ETV Bharat / bharat

ଉପରମୁହାଁ କୋରୋନା: 600 ଟପିଲା ଦୈନିକ ସଂକ୍ରମଣ, 6 ମୃତ୍ୟୁ

author img

By ETV Bharat Odisha Team

Published : Dec 28, 2023, 1:49 PM IST

India Corona Update
India Corona Update

India Corona Update: ଦେଶରେ ବୃଦ୍ଧି ପାଉଛି କୋରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ 24 ଘଣ୍ଟାରେ 692 ଜଣ କୋରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ 6 ଜଣଙ୍କ ମୁଣ୍ଡ ନେଇଛି କୋରୋନା । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଗତ କିଛି ଦିନର ବ୍ୟବଧାନ ପରେ ଦେଶରେ ହୁ ହୁ ହୋଇ ବଢିବାରେ ଲାଗିଛି କୋରୋନା ସଂକ୍ରମଣ । କୋରୋନାର ନୂଆ ଭାରିଆଣ୍ଟ ଜେଏନ 1 ଚିନ୍ତାର କାରଣ ସାଜିଥିବା ବେଳେ ବୃଦ୍ଧି ପାଉଛି ସଂକ୍ରମିତଙ୍କ ସଂଖ୍ୟା । ତେବେ ସଂକ୍ରମିତଙ୍କ ସଂଖ୍ୟା ସହ ତାଳ ଦେଇ ବୃଦ୍ଧି ପାଇବାରେ ଲାଗିଛି ମୃତ୍ୟୁ । ଗତ 24 ଘଣ୍ଟାରେ ଦେଶରେ 692 ଜଣ କୋରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ 6 ଜଣଙ୍କ ମୁଣ୍ଡ ନେଇଛି ଏହି ଭୂତାଣୁ । ଏହାକୁ ମିଶାଇ ଦେଶରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା 4 ହଜାର 97ରେ ପହଞ୍ଚିଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଦେଶରେ ମୃତ୍ୟୁ ହୋଇଥିବା 6 ଜଣଙ୍କ ମଧ୍ୟରେ 2 ଜଣ ମହାରାଷ୍ଟ୍ରର ଏବଂ ଜଣେ ଲେଖାଏଁ ଦିଲ୍ଲୀ, କର୍ଣ୍ଣାଟକ, କେରଳ ଏବଂ ପଶ୍ଚିମବଙ୍ଗରୁ ରହିଛନ୍ତି । ତେବେ 2020 ମସିହା ପରଠାରୁ ଆଜି ପର୍ଯ୍ୟନ୍ତ ହୋଇଥିବା ମୃତ୍ୟୁ ସଂଖ୍ୟା 4,50,10,944କୁ ବୃଦ୍ଧି ପାଇଛି ।

ପ୍ରକାଶଥାଉକି, ଗତକାଲି(ବୁଧବାର) ଦିଲ୍ଲୀକୁ ଛୁଇଁଥିଲା ଜେଏନ 1 ଭାରିଆଣ୍ଟ । ଜଣେ ବ୍ୟକ୍ତି ଜେଏନ 1 ଭାରିଆଣ୍ଟରେ ଆକ୍ରାନ୍ତ ହୋଇଥିବା ନେଇ ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସୌରଭ ଭରଦ୍ବାଜ ସୂଚନା ଦେଇଥିଲେ । ତେବେ 3ଟି ସାମ୍ପୂଲ ଜିନୋମ ସିକ୍ବେନ୍ସିଂ ପାଇଁ ପଠାଯାଇଥିବା ବେଳେ ସେଥିରୁ ଜଣେ ଜେଏନ 1ରେ ଏବଂ 2 ଜଣ ଓମିକ୍ରନରେ ଆକ୍ରାନ୍ତ ହୋଇଥିବା ନେଇ ସେ ସୂଚନା ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ: କର୍ଣ୍ଣାଟକରେ ମାଡୁଛି କୋରୋନା, ସଂକ୍ରମିତଙ୍କ ପାଇଁ କ୍ୱାରେଣ୍ଟାଇନ୍‌ ବାଧ୍ୟତାମୂଳକ

ପ୍ରକାଶଥାଉକି, ପ୍ରତିଦିନ ବୃଦ୍ଧି ପାଇବାରେ ଲାଗିଛି କୋରୋନା ସଂକ୍ରମଣ । ଗତକାଲି 529 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି 600 ଟପିଛି ଆକ୍ରାନ୍ତଙ୍କ ସଂଖ୍ୟା । ଅନ୍ୟପଟେ ଜେଏନ1 ଭାରିଆଣ୍ଟରେ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଦେଶରେ ଜେଏନ 1 ଭାରିଆଣ୍ଟ ମାମଲା 110ରେ ପହଞ୍ଚିଛି ।

କର୍ଣ୍ଣାଟକରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଆକ୍ସନ ମୋଡ୍‌ରେ କର୍ଣ୍ଣାଟକ ସରକାର । କ୍ୟାବିନେଟ ସବ୍‌ କମିଟି ବୈଠକ ବସିଥିବା ବେଳେ ରାଜ୍ୟ ପାଇଁ ଗାଇଡଲାଇନ୍‌ ଜାରି କରାଯାଇଛି । ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ କର୍ଣ୍ଣାଟକ ସରକାରଙ୍କ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି । ତେବେ ଦୀର୍ଘ ଦିନ ପରେ ଦେଶର ପ୍ରଥମ ରାଜ୍ୟ ଭାବେ କର୍ଣ୍ଣାଟକକୁ ପୁଣି ଫେରିଛି କ୍ବାରେଣ୍ଟାଇନ । ଏହାସହ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ସହିତ କୋଭିଡ ପଜିଟିଭ ଚିହ୍ନଟ ହେଲେ ସାତ ଦିନ ଯାଏଁ କ୍ବାରେଣ୍ଟାଇନରେ ରହିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.