ETV Bharat / bharat

Gujarat poll: ପ୍ରଧାନମନ୍ତ୍ରୀ ମୋଦିଙ୍କ ଧୁଆଁଧାର ପ୍ରଚାର, ନୂଆ ରେକର୍ଡ କରିବ କି ବିଜେପି !

author img

By

Published : Nov 22, 2022, 9:16 PM IST

Gujarat pol: ପ୍ରଧାନମନ୍ତ୍ରୀ ମୋଦିଙ୍କ ଧୁଆଁଧାର ପ୍ରଚାର, ନୂଆ ରେକର୍ଡ କରିବ କି ବିଜେପି !
Gujarat pol: ପ୍ରଧାନମନ୍ତ୍ରୀ ମୋଦିଙ୍କ ଧୁଆଁଧାର ପ୍ରଚାର, ନୂଆ ରେକର୍ଡ କରିବ କି ବିଜେପି !

ପ୍ରଧାନମନ୍ତ୍ରୀ ମୋଦିଙ୍କ ଧୁଆଁଧାର ପ୍ରଚାର । ନୂଆ ରେକର୍ଡ କରିବ କି ବିଜେପି ! ଗୁଜୁରାଟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଧୁଆଁଧାର ପ୍ରଚାର (Gujarat poll)। 150 ଆସନ ଜିତି ପୂର୍ବ ସମସ୍ତ ରେକର୍ଡ ଭାଙ୍ଗିବା ଲକ୍ଷ୍ୟରେ ବିଜେପି । 27 ବର୍ଷରେ ଗତ 2017 ନିର୍ବାଚନରେ ସର୍ବନିମ୍ନ ଆସନ ଜିତିଥିଲା ଦଳ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ପ୍ରଧାନମନ୍ତ୍ରୀ ମୋଦିଙ୍କ ଧୁଆଁଧାର ପ୍ରଚାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିଜରାଜ୍ୟ ଗୁଜୁରାଟ ବିଧାନସଭା ନିର୍ବାଚନ ଫଳାଫଳ ଉପରେ ସାରା ଦେଶର ନଜର ରହିଛି । ନିର୍ବାଚନକୁ ଆଉ ମାତ୍ର କିଛି ଦିନ ବାକି ଥିବା ବେଳେ ଶାସନରେ ଥିବା ଭାରତୀୟ ଜନତା ପାର୍ଟି ନିଜର ପ୍ରଚାର ଅଭିଯାନ ବ୍ୟାପକ କରିବାରେ ଲାଗିଛି । ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟର ବିଭିନ୍ନ ସ୍ଥାନରେ ଧୁଆଁଧାର ପ୍ରଚାର ଜାରି ରଖିଛନ୍ତି । ମୋଦିଙ୍କ ସମେତ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଅନ୍ୟ କିଛି କେନ୍ଦ୍ରୀୟ ବିଜେପି ନେତା ମଧ୍ୟ ଗୁଜୁରାଟରେ ମାରାଥନ ପ୍ରଚାର ଜାରି ରଖିଛନ୍ତି । ଗୋଟିଏ ପଟେ ବର୍ତ୍ତମାନର ରାଜନୈତିକ ସ୍ଥିତିରେ ତ୍ରିମୁଖି ଲଢେଇ ଦେଖିବାକୁ ମିଳିଥିବା ବେଳେ ଭାରତୀୟ ଜନତା ପାର୍ଟି ନିଜର ପୂର୍ବ ରେକର୍ଡ ଭାଙ୍ଗି ପ୍ରଚଣ୍ଡ ବହୁମତ ସହ କ୍ଷମତା ବଜାୟ ରଖିବା ପାଇଁ ଅଭିଯାନ ଜାରି ରଖିଛି ।

ଗୁଜୁରାଟରେ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ସହ ରୋଡ ସୋ ରେ ପ୍ରଧାନମନ୍ତ୍ରୀ ମୋଦି
ଗୁଜୁରାଟରେ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ସହ ରୋଡ ସୋ ରେ ପ୍ରଧାନମନ୍ତ୍ରୀ ମୋଦି

ଚଳିତ ବର୍ଷ ନିର୍ବାଚନରେ କ’ଣ ରହିଛି ନୂଆ ଆହ୍ବାନ:-

ତେବେ ଦଳ ଚଳିତ ଥର କିଛି ନୂଆ ଆହ୍ବାନର ସାମ୍ନା ମଧ୍ୟ କରିବା ପରି ସ୍ଥିତି ଦେଖିବାକୁ ମିଳିଛି । ଗତ 27ବର୍ଷ ଧରି କ୍ଷମତାରେ ଥିବା ଭାରତୀୟ ଜନତା ପାର୍ଟିର କିଛି ମନ୍ତ୍ରୀ ଓ ବିଧାୟକଙ୍କ ବିରୋଧରେ ସତ୍ତା ବିରୋଧୀ ହାଓ୍ବା ସୃଷ୍ଟି ହୋଇପାରେ । ସେହିପରି ଟିକେଟ କନ୍ଦଳ ପାଇଁ ମଧ୍ୟ କିଛି ଆସନରେ ବିଦ୍ରୋହୀ ବିଧାୟକ ଦଳରୁ ଟିକେଟ ପାଇଥିବା ପ୍ରାର୍ଥୀଙ୍କ ବିରୋଧରେ ସ୍ବାଧୀନ ଭାବେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି । ତେବେ ଏ ସମସ୍ତ ସ୍ଥିତି ପରେ ମଧ୍ୟ ଗ୍ରାଉଣ୍ଡରେ ବିଜେପିର ରଣନୀତି ପରଖିଲେ, ରାଜ୍ୟରେ କ୍ଷମତା ବଜାୟ ରଖିବା ନେଇ ପ୍ରଧାନମନ୍ତ୍ରୀ ଆଦୌ ଚିନ୍ତିତ ନାହାନ୍ତି ବରଂ ଦଳ ପୂର୍ବ ନିର୍ବାଚନ ଫଳାଫଳଗୁଡିକର ରେକର୍ଡ ଭାଙ୍ଗି ସର୍ବାଧିକ ଆସନ ସହ ନୂଆ ରେକର୍ଡ କରିବା ଦିଗରେ ଉତ୍ସାହୀ ଥିବା ପରି ଦୃଶ୍ୟମାନ ହେଉଛି ।

1985 କଂଗ୍ରେସକୁ ମିଳିଥିଲା 149 ଆସନ ସହ ଐତିହାସିକ ସଫଳତା :-

1985 ନିର୍ବାଚନରେ କଂଗ୍ରେସକୁ ମିଳିଥିବା ସଫଳତାକୁ ଅତିକ୍ରମ କରିବାର ଟାର୍ଗେଟ ରଖିଛି ଭାରତୀୟ ଜନତା ପାର୍ଟି । 1985 ରେ ମାଧବ ସିଂ ସାଲୋଙ୍କିଙ୍କ ନେତୃତ୍ବରେ କଂଗ୍ରେସ 182 ଆସନରୁ 149 ଆସନରେ ଜିତି ସରକାର ଗଠନ କରିଥିଲା । ତେବେ ଚଳିତ ବର୍ଷ ନିର୍ବାଚନରେ ବିଜେପି 150ରୁ ଉର୍ଦ୍ଧ୍ବ ଆସନ ଜାତିବା ନେଇ ପ୍ରଧାନମନ୍ତ୍ରୀ ଲକ୍ଷ୍ୟ ରଖିଥିବା ବେଳେ ଦଳର ଦ୍ବିତୀୟ କମାଣ୍ଡ କୁହାଯାଉଥିବା ଅମିତ ଶାହ ଅନ୍ୟୁନ୍ୟ 130 ଆସନ ଆସିବା ନେଇ ଆକଳନ କରୁଛନ୍ତି ।

ବିଜେପିକୁ ମିଳିପାରେ ଦୁଇଟି ପ୍ରସଙ୍ଗରେ ଲାଭ:-

ତେବେ ଚଳିତ ନିର୍ବାଚନରେ ଆମ ଆଦମୀ ପାର୍ଟି ମଧ୍ୟ ବିଜେପିକୁ ଟକ୍କର ଦେବା ପାଇଁ ପ୍ରଚାର ଜୋରଦାର କରିଛି । ହେଲେ ଆପ ଟିକେଟ ଦେଇଥିବା ଅଧିକାଂଶ ପ୍ରାର୍ଥୀ ରାଜ୍ୟ ରାଜନୀତିରେ ସମ୍ପୂର୍ଣ୍ଣ ଅଜଣା ଚେହେରା । ତେଣୁ ଏହି କ୍ଷେତ୍ରରେ ସୌରାଷ୍ଟ୍ର ଓ ଦକ୍ଷିଣ ଗୁଜୁରାଟ ବେଲ୍ଟରେ ଭାରତୀୟ ଜନତା ପାର୍ଟିକୁ ଲାଭ ମିଳିପାରେ । ଅନ୍ୟପଟେ ଆପ ଯଦି ସଫଳତା ପାଏ ତେବେ ଏହା କଂଗ୍ରେସର ପରାଜୟ ହେବା ନେଇ ଆକଳନ କରାଯାଉଛି । ପୂର୍ବରୁ ବିଜେପି ଓ କଂଗ୍ରେସ ମଧ୍ୟରେ ପାରମ୍ପରିକ ଲଢେଇ ଥିବା ବେଳେ ଆପ କାରଣରୁ କଂଗ୍ରେସର ପ୍ରଦର୍ଶନ ନୈରାଶ୍ୟପୂର୍ଣ୍ଣ ହୋଇପାରେ । ବିଜେପିର କିଛି ମନ୍ତ୍ରୀ ଓ ବିଧାୟକଙ୍କ ବିରୋଧରେ ଆଣ୍ଟି-ଇନକମ୍ବେନ୍ସି ପରି ସ୍ଥିତି ଥିବା ବେଳେ ଦଳ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫ୍ୟାକ୍ଟର ମଧ୍ୟ ପ୍ରୋ-ଇନକମ୍ବେନ୍ସି ଭାବେ ସାମ୍ନାକୁ ଆସିଛି ।

ଗୁଜୁରାଟରେ ବଢିଛି ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତା:-

2014ରେ ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ 2001ରୁ 2014 ପର୍ଯ୍ୟନ୍ତ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ସମ୍ଭାଳିଥିଲେ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ହେବା ପରେ ଗୁଜୁରାଟରେ ତାଙ୍କ ଲୋକପ୍ରିୟତା ଆହୁରି ବଢିଛି । ଅବଶ୍ୟ ମୋଦିଙ୍କ ପରେ ଗୁଜୁରାଟର ରାଜନୀତିରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀମାନଙ୍କ କାର୍ଯ୍ୟାକାଳରେ ଲୋକପ୍ରିୟତା ସାମାନ୍ୟ ହ୍ରାସ ପାଇଥିଲା । ଆନନ୍ଦିବେନ ପଟେଲ ଓ ବିଜୟ ରୁପାନୀଙ୍କ ମୁଖ୍ୟମନ୍ତ୍ରୀତ୍ବ ସମୟରେ ପଟେଲ ଓ ପଟିଦାର ସମ୍ପ୍ରଦାୟର ଆରକ୍ଷଣ ଆନ୍ଦୋଳନ ଜୋର ଧରିଥିଲା । ଯାହାର ପ୍ରଭାବ ମଧ୍ୟ 2017 ବିଧାନସଭା ନିର୍ବାଚନର ଫଳାଫଳରେ ମଧ୍ୟ ସ୍ପଷ୍ଟ ଦେଖିବାକୁ ମିଳିଥିଲା । ବିଜେପି ମାତ୍ର 99ଟି ସିଟ ଜିତି ସରକାର କରିଥିଲା । ଯାହା ରାଜ୍ୟରେ ବିଜେପି କ୍ଷମତା ଇତିହାସରେ ସର୍ବନିମ୍ନ ପ୍ରଦର୍ଶନ ଥିଲା ।

ନଭେମ୍ବର 6ରୁ ନିର୍ବାଚନୀ ରାଲି ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ

ନଭେମ୍ବର 6 ତାରିଖରେ ଗୁଜୁରାଟରେ ନୂଆ ସ୍ଲୋଗାନ ସହ ପ୍ରଥମ ନିର୍ବାଚନୀ ରାଲି କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ସ୍ଲାଗାନ ଥିଲା ‘ଆ ଗୁଜୁରାଟ, ମାଇ ଭନାଭ୍ୟୁ ଛେ ’ (ମୁଁ ଗୁଜୁରାଟ ନିର୍ମାଣ କରିଛି ) । ପରେ କ୍ରମାଗତ ରାଜ୍ୟର ବିଭିନ୍ନ ସ୍ଥାନରେ ନିର୍ବାଚନୀ ସଭା ସହ ରୋଡ ଶୋ କରି ଭୋଟ ଭିକ୍ଷା କରିବା ସହ ବିରୋଧୀଙ୍କ ଉପରେ ପ୍ରବଳ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ । ସେହିପରି ବିେଜେପି ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ମାଗି ପ୍ରଧାନମନ୍ତ୍ରୀ କିହଛନ୍ତି, ‘‘ଯଦି ଆପଣ କମଲକୁ ଭୋଟ ଦେଉଛନ୍ତି, ସେ ଭୋଟ ସିଧା ଆର୍ଶିବାଦ ଭାବେ ମୋ ପାଖକୁ ଆସିବ ’’ସେହିପରି ମତଦାନ ପ୍ରକ୍ରିୟାରେ ବହୁମାତ୍ରାରେ ସାମିଲ ହୋଇ ପୂର୍ବ ରେକର୍ଡକୁ ମଧ୍ୟ ଭାଙ୍ଗିବା ପାଇଁ ମୋଦି ରାଜ୍ୟର ମତଦାତାଙ୍କୁ ମଧ୍ୟ ଅନୁରୋଧ କରିଛନ୍ତି ।

ଗୁଜୁରାଟ ବିଜେପିରେ ପରିବର୍ତ୍ତନ:-

2021 ସେପ୍ଟେମ୍ବରରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ କରିଥିଲା ଗୁଜୁରାଟ ବିଜେପି । ବିଜୟ ରୁପାନୀଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇ ଭୂପେନ୍ଦ୍ର ପଟେଲଙ୍କୁ ଦାୟିତ୍ବ ଦେଇଥିଲା ଦଳ । ବିଜୟ ରୁପାନୀଙ୍କ ଲୋକପ୍ରିୟତା ଯଥେଷ୍ଟ ନଥିବାରୁ ତାଙ୍କୁ ପଦରୁ ଅପସାରଣ କରାଯାଇଥିବା ନେଇ ମଧ୍ୟ ଚର୍ଚ୍ଚା ହୁଏ । ତେବେ ଚଳିତ ନିର୍ବାଚନରେ ବିଜୟ ରିପାନୀଙ୍କ ସମେତ ଅନ୍ୟ କିଛି ବରିଷ୍ଠ ନେତାଙ୍କୁ ମଧ୍ୟ ଦଳ ନିର୍ବାଚନୀ ମୈଦାନକୁ ଓହ୍ଲାଇ ନାହିଁ । ତେବେ 2017 ରେ ରାଜ୍ୟ ରାଜନୀତିରେ ପ୍ରଭାବ ରଖୁଥିବା ପଟେଲ ସମ୍ପ୍ରଦାୟର ସମର୍ଥନ ହରାଇ ଫଳାଫଳରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବା ବିଜେପି ଚଳିତ ନିର୍ବାଚନରେ ପଟେଲ ସମ୍ପ୍ରଦାୟର ସମର୍ଥନ ହାସଲ କରିବାରେ ପ୍ରୟାସ ଜାରି ରଖିଛି । ଅନ୍ଯପଟେ ପଟେଲ ଓ ପଟିଦାର ସମ୍ପ୍ରଦାୟକୁ ସଂରକ୍ଷଣ ଆନ୍ଦୋଳନର ନେତୃତ୍ବ ନେଇଥିବା ଯୁବନେତା ହାର୍ଦ୍ଦିକ ପଟେଲ ଏବେ ବିଜେପି ଟିକେଟରେ ନିର୍ବାଚନ ଲଢୁଛନ୍ତି । ତେଣୁ ଏପରି ସ୍ଥିତିରେ ଦଳ ଦୁଇ ସମ୍ପ୍ରଦାୟର ସମର୍ଥନ ଓ ଭୋଟ ପାଇବା ନେଇ ଆଶା ରଖିଛି ।

1995 ରୁ ବିଜେପି ଗଡ ରହିଆସିଛି ଗୁଜୁରାଟ:-

ବିଜେପି 1995 ରୁ ପଶ୍ଚିମ ରାଜ୍ୟ ଗୁଜୁରାଟକୁ ନିଜ ସୁରକ୍ଷିତ ଗଡ ଭାବେ ରଖିଆସିଛି । କ୍ରମାଗତ 27ବର୍ଷ ଧରି ଦଳ କ୍ଷମତା ବଜାୟ ରଖିବାରେ ସଫଳ ହୋଇଛି । ଦଳ 1998, 2002, 2007, 2012 ଓ 2017 ନିର୍ବାଚନରେ କ୍ରମାଗତ ଭାବେ ବିଜୟୀ ହୋଇ ଆସିଛି । ତେବେ ଗତ 2017 ନିର୍ବାଚନରେ ଦଳ ସରକାର ଗଠନ କରିିଥିଲେ ସୁଦ୍ଧା ମାତ୍ର 99ଟି ସିଟ ଜିତିବାରେ ସଫଳ ହୋଇଥିଲା । କଂଗ୍ରେସ 77ଆସନ ସହ ବିରୋଧୀ ଦଳ ଭୂମିକାରେ ରହିିଥିଲା । ଚଳିତ ଥର AAPର ଏଣ୍ଟ୍ରି ପରେ ତ୍ରିମୁଖୀ ଲଢେଇ ହେବାକୁ ଯାଉଛି । ଏହାରି ମଧ୍ୟରେ କେବଳ କ୍ଷମତା ବଜାୟ ରଖିବା ନୁହେଁ ବରଂ ପୂର୍ବ ରେକର୍ଡ ଭାଙ୍ଗି 150 ରୁ ଅଧିକ ଆସନ ହାତେଇବାକୁ ଲକ୍ଷ୍ୟ ରଖିଛି ଭାରତୀୟ ଜନତା ପାର୍ଟି ।

( ଆଲେଖ୍ୟଟି ଇଟିଭି ଭାରତର ନିଜସ୍ବ ରିପୋର୍ଟ ନୁହେଁ, ବରିଷ୍ଠ ସାମ୍ବାଦିକ ଶେଖର ଲାଏରଙ୍କ ଦ୍ବାରା ଲିଖିତ )

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.