ETV Bharat / bharat

ମଧ୍ୟପ୍ରଦେଶରେ କାଉଡିଆଙ୍କ ଉପରକୁ ପଥରମାଡ, ଲାଠିଚାର୍ଜ କଲା ପୋଲିସ

author img

By

Published : Aug 8, 2023, 2:23 PM IST

ମଧ୍ୟପ୍ରଦେଶରେ କାଉଡି ଯାତ୍ରା ବେଳେ ପଥରମାଡ
ମଧ୍ୟପ୍ରଦେଶରେ କାଉଡି ଯାତ୍ରା ବେଳେ ପଥରମାଡ

ମଧ୍ୟପ୍ରଦେଶ ଖଣ୍ଡୱାରେ କାଉଡି ଯାତ୍ରା ବେଳେ ପଥରମାଡ଼ । ଲାଠିଚାର୍ଜ କରି ସ୍ଥିତି ନିୟନ୍ତ୍ରଣ କଲା ପୋଲିସ । ଅଧିକ ପଢନ୍ତୁ

ଭୋପାଳ: ମଧ୍ୟପ୍ରଦେଶରେ ବୋଲବମ୍ ଯାତ୍ରା ବେଳେ ପଥରମାଡ । ସୋମବାର ରାତିରେ ଖଣ୍ଡୱା ଜିଲ୍ଲାରେ ହିନ୍ଦୁ ସମ୍ପ୍ରଦାୟର ବୋଲବମ୍ ବା କାଉଡି ଯାତ୍ରା ସମୟରେ ପଥରମାଡ ହୋଇଛି । ଏହାକୁ ନେଇ ସେଠାରେ ହିଂସାଜନକ ପରିସ୍ଥିତି ଦେଖିବାକୁ ମିଳିଛି । ତେବେ ପୋଲିସ ଲାଠିଚାର୍ଜ କରି ସ୍ଥିତି ନିୟନ୍ତ୍ରଣକୁ ଆଣିଛି । ହେଲେ ପଥର ମାଡରେ ସ୍ଥାନୀୟ ତହସିଲଦାରଙ୍କ କାର୍ କାଚ ଭାଙ୍ଗି ଯାଇଥିବା ବେଳେ ଦୁଇଟି ମୋଟର ସାଇକେଲ କ୍ଷତିଗ୍ରସ୍ତ ହୋଇଛି । ଏଥିରେ କେହି ମୃତାହତ ହୋଇଥିବାର କୌଣସି ସୂଚନା ନାହିଁ ।

ଖଣ୍ଡୱା ଜିଲ୍ଲାର କହରୱାଡି ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି । ଗତକାଲି ଗୋଟିଏ ଧାର୍ମିକ ଅନୁଷ୍ଠାନ ପକ୍ଷରୁ କାଉଡ଼ି ଯାତ୍ରା ଆୟୋଜିତ ହୋଇଥିଲା । ମହାଦେବଗଡ଼ ମନ୍ଦିରରେ ଜଳଲାଗି ପାଇଁ ଶତାଧିକ କାଉଡ଼ିଆ ନର୍ମଦା ନଦୀରେ ପାଣି ଉଠାଇ ସହରର ମୁଖ୍ୟ ରାସ୍ତା ଦେଇ ଯାତ୍ରା କରିଥିଲେ । ହେଲେ କହରୱାଡିରେ ପହଞ୍ଚିବା ମାତ୍ରେ ଉତ୍ତେଜନାମୂଳକ ସ୍ଥିତି ସୃଷ୍ଟି ହୋଇଥିଲା । ଅଚାନକ ଅନ୍ୟ ଗୋଷ୍ଠୀର ଲୋକେ କାଉଡି ଯାତ୍ରାକୁ ପଥରମାଡ କରିଥିଲେ । ଖବର ପାଇ ପୋଲିସ ସଙ୍ଗେସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲା । ଲାଠି ଚାର୍ଜ କରିବା ପରେ ସ୍ଥିତି ସାମାନ୍ୟ ସ୍ବାଭାବିକ ହୋଇଥିଲା । ଏହାପରେ କାଉଡିଆଙ୍କୁ ସେଠାରୁ ବାହାର କରାଯାଇଥିଲା । କିଛି କାଉଡିଆ ବମ୍ବେ ବଜାର ଦେଇ ମହାଦେବଗଡ଼ ମନ୍ଦିରରେ ପହଞ୍ଚିଥିଲେ ।

ଏହାମଧ୍ୟ ପଢନ୍ତୁ: Haryana clash: ହିନ୍ଦୁ ସଂଗଠନର ଶୋଭାଯାତ୍ରାରେ ପଥରମାଡ, ଜଣେ ହୋମଗାର୍ଡଙ୍କୁ ଗୁଳି କରି ହତ୍ୟା

ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି କହରୱାଡି ଠାରୁ ଜଲେବି ଛକ ପର୍ଯ୍ୟନ୍ତ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଜିଲ୍ଲାପାଳ ଓ ଏଏସପି ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଜିଲ୍ଲା ପ୍ରଶାସନ ଲୋକଙ୍କୁ ଗୁଜବ ଉପରେ ବିଶ୍ବାସ ନକରିବାକୁ ଓ ଗୁଜବ ପ୍ରସାର ନକରିବାକୁ ଅପିଲ କରିଛି । ଖଣ୍ଡୱା ହିଂସାକୁ ନେଇ ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର କହିଛନ୍ତି ଯେ, ସ୍ଥିତି ଏବେ ନିୟନ୍ତ୍ରଣାଧୀନ ଅଛି । ଅଧିକାରୀମାନେ ଲଗାତାର ସ୍ଥିତି ଉପରେ ନଜର ରଖିଛନ୍ତି । ଏବେ ସାରା ରାଜ୍ୟରେ ପାର୍ବଣ ଋତୁ ଆସୁଥିବାରୁ ପ୍ରତ୍ୟେକ ଜିଲ୍ଲା ଓ ସହରରେ ପୋଲିସ ପ୍ରଶାସନ ଆଲର୍ଟ ମୋଡ୍‌ରେ ରହିଛି । ଖଣ୍ଡୱା ସଂଘର୍ଷ ପରେ ଘଟଣାସ୍ଥଳ ଆଖପାଖର ସିସିଟିଭି ଫୁଟେଜ ଯାଞ୍ଚ କରାଯାଉଛି । ସିସିଟିଭି ଆଧାରରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ପ୍ରକାଶ ଥାଉକି, କିଛି ଦିନ ତଳେ ହରିୟାଣାର ନୁହରେ ହିନ୍ଦୁ ସଂଗଠନର ଧାର୍ମିକ ଶୋଭାଯାତ୍ରା ବେଳେ ପଥରମାଡ଼ ହୋଇଥିଲା । ଏହାକୁ ନେଇ ସେଠାରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଥିଲା । ନୁହରୁ ହିଂସା ଆଖପାଖ ଜିଲ୍ଲାକୁ ବ୍ୟାପିବା ପରେ ସରକାର ଇଣ୍ଟରନେଟ୍‌ ସେବା ବନ୍ଦ କରିଦେଇଥିଲେ । ଏହି ସମ୍ପ୍ରଦାୟିକ ହିଂସାରେ ସେଠାରେ ୨ ହୋମଗାର୍ଡଙ୍କ ସମେତ ୬ ଜଣଙ୍କ ମୃତ୍ୟୁ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.