ETV Bharat / bharat

ବରର ବାପା ସାଜିଲେ ଉଦାହରଣ; ଫେରାଇଲେ ୧୧ ଲକ୍ଷ, ଆଣିଲେ ଟଙ୍କାଟିଏ

author img

By ETV Bharat Odisha Team

Published : Dec 17, 2023, 10:56 PM IST

father of groom sets example: ରାଜସ୍ଥାନରେ ବିବାହ ବେଳେ ୧୧ ଲକ୍ଷ ଟଙ୍କା ଫେରାଇ ଚର୍ଚ୍ଚାରେ ବରର ପିତା । ସାଙ୍ଗରେ ଆଣିଲେ ୧ ଟଙ୍କା ଓ ଗୋଟେ ନଡିଆ । ଅଧିକ ପଢନ୍ତୁ

groom father returns 11 lakh rupees
groom father returns 11 lakh rupees

ଜୟପୁର: ଆଜିର ସମାଜ କେଉଁଠି ଯୌତୁକ ପାଇଁ ବଧୂକୁ ନିର୍ଯାତନା ହେଉଥିବା ବେଳେ ଅନ୍ୟପକ୍ଷେ କିଛି ଉଦାର ମନୋଭାବର ବ୍ୟକ୍ତିତ୍ବ ମଧ୍ୟ ରହିଛନ୍ତି । ରାଜସ୍ଥାନର ମଧୁବନରେ ବିବାହ ଉତ୍ସବରେ ମହତ କାର୍ଯ୍ୟ କରି ସମାଜ ପାଇଁ ଉଦାହରଣ ପାଲଟିଛନ୍ତି ଜଣେ ପିତା । ବିବାହ ବେଳେ ବୋହୂ ଘରୁ ଦିଆଯାଇଥିବା ୧୧ ଲକ୍ଷ ଟଙ୍କା ବଦଳରେ ସେ ମାତ୍ର ଟଙ୍କାଟିଏ ଓ ଗୋଟେ ନଡିଆ ସହ ନିଜ ବୋହୂ ଆଣି ଘରକୁ ଫେରିଛନ୍ତି । ଯାହାକୁ ନେଇ ଏବେ ସାରା ରାଜ୍ୟରେ ବେଶ ଚର୍ଚ୍ଚା ।

ଏହି ମହତ କାର୍ଯ୍ୟ କରିଥିବା ବ୍ୟକ୍ତି ଜଣକ ହେଉଛନ୍ତି ମଧୁବନ ଗ୍ରାମର ମହେନ୍ଦ୍ର ସିଂ ରାଥୋଡ । ସେ ରାଜୋଡା ଗ୍ରାମର ଅଧିବାସୀ ଭୁର ସିଂ ରଣାୱତଙ୍କ ଝିଅ ସହିତ ନିଜ ପୁଅର ବିବାହ ସ୍ଥିର କରିଥିଲେ । ଭୁର ସିଂ ପେଶାରେ ଜଣେ ଆସିଷ୍ଟାଣ୍ଟ ସବ ଇନ୍ସିପେକ୍ଟର (ଅବସରପ୍ରାପ୍ତ) । ଗତ ଡିସେମ୍ବର ୪ ତାରିଖରେ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା । ମହେନ୍ଦ୍ର ଜୟପୁରରୁ ପୁଅ ଅମ୍ରିତ ସିଂ ଓ ବରଯାତ୍ରୀଙ୍କ ସହିତ ବିବାହ ପାଇଁ ବାହାରିଥିଲେ ।

ଏହା ବି ପଢନ୍ତୁ- ଯୌତୁକ ଜୁଇରେ ଶକ୍ତିମୟୀ ! ମାତ୍ର ଲକ୍ଷେ ଟଙ୍କା ନେଲା ନବବଧୂର ଜୀବନ

ଉକ୍ତ ଅଞ୍ଚଳରେ ରାଜପୁତ ସମ୍ପ୍ରଦାୟରେ ବିବାହ ସମୟରେ 'ତିଲକ ଦସ୍ତୁର' ନାମରେ ଏକ ପ୍ରଥା ରହିଛି । ଯେଉଁଥିରେ ଝିଅର ବାପା ନିଜ ଝିଅକୁ ବିବାହ ସମୟରେ ଅନେକ ଦାମି ଜିନିଷ ଉପହାର ବାବଦକୁ ଦିଅନ୍ତି । ଏହି ପ୍ରଥା ଅନୁଯାୟୀ ଝିଅର ପିତା ଭୁର ସିଂ ଓ ପୁଅ ପ୍ରଭାତ ସିଂ ବର ପକ୍ଷଙ୍କୁ ୧୧ ଲକ୍ଷ ଟଙ୍କା ଦେଇଥିଲେ । ହେଲେ ବରର ପିତା ମହେନ୍ଦ୍ର ସିଂ ଏହି ଉପହାରକୁ ଗ୍ରହଣ କରିବାକୁ ମନା କରିଥିଲେ । ସେ ମଧୁକୁ ବୋହୂ ନୁହେଁ, ବରଂ ଝିଅ ରୂପେ ଗ୍ରହଣ କରିଥିବା କହିଥିଲେ ।

ଏହାପରେ ବିବାହ ଉତ୍ସବ ଆରମ୍ଭ ହୋଇଥିଲା । ପାରମ୍ପରିକ ବୈଦିକ ନୀତିରେ ବିବାହ ଅନୁଷ୍ଠିତ ହୋଇଥିଲା । ଏହି ସମୟରେ ବିବାହ ରୀତିନୀତି ଅନୁସାରେ ସେ କନ୍ୟା ପକ୍ଷରୁ କେବଳ ୧ ଟଙ୍କା ଓ ନଡିଆ ଗୋଟେ ଗ୍ରହଣ କରିଥିଲେ । ମହେନ୍ଦ୍ରଙ୍କ ଏଭଳି ନିଷ୍ପତ୍ତିକୁ କନ୍ୟା ପକ୍ଷର ସମ୍ପର୍କୀୟ, ଅତିଥି ଓ ଉପସ୍ଥିତ ଲୋକେ ଭୂୟସୀ ପ୍ରଶଂସା କରିଥିଲେ । ଖାଲି ମହେନ୍ଦ୍ର ନୁହେଁ, ଭୁର ସିଂ ମଧ୍ୟ ପୂର୍ବରୁ ଏମିତି କରି ଚର୍ଚ୍ଚାକୁ ଆସିଥିଲେ । କନ୍ୟାର ପିତା ଭୁର ସିଂ ୨୦୧୩ ମସିହାରେ ନିଜ ପୁଅର ବିବାହ କରିଥିଲେ ।ସେ ମଧ୍ୟ କନ୍ୟା ପକ୍ଷଙ୍କଠାରୁ ମାତ୍ର ୧ ଟଙ୍କା ଓ ନଡିଆ ଗୋଟେ ଗ୍ରହଣ କରିଥିଲେ । ଏହି ବରକନ୍ୟା ଉଭୟ ଏମବିଏ କରିଛନ୍ତି । ସେପଟେ ଭୁର ସିଂ ଆଉ ଏକ କନ୍ୟା ସନ୍ତାନ ଥିବା ବେଳେ ସେ ଆଇଆଇଟି ମୁମ୍ବାଇରେ ବାଓ ରିସର୍ଚ୍ଚର ଭାବେ କାର୍ଯ୍ୟରତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.