ETV Bharat / bharat

Republic Day Parade: ପିପୁଲ୍ସ ଚଏସ ଆଓ୍ବାର୍ଡ ଜିତିଲା ଗୁଜୁରାଟ ପ୍ରଜ୍ଞାପନ ମେଢ

author img

By

Published : Feb 1, 2023, 7:20 AM IST

ପିପୁଲ୍ସ ଚଏସ ଆଓ୍ବାର୍ଡ ଜିତିଲା ଗୁଜୁରାଟ ପ୍ରଜ୍ଞାପନ ମେଢ
ପିପୁଲ୍ସ ଚଏସ ଆଓ୍ବାର୍ଡ ଜିତିଲା ଗୁଜୁରାଟ ପ୍ରଜ୍ଞାପନ ମେଢ

74ତମ ଗଣତନ୍ତ୍ର ଦିବସରେ ପରେଡରେ ପିପୁଲ୍ସ ଚଏସ ଆଓ୍ବାର୍ଡ ଜିତିଲା ଗୁଜୁରାଟ ପ୍ରଜ୍ଞାପନ ମେଢ । ନବୀକରଣ ଶକ୍ତିର ବ୍ୟବହାର ନେଇ ପ୍ରଦର୍ଶିତ ହୋଇଥିଲା ମଡେଲ । ଅଧିକ ପଢନ୍ତୁ

ହାଇଦ୍ରାବାଦ: 74ତମ ଗଣତନ୍ତ୍ର ଦିବସ ପରେଡରେ ଅଂଶଗ୍ରହଣ କରିଥିବା ବିଭିନ୍ନ ରାଜ୍ୟର ପ୍ରଜ୍ଞାପନ ମେଢ ମଧ୍ୟରୁ ପିପୁଲ୍ସ ‘‘ଚଏସ ଆଓ୍ବାର୍ଡ’’ ଜିତିଲା ଗୁଜୁରାଟର ପ୍ରଜ୍ଞାପନ ମେଢ । ସ୍ୱଚ୍ଛ ତଥା ସବୁଜ ଶକ୍ତି ବ୍ୟବହାର ପ୍ରସଙ୍ଗରେ ଗୁଜୁରାଟର ପ୍ରଜ୍ଞାପନ ମେଢ ପିପୁଲ୍ସ ଚଏସ ପୁରସ୍କାର ବର୍ଗରେ ପ୍ରଥମ ସ୍ଥାନ ଅଧିକାର କରିବାରେ ସଫଳ ହୋଇଛି । ଗୁଜୁରାଟ ସରକାରଙ୍କ ଦ୍ବାରା ପଠାଯାଇଥିବା ପ୍ରଜ୍ଞାପନ ମେଢର ଥିମ୍‌ ରଖାଯାଇଥିଲା "ସ୍ୱଚ୍ଛ-ସବୁଜ ଶକ୍ତି, ଦକ୍ଷ ଗୁଜୁରାଟ’’ (Clean-Green Energy Efficient Gujarat)। ଏହି ପ୍ରଜ୍ଞାପନ ମେଢରେ ପବନ ଓ ସୌର ଶକ୍ତି ପରି ନବୀକରଣ ତଥା ପ୍ରାକୃତିକ ଶକ୍ତିର ବ୍ୟବହାର ଉପରେ ଏକ ମଡେଲ ପ୍ରଦର୍ଶିତ ହୋଇଥିଲା । ଯାହା ଶକ୍ତି କ୍ଷେତ୍ରରେ ଗୁଜୁରାଟର ଦକ୍ଷତା ଓ ଆତ୍ମନିର୍ଭରଶୀଳତାକୁ ଦର୍ଶାଇଥିଲା ।

ଏକ ସରକାରୀ ବିବୃତ୍ତି ଅନୁଯାୟୀ ଗୁଜୁରାଟ ସୌର ଶକ୍ତି ଏବଂ ପବନ ଶକ୍ତି ଭଳି ଅଣପାରମ୍ପରିକ ଶକ୍ତି ଉତ୍ସଗୁଡିକର ବ୍ୟବହାର ଉପରେ ଗୁରୁତ୍ୱ ଦେଇ ସ୍ୱଚ୍ଛ ଏବଂ ସବୁଜ ଶକ୍ତିର ଉତ୍ପାଦନ ଲକ୍ଷ୍ୟକୁ ସଫଳତାର ସହିତ ହାସଲ କରିଛି । ବିଶ୍ୱର ସର୍ବବୃହତ ହାଇବ୍ରିଡ୍ ରିନ୍ୟୁଆଲ୍ ଏନର୍ଜି ପାର୍କ (ନବୀକରଣଯୋଗ୍ୟ ଶକ୍ତି ଉଦ୍ୟାନ) ଗୁଜୁରାଟ କଚ ଜିଲ୍ଲାରେ ଜାରିରହିଛି । ଅକ୍ଷୟ ଶକ୍ତି ବ୍ୟବହାର କରିବାରେ ଗୁଜୁରାଟର ଦେଶର ଅଗ୍ରଣୀ ରାଜ୍ୟ ଭାବେ ମାନ୍ୟତା ମଧ୍ୟ ପାଇଛି । ଯାହାର ଏକ ପ୍ରତିକାତ୍ମକ ମଡେଲକୁ ଦିଲ୍ଲୀ କର୍ତ୍ତବ୍ୟପଥରେ ଦେଶବାସୀଙ୍କୁ ପ୍ରଦର୍ଶିତ କରିଥିଲେ ଗୁଜୁରାଟ ସରକାର । ଯାହା ପୁରସ୍କାର ଜିତିବାରେ ସଫଳ ହୋଇଛି । ଚଳିତ ବର୍ଷ ପରେଡରେ 17ଟି ରାଜ୍ୟ ଏବଂ 6ଟି ମନ୍ତ୍ରଣାଳୟର ପ୍ରଜ୍ଞାପନ ମେଢ ପ୍ରଦର୍ଶିତ ହେବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ ।

ପୁରସ୍କାର ପାଇଁ ଚୟନ ପ୍ରକ୍ରିୟା ସ୍ବରୂପ ଚଳିତ ବର୍ଷ ଜାନୁଆରୀ 26ରୁ 28 ତାରିଖ ପର୍ଯ୍ୟନ୍ତ ଅନଲାଇନ୍ ଭୋଟିଂ କରାଯାଇଥିଲା । ଗୁଜୁରାଟର ପ୍ରଜ୍ଞାପନ ମେଢ ସର୍ବାଧିକ ଭୋଟ ହାସଲ କରି ପିପୁଲ୍ସ ଚଏସ୍ ଆୱାର୍ଡ ବିଜେତା ଘୋଷିତ ହୋଇଛି । ଏଥିପାଇଁ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହ ଏହି ପୁରସ୍କାର ସମସ୍ତ ଗୁଜୁରାଟବାସୀଙ୍କର ବୋଲି ସେ କହିଛନ୍ତି । ମଙ୍ଗଳବାର ନୂଆଦିଲ୍ଲୀରେ ଆୟୋଜିତ ସମାରୋହରେ କେନ୍ଦ୍ର ପ୍ରତିରକ୍ଷା ରାଷ୍ଟ୍ର ମନ୍ତ୍ରୀ ଅଜୟ ଭଟ୍ଟ ଗୁଜୁରାଟ ମୁଖ୍ୟମନ୍ତ୍ରୀଙ୍କ ସଚିବ ତଥା ରାଜ୍ୟ ସୂଚନା ନିର୍ଦ୍ଦେଶିକା ଅବନ୍ତିକା ସିଂଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.