ETV Bharat / bharat

Money extortion case: ଅଭିଯୁକ୍ତଙ୍କଠାରୁ ଲାଞ୍ଚ ! 4 କର୍ଣ୍ଣାଟକ ପୋଲିସ ଅଧିକାରୀଙ୍କୁ ଛାଡିଲା କୋଚି ପୋଲିସ

author img

By

Published : Aug 3, 2023, 9:30 PM IST

Money extortion case: 4 କର୍ଣ୍ଣାଟକ ପୋଲିସ ଅଧିକାରୀଙ୍କୁ ବାନ୍ଧିଲା କୋଚି ପୋଲିସ
Money extortion case: 4 କର୍ଣ୍ଣାଟକ ପୋଲିସ ଅଧିକାରୀଙ୍କୁ ବାନ୍ଧିଲା କୋଚି ପୋଲିସ

ଏକ ମାମଲାରେ କେରଳର ଦୁଇ ଅଭିଯୁକ୍ତଠାରୁ 4 ଲକ୍ଷ ଲାଞ୍ଚ ନେଇଥିଲେ କର୍ଣ୍ଣାଟକ ପୋଲିସର 4 ପୋଲିସ ଅଧିକାରୀ । ଗିରଫ ପରେ ଆଜି ନୋଟିସ ଦେଇ ମୁକ୍ତ କଲା କୋଚି ପୋଲିସ । ପଢନ୍ତୁ ପୁରା ଘଟଣା ।

ଥିରୁଅନନ୍ତପୁରମ: ଗିରଫ ଅଭିଯୁକ୍ତଙ୍କଠାରୁ ଲକ୍ଷାଧିକ ଟଙ୍କା ଲାଞ୍ଚ ନେବା ଘଟଣାରେ ଗିରଫ ହୋଇଥିବା କର୍ଣ୍ଣାଟକ ପୋଲିସର 4 ଅଧିକାରୀଙ୍କୁ କୋଚି ପୋଲିସ ଆଜି ମୁକ୍ତ କରିଛି । ଅଗଷ୍ଟ 16ରେ କେରଳର କଲାମାସେରି ପୋଲିସ ଷ୍ଟେସନରେ ହାଜର ହେବା ସର୍ତ୍ତରେ ଏହି ଗିରଫ ପୋଲିସ ଅଧିକାରୀମାନଙ୍କୁ ମୁକ୍ତ କରାଯାଇଛି । ଏ ବାବଦରେ ସେମାନଙ୍କୁ ଏକ ନୋଟିସ ମଧ୍ୟ ଦିଆଯାଇଛି । କେରଳ ପୋଲିସ ସ୍ପଷ୍ଟ କରିଛି ଯେ ତଦନ୍ତରେ ସେମାନେ ସହଯୋଗ କରିବା ନେଇ ନୋଟିସରେ ସର୍ତ୍ତ ରଖାଯାଇଛି । ସେମାନଙ୍କୁ କୌଣସି ମୂହୁର୍ତ୍ତରେ ହାଜର ହେବା ପାଇଁ ଡକାଯାଇପାରେ । ଘଟଣା ନେଇ କେରଳର କେରଳ ଥ୍ରିକ୍କରା ଏସିପି ପି.ଭି ବେବି କହିଛନ୍ତି, କର୍ଣ୍ଣାଟକ ପୋଲିସ ଅଧିକାରୀଙ୍କଠାରୁ ଲାଞ୍ଚ ଟଙ୍କା ଜବତ ହୋଇଥିଲା । ଏହା କୋର୍ଟରେ ଦାଖଲ କରାଯିବ ।

ଅଭିଯୁକ୍ତଙ୍କ ଅଭିଯୋଗ ପରେ କୋଚି ପୋଲିସ କର୍ଣ୍ଣାଟକର 4ଜଣ ପୋଲିସ ଅଧିକାରୀଙ୍କୁ ଗିରଫ କରିଥିଲା । ସର୍ବୋଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶନାମା ଆଧାରରେ କର୍ଣ୍ଣାଟକ ପୋଲିସ ଅଧିକାରୀଙ୍କୁ ମୁକ୍ତ କରାଯାଇଛି । ଯେଉଁ ଅପରାଧରେ ସର୍ବାଧିକ ସାତ ବର୍ଷରୁ ଅଧିକ କାରାଦଣ୍ଡର ବ୍ୟବସ୍ଥା ନାହିଁ, ସେହି ମାମଲାରେ ଅଭିଯୁକ୍ତକୁ ଗିରଫ ନକରି ତଦନ୍ତରେ ସହଯୋଗ କରିବା ସର୍ତ୍ତମୂଳକ ନୋଟିସରେ ମୁକ୍ତ କରାଯାଇପାରେ । ସର୍ବୋଚ୍ଚ ଅଦାଲତଙ୍କ ନିର୍ଦ୍ଦେଶାବଳୀ ଅନୁସରଣ ଗିରଫ 4 କର୍ଣ୍ଣାଟକ ପୋଲିସ ଅଧିକାରୀଙ୍କୁ ମୁକ୍ତ କରି କେରଳ ପୋଲିସ ମାମଲାର ତଦନ୍ତ ଜାରି ରଖିଛି ।

କ’ଣ ଥିଲା ମାମଲା:-

ବେଙ୍ଗାଲୁରୁରେ ପଞ୍ଜୀକୃତ ହୋଇଥିବା ଆର୍ଥିକ ଠକେଇ ମାମଲାରେ କୋଚିର ଅଖିଲ ଅଲବି ଏବଂ ନିଖିଲ ଜୋସେଫଙ୍କୁ କର୍ଣ୍ଣାଟକ ପୋଲିସ ଗିରଫ କରିଥିଲା । ମାମଲାରୁ ଏମାନଙ୍କ ନାମ ବାଦ ଦେବା ପାଇଁ ଏହି ଅଧିକାରୀମାନେ ଉଭୟ ଅଭିଯୁକ୍ତଙ୍କଠାରୁ 25 ଲକ୍ଷ ଟଙ୍କା ଲାଞ୍ଚ ଦାବି କରିଥିଲେ । ପରେ 10 ଲକ୍ଷ ଟଙ୍କା ଦେଇ ମାମଲାରୁ ନାମ ବାଦ ଦେବା ପାଇଁ କର୍ଣ୍ଣାଟକର ଏହି 4 ଅଧିକାରୀ ଓ ଅଭିଯୁକ୍ତଙ୍କ ମଧ୍ୟରେ ବୁଝାମଣା ହୋଇଥିଲା । ସେମାନଙ୍କଠାରୁ 4 ଲକ୍ଷ ଟଙ୍କା ନେଇଥିଲା କର୍ଣ୍ଣାଟକ ପୋଲିସର ଏହି ଟିମ ।

ଏହା ମଧ୍ୟ ପଢନ୍ତୁ :-2 ଟଙ୍କା ଲାଞ୍ଚ ନେଇ ଗିରଫ ହୋଇଥିଲେ 5 ପୋଲିସ କର୍ମୀ, 37 ବର୍ଷ ପରେ ନିର୍ଦ୍ଦୋଷରେ ଖଲାସ

ଏନେଇ ଜଣେ ଅଭିଯୁକ୍ତଙ୍କ ସମ୍ପର୍କୀୟ କୋଚି ପୋଲିସରେ ଏକ ଅଭିଯୋଗ କରିବା ପରେ କୋଚି ପୋଲିସ କର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ଗତକାଲି ରାତିରେ ଅଭିଯୁକ୍ତଙ୍କୁ ନେଇ କର୍ଣ୍ଣାଟକ ପୋଲିସ ଟିମ୍‌ ବେଙ୍ଗାଲୁରୁ ଫେରିବା ବେଳେ କୋଚି ପୋଲିସ ଟିମ ସେମାନଙ୍କୁ ଅଟକାଇ ତଲାସି କରିଥିଲା । ଏଥିରେ ସମ୍ପୃକ୍ତ ଅଧିକାରୀମାନଙ୍କଠାରୁ 4 ଲକ୍ଷ ଟଙ୍କା ଜବତ ହେବା ପରେ ସେମାନଙ୍କୁ ହେପାଜତକୁ ନେଇଥିଲା କୋଚି ପୋଲିସ । ଆଜି ସର୍ବୋଚ୍ଚ କୋର୍ଟଙ୍କ ଗାଇଡଲାଇନ୍‌ ଅନୁସାରେ ପଡ଼ୋଶୀ ରାଜ୍ୟର ଅଭିଯୁକ୍ତ ପୋଲିସ ଅଧିକାରୀଙ୍କୁ ନୋଟିସ ଦେଇ କୋଚି ପୋଲିସ ମୁକ୍ତ କରିଛି । ହେଲେ ମାମଲାର ତଦନ୍ତ ଜାରି ରହିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.