ETV Bharat / bharat

ଜମ୍ମୁରେ ଭାରତ-ପାକିସ୍ତାନ ସୀମାର 5 କିମି ଅବଧି ମଧ୍ୟରେ ବାଣ ନିଷେଧ

author img

By ETV Bharat Odisha Team

Published : Nov 4, 2023, 7:44 PM IST

ଜମ୍ମୁରେ ଭାରତ-ପାକିସ୍ତାନ ସୀମାର 5 କିମି ଅବଧି ମଧ୍ୟରେ ବାଣ ନିଷେଧ
ଜମ୍ମୁରେ ଭାରତ-ପାକିସ୍ତାନ ସୀମାର 5 କିମି ଅବଧି ମଧ୍ୟରେ ବାଣ ନିଷେଧ

ଜମ୍ମୁ ଜିଲ୍ଲାରେ ଭାରତ-ପାକିସ୍ତାନ ସୀମାର 5 କି.ମି ଅବଧି ମଧ୍ୟରେ ବାଣ ବିକ୍ରି ଓ ଫୁଟାଯିବାକୁ ନିଷେଧ କଲା ପ୍ରଶାସନ । ସୁରକ୍ଷା ବଳ ପ୍ରତି ଦ୍ବନ୍ଦ୍ବ ସୃଷ୍ଟି ହେଉଥିବା ଲାଗୁ ହେଲା କଟକଣା । ଅଧିକ ପଢନ୍ତୁ

ଶ୍ରୀନଗର: ଜମ୍ମୁ କାଶ୍ମୀର ଜମ୍ମୁ ଜିଲ୍ଲାରେ ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମାର 5 କି.ମି ମଧ୍ୟରେ ସମସ୍ତ ପ୍ରକାର ବାଣ ବିକ୍ରି, ଗଚ୍ଛିତ ରଖିବା କିମ୍ବା ଫୁଟାଇବା ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରିଛି ପ୍ରଶାସନ । ବାଣଫୁଟାର ସୁଯୋଗ ନେଇ ଅନ୍ତର୍ଜାତୀୟ ସୀମା ଓ ନିୟନ୍ତ୍ରଣ ରେଖାରେ ସୀମାପାର ପାଏରିଂ କିମ୍ବା ଅନୁପ୍ରବେଶ ଉଦ୍ୟମ ଆଶଙ୍କା ଥିବାରୁ ଏହାକୁ ସମ୍ପର୍ଣ୍ଣ ବାରଣ କରାଯାଇଛି । ଏହା ଜମ୍ମୁ ଜିଲ୍ଲାରେ କାର୍ଯ୍ୟକାରୀ ହେବା ନେଇ ଜାରି ନୋଟିସରେ କୁହାଯାଇଛି ।

ଜମ୍ମୁ ଅତିରିକ୍ତ କମିଶନର ହରବିନ୍ଦର ସିଂଙ୍କ ଦ୍ବାରା ଜାରି କରାଯାଇଥିବା ଏହି ନୋଟିସରେ କୁହାଯାଇଛି, ଦିପାବଳୀ ଓ ବିବାହ ପରି କାର୍ଯ୍ୟକ୍ରମରେ ବାଣ ଫୁଟାଇବା ଫଳରେ ଏହା ପ୍ରାୟତଃ ସୁରକ୍ଷାକର୍ମୀଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିଥାଏ । ଏହା ସିଜଫାଏର କିମ୍ବା କୌଣସି ବାଣ ବିସ୍ଫୋରଣ ତାହା ସୁରକ୍ଷାବଳ ମଧ୍ୟରେ ସନ୍ଦେହ ସୃଷ୍ଟି କରିଥାଏ । ତେଣୁ ଏହି ନିର୍ଦ୍ଦେଶ ଜାରି କରାଯାଇଛି । ଏବେ ଅନ୍ତର୍ଜାତୀୟ ସୀମା ସଲଗ୍ନ 5 କି.ମି ମଧ୍ୟରେ ଥିବା ସୀମାନ୍ତ ଗ୍ରାମରେ ବାଣ ଫୁଟାଇବା ଉପରେ ସମସ୍ତ କଟକଣା ଜାରି କରାଯାଉଛି । ଏହାକୁ ଉଲ୍ଲଙ୍ଘନ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଗତମାସ 17 ଓ 26 ତାରିଖରେ ପାକିସ୍ତାନ ସେନା ସିଜଫାଏର ଉଲ୍ଲଙ୍ଘନ କରିବା ସହ ଭାରତୀୟ ପୋଷ୍ଟକୁ ଗୁଳିମାଡ କରିଥିଲା । ଏଥିରେ ଏକାଧିକ ସୀମାନ୍ତ ଗ୍ରାମବାସୀ ପ୍ରଭାବିତ ହୋଇଥିଲେ । ସେମାନଙ୍କୁ ସୀମା ସୁରକ୍ଷା ବଳ ପକ୍ଷରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିବାକୁ ପଡିଥିଲା । ସେହିପରି କେତେକ ବିଏସଏଫ ପୋଷ୍ଟକୁ ମଧ୍ୟ ପାକିସ୍ତାନ ରେଞ୍ଜର୍ସ ଟାର୍ଗେଟ କରିଥିଲା । ବିଏସଏଫ ପକ୍ଷରୁ ମଧ୍ୟ ପାକିସ୍ତାନକୁ କଡା ଜବାବ ଦିଆଯାଇଥିଲା । ଏହା ପରେ ଦୁଇ ଦେଶର କମାଣ୍ଡରସ୍ତରୀୟ ବୈଠକରେ ମଧ୍ୟ ଭାରତ ପକ୍ଷରୁ ଏହି ଅଭିଯୋଗ ଉଠାଯାଇଥିଲା । ଯାହାକୁ ପାକିସ୍ତାନ ଖଣ୍ଡନ କରିଥିଲା ।

ଏହା ମଧ୍ୟ ପଢନ୍ତୁ :- କଲେଜ ହଷ୍ଟେଲରେ ଛାତ୍ରୀଙ୍କ ଗଳା କାଟିଲେ ରୁମ ମେଟ୍ !

ତେଣୁ ବିଶେଷ ଭାବେ ଦିପାବଳୀ ଓ ବିବାହ ଋତୁରେ ସୀମାନ୍ତ ଗ୍ରାମରେ ଏପରି ବାଣ ଫୁଟାଯିବା ନେଇ ଭାରତୀୟ ସୁରକ୍ଷା ବଳ ଦ୍ବନ୍ଦ୍ବରେ ପଡିପାରନ୍ତି । ଏହା କୌଣସି ଅସ୍ତ୍ରବିରତି ଉଲ୍ଲଙ୍ଘନ କିମ୍ବା ଅନ୍ୟ କୌଣସି ଘଟଣା ତାହା ଦ୍ବନ୍ଦ୍ବ ସୃଷ୍ଟି କରିବାର ଯଥେଷ୍ଟ ଆଶଙ୍କା ଥାଏ । ଅନ୍ୟପଟେ ପାକିସ୍ତାନ ସେନା ଓ ଆତଙ୍କବାଦୀ ମଧ୍ୟ ଏହାର ସୁଯୋଗ ନେଇ ଅନୁପ୍ରବେଶ କରିବାର ଆଶଙ୍କା ଦୃଷ୍ଟିରୁ ଏବେ 5 କି.ମି ପରିଧି ମଧ୍ୟରେ ବାଣ ଫୁଟା ଉପରେ କଟକଣା ଜାରି କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.