ETV Bharat / bharat

'ପ୍ରତ୍ୟକ୍ଷ ଆତଙ୍କବାଦକୁ ସମର୍ଥନ କରିବା କ୍ଷେତ୍ରରେ ପାକିସ୍ତାନ ବିଶ୍ବ ପରିଚିତ'

author img

By

Published : Sep 25, 2021, 10:59 AM IST

india-says-in-unga-pakistan-spread-lies-on-the-issue-of-kashmir
'ପ୍ରତ୍ୟକ୍ଷ ଆତଙ୍କବାଦକୁ ସମର୍ଥନ କରିବା କ୍ଷେତ୍ରରେ ପାକିସ୍ତାନ ବିଶ୍ବ ପରିଚିତ'

ଜାତିସଂଘ ସାଧାରଣ ପରିଷଦରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ କାଶ୍ମୀର ସଂକ୍ରାନ୍ତରେ ଦେଇଥିବା ମନ୍ତବ୍ୟ ଉପରେ ଜବାବ ରଖି ଭାରତ କହିଲା, ପାକିସ୍ତାନ ମିଛ କହୁଛି, ପ୍ରତ୍ୟକ୍ଷ ଭାବେ ଆତଙ୍କବାଦକୁ ସମର୍ଥନ କରିବା କ୍ଷେତ୍ରରେ ପାକିସ୍ତାନ ପରିଚିତ । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ଜାତିସଂଘ ସାଧାରଣ ପରିଷଦରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ କାଶ୍ମୀର ସଂକ୍ରାନ୍ତରେ ଦେଇଥିବା ମନ୍ତବ୍ୟ ଉପରେ ଜବାବ ଦେଲା ଭାରତ । ଆତଙ୍କବାଦୀଙ୍କ ପ୍ରତ୍ୟକ୍ଷ ସହାୟକ ଭାବେ ପାକିସ୍ତାନ ବିଶ୍ବ ପରିଚିତ ବୋଲି ଜାତିସଂଘ ସାଧାରଣ ପରିଷଦରେ ଭାରତର ପ୍ରଥମ ସଚିବ ସ୍ନେହା ଦୁବେ କହିଛନ୍ତି ।

ସେ କହିଛନ୍ତି ଯେ, ଆତଙ୍କବାଦୀଙ୍କୁ ପାଳନ କରିବା, ସାହାଯ୍ୟ ଦେବା ଓ ସିଧାସଳଖ ସମର୍ଥନ କରିବାରେ ପାକିସ୍ତାନର ନାମ ଇତିହାସରେ ଅଛି ଏହା ମଧ୍ୟ ପାକିସ୍ତାନର ଏକ ନୀତି ସଦୃଶ । ଜାତିସଂଘ ନିଷିଦ୍ଧ କରିଥିବା ଆତଙ୍କବାଦୀମାନଙ୍କ ମଧ୍ୟରୁ ବିପୁଳ ସଂଖ୍ୟକ ଆତଙ୍କବାଦୀଙ୍କୁ ପାକିସ୍ତାନ ସହାୟତା ଦେଇଥିବାର ପ୍ରତ୍ୟକ୍ଷ ପ୍ରମାଣ ରହିଛି । ଓସାମା ବିନ୍‌ ଲାଡେନ୍‌ ପାକିସ୍ତାନରେ ଆଶ୍ରୟ ନେଇଥିଲେ । ଆଜି ମଧ୍ୟ ପାକିସ୍ତାନର ନେତୃତ୍ବ ତାଙ୍କୁ ଜଣେ ‘ସହିଦ’ ଭାବେ ଗୌରବାନ୍ବିତ କରୁଛି ।

ସେ ଆହୁରି ମଧ୍ୟ କହିଛନ୍ତି, ଦୁଃଖର ବିଷୟ, ଜାତିସଂଘ ପ୍ରଦତ୍ତ ଏହି ମଞ୍ଚରେ ପାକିସ୍ତାନର ନେତା ମୋ ଦେଶ ବିରୋଧରେ ମିଥ୍ୟା ଓ ବିଦ୍ବେଷଭରା ପ୍ରଚାର କରିବା ଏହା ପ୍ରଥମ ନୁହେଁ । ପାକିସ୍ତାନରେ ଆତଙ୍କବାଦୀମାନେ ନିଶୁଳ୍କ ସୁବିଧା ସୁଯୋଗ ପାଉଥିବା ବେଳେ ସାଧାରଣ ଜନତା ବିଶେଷକରି ସଂଖ୍ୟାଲଘୁ ସଂପ୍ରଦାୟଙ୍କ ଜୀବନ ଓଲଟପାଲଟ ହୋଇଯାଇଛି । ଆପଣା ଦେଶର କରୁଣ ପରିସ୍ଥିତି ଉପରୁ ବିଶ୍ବର ଦୃଷ୍ଟି ହଟାଇବା ଲାଗି ପାକିସ୍ତାନୀ ନେତା ଏଭଳି ବୃଥା ଉଦ୍ୟମ କରୁଛନ୍ତି ।

ପାକିସ୍ତାନ ଉପରେ ଦୋଷାରୋପ କରି ଦୁବେ ଆହୁରି ମଧ୍ୟ କହିଛନ୍ତି, ଆତଙ୍କବାଦୀଙ୍କୁ ପାଳନ-ପୋଷଣ କରି ପାକିସ୍ତାନ ଅଗ୍ନିସଂଯୋଗକାରୀ ହୋଇ ଥିବାବେଳେ ଅଗ୍ନିନିର୍ବାପକର ଛଦ୍ମବେଶ ଧାରଣ କରିଛି । ଏପରି ଛଦ୍ମବେଶ ଧାରଣ ନ କରି ବେଆଇନ ଭାବେ ଦଖଲ କରିଥିବା ଅଞ୍ଚଳଗୁଡ଼ିକୁ ପାକିସ୍ତାନ ତୁରନ୍ତ ଛାଡ଼ି ଦେଉ ।

ସୂଚନାଯୋଗ୍ୟ, ଶୁକ୍ରବାର ସନ୍ଧ୍ୟାରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କର ପୂର୍ବରୁ ରେକର୍ଡ ହୋଇଥିବା ଏକ ଭାଷଣ ଜାତିସଂଘର ସାଧାରଣ ପରିଷଦ୍‌ ବୈଠକରେ ପ୍ରସାରିତ ହୋଇଥିଲା । ନୂଆଦିଲ୍ଲୀ କଶ୍ମୀରରେ ମାନବ ଅଧିକାର ଉଲ୍ଲଂଘନ କରୁଛି ବୋଲି ସେଥିରେ ସେ କହିଥିଲେ । ଏହାର କଡା ଜବାବ ଦେଇଛନ୍ତି ଭାରତର ପ୍ରଥମ ଜାତିସଂଘ ସାଧାରଣ ପରିଷଦର ସଚିବ ସ୍ନେହା ଦୁବେ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.