ETV Bharat / bharat

IIT Bombay Student Suicide Case: ତଦନ୍ତ ପାଇଁ ମୃତ ଛାତ୍ରଙ୍କ ଘରେ ମୁମ୍ବାଇ ପୋଲିସ

author img

By

Published : Feb 16, 2023, 6:40 PM IST

IIT Bombay student suicide case
IIT Bombay student suicide case

ଆଇଆଇଟି ବମ୍ବେରେ ଛାତ୍ର ଆତ୍ମହତ୍ୟା ଘଟଣା । ତଦନ୍ତ ପାଇଁ ମହମ୍ମଦାବାଦରେ ମୃତ ଛାତ୍ରଙ୍କ ଘରେ ମୁମ୍ବାଇ ପୋଲିସ ଟିମ୍‌ । ପରିବାର ସଦସ୍ୟ ଆଣିଛନ୍ତି ଜାତିଗତ ଭେଦଭାବ ଅଭିଯୋଗ । ଅଧିକ ପଢନ୍ତୁ

ମୁମ୍ବାଇ: ଆଇଆଇଟି ବମ୍ବେରେ ଜଣେ ଛାତ୍ର ଆତ୍ମହତ୍ୟା କରିବା ଘଟଣାରେ ତଦନ୍ତ ପାଇଁ ମୃତକଙ୍କ ଘରେ ପହଞ୍ଚିଛି ମୁମ୍ବାଇ ପୋଲିସ । ମୁମ୍ବାଇ ପୋଲିସର ଏକ ଟିମ ମୃତ ଛାତ୍ରଙ୍କ ଅହମ୍ମଦାବାଦ ସ୍ଥିତ ଘରେ ପହଞ୍ଚି ସମ୍ପର୍କୀୟଙ୍କ ଠାରୁ ସୂଚନା ସଂଗ୍ରହ କରିଛି । ରବିବାର ଛାତ୍ରଜଣଙ୍କ ହଷ୍ଟେଲ ଛାତରୁ ଡେଇଁ ଆତ୍ମହତ୍ୟା କରିଥିଲେ । ପରିବାର ସଦସ୍ୟ ଜାତିଗତ ଭେଦଭାବ କାରଣରୁ ଛାତ୍ରଜଣଙ୍କ ଆତ୍ମହତ୍ୟା କରିଥିବା ଅଭିଯୋଗ କରୁଛନ୍ତି । ଘଟଣା ପରେ କ୍ୟାମ୍ପସରେ ମଧ୍ୟ ଉତ୍ତେଜନା ପ୍ରକାଶ ପାଇଥିଲା । କିଛି ଛାତ୍ର ସଂଗଠନର ସଦସ୍ୟ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରି କ୍ୟାମ୍ପସରେ ଧାରଣା ଦେଇଥିଲେ ।

ଗୁଜୁରାଟ ଅହମ୍ମଦାବାଦର 18 ବର୍ଷୀୟ ଛାତ୍ର ଦର୍ଶନ ସୋଲାଙ୍କୀ ଆଇଆଇଟି ବମ୍ବେରେ ବିଟେକ (ରସାୟନ) ବିଭାଗର ପ୍ରଥମ ବର୍ଷ ଛାତ୍ର ଥିଲେ । ରବିବାର (ଫେବୃଆରୀ 12) ସେ ହଷ୍ଟେଲ ବିଲ୍ଡିଂ ଛାତରୁ ଡେଇଁ ଆତ୍ମହତ୍ଯା କରିଥିବା ଅଭିଯୋଗ ହୋଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ଏହାକୁ ନେଇ କ୍ୟାମ୍ପସରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଯାଇଥିଲା । ମୃତ ଛାତ୍ର ଜଣେ ଦଳିତ ଶ୍ରେଣୀଭୁକ୍ତ ଥିଲେ । ଏକ ନିର୍ଦ୍ଦିଷ୍ଟ ଛାତ୍ର ସଂଗଠନ ଏହାକୁ ଜାତିଗତ ବିଭେଦତାର କାରଣ ସମ୍ପର୍କିତ ଆତ୍ମହତ୍ୟା ଦର୍ଶାଇ କ୍ଯାମ୍ପସରେ ପ୍ରତିବାଦ କରିଥିଲେ । ପରେ ସମାନ ଜାତିଗତ ବିଭେଦ ପ୍ରସଙ୍ଗକୁ ମୃତ ଛାତ୍ରଙ୍କ ପରିବାର ସଦସ୍ୟ ମଧ୍ୟ ଅଭିଯୋଗ କରିଥିଲେ ।

ପରିବାର ସଦସ୍ୟ କହିଛନ୍ତି, ମୃତ ଛାତ୍ରଙ୍କ ସହପାଠୀଙ୍କ ନିକଟରୁ ଏପରି କିଛି ସୂଚନା ମିଳିଛି । ଜାତିଗତ ଭେଦଭାବର ଶିକାର ହୋଇ ଛାତ୍ରଜଣଙ୍କ ଆତ୍ମହତ୍ୟା କରିଛନ୍ତି । ହେଲେ ତମାମ ଅଭିଯୋଗ ପରେ ମଧ୍ୟ ଏହାକୁ ନେଇ ସଂସ୍ଥାନ କର୍ତ୍ତୃପକ୍ଷ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ପୋଲିସ ତଦନ୍ତ ଜାରି ରଖିଛି । ଆଜି ମୁମ୍ବାଇ ପୋଲିସର ଏକ ଟିମ ଅହମ୍ମଦାବାଦ ଗସ୍ତ କରି ମୃତ ଛାତ୍ରଙ୍କ ପରିବାର ସଦସ୍ୟଙ୍କ ଠାରୁ ସୂଚନା ସଂଗ୍ରହ କରିଛି ।

ଛାତ୍ରଙ୍କ ଆତ୍ମହତ୍ୟା ସମ୍ପର୍କରେ ପୋଲିସ ତଦନ୍ତ ଜାରି ରହିଥିଲେ ସୁଦ୍ଧା କୌଣସି ନିର୍ଦ୍ଦିଷ୍ଟ କାରଣ ସମ୍ପର୍କରେ କିଛି ସୂଚନା ମିଳିନି । ପୂର୍ବରୁ ମଧ୍ୟ ଦେଶର କିଛି ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନରେ ଜାତିଗତ ଭେଦଭାବ ଓ ସଂରକ୍ଷଣ ବିବାଦକୁ ନେଇ ଛାତ୍ର ଆତ୍ମହତ୍ଯା ପରି ମାମଲାର ନଜିର ରହିଛି । ଯାହାକୁ ନେଇ ଛାତ୍ର ରାଜନୀତି ମଧ୍ୟ ଜୋର ଧରିଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.