ETV Bharat / bharat

ଦିନେ ହାତରେ ଥିଲା ଦେଶର ଅର୍ଥ ବ୍ୟବସ୍ଥା, ଏବେ କାର ଡ୍ରାଇଭର

author img

By

Published : Mar 21, 2022, 7:54 PM IST

Afghanistan's Former Finance Minister Life: ଦିନେ ଚଲାଉଥିଲେ ଦେଶ, ଆଜି ଚଲାଉଛନ୍ତି UBER କାର
Afghanistan's Former Finance Minister Life: ଦିନେ ଚଲାଉଥିଲେ ଦେଶ, ଆଜି ଚଲାଉଛନ୍ତି UBER କାର

ଆଫଗାନିସ୍ତାନ ଆତଙ୍କୀ ସଂଗଠନ ତାଲିବାନ ହାତକୁ ଆସିବା ପରେ ବଦଳିଯାଇଛି ଆଫଗାନିସ୍ତାନର ପୂର୍ବତନ ଅର୍ଥମନ୍ତ୍ରୀଙ୍କ ଭାଗ୍ୟ । ଦିନେ ତାଙ୍କ ହାତରେ ଦେଶର ଅର୍ଥନୀତିର ଚାବିକାଠି ଥିବା ବେଳେ ଆଜି ରହିଛି Uber କାରର ଚାବି । କାରଣ ସମୟ ଚକ୍ରରେ ସେ ଅର୍ଥମନ୍ତ୍ରୀରୁ ହୋଇଯାଇଛନ୍ତି କାର ଡ୍ରାଇଭର । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ସତରେ ସମୟ ଭାରି ବଳବାନ । ଦୁର୍ଦ୍ଦିନ ସମୟ କେତେବେଳେ କାହାକୁ କେଉଁଠି ପହଞ୍ଚାଇବ ତାହା କହିବା ନିହାତି ଅସମ୍ଭବ । ଦିନେ ଦେଶକୁ ଚଲାଉଥିବା ଅର୍ଥମନ୍ତ୍ରୀ ଆଜି ଚଲାଉଛନ୍ତି କାର । ଲକ୍ଷ ଲକ୍ଷ ଲୋକଙ୍କୁ ଶାସନ କରୁଥିବା ବ୍ୟକ୍ତି ଆଜି ହୋଇଛନ୍ତି ହାତଗଣତି କେତୋଟି ଯାତ୍ରୀଙ୍କ ସାରଥୀ । ଏଠାରେ ଆମେ ଯାହା ବିଷୟରେ ଆଲୋଚନା କରୁଛୁ ସେ ହେଉଛନ୍ତି ଆଫଗାନିସ୍ତାନର ପୂର୍ବତନ ଅର୍ଥମନ୍ତ୍ରୀ ଖଲିଦ ପାୟେଣ୍ଡା । ଯିଏକି ଆଜି ସାଜିଛନ୍ତି Uber କାର ଡ୍ରାଇଭର । ଆତଙ୍କବାଦୀ ସଂଗଠନ ତାଲିବାନ ଦେଶକୁ ଅକ୍ତିଆର କରିବା ପରେ ପଳାୟନ କରିଥିବା ପାୟେଣ୍ଡା ଆଜି ପେଟ ପାଟଣା ପାଇଁ ଚଲାଉଛନ୍ତି କାର ।

  • Today I stepped down as the Acting Minister of Finance. Leading MoF was the greatest honor of my life but it was time to step down to attend to personal priorities. I’ve put Mr. Alem Shah Ibrahimi, Deputy Minister for Revenue & Customs in charge until a new Minister is appointed.

    — Khalid Payenda (@KhalidPayenda) August 10, 2021 " class="align-text-top noRightClick twitterSection" data=" ">

ଦିନେ ସେ ଆଫଗାନିସ୍ତାନର ଅର୍ଥମନ୍ତ୍ରୀ ଭାବେ ୬ ବିଲିଅନ ଡଲାର ବଜେଟର କାରବାର କରୁଥିଲେ । ହେଲେ ଆଜି ପରିବାର ପ୍ରତିପୋଷଣ ପାଇଁ ଦିନାସାରା କାର ଚଲାଉଥିଲେ ମଧ୍ୟ ମିଳୁଛି ମାତ୍ର ୧୫୦ ଡଲାର । ସେ ଆମେରିକା ୱାଶିଂଟନରେ କାର ଡ୍ରାଇଭର ଭାବେ ନଜର ଆସିଛନ୍ତି । ଆଫଗାନିସ୍ତାନ ଏବେ ରହିଛି ତାଲିବାନ ସରକାରର କବଳରେ । ଏହି ଆତଙ୍କବାଦୀ ସଂଗଠନ ବନ୍ଧୁକ ମୁନରେ ଦେଶକୁ ଅକ୍ତିଆର କରିବା ପରେ ଏବେ ଏଠାରେ କରୁଛନ୍ତି ରାଜ୍‌ ।

ତାଲିବାନ ଆଫଗାନିସ୍ତାନର ରାଜଧାନୀ କାବୁଲକୁ ନିୟନ୍ତ୍ରଣରେ ନେବା ପରେ ପାୟେଣ୍ଡା ଅର୍ଥମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଏ ନେଇ ସେ ଟ୍ବିଟ କରି ସୂଚନା ଦେଇଥିଲେ । ତେବେ ଆଫଗାନିସ୍ତାନର ଅର୍ଥମନ୍ତ୍ରୀ ଭାବେ ପାଇଥିବା ଦାୟିତ୍ବ ତାଙ୍କ ପାଇଁ ସର୍ବଦା ଏକ ସମ୍ମାନଜନକ ଉପଲବ୍ଧି ରହିବ ବୋଲି ସେ କହିଥିଲେ । ଏହାପରେ ତାଲିବାନ ସରକାରର ଗିରଫ ଭୟରେ ସେ ଆଫଗାନିସ୍ତାନ ଛାଡ଼ି ଆମେରିକାକୁ ଚାଲି ଆସିଥିଲେ । ଏଠାରେ ଆସି ସେ ଟ୍ରାନ୍ସପୋର୍ଟ ସେବା ଯୋଗାଉଥିବା କମ୍ପାନୀ Uber ର ଡ୍ରାଇଭର ଭାବେ କାର୍ଯ୍ୟ କୁରଛନ୍ତି ।

ତେବେ The Washington Post ସହ ଇଣ୍ଟରଭ୍ୟୁ ବେଳେ ପାୟେଣ୍ଡା କହିଛନ୍ତି ଯେ ସେ ପରିସ୍ଥିତି ସହ ଖାପଖୁଆଇବାକୁ ଉଦ୍ୟମ କରୁଛନ୍ତି । କିନ୍ତୁ ଯେକୌଣସି ମତେ ସେ ନିଜ ପରିବାରକୁ ପ୍ରତିପୋଷଣ କରିପାରୁଥିବାରୁ ସେ ଖୁସିବ୍ୟକ୍ତ କରିଛନ୍ତି । ଏହାସହିତ ସେ ଆଫଗାନିସ୍ତାନର ବର୍ତ୍ତମାନର ପରିସ୍ଥିତି ପାଇଁ ଆମେରିକା ସରକାରକୁ ଦାୟୀ କରିଛନ୍ତି । ଆମେରିକା ନିଜ ସେନା ପ୍ରତ୍ୟାହାର କରିଥିବା ଯୋଗୁଁ ତାଲିବାନ ଆଫଗାନିସ୍ତାନକୁ ନିଜ ଅଧୀନକୁ ନେବାରେ ସକ୍ଷମ ହେଲା ବୋଲି ସେ କହିଛନ୍ତି ।

ଯେତେବେଳେ ତାଲିବାନମାନେ ଦେଶର ରାଜଧାନୀ କାବୁଲକୁ ଅକ୍ତିଆରକୁ ନେଇଥିଲେ ସେତେବେଳେ ଟ୍ବିଟ କରି ପାୟେଣ୍ଡି କହିଥିଲେ ଯେ ଆମ ନିକଟରେ ୨୦ ବର୍ଷ ସମୟ ରହିଥିଲା । ଏହି ସମୟ ମଧ୍ୟରେ ବିଶ୍ବର ସହାୟତା ଯୋଗୁଁ ଏକ ନୂତନ ବ୍ୟବସ୍ଥା ତିଆରି ହୋଇଥିଲା ଯାହାକି ଲୋକଙ୍କ ପାଇଁ କାମ କରୁଥିଲା । ଯାହା ବି ନିର୍ମାଣ ହୋଇଥିଲା ତାହା ଏବେ ଦ୍ରୁତ ଗତିରେ ଭାଙ୍ଗିବାକୁ ଯାଉଛି । ଏବେ ଏଠାରେ ଦୁର୍ନୀତିର ମୂଳଦୁଆ ପଡ଼ିବାକୁ ଯାଉଛି ବୋଲି ସେ କହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.