜି (11 ତାରିଖ)ରେ ଏହି ମାମଲାର ଶୁଣାଣି ହେବାକୁ ଥିବା ବେଳେ ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ମଧ୍ୟ ଏହି ମାମଲାକୁ ଆଜି (ସୋମବାର) ଶୁଣାଣି ପାଇଁ ତାଲିକାରେ ସୂଚୀତ କରାଯାଇନାହିଁ । ତଥାପି ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ଏହି ମାମଲାର ଶୁଣାଣି ଆଜି ହେବା ନେଇ ଆଶା କରାଯାଉଛି । କୋର୍ଟଙ୍କ ରାୟ ଉପରେ ସମସ୍ତଙ୍କ ନଜର ରହିଛି । ମହାରାଷ୍ଟ୍ରରେ ନୂତନ ସରକାର ଗଠନ ହୋଇ ସାରିଥିଲେ ସୁଦ୍ଧା କୋର୍ଟଙ୍କ ରାୟ ଏକ ଗୁରୁତ୍ବପୂର୍ଣ୍ଣ ମୋଡ ଆଣିପାରେ ।

ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଉଦ୍ଧବ ଠାକରେଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ କପିଲ ଶିବଲ ମାମଲା ପରିଚାଳନା ଭାର ଗ୍ରହଣ କରିଛନ୍ତି । ତେଣୁ ଆଜି (ସୋମବାର) ମାମଲାର ତ୍ବରିତ ଶୁଣାଣି କରିବା ପାଇଁ କୋର୍ଟଙ୍କୁ ନିବେଦନ କରିପାରନ୍ତି କପିଲ । ଏହି ମାମଲା ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକରେଙ୍କ ଗୋଷ୍ଠୀ ଦ୍ବାରା ଦାଏର କରାଯାଇଥିଲା । ଶିବସେନାରୁ ବିଦ୍ରୋହ କରିଥିବା ବିଧାୟକଙ୍କ ଗୋଷ୍ଠୀଙ୍କୁ ରାଜ୍ୟପାଳ କୋଶିୟାରୀ ସରକାର ଗଠନ ପାଇଁ ନିମନ୍ତ୍ରଣ କରିବାକୁ ଅସମ୍ବିଧାନିକ ଦର୍ଶାଇ ଏହି ମାମଲା ଦାଏର ହୋଇଥିଲା । ସେହିପରି ଫ୍ଲୋର ଟେଷ୍ଟ, ଓ ବିଦ୍ରୋହୀ ଗୋଷ୍ଠୀର ସଚେତକଙ୍କୁ ସିବସେନାର ମୁଖ୍ୟ ସଚେତକ ଭାବେ ବାଚସ୍ପତି ସ୍ବୀକୃତି ଦେବା ଆଦି ନିଷ୍ପତ୍ତି ମଧ୍ୟ ଏହି ମାମଲା ଅଧୀନରେ ରହିଛି ।

ତେବେ ଶିବେସନା ମୁଖ୍ୟ ଉଦ୍ଧବ ଠାକରେଙ୍କ ଇସ୍ତଫା ପରେ ଏକନାଥ ସିନ୍ଧେ ବିଜେପି ସମର୍ଥନରେ ସରକାର ଗଠନ କରିଥିଲେ । ମୁଖ୍ୟମନ୍ତ୍ରୀ ଭାବେ ସିନ୍ଧେ ଓ ବିଜେପି ନେତା ଦେବେନ୍ଦ୍ର ଫଡନାଭିସ ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିସାରିଛନ୍ତି । ଅନ୍ୟ ମନ୍ତ୍ରୀଙ୍କୁ ବର୍ତ୍ତମାନ ଦାୟିତ୍ବ ଦିଆଯାଇନାହିଁ । ଆଜି ସର୍ବୋଚ୍ଚ କୋର୍ଟଙ୍କ ରାୟ ଆସିବା ପରେ ବିଦ୍ରୋହୀ ବିଧାୟକଙ୍କ ଭାଗ୍ୟ ସ୍ପଷ୍ଟ ହେବ । ପରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରିତ କରିବେ ସିନ୍ଧେ ସରକାର ।

ଦିଲ୍ଲୀ ଗସ୍ତ କରି କେନ୍ଦ୍ରୀୟ ଶୀର୍ଷ ବିଜେପି ନେତାଙ୍କ ସହ ମୁଖ୍ୟମନ୍ତ୍ରୀ ସିନ୍ଧେ ଓ ଉପ ମୁଖ୍ୟମନ୍ତ୍ରୀ ଫଡନଭିସ ମଧ୍ୟ ଭେଟି ଆଲୋଚନା କରି ସାରିଛନ୍ତି । ଏହା ମଧ୍ୟ କୁହାଯାଉଛି ଯେ, ମହାରାଷ୍ଟ୍ର କ୍ୟାବିନେଟ ସମ୍ପ୍ରସାରଣରେ କେନ୍ଦ୍ରୀୟ ବିଜେପି ନେତୃତ୍ବଙ୍କ ସିଧା ହସ୍ତକ୍ଷେପ ରହିବ । ଚର୍ଚ୍ଚା ଅନୁସାରେ ମନ୍ତ୍ରୀଙ୍କ ତାଲିକା ଚୂଡାନ୍ତ ହୋଇସାରିଥିବା ବେଳେ ଆଜି ରାୟ ପ୍ରକାଶ ପାଇବା ପରେ ସମ୍ପ୍ରସାରଣ ପ୍ରକ୍ରିୟା ଆରମ୍ଭ ହେବ । ଆଜି ସର୍ବୋଚ୍ଚ କୋର୍ଟଙ୍କ ରାୟ ଉପରେ ସମସ୍ତଙ୍କ ନଜର ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.