ETV Bharat / bharat

Bank Fraud Case: ଜେଟ୍ ଏୟାରୱେଜ ପ୍ରତିଷ୍ଠାତା ନରେଶ ଗୋୟଲଙ୍କୁ ଗିରଫ କଲା ଇଡି

author img

By ETV Bharat Odisha Team

Published : Sep 2, 2023, 8:06 AM IST

୫୩୮ କୋଟି ଟଙ୍କାର ଋଣ ଠକେଇ ମାମଲାରେ ଜେଟ୍ ଏୟାରୱେଜ ପ୍ରତିଷ୍ଠାତା ନରେଶ ଗୋୟଲ ଗିରଫ । ଅଧିକ ପଢନ୍ତୁ

ଜେଟ୍ ଏୟାରୱେଜ ପ୍ରତିଷ୍ଠାତା ନରେଶ ଗୋୟଲ ଗିରଫ
ଜେଟ୍ ଏୟାରୱେଜ ପ୍ରତିଷ୍ଠାତା ନରେଶ ଗୋୟଲ ଗିରଫ

ନୂଆଦିଲ୍ଲୀ: ବ୍ୟାଙ୍କ ଋଣ ଠକେଇ ମାମଲାରେ ବନ୍ଧା ହେଲେ ଜେଟ୍ ଏୟାରୱେଜ ପ୍ରତିଷ୍ଠାତା । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଶୁକ୍ରବାର ଜେଟ୍ ଏୟାରୱେଜର ପ୍ରତିଷ୍ଠାତା ନରେଶ ଗୋୟଲଙ୍କୁ ଦୀର୍ଘ ଘଣ୍ଟା କାଳ ଜେରା କରିବା ପରେ ଗିରଫ କରିଛି । ତାଙ୍କ ବିରୋଧରେ କାନାଡା ବ୍ୟାଙ୍କରୁ ୫୩୮ କୋଟି ଟଙ୍କାର ଋଣ ଠକେଇ ମାମଲା ରହିଛି । ଆଜି(ଶନିବାର) ଗୋୟଲଙ୍କୁ ମୁମ୍ବାଇର ସ୍ବତନ୍ତ୍ର ପିଏମଏଲଏ କୋର୍ଟରେ ହାଜର କରାଯିବ ଏବଂ ଏଠାରେ ଇଡି ତାଙ୍କୁ ରିମାଣ୍ଡରେ ନେବାକୁ ଆବେଦନ କରିବ ।

କାନାଡା ବ୍ୟାଙ୍କରୁ ଜେଟ ଏୟାରୱେଜ ୮୪୮.୪୬ କୋଟି ଟଙ୍କା ଋଣ ନେଇଥିଲା । କିନ୍ତୁ ସେଥିରୁ ୫୩୮ କୋଟି ଟଙ୍କା କମ୍ପାନି ପକ୍ଷରୁ ଶୁଝା ଯାଇନଥିଲା । ଏନେଇ କାନାଡା ବ୍ୟାଙ୍କର ଅଭିଯୋଗ ଆଧାରରେ କେନ୍ଦ୍ରୀୟ ତଦନ୍ତକାରୀ ବ୍ୟୁରୋ ସିବିଆଇ ଚଳିତ ବର୍ଷ ମେ' ମାସରେ ଜେଟ ଏୟାରୱେଜ ପ୍ରତିଷ୍ଠାନା ନରେଶ ଗୋୟଲ, ତାଙ୍କ ପତ୍ନୀ ଓ ଅନ୍ୟ କିଛି ସରକାରୀ ଓ ବେସରକାରୀ କର୍ମଚାରୀଙ୍କ ନାମରେ ଏଫଆଇଆର ରୁଜୁ କରିଥିଲା । ଏହାସହିତ ଗୋୟଲଙ୍କ ବାସଭବନ ଓ କାର୍ଯ୍ୟାଳୟ ସମେତ ୭ଟି ସ୍ଥାନରେ ରେଡ୍ କରିଥିଲା ସିବିଆଇ । ଏହି ମାମଲାରେ ପଚରାଉଚରା ପାଇଁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ପକ୍ଷରୁ ପୂର୍ବରୁ ଗୋୟଲଙ୍କୁ ଦୁଇ ଥର ସମନ ହୋଇଥିବା ବେଳେ ସେ ହାଜର ହୋଇନଥିଲେ । ଗତକାଲି ତାଙ୍କୁ ଇଡି କାର୍ଯ୍ୟାଳୟରେ ଜେରା ପରେ ଗିରଫ କରାଯାଇଛି ।

ଏହାମଧ୍ୟ ପଢନ୍ତୁ: ପୁଣି ଉଡାଣ ଭରିବ ଏୟାରୱେଜ୍, ମିଳିଲା DGCA ଅନୁମତି

ସିବିଆଇ ଏଫଆଇଆର ଅନୁସାରେ, ଠକେଇ, ଅପରାଧିକ ଷଡଯନ୍ତ୍ର, ଅପରାଧିକ ବିଶ୍ବାସଘାତକ ନେଇ ଜେଟ ଏୟାରୱେଜର ପ୍ରତିଷ୍ଠାତା ଗୋୟଲଙ୍କ ବିରୋଧରେ ଗତବର୍ଷ ନଭେମ୍ବର ୧୧ରେ ଲିଖିତ ଅଭିଯୋଗ ଦାଖଲ ହୋଇଥିଲା । କାନାଡା ବ୍ୟାଙ୍କର ଚିଫ୍ ଜେନେରାଲ ମ୍ୟାନେଜର ପି ସନ୍ତୋଷ ଏହି ଅଭିଯୋଗ କରିଥିଲେ । ୫୩୮ କୋଟି ଋଣ ଠକେଇ ମାମଲାରେ ଅନୀତା ନରେଶ ଗୋୟଲ, ଗୌରାଙ୍ଗ ଆନନ୍ଦ ସେଟ୍ଟୀ, ଅଜଣା ସରକାରୀ କର୍ମଚାରୀଙ୍କ ସମେତ ଅନ୍ୟମାନଙ୍କ ନାମରେ ମଧ୍ୟରେ ଏଫଆଇଆର ରୁଜୁ ହୋଇଥିଲା ।

ଏହାମଧ୍ୟ ପଢନ୍ତୁ: ଜେଟ ଏୟାରୱେଜ ପୂର୍ବତନ ସିଇଓ ନରେଶ ଗୋଏଲଙ୍କ ଘରେ ଇଡିର ଚଢାଉ

ଦୀର୍ଘ ୨୫ ବର୍ଷ ଧରି ବିମାନ ସେବା ଯୋଗାଣ ପରେ ଲଗାତାର କ୍ଷତି ଯୋଗୁଁ ୨୦୧୯ରେ ଜେଟ୍ ଏୟାରୱେଜ ଦେବାଳିଆ ହୋଇଥିଲା । ୨୦୧୯ ଏପ୍ରିଲ ୧୭ରେ ଏହା ଶେଷ ଉଡାଣ ଭରିଥିଲା । ତା' ପରଠାରୁ ଆର୍ଥିକ ସଙ୍କଟ ଯୋଗୁଁ ଜେଟ୍ ଏୟାରୱେଜ ବିମାନ ଆଉ ଉଡିନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.