ETV Bharat / bharat

Excise policy case: ସିସୋଦିଆଙ୍କ ବିରୋଧରେ ଚାର୍ଜସିଟ ଦାଖଲ କଲା CBI

author img

By

Published : Apr 25, 2023, 5:26 PM IST

ଦିଲ୍ଲୀ ଅବକାରୀ ନୀତି ଘୋଟାଲା ମାମଲାରେ ମନୀଷ ସିସୋଦିଆଙ୍କ ବିରୋଧରେ ସିବିଆଇ ଦାଖଲ କଲା ସପ୍ଲିମେଣ୍ଟାରୀ ଚାର୍ଜସିଟ । ରହିଛି କେ.କବିତାଙ୍କ ନାମ । ଅଧିକ ପଢନ୍ତୁ

Excise policy case: ସିସୋଦିଆଙ୍କ ବିରୋଧରେ ଚାର୍ଜସିଟ ଦାଖଲ କଲା CBI
Excise policy case: ସିସୋଦିଆଙ୍କ ବିରୋଧରେ ଚାର୍ଜସିଟ ଦାଖଲ କଲା CBI

ନୂଆଦିଲ୍ଲୀ: ବହୁଚର୍ଚ୍ଚତ ଦିଲ୍ଲୀ ଅବକାରୀ ନୀତି ଘୋଟାଲା ମାମଲାରେ ଗିରଫ ହୋଇ ଜେଲରେ ଥିବା ପୂର୍ବତନ ଉପମଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବିରୋଧରେ ସିବିଆଇ ଏକ ମଧ୍ୟବର୍ତ୍ତୀକାଳୀନ ଚାର୍ଜସିଟ ଦାଖଲ କରିଛି । ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟରେ ସିବିଆଇ ଦାଖଲ କରିଥିବା ଏହି ଚାର୍ଜସିଟରେ ସିସୋଦିଆଙ୍କ ସହ ତେଲେଙ୍ଗାନା ଏମଏଲସି କେ.କବିତାଙ୍କ ନାମ ମଧ୍ୟ ରହିଛି । ଗତ 20 ତାରିଖରେ ସିସୋଦିଆଙ୍କ ବେଲ ଆବେଦନକୁ ସିବିଆଇ ବିରୋଧ କରିଥିଲା । ତାଙ୍କ ଦଳର ସହଯୋଗୀ ଗୁରୁତ୍ବପୂର୍ଣ୍ଣ ପଦ ପଦବୀରେ ରହିଛନ୍ତି । ତେଣୁ ତାଙ୍କୁ ବେଲ ମିଳିଲେ ତଦନ୍ତ ପ୍ରଭାବିତ ହେବାର ଯଥେଷ୍ଟ ଆଶଙ୍କା ଥିବା ସିବିଆଇ କୋର୍ଟଙ୍କ ସମ୍ମୁଖରେ ତର୍କ ରଖିଥିଲା ।

ଆଜି (ମଙ୍ଗଳବାର) ମାମଲାର ତଦନ୍ତ କରୁଥିବା ସିବିଆଇ ଦିଲ୍ଲୀର ରାଉଜ-ଆଭିନ୍ୟୁ କୋର୍ଟରେ ଏହି ମଧ୍ୟବର୍ତ୍ତୀକାଳୀନ ଚାର୍ଜସିଟ୍‌ ଦାଖଲ କରିଛି । ମନୀଷ ସିସୋଦିଆଙ୍କ ସହ ଏଥିରେ ବୁଚ୍ଚି ବାବୁ, ଅର୍ଜୁନ ପାଣ୍ଡେ, ଅମନଦ୍ବୀପ ସିଂ ଓ ତେଲେଙ୍ଗାନା ଏମଏଲସି କେ.କବିତାଙ୍କ ନାମ ମଧ୍ୟ ଉଲ୍ଲେଖ କରାଯାଇଛି । ଏବେ ମନୀଷ ସିସୋଦଆ ମେ’ ପହିଲା ପର୍ଯ୍ୟନ୍ତ ନ୍ୟାୟିକ ହାଜତରେ ରହିଛନ୍ତି । ଫେବୃଆରୀ 20ରେ ଗିରଫ ହୋଇଥିବା ସିସୋଦିଆ ଏବେ ତିହାର ଜେଲରେ ରହିଛନ୍ତି । ଅନ୍ୟ ଏକ ସୂଚନା ଅନୁସାରେ ସିସୋଦିଆଙ୍କ ପତ୍ନୀଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଯିବାରୁ ସେ ଏବେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ଦିଲ୍ଲୀ ଅବକାରୀ ନୀତି ଘୋଟାଲା ଅଭିଯୋଗରେ ସିସୋଦିଆଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳାୟ ଓ ସିବିଆଇ ଗିରଫ ପୂର୍ବରୁ ଏକାଧିକ ଥର ସମନ ଜାରି କରି ଜେରା କରିଥିଲେ । ସେ ଉପମୁଖ୍ୟମନ୍ତ୍ରୀ ଥିବା ସମୟରେ ତାଙ୍କ ସରକାରୀ ବାସଭବନ ଓ କାର୍ଯ୍ୟାଳୟରେ ମଧ୍ୟ କେନ୍ଦ୍ରୀୟ ସଂସ୍ଥା ଦ୍ବାରା ଚଢାଉ କରାଯାଇଥିଲା । ଫେବୃଆରୀ 20 ରେ ତାଙ୍କୁ ସିବିଆଇ 8 ଘଣ୍ଟା ଜେରା କରିବା ପରେ ସଂଧ୍ୟାରେ ଗିରଫ କରିଥିଲା । ତଦନ୍ତକାରୀ ସଂସ୍ଥାକୁ ତଦନ୍ତରେ ସହଯୋଗ ନକରିବା ଓ ଏହି ଘୋଟାଲା ମାମଲାରେ ପ୍ରମାଣ ନଷ୍ଟ କରିଥିବା ଅଭିଯୋଗରେ ସିବିଆଇ ତାଙ୍କୁ ଗିରଫ କରିଥିଲା ।

ଗିରଫ ପରେ ଏକାଧିକ ଥର ସିସୋଦିଆଙ୍କ ଜାମିନ ଖାରଜ ହୋଇଛି । ଆଜି କେନ୍ଦ୍ରୀୟ ସଂସ୍ଥା ତାଙ୍କ ବିରୋଧରେ ପ୍ରଥମ ଅନ୍ତରୀଣ ଚାର୍ଜସିଟ ଦାଖଲ କରିଛି । ଏହି ମାମଲାରେ ପୂର୍ବରୁ ଜେରା ହୋଇସାରିଥିବା ତେଲେଙ୍ଗାନା ଏମଏଲସି ତଥା ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ କେ.କବିତାଙ୍କୁ ମଧ୍ୟ ଆଜି ଦାଖଲ ହୋଇଥିବା ସପ୍ଲିମେଣ୍ଟାରୀ ଚାର୍ଜସିଟରେ ଘୋଟାଲାରେ ସମ୍ପୃକ୍ତ ଅଭିଯୁକ୍ତ ଭାବେ ସିବିଆଇ ଦର୍ଶାଇଛି । ସିସୋଦିଆ ଗିରଫ ହୋଇ ଜେଲ ଯିବା ପରେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇସାରିଛନ୍ତି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ମଧ୍ୟ ଏବେ କେନ୍ଦ୍ରୀୟ ସଂସ୍ଥାର ତଦନ୍ତ ରାଡାରରେ ରହିଛନ୍ତି । ନିକଟରେ ସିବିଆଇ ତାଙ୍କୁ ମଧ୍ୟ 9 ଘଣ୍ଟା ଜେରା କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.