ETV Bharat / bharat

ବିଦ୍ୟୁତ ଆଘାତରେ ମାଆ, ଦୁଇ ଛୁଆଙ୍କ ସମେତ ୪ ମୃତ

author img

By ETV Bharat Odisha Team

Published : Sep 2, 2023, 1:00 PM IST

ରାଜସ୍ଥାନରେ ହୃଦୟ ବିଦାରକ ଘଟଣା । ବିଦ୍ୟୁତ ସଂସ୍ପର୍ଶରେ ଆସି ଚାଲିଗଲା ମାଆ, ଦୁଇ ଛୁଆଙ୍କ ସମେତ ୪ ଜୀବନ । ଅଧିକ ପଢନ୍ତୁ

ବିଦ୍ୟୁତ ଆଘାତରେ ମାଆ, ଦୁଇ ଛୁଆଙ୍କ ସମେତ ୪ ମୃତ
ବିଦ୍ୟୁତ ଆଘାତରେ ମାଆ, ଦୁଇ ଛୁଆଙ୍କ ସମେତ ୪ ମୃତ

ଜୟପୁର(ରାଜସ୍ଥାନ): ଅଟାକଳ ଚଲାଇବା ବେଳେ ଲାଗିଲା କରେଣ୍ଟ । ବିଦ୍ୟୁତ ଆଘାତରେ ଆଖି ପିଛୁଳାକେ ଚାଲିଗଲା ଗୋଟିଏ ପରିବାରର ୪ ଜୀବନ । ଶୁକ୍ରବାର ରାତିରେ ରାଜସ୍ଥାନ ବାଡେମେର ଜିଲ୍ଲାରେ ଏଭଳି ହୃଦୟ ବିଦାରକ ଘଟଣା ଘଟିଛି । ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ମହିଳା, ତାଙ୍କର ଦୁଇ ଛୁଆ ଓ ବାପାଙ୍କ ମୃତ୍ୟୁ ହୋଇଛି । ମହିଳାଙ୍କୁ ବଞ୍ଚାଇବାକୁ ଯାଇଁ ଅନ୍ୟମାନଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ଖବର ପାଇ ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି ।

ସୂଚନା ଅନୁଯାୟୀ, ବାଡମେର ଜିଲ୍ଲାର ରାମଦେବପୁର ଗାଁରେ ଏହି ଅଘଟଣ ଘଟିଛି । ଗାଁର ଅର୍ଜୁନ ସିଂହ ନାମକ ବ୍ୟକ୍ତି କୌଣସି କାମରେ ଦିଲ୍ଲୀ ଯାଇଥିଲେ । ଗାଁରେ ତାଙ୍କର ଦୁଇ ଛୁଆ ଓ ପତ୍ନୀ ଥିଲେ । ଶୁକ୍ରବାର ରାତି ପ୍ରାୟ ସାଢେ ୯ଟା ବେଳେ ଅର୍ଜୁନଙ୍କ ସ୍ତ୍ରୀ ଛେଲୁ ଘରେ ଅଟା ପେଶିବାକୁ ଅଟାକଳ ଚଲାଉଥିବା ବେଳେ ତାଙ୍କୁ କରେଣ୍ଟ ଲାଗିଥିଲା । ମାଆକୁ ଦେଖି ଦୁଇ ନାବାଳକ ପୁଅ ପାଖକୁ ଧାଇଁ ଆସିଥିଲେ । ଫଳରେ ସେ ଦୁହେଁ ମଧ୍ୟ ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲେ । ମହିଳାଙ୍କ ବାପା ସମସ୍ତଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିବା ସମୟରେ ବିଦ୍ୟୁତ ଆଘାତରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା । ଘଟଣାସ୍ଥଳରେ ଦୁଇ ଛୁଆଙ୍କ ସମେତ ୪ ଜଣଙ୍କ ଜୀବନ ଯାଇଛି ।

ଏହାମଧ୍ୟ ପଢନ୍ତୁ: Woman Paraded Naked Case: ମହିଳାଙ୍କୁ ଉଲଗ୍ନ କରି ବୁଲାଇଲେ ଶାଶୁଘର ଲୋକେ, 3 ଗିରଫ

ମୃତକମାନେ ହେଲେ ଛେଲୁ କଂବର, ତାଙ୍କର ପୁଅ ଯଶୱନ୍ତ ଓ ପ୍ରତାପ ଏବଂ ବାପା ହଠେସିଂହ । ଏହି ଅଘଟଣ ସମ୍ପର୍କରେ ପଡୋଶୀ ଲୋକେ ପୋଲିସକୁ ସୂଚନା ଦେଇଥିଲେ । ଖବର ପାଇବା ମାତ୍ରେ ପୋଲିସ ଓ ପ୍ରଶାସନିକ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ । ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହି ଘଟଣାରେ ଅଧିକ ଛାନଭିନ୍ କରାଯାଉଥିବା ବାଡମେର ଏସପି ଦିଗନ୍ତ ଆନନ୍ଦ ସୂଚନା ଦେଇଛନ୍ତି । ପ୍ରାଥମିକ ତଦନ୍ତରୁ ବିଦ୍ୟୁତ ସଂସ୍ପର୍ଶରେ ଆସିବା ଯୋଗୁଁ ହିଁ ସମସ୍ତଙ୍କର ମୃତ୍ୟୁ ହୋଇଥିବା ପୋଲିସ କହିଛି । ବିଦ୍ୟୁତ ଆଘାତରେ ଗୋଟିଏ ପରିବାର ଏପରି ଛାରଖାର୍ ହୋଇଯିବା ଘଟଣା ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି ।

ଏହାମଧ୍ୟ ପଢନ୍ତୁ: How To Avoid Short Circuits: ବର୍ଷା ଦିନେ ସର୍ଟସର୍କିଟରୁ କେମିତି ରହିବେ ସୁରକ୍ଷିତ ? ଆପଣାନ୍ତୁ ଟିପ୍ସ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.