ETV Bharat / bharat

ଆୟବହିର୍ଭୂତ ସଂପତ୍ତି ଠୁଳ ମାମଲା: ତାମିଲନାଡୁ ଶିକ୍ଷାମନ୍ତ୍ରୀଙ୍କୁ 3 ବର୍ଷ ଜେଲ୍, 50 ଲକ୍ଷ ଜୋରିମାନା

author img

By ANI

Published : Dec 21, 2023, 12:01 PM IST

Updated : Dec 21, 2023, 12:41 PM IST

ଆୟବହିର୍ଭୂତ ସଂପତ୍ତି ଠୁଳ ମାମଲା: ତାମିଲନାଡୁ ଶିକ୍ଷାମନ୍ତ୍ରୀଙ୍କୁ 3 ବର୍ଷ ଜେଲ୍, 50 ଲକ୍ଷ ଜୋରିମାନା
ଆୟବହିର୍ଭୂତ ସଂପତ୍ତି ଠୁଳ ମାମଲା: ତାମିଲନାଡୁ ଶିକ୍ଷାମନ୍ତ୍ରୀଙ୍କୁ 3 ବର୍ଷ ଜେଲ୍, 50 ଲକ୍ଷ ଜୋରିମାନା

Madras HC sentences TN Minister K Ponmudi 3 years Jail: ଆୟବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ତାମିଲନାଡୁ ଶିକ୍ଷାମନ୍ତ୍ରୀ କେ. ପୋନମୁଡ଼ିଙ୍କୁ ତିନିବର୍ଷ ଜେଲ୍ । ମାଡ୍ରାସ ହାଇକୋର୍ଟ 3 ବର୍ଷ କାରାଦଣ୍ଡ ସହ 50 ଲକ୍ଷ ଟଙ୍କା ଜୋରିମାନା କରିଛନ୍ତି। ଅଧିକ ପଢ଼ନ୍ତୁ,

ଚେନ୍ନାଇ: ଆୟବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ତାମିଲନାଡୁ ଶିକ୍ଷାମନ୍ତ୍ରୀ କେ. ପୋନମୁଡ଼ିଙ୍କୁ ତିନିବର୍ଷ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି ମାଡ୍ରାସ ହାଇକୋର୍ଟ। ମାଡ୍ରାସ ହାଇକୋର୍ଟର ବିଚାରପତି ଜଷ୍ଟିସ ଜି. ଜୟଚନ୍ଦ୍ରନ ଆଜି ମାମଲାର ଶୁଣାଣି କରି ଏହି ରାୟ ଶୁଣାଇଛନ୍ତି। ଏହାସହ ହାଇକୋର୍ଟ ପୋନମୁଡ଼ି ଏବଂ ତାଙ୍କ ପତ୍ନୀଙ୍କୁ 50 ଲକ୍ଷ ଟଙ୍କା ଲେଖାଏଁ ଜୋରିମାନା କରିଛନ୍ତି । ପୋନମୁଡ଼ି ବର୍ତ୍ତମାନ ରାଜ୍ୟରେ ମନ୍ତ୍ରୀ ଥିବାରୁ, ହାଇକୋର୍ଟ ଏହି ଦଣ୍ଡାଦେଶକୁ 30 ଦିନ ପାଇଁ ସ୍ଥଗିତ ରଖିଛନ୍ତି। ପୋନମୁଡ଼ି ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବେ ବୋଲି ଡିଏମକେ ପକ୍ଷରୁ ସୂଚନା ଦିଆଯାଇଛି।

ମାଡ୍ରାସ ହାଇକୋର୍ଟ ବିଚାରପତି ଜଷ୍ଟିସ ଜି ଜୟଚନ୍ଦ୍ରନ ଆଜି ମାମଲାର ଶୁଣାଣି କରି ତାମିଲନାଡୁ ଶିକ୍ଷାମନ୍ତ୍ରୀ ପୋନମୁଡ଼ିଙ୍କୁ ଦଣ୍ଡିତ କରିଛନ୍ତି । ତେବେ ପୋନମୁଡ଼ି ତାମିଲନାଡ଼ୁ ସରକାରରେ ମନ୍ତ୍ରୀ ଦାୟିତ୍ବରେ ଥିବାରୁ, ଦଣ୍ଡାଦେଶକୁ 30 ଦିନ ପାଇଁ ସ୍ଥଗିତ ରଖିଛନ୍ତି । ଡାଇରେକ୍ଟୋରେଟ ଅଫ୍ ଭିଜିଲାନ୍ସ ଆଣ୍ଟି କରପସନ (DVAC) ଦ୍ବାରା କରାଯାଇଥିବା ମାମଲାରେ ତଳକୋର୍ଟ ପୋନମୁଡ଼ିଙ୍କୁ ନିର୍ଦ୍ଦୋଶରେ ଖଲାସ କରିଥିବା ବେଳେ, ଗତ ମଙ୍ଗଳବାର ଦିନ ତଳକୋର୍ଟଙ୍କ ରାୟକୁ ଖାରଜ କରି ଦେଇଥିଲେ ମାଡ୍ରାସ ହାଇକୋର୍ଟ । ପୋନମୁଡ଼ି ଏବଂ ତାଙ୍କ ପତ୍ନୀ ଆଜି ହାଇକୋର୍ଟରେ ହାଜର ହେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଜଷ୍ଟିସ ଜି ଜୟଚନ୍ଦ୍ରନ ଆଜି ମାମଲାର ଶୁଣାଣି କରି ପୋନମୁଡ଼ିଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଦଣ୍ଡାଦେଶ ଶୁଣାଇଛନ୍ତି । 2023 ଜୁନ 28 ତାରିଖରେ ଟ୍ରାଏଲ୍ କୋର୍ଟ, ପୋନମୁଡ଼ିଙ୍କୁ ନିର୍ଦ୍ଦୋଶରେ ଖଲାସ କରିଥିଲେ।

ପୋନମୁଡ଼ି ହେଉଛନ୍ତି ତାମିଲନାଡ଼ୁର ବରିଷ୍ଠ ଡିଏମକେ ନେତା । 2006ରୁ 2011 ମଧ୍ୟରେ ତାମିଲନାଡୁରେ ଡିଏମକେ ସରକାର ଥିବା ବେଳେ ପୋନମୁଡ଼ିଙ୍କ ନାଁରେ 1.36 କୋଟି ଟଙ୍କାର ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗ ଆସିଥିଲା । 2011ରେ ଏଆଇଏଡିଏମକେ କ୍ଷମତାକୁ ଆସିବା ପରେ, ଏହି ମାମଲାର ଖୋଳତାଡ଼ କରାଯାଇଥିଲା । ପୋନମୁଡ଼ି ଏବଂ ତାଙ୍କ ପତ୍ନୀ ଭିସାଲକ୍ଷ୍ମୀଙ୍କ ନାଁରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିଲା । ଏହି ଘଟଣାର ତଦନ୍ତ ଭିଲୁପୁରମ୍ ଜିଲ୍ଲା ଦୁର୍ନୀତି ନିବାରଣ ଅଧୀକ୍ଷକ କାନିଆପ୍ପାନଙ୍କ ନେତୃତ୍ବରେ ହୋଇଥିଲା । ଶହେରୁ ଅଧିକ ଲୋକଙ୍କୁ ତଦନ୍ତ ପ୍ରକ୍ରିୟାକୁ ଅଣାଯାଇ ଯାଞ୍ଚ କରାଯାଇଥିଲା । ପରେ ଏହି ମାମଲାରେ ଚାର୍ଜସିଟ୍ ଦାଖଲ ହୋଇଥିଲା । ପୋନମୁଡ଼ି ଏବଂ ଭିସାଲକ୍ଷ୍ମୀ 1.36 କୋଟିରୁ ଅଧିକ ବେଆଇନ ସମ୍ପତ୍ତି ଠୁଳ କରିଥିବା ଚାର୍ଜସିଟରେ ଦର୍ଶାଯାଇଥିଲା।

ପ୍ରଥମେ ଏହି ମାମଲାର ଭିଲ୍ଲିପୁରମ କ୍ରିମିନାଲ କୋର୍ଟ ଏବଂ ପରେ ଭିଲ୍ଲିପୁରମ୍ ଆଣ୍ଟି କରପସନ ସ୍ବତନ୍ତ୍ର କୋର୍ଟକୁ ସ୍ଥାନାନ୍ତରିତ ହୋଇଥିଲା । 2022ରେ ତାମିଲନାଡ଼ୁରେ ଡିଏମକେ ସଂରକାର ଗଠନ ହେବା ପରେ ଏହି ମାମଲାକୁ ଭେଲୋର ଜିଲ୍ଲା କୋର୍ଟକୁ ସ୍ଥାନାନ୍ତରିତ କରାଯାଇଥିଲା । ଜିଲ୍ଲା କୋର୍ଟ ପୋନମୁଡ଼ିଙ୍କୁ ଦୋଷମୁକ୍ତ କରିଥିଲେ । ପରେ ମାଡ୍ରାସ ହାଇକୋର୍ଟର ଜଷ୍ଟିସ୍ ଆନନ୍ଦ ଭେଙ୍କଟେସ୍ ନିଜ ତରଫରୁ ହାଇକୋର୍ଟରେ ତଳକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରିଥିଲେ । ପୋନମୁଡ଼ି ଏହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଦ୍ବାରସ୍ଥ ହୋଇଥିବା ବେଳେ, ସର୍ବୋଚ୍ଚ ନ୍ୟାୟାଳୟ ଆବେଦନକୁ ଅଗ୍ରାହ୍ୟ କରି ଦେଇଥିଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Dec 21, 2023, 12:41 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.