ETV Bharat / bharat

୨ ଛାତ୍ରଙ୍କ ହତ୍ୟା ପରେ ମଣିପୁରରେ ତେଜିଲା ହିଂସା; ପୁଣି ଇଣ୍ଟରନେଟ ସେବା ବନ୍ଦ

author img

By ETV Bharat Odisha Team

Published : Sep 27, 2023, 7:46 AM IST

୨ ଛାତ୍ରଙ୍କ ହତ୍ୟା ଫଟୋ ଭାଇରାଲ ପରେ ମଣିପୁରରେ ତେଜିଲା ହିଂସା । ୫ ଦିନ ଯାଏଁ ରାଜ୍ୟରେ ପୁଣି ଇଣ୍ଟରନେଟ ସେବା ଅଚଳ କଲେ ରାଜ୍ୟ ସରକାର । ଅଧିକ ପଢ଼ନ୍ତୁ

ମଣିପୁରରେ ପୁଣି ଇଣ୍ଟରନେଟ ସେବା ଅଚଳ
ମଣିପୁରରେ ପୁଣି ଇଣ୍ଟରନେଟ ସେବା ଅଚଳ

ଇମ୍ଫାଲ: ଜୁଲାଇରୁ ନିଖୋଜ ଥିବା ୨ ଛାତ୍ରଙ୍କ ହତ୍ୟା ଫଟୋ ଭାଇରାଲ ପରେ ପୁଣିଥରେ ମଣିପୁରରେ ତେଜିଛି ହିଂସା । ଏହାର ପ୍ରତିବାଦରେ ମଙ୍ଗଳବାର ଇମ୍ଫାଲରେ ପୋଲିସ ଓ ଶତାଧିକ ଛାତ୍ର ମୁହାଁମୁହିଁ ହୋଇଛନ୍ତି । ଆନ୍ଦୋଳନକାରୀ ଛାତ୍ରଙ୍କୁ କାବୁ କରିବାକୁ ପୋଲିସକୁ ଲାଠି ଚାର୍ଜ କରିବାକୁ ପଡ଼ିଛି । ଏଥିରେ ୩୦ରୁ ଅଧିକ ଛାତ୍ର ଆହତ ହୋଇଛନ୍ତି । ଫଳରେ ମଣିପୁରରେ ଆଇନ ଶୃଙ୍ଖଳା ସ୍ଥିତି ପୁଣି ବିଗୁଡ଼ୁଥିବାର ଦୃଷ୍ଟିରେ ରଖି ରାଜ୍ୟରେ ଇଣ୍ଟରନେଟ ସେବା ସଚଳ ହେବାର ୨ ଦିନ ପରେ ଏହାକୁ ବନ୍ଦ କରାଯାଇଛି । ରାଜ୍ୟରେ ୫ ଦିନ ପାଇଁ ଅର୍ଥାତ୍ ଅକ୍ଟୋବର ୧ ତାରିଖ ଯାଏଁ ଇଣ୍ଟରନେଟ ସେବା ବନ୍ଦ ଘୋଷଣା ହୋଇଛି ।

ସୂଚନା ଅନୁଯାୟୀ, ଜୁଲାଇ ୬ ତାରିଖରୁ ମୈତି ସମ୍ପ୍ରଦାୟର ଜଣେ ନାବାଳିକା ଓ ଜଣେ ନାବାଳକ ଛାତ୍ର ନିଖୋଜ ଥିଲେ । ସୋମବାର ଦିନ ଦୁହିଁଙ୍କର ହତ୍ୟା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ମୃତ ଛାତ୍ର ୨୦ ବର୍ଷୀୟ ଫିଜାମ ହେମଜିତ ଓ ୧୭ ବର୍ଷୀୟ ହିଜାମ ଲିନଥୋଇନଗାମ୍ବୀ ବୋଲି ପରିଚୟ ମିଳିଛି । ଏହାକୁ ନେଇ ଗତକାଲି(ମଙ୍ଗଳବାର) ଇମ୍ଫାଲରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ଇମ୍ଫାଲରେ ସ୍କୁଲ୍‌ ଓ କଲେଜର ଶତାଧିକ ଛାତ୍ର ରାଜରାସ୍ତାରେ ଜୋରଦାର ଆନ୍ଦୋଳନ କରିଥିଲେ । ସେମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସକୁ ଲାଠିଚାର୍ଜ କରିବାକୁ ପଡ଼ିଥିଲା । ଫଳରେ ପୋଲିସ ସହ ମୁହାଁମୁହିଁରୁ ୩୦ରୁ ଅଧିକ ଛାତ୍ର ଆହତ ହୋଇଛନ୍ତି । ଏହି ଉତ୍ତେଜନା ପରେ ସରକାର ଅକ୍ଟୋବର ୧ ତାରିଖ ସନ୍ଧ୍ୟା ୭ଟା ୪୫ ପର୍ଯ୍ୟନ୍ତ ରାଜ୍ୟରେ ଇଣ୍ଟରନେଟ ସେବା ବନ୍ଦ ଘୋଷଣା କରିଛନ୍ତି ।

ଏହାମଧ୍ୟ ପଢନ୍ତୁ: Manipur Internet Service Restored : 4 ମାସ ପରେ ସଚଳ ହେଲା ଇଣ୍ଟରନେଟ ସେବା

ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିବୃତ୍ତିରେ କୁହାଯାଇଛି, ମଣିପୁରରେ ବର୍ତ୍ତମାନର ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ହ୍ବାଟ୍ସ୍‌ଆପ୍‌, ଫେସବୁକ୍‌, ଇନ୍‌ଷ୍ଟାଗ୍ରାମ, ଟ୍ବିଟର ପ୍ରଭୃତି ସୋସିଆଲ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ ମିଥ୍ୟା ଓ ଗୁଜବ ଖବର ପ୍ରସାରଣକୁ ଗମ୍ଭୀରତାର ସହ ନେଉଛନ୍ତି । ଯଦ୍ବାରା ରାଜ୍ୟରେ ସରକାରୀ ଓ ଘରୋଇ ସମ୍ପତ୍ତି କ୍ଷୟକ୍ଷତି ସହିତ ଆଇନ ଶୃଙ୍ଖଳା ବ୍ୟବସ୍ଥା ନଷ୍ଟ ହେବାର ଆଶଙ୍କା ରହିଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତ ମେ' ୩ ତାରିଖରେ ମଣିପୁରର ଚୁରାଚାନ୍ଦପୁରରେ ମେଇତି ସମ୍ପ୍ରଦାୟର ଏକ ପ୍ରତିବାଦ ଶୋଭାଯାତ୍ରା ସମୟରେ ହିଂସାର ସୂତ୍ରପାତ ହୋଇଥିଲା । ରାଜ୍ୟବ୍ୟାପୀ ସାମ୍ପ୍ରଦାୟିକ ହିଂସା ଘଟିବା ଯୋଗୁଁ ୧୬୦ ଅଧିକ ଲୋକଙ୍କ ପ୍ରାଣହାନି ସହ ଶତାଧିକ ଘରଦ୍ବାର ଜଳିପୋଡ଼ି ନଷ୍ଟ ହୋଇଥିଲା । ହିଂସାକୁ ରୋକିବାକୁ ସେବେଠାରୁ ରାଜ୍ୟରେ ଇଣ୍ଟରନେଟ ସେବା ଅଚଳ କରି ଦିଆଯାଇଥିଲା । ଶେଷରେ ୪ ମାସରେ ସରକାର ଗତ ଶନିବାରଠାରୁ ଇଣ୍ଟରନେଟ୍‌ ସେବା ସଚଳ କରିଥିଲେ । ହେଲେ ୨ ଦିନ ପରେ ପୁଣି ସାମୟିକ ଭାବେ ବନ୍ଦ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.