ETV Bharat / bharat

‘ଉତ୍ତର ଭାରତ ଗୋମୂତ୍ର ରାଜ୍ୟ, ସେଠାରେ ହିଁ ବିଜେପି ଜିତିବ’: ଲୋକସଭାରେ DMK ସାଂସଦଙ୍କ ବୟାନ ପରେ ବିବାଦ

author img

By ETV Bharat Odisha Team

Published : Dec 5, 2023, 6:47 PM IST

ଗୃହରେ ବିଜେପିକୁ ସମାଲୋଚନା କରିବାକୁ ଯାଇ ଉତ୍ତର ଭାରତକୁ ଗୋମୂତ୍ର ରାଜ୍ୟ କହିଲେ DMK ସାଂସଦ । କହିଲେ ଦକ୍ଷିଣରେ ପଶିପାରିବନି ବିଜେପି । ଅଧିକ ପଢନ୍ତୁ

ଲୋକସଭାରେ DMK ସାଂସଦଙ୍କ ‘ଗୋମୁତ୍ର ରାଜ୍ୟ’ ମନ୍ତବ୍ୟ: ଜୋର ଧରିଲା ରାଜନୀତି
ଲୋକସଭାରେ DMK ସାଂସଦଙ୍କ ‘ଗୋମୁତ୍ର ରାଜ୍ୟ’ ମନ୍ତବ୍ୟ: ଜୋର ଧରିଲା ରାଜନୀତି

  • #WATCH | Winter Session of Parliament | DMK MP DNV Senthilkumar S says "...The people of this country should think that the power of this BJP is only winning elections mainly in the heartland states of Hindi, what we generally call the 'Gaumutra' states..." pic.twitter.com/i37gx9aXyI

    — ANI (@ANI) December 5, 2023 " class="align-text-top noRightClick twitterSection" data=" ">

ନୂଆଦିଲ୍ଲୀ: ତାମିଲନାଡୁ ମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ଷ୍ଟାଲିନଙ୍କ ପୁଅ ଉଦୟାନିଧି ଷ୍ଟାଲିନଙ୍କ ସନାତନ ଧର୍ମ ବିରୋଧୀ ମନ୍ତବ୍ୟ ବିବାଦ ଥମିନଥିବା ବେଳେ ଦଳର ଆଉ ଜଣେ ସାଂସଦ ବିବାଦୀୟ ବୟାନ ଦେଇଛନ୍ତି । ସେ ବି କୌଣସି ରାଜନୈତିକ ସଭାସମିତିରେ ଟିପ୍ପଣୀ କିମ୍ବା ପ୍ରତିକ୍ରିୟା ନୁହେଁ ବରଂ ସଂସଦରେ ବିବୃତ୍ତି ରଖିବା ବେଳେ । ଉତ୍ତର-ଭାରତ ଗୋମୂତ୍ର ରାଜ୍ୟ । ସେଠାରେ ହିଁ କେବଳ ଭାରତୀୟ ଜନତା ପାର୍ଟି (ବିଜେପି) କ୍ଷମତା ହାସଲ କରିପାରିବ । ଦକ୍ଷିଣ ଭାରତରେ ନୁହେଁ ବୋଲି ଲୋକସଭାରେ କହିଛନ୍ତି ଡିଏମକେ ସାଂସଦ ସେନ୍ଥିଲ କୁମାର । ଜମ୍ମୁ କାଶ୍ମୀର ସଂରକ୍ଷଣ ବିଲ୍‌ ସମ୍ପର୍କିତ ଚର୍ଚ୍ଚାରେ ଅଂଶଗ୍ରହଣ କରି ବିବୃତ୍ତି ରଖିବା ବେଳେ ସାଂସଦ ସେନ୍ଥିଲ କୁମାର ସିଧା ବିଜେପିକୁ ଟାର୍ଗେଟ କରିବାକୁ ଯାଇ ଉତ୍ତର-ଦକ୍ଷିଣକୁ ନେଇ ବିଭାଜନକାରୀ କୁତ୍ସିତ ମନ୍ତବ୍ୟ ଦେଇଛନ୍ତି । ଯାହାକୁ ବିଜେପି ସମେତ ଅନ୍ୟ କିଛି ଦଳ ନିନ୍ଦା କରିଛନ୍ତି ।

ସାଂସଦ ସେନ୍ଥିଲ କହିଥିଲେ, ‘‘ଦେଶବାସୀ ଭାବିବା ଦରକାର ବିଜେପି କେବଳ ହିନ୍ଦୀ ହାର୍ଟଲ୍ୟାଣ୍ଡ ରାଜ୍ୟରେ ନିର୍ବାଚନ ଜିତି କ୍ଷମତା ହାସଲ କରିବାରେ ସକ୍ଷମ । ଯାହାକୁ ଆମେ ସାଧାରଣତଃ ଗୋମୂତ୍ର ରାଜ୍ୟ ବୋଲି କହିଥାଉ । ସେମାନେ (ବିଜେପି) ଦକ୍ଷିଣ ଭାରତରେ କ୍ଷମତା ହାସଲ କରିପାରିବେ ନାହିଁ । ଦକ୍ଷିଣ ରାଜ୍ୟ କେରଳ, କର୍ଣ୍ଣାଟକ, ଆନ୍ଧ୍ର, ତାମିଲନାଡୁ, ତେଲେଙ୍ଗାନାରେ ଆମେ ସଦୃଢ ଅଛୁ । ସେଠାରେ ପରୋକ୍ଷ କ୍ଷମତା ହାସଲ କରିବା ପାଇଁ ଆପଣ ସେହି ରାଜ୍ୟକୁ ମଧ୍ୟ କେନ୍ଦ୍ରଶାସିତ ରାଜ୍ୟରେ ପରିଣତ କରିବାକୁ ନିଷ୍ପତ୍ତି ନେଲେ ଆମେ ସେଥିରେ ଆଶ୍ଚର୍ଯ୍ଯ ହେବୁନାହିଁ । କାରଣ ଆପଣ ସେଠାରେ କ୍ଷମତା ହାସଲ କରିପାରିବେ ନାହିଁ । ପରୋକ୍ଷରେ ନୟନ୍ତ୍ରଣ ଦଖଲକୁ ନେବା ପାଇଁ ଏପରି କରିପାରନ୍ତି ।’’

ଡିଏମକେ ସାଂସଦଙ୍କ ଏପରି ମନ୍ତବ୍ୟକୁ ତମାମ ବିଜେପି ନେତା ନିନ୍ଦା କରିଛନ୍ତି । ତାମିଲନାଡୁ ବିଜେପି ସଭାପତି ଆନ୍ନାମଲାଇ କହଛନ୍ତି, ରାଜ୍ୟରେ ଡିଏମକେ ସରକାରର କୁଶାସନ ଫଳରେ ଚେନ୍ନାଇ ଏବେ ବନ୍ୟାରେ ବୁଡିଛି । ସେହି ସମୟରେ ଦଳର ନେତା ସଂସଦରେ ମଧ୍ୟ ଏପରି ଶବ୍ଦ ବ୍ୟବହାର କରିବାକୁ ପଛାଉନାହାନ୍ତି । କଂଗ୍ରେସ ସାଂସଦ କାର୍ତ୍ତି ଚିଦାମ୍ବରମ ମଧ୍ୟ ଟ୍ବିଟ କରି ଏପରି ମନ୍ତବ୍ୟକୁ ନାପସନ୍ଦ କରିଛନ୍ତି । ସାଂସଦ ସେନ୍ଥିଲ ଏଥିପାଇଁ କ୍ଷମା ମାଗନ୍ତୁ ବୋଲି କହିଛନ୍ତି କାର୍ତ୍ତି । କଂଗ୍ରେସ ପକ୍ଷରୁ ଦଳର ଲୋକସଭା ଫ୍ଲୋରଲିଡର ଅଧୀର ରଞ୍ଜନ ଚୌଧୁରୀ ଏହି ମନ୍ତବ୍ୟରେ କୌଣସି ପ୍ରତିକ୍ରିୟା ରଖିନାହାନ୍ତି । ଏଥିରେ କଂଗ୍ରେସର କୌଣସି ଭୂମିକା ନାହିଁ ବୋଲି କହି ପ୍ରସଙ୍ଗକୁ ଏଡାଇ ଯାଇଛନ୍ତି ଅଧୀର । ଅନ୍ୟପଟେ କଂଗ୍ରେସ ନେତୃତ୍ବାଧୀନ ‘ଇଣ୍ଡିଆ’ ମେଣ୍ଟରେ ଡିଏମକେ ସହଯୋଗୀ ରହିଥିବାରୁ ବିଜେପି କଂଗ୍ରେସକୁ ମଧ୍ୟ ଟାର୍ଗେଟ କରିଛି ।

ଏହା ମଧ୍ୟ ପଢନ୍ତୁ:- ମୁଖ୍ୟମନ୍ତ୍ରୀ ହେବାର ଇଚ୍ଛା କେବେ ନଥିଲା, ଏବେ ବି ନାହିଁ: ଶିବରାଜ

ନିକଟରେ ତାମିଲନାଡୁ ମନ୍ତ୍ରୀ ଉଦୟାନିଧି ଷ୍ଟାଲିନ ସନାତନ ଧର୍ମକୁ ବ୍ୟାଧି ସହ ତୂଳନା କରିଥିଲେ । ସାମାଜରୁ ସନାତନ ଧର୍ମର ମୂଳପୋଛ ହେବାର ଆବଶ୍ୟକତା ରହିଛି ବୋଲି କହିଥିଲେ ଉଦୟାନିଧି । ଯାହାକୁ ବିବାଦ ଲାଗି ରହିଛି । ଏହାପରେ ଦଳର ଆଉ ଜଣେ ବରିଷ୍ଠ ନେତା ତଥା ସାଂସଦ ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏ.ରାଜା ମଧ୍ୟ ସନାତନ ଧର୍ମ ବିରୋଧୀ ମନ୍ତବ୍ୟ ଦେଇଥିଲେ । ଉଦାୟାନିଧିଙ୍କ ବିରୋଧରେ ମାମଲା ସର୍ବୋଚ୍ଚ କୋର୍ଟରେ ପହଞ୍ଚିଥିଲେ ସୁଦ୍ଧା ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇନାହିଁ । ଏବେ ଆଉ ଜଣେ ଦଳୀୟ ସାଂସଦ ସିଧା ଲୋକସଭା ଗୃହରେ ଦେଶକୁ ବିଭାଜିତ କରିବା ଓ ଗୋଟିଏ ଭାଗ ପ୍ରତି ଏପରି ଆପତ୍ତିଜନକ ଟିପ୍ପଣୀ କରିଛନ୍ତି ଯାହା ପୁଣି ରାଜନୀତିକୁ ଉଷ୍ଣ କରିଛି । ଏ ସମ୍ପର୍କରେ ଡେଏମକେ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.