ETV Bharat / bharat

Nuh violence: 28ରେ ପୁଣି ‘ବ୍ରଜମଣ୍ଡଳ ଯାତ୍ରା’ ଆୟୋଜନ ଘୋଷଣା କଲା ବିଶ୍ବ ହିନ୍ଦୁ ପରିଷଦ

author img

By

Published : Aug 13, 2023, 10:41 PM IST

ହରିୟାଣାର ନୁହଁ ହିଂସା ପରେ ପଲଓ୍ବାଲରେ ହିନ୍ଦୁ ସଂଗଠନର ମହାପଞ୍ଚାୟତ । 28ରୁ ପୁଣି ଆରମ୍ଭ ହେବ ବ୍ରଜମଣ୍ଡଳ ଯାତ୍ରା । ମୁସଲିମବହୁଳ ନୁହଁକୁ ଗୋହତ୍ୟା ମୁକ୍ତ ଜିଲ୍ଲା ଓ ଆତ୍ମରକ୍ଷା ପାଇଁ ହିନ୍ଦୁଙ୍କୁ ଆର୍ମ ଲାଇସେନ୍ସ ଦେବାକୁ ଦାବି । ଅଧିକ ପଢନ୍ତୁ

Nuh violence: 28 ରେ ପୁଣି ଶୋଭାଯାତ୍ରା ଆୟୋଜନ ଘୋଷଣା କଲା ବିଶ୍ବ ହିନ୍ଦୁ ପରିଷଦ
Nuh violence: 28 ରେ ପୁଣି ଶୋଭାଯାତ୍ରା ଆୟୋଜନ ଘୋଷଣା କଲା ବିଶ୍ବ ହିନ୍ଦୁ ପରିଷଦ

ଚଣ୍ଡିଗଡ: ହରିୟାଣା ନୁହଁ ଜିଲ୍ଲାରେ ଗତମାସ 31ରେ ବ୍ୟାପକ ହିଂସାକାଣ୍ଡ ପରେ ଆଜି ପଲଓ୍ବାଲରେ ମହାପଞ୍ଚାୟତ ଆୟୋଜନ କରିଛି ହିନ୍ଦୁ ସଂଗଠନ । ହିଂସା ପରେ ବନ୍ଦ ରହିଥିବା ବ୍ରଜମଣ୍ଡଳ ଯାତ୍ରାକୁ ପୁଣି ଥରେ ଆରମ୍ଭ କରିବାକୁ ନିଷ୍ପତ୍ତି ଗ୍ରହଣ ହୋଇଛି । ଅଗଷ୍ଟ 28ରୁ ଏହି ଯାତ୍ରା ପୁଣି ଥରେ ଆରମ୍ଭ ହେବ । ଏହାସହ ଗତମାସ ଶେଷରେ ସଂଘଠିତ ହୋଇଥିବା ହିଂସାଲ ଘଟଣାରେ ମଧ୍ୟ ଏକାଧିକ ଦାବି ସମ୍ପର୍କରେ ଆଜି ବସିଥିବା ମହାପଞ୍ଚାୟତରେ ଆଲୋଚନା ହୋଇଛି ।

ନୁହଁ ହିଂସା ଏକ ଯୋଜନାବଦ୍ଧ ହିଂସାକାଣ୍ଡ ଓ ଏଥିରେ ଆତଙ୍କୀ ଲିଙ୍କ୍‌ ଥିବା ଅଭିଯୋଗକୁ ପୁଣି ଥରେ ମହାପଞ୍ଚାୟତରେ ଦୋହରାଇଛି ହିନ୍ଦୁପକ୍ଷ । ଏହାର ତଦନ୍ତ ରାଜ୍ୟ ପୋଲିସ ପରିବର୍ତ୍ତେ ଜାତୀୟ ତଦନ୍ତକାରୀ ସଂସ୍ଥା NIA ଦ୍ବାରା କରିବା ପାଇଁ ସରକାରଙ୍କ ନିକଟରେ ଦାବି ମଧ୍ୟ କରାଯାଇଛି । ସେହିପରି ନୁହଁ ଜିଲ୍ଲାକୁ ଗୋହତ୍ୟା ମୁକ୍ତ ଜିଲ୍ଲା ଭାବେ ଘୋଷଣା କରିବା ପାଇଁ ମଧ୍ୟ ଆଜି ମହାପଞ୍ଚାୟତରେ ଦାବି ହୋଇଛି ।

ଆଜି ଆୟୋଜିତ ସଭାର ନାମ ରଖାଯାଇଥିଲା ‘ସର୍ବ ଜାତି ମହାପଞ୍ଚାୟତ’ । ବିଶ୍ବ ହିନ୍ଦୁ ପରିଷଦ ଓ ଏକାଧିକ ଅନ୍ୟ ହିନ୍ଦୁ ସଂଗଠନର ହଜାର ହଜାର କାର୍ଯ୍ୟକର୍ତ୍ତା ଓ ସଦସ୍ୟ ଯୋଗ ଦେଇଥିଲେ । ଏଥିରେ ମୁଖ୍ୟତଃ ହିଂସା ଓ ଏହା ପରଠାରୁ ବନ୍ଦ ରହିଥିବା ବ୍ରଜମଣ୍ଡଳ ଯାତ୍ରାକୁ ପୁନଃ ସଞ୍ଚାଳିତ କରିବା ଉପରେ ଆଲୋଚନା ହୋଇଥିଲା । 28 ତାରିଖରୁ ଏହି ଯାତ୍ରା ପୁଣି ଥରେ ଆରମ୍ଭ କରାଯିବା ନେଇ ନିଷ୍ପତ୍ତି ଗ୍ରହଣ ହୋଇଛି । ସେହିପରି ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ଦିଗ ମଧ୍ୟ ମହାପଞ୍ଚାୟତରେ ଆଲୋଚନା ହୋଇଛି । ନୁହଁ ଏକ ମୁସଲିମବହୁଳ ଜିଲ୍ଲା । ଏଥରେ ଥିବା ଅଳ୍ପସଂଖ୍ୟକ ହିନ୍ଦୁଙ୍କ ପ୍ରତି ବିଭିନ୍ନ ସମୟରେ ଉତ୍ତେଜନା କାରଣରୁ ବିପଦ ରହିଛି । ତେଣୁ ହିନ୍ଦୁମାନଙ୍କୁ ଆତ୍ମରକ୍ଷା ପାଇଁ ଅସ୍ତ୍ର ରଖିବାର ଅନୁମତି(ଆର୍ମ ଲାଇସେନ୍ସ) ଦେବାକୁ ମଧ୍ୟ ଦାବି ହୋଇଛି ।

ଏହା ମଧ୍ୟ ପଢନ୍ତୁ :-Nuh Violence: ଏନକାଉଣ୍ଟରରେ 2 ସନ୍ଦିଗ୍ଧ ଦଙ୍ଗାକାରୀଙ୍କୁ କାବୁ କଲା ପୋଲିସ

ଜୁଲାଇ 31 ତାରିଖରେ ନୁହଁ ଜିଲ୍ଲାରେ ବିଶ୍ବ ହିନ୍ଦୁ ପରିଷଦ ଦ୍ବାରା ଆୟୋଜିତ ଏକ ଶୋଭାଯାତ୍ରାରେ ହିଂସାକାଣ୍ଡ ଘଟିଥିଲା । ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଲୋକେ ପଥରମାଡ଼ କରିବା ପରେ ଭୟଙ୍କର ସଂଘର୍ଷ ଘଟିଥିଲା । ଏଥିରେ 2 ପୋଲିସ କର୍ମୀଙ୍କ ସମେତ ମୋଟ 6 ଜଣଙ୍କ ମୃତ୍ୟୁ ହୋଇଥିଲା । ଏକାଧିକ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏକାଧିକ ଗାଡ଼ିରେ ମଧ୍ୟ ଦଙ୍ଗାକାରୀ ନିଆଁ ଲଗାଇ ଦେଇଥିଲେ । ଏହି ହିଂସାର ପ୍ରଭାବ ରାଜଧାନୀ ଦିଲ୍ଲୀ ସମେତ ଗୁରୁଗ୍ରାମ ଓ ଉତ୍ତର ଭାରତରେ ମଧ୍ୟ ଅନୁଭୂତ ହୋଇଥିଲା । ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିବା ପାଇଁ ସର୍ବୋଚ୍ଚ କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ମାମଲାର ତଦନ୍ତ ଆତଙ୍କୀ ଲିଙ୍କ୍‌ ଦିଗରୁ କରିବା ପାଇଁ ହିନ୍ଦୁ ସଂଗଠନ ଦାବି କରିଥିଲେ । ଏବେ ସୁଦ୍ଧା ଏହି ହିଂସାକାଣ୍ଡରେ ଶତାଧିକ ଗିରଫ ହେଲେଣି । ହେଲେ ଏହା ଏକ ଆତଙ୍କୀ ଷଡ଼ଯନ୍ତ୍ର ସନ୍ଦେହ କରି ଏନଆଇଏ ତଦନ୍ତ ଦାବି କରୁଛନ୍ତି ହିନ୍ଦୁ ସଂଗଠନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.