ETV Bharat / bharat

Kuno national park: ପୁଣି ଆଖି ବୁଜିଲେ ଆଉ ଦୁଇ ଚିତା ଶାବକ, ଅନ୍ୟତ୍ର ସ୍ଥାନାନ୍ତର ହେବେ ଚିତା

author img

By

Published : May 25, 2023, 8:16 PM IST

Updated : May 25, 2023, 10:06 PM IST

ମଧ୍ୟ ପ୍ରଦେଶ କୁନୋ ଜାତୀୟ ଉଦ୍ୟାନରେ ଆଖି ବୁଜିଲେ ଆଉ ଦୁଇ ଚିତା ଶାବକ । ଏପର୍ଯ୍ୟନ୍ତ ଶିଶୁ ଓ ବୟସ୍କଙ୍କୁ ମିଶାଇ ମୋଟ 6 ଚିତାଙ୍କର ଗଲାଣି ଜୀବନ ।

Kuno national park: ପୁଣି ଆଖି ବୁଜିଲେ ଆଉ ଦୁଇ ଚିତା ଶାବକ
Kuno national park: ପୁଣି ଆଖି ବୁଜିଲେ ଆଉ ଦୁଇ ଚିତା ଶାବକ

ଭୋପାଳ: ମଧ୍ୟ ପ୍ରଦେଶ କୁନୋ ଜାତୀୟ ଉଦ୍ୟାନରେ ନାମ୍ବିଆରୁ ଅଣାଯାଇଥିବା ଚିତା ଓ ଶାବକଙ୍କ ମୃତ୍ୟୁର ଧାରା ବନ୍ଦ ହେବାପରି ମନେ ହେଉନାହିଁ । ଏବେ ସୁଦ୍ଧା 6 ଚିତାଙ୍କ ମୃତ୍ୟୁ ହୋଇସାରିଛି । ଚଳିତମାସ 9 ତାରିଖରେ ଗୋଟିଏ ଚିତାର ମୃତ୍ୟୁ ହୋଇଥିଲା । 23 ତାରିଖରେ ଏକ ଚିତା 4 ଶାବକ ଜନ୍ମ ଦେଇଥିଲା । ପୂର୍ବରୁ ଏହି ଶାବକଙ୍କ ମଧ୍ୟରୁ ଗୋଟିଏର ମୃତ୍ୟୁ ହୋଇଥିବା ବେଳେ ଅବଶିଷ୍ଟ 3 ଶାବକଙ୍କ ମଧ୍ୟରୁ ଆଜି ଆଉ 2 ଶାବକ ଆଖି ବୁଜିଛନ୍ତି ।

କିଛି ଦିନପୂର୍ବରୁ ମାଈ ଚିତା ‘ଜ୍ବାଳା’ 4 ଶାବକଙ୍କୁ ଜନ୍ମ ଦେଇଥିଲା । ତାର ମାତ୍ର କିଛି ଦିନ ମଧ୍ୟରେ ଏକ ଶାବକ ସଂକ୍ରମିତ ହୋଇ ପ୍ରାଣ ହରାଇଥିଲା । ଅନ୍ୟ 3 ସୁସ୍ଥ ଥିଲେ । ହେଲେ ଆଜି ସେମାନଙ୍କ ମଧ୍ୟରୁ ଆଉ ଦୁଇ ଶାବକଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁୁର କାରଣ ସଷ୍ଟ ହୋଇନଥିବା ବେଳେ 3 ଶାବକ ଅସୁସ୍ଥ ଥିଲେ ଓ ଏହି କାରଣରୁ ଦୁଇ ଚିତା ଶାବକଙ୍କ ମୃତ୍ୟୁ ହୋଇଛି । ଅବଶିଷ୍ଟ ଗୋଟିଏ ଚିତା ଶାବକ ମଧ୍ୟ ଗୁରୁତର ଅସୁସ୍ଥ ଥିବା କୁହାଯାଉଛି ।

ଏକ ସ୍ବତନ୍ତ୍ର ଏନକ୍ଲୋଜରରେ ଏମାନଙ୍କୁ ରଖାଯାଇଛି । ଗୋଟିଏ ଶାବକ ପ୍ରାଣ ହରାଇବା ପରେ ଅବଶିଷ୍ଟ ଶାବକଙ୍କ ଉପରେ ଡାକ୍ତୀର ଟିମ୍‌ ନଜର ରଖିଥିଲା । ସେମାନଙ୍କୁ ଏକ ସ୍ବତନ୍ତ୍ର ସେଲରେ ମାଆ ଚିତା ସହ ନୀରିକ୍ଷଣରେ ରଖାଯାଇଥିଲା । ହେଲେ କ୍ରମଶଃ ସେମାନେ ମଧ୍ୟ ଅସୁସ୍ଥ ହୋଇପଡିଥିଲେ । ଆଜି ଏହି କାରଣରୁ ଦୁଇ ଶାବକ ଆଖି ବୁଜିଛନ୍ତି । ଅନ୍ୟ ଗୋଟିଏ ଅବଶିଷ୍ଟ ଶାବକ ମଧ୍ୟ ସଂକ୍ରମଣର ଶିକାର ହୋଇଥିବା ସୂଚନା ମିଳିଛି ।

ପ୍ରଥମ ପର୍ଯ୍ୟାୟରେ 8ଟି ଚିତା ନାମ୍ବିଆରୁ ଅଣାଯାଇଥିଲେ । ସେମାନଙ୍କୁ ଅନୁକୂଳ ଜଙ୍ଗଲ ଓ ପରିବେଶ କାରଣରୁ ମଧ୍ୟ ପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଛଡାଯାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ଏହି ଚିତାଙ୍କୁ ଭାରତୀୟ ଜଙ୍ଗଲରେ ପ୍ରବେଶ କରାଯାଇଥିଲା । ସେମାନଙ୍କ ରହିବା ଓ ସୁରକ୍ଷା ପାଇଁ ବ୍ୟାପକ ବନ୍ଦୋବସ୍ତ ମଧ୍ୟ କରାଯାଇଥିଲା । ସ୍ବତନ୍ତ୍ର ଡାକ୍ତରୀ ଟିମ୍‌, ପ୍ରଶିକ୍ଷିତ ବନ ଅଧିକାରୀଙ୍କ ସହ ସ୍ଥାନୀୟ ଯୁବକ ଯୁବତୀଙ୍କୁ ଚିତା ମିତ୍ର ଭାବେ ନିୟୋଜିତ କରାଯାଇଥିଲା । ହେଲେ ଏହାର ମାତ୍ର କିଛି ମାସ ପରେ ଚିତାଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିବାରେ ଲାଗିଥିଲା ।

ସେପଟେ ଏହାକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ମଧ୍ୟ ପ୍ରଦେଶ ଜଙ୍ଗଲ ବିଭାଗ ମନ୍ତ୍ରୀ ବିଜୟ ଶାହ । ଗୋଟିଏ ପରେ ଗୋଟିଏ ଚିତାର ମୃତ୍ୟୁ ଘଟୁଥିବାରୁ ଏମାନଙ୍କୁ କୁନୋ ଜାତୀୟ ଉଦ୍ୟାନରୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଯୋଜନା ପ୍ରସ୍ତୁତି କରାଯାଉଛି । ଗତ ମଙ୍ଗଳବାର ଦୁଇ ଚିତା ଶାବକଙ୍କ ମୃତ୍ୟୁ ହୋଇଥିଲା । ଏହାକୁ ନେଇ ଗୁରୁବାର ଅବଗତ କରାଯାଇଛି । ଗତ ମେ' ୨୩ ତାରିଖରେ କୁନୋରେ ଦିନ ତାପମାତ୍ରା ୪୬ରୁ ୪୭ ଡିଗ୍ରୀ ରହିଥିଲା । ଏହି ସମୟରେ ଚିତା ଶାବକଗୁଡ଼ିକ ଡିହାଇଡ୍ରେସନର ଶିକାର ହୋଇଥିବା ଗୁରୁତର ହୋଇଥିବା ଦେଖିବାକୁ ମିଳିଥିଲା । ତେବେ ଚିକିତ୍ସା ପରେ ମଧ୍ୟ ଦୁଇ ଶାବକଙ୍କୁ ଜୀବନ ରକ୍ଷା କରାଯାଇ ପାରିନାହିଁ । ଏହାକୁ ନେଇ ଜଙ୍ଗଲ ମନ୍ତ୍ରୀ କହିଛନ୍ତି, "ଯଥାଶୀଘ୍ର ଆମେ ଚିତାଗୁଡିକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଯୋଜନା କରୁଛୁ । କୁନୋ ଜାତୀୟ ଉଦ୍ୟାନରୁ ଏହି ଚିତା ଗୁଡିକୁ ଗାନ୍ଧୀ ସାଗର ବଣ୍ୟ ଅଭୟାରଣ୍ୟକୁ ସ୍ଥାନାନ୍ତର କରାଯିବ । ଏଥିପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇ ସାରିଛି ।"

ପ୍ରଥମେ ମାର୍ଚ୍ଚ 26 ରେ ପ୍ରଥମ ଚିତା ‘ଶାଶା’ର ମୃତ୍ୟୁ ହୋଇଥିଲା । ପରେ ଅପ୍ରେଲ 23 ତାରିଖରେ ଅଣ୍ଡିରା ଚିତା ‘ଉଦୟ’ ଆଖି ବୁଜିଥିଲା । ଏହା ପରେ ଏହି କ୍ରମରେ ଆଉ ବ୍ରେକ୍‌ ମଧ୍ୟ ଲାଗିନଥିଲା । 9 ମେ’ ରେ ମାଈ ଚିତା ‘ଦକ୍ଷା’ର ମୃତ୍ୟୁ ହୋଇଥିଲା । ପରେ ଚିତା ‘ଜ୍ବାଳା’ ଜନ୍ମ ଦେଇଥିବା 4 ଶାବକଙ୍କ ମଧ୍ୟରୁ ପ୍ରଥମ ଶାବକର ମୃତ୍ୟୁ ହୋଇଥିଲା । ଆଜି (ଗୁରୁବାର) ଆଉ ଦୁଇ ଶାବକ ଚିତା ଆଖି ବୁଜିବା ସହ ଶିଶୁ ଓ ବୟସ୍କଙ୍କୁ ମିଶାଇ ମୋଟ 6 ଚିତାଙ୍କର ମୃତ୍ୟୁ ହୋଇସାରିଲାଣି । ଭରତୀୟ ଜଙ୍ଗଲରେ ନାମ୍ବିଆରୁ ଆସିଥିବା ଏହି ଚିତାମାନେ କାହିଁକି ସଂକ୍ରମଣର ଶିକାର ହେଉଛନ୍ତି ତାହା ସ୍ପଷ୍ଟ ହୋଇନି । ବନ ବିଭାଗ ଓ ଡାକ୍ତରୀ ଟିମ୍‌ ଏହାର ତଦନ୍ତ ଜାରି ରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :May 25, 2023, 10:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.