ETV Bharat / bharat

ବ୍ରିଜ୍‌ ଭୂଷଣଙ୍କ ଘରେ ପଶିଲା ଦିଲ୍ଲୀ ପୋଲିସ, ୧୪ ଜଣଙ୍କ ବୟାନ ରେକର୍ଡ

author img

By

Published : Jun 6, 2023, 11:41 AM IST

କୁସ୍ତି ମହାସଂଘର ଅଧ୍ୟକ୍ଷ ବ୍ରିଜ ଭୂଷଣଙ୍କ ବିରୋଧରେ ଯୌନ ନିର୍ଯାତନା ଘଟଣା । ଘରେ ପହଞ୍ଚି ୧୪ ଜଣଙ୍କ ବୟାନ ରେକର୍ଡ କଲା ଦିଲ୍ଲୀ ପୋଲିସ । ଅଧିକ ପଢନ୍ତୁ

ବ୍ରିଜ ଭୂଷଣଙ୍କ ବିରୋଧରେ ଯୌନ ନିର୍ଯାତନା
ବ୍ରିଜ ଭୂଷଣଙ୍କ ବିରୋଧରେ ଯୌନ ନିର୍ଯାତନା

ଲକ୍ଷ୍ନୌ: କୁସ୍ତି ମହାସଂଘର ଅଧ୍ୟକ୍ଷ ତଥା ବିଜେପି ସାଂସଦ ବ୍ରିଜ ଭୂଷଣଙ୍କ ବିରୋଧରେ କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନ ଜାରି ରହିଛି । ଏହି ଘଟଣାରେ ଏବେ ଦିଲ୍ଲୀ ପୋଲିସ ବ୍ରିଜ ଭୂଷଣଙ୍କ ଘରେ ପଶିଛି । ଦିଲ୍ଲୀ ପୋଲିସ ଉତ୍ତରପ୍ରଦେଶ ଗୋଣ୍ଡା ଜିଲ୍ଲା ସ୍ଥିତ ସାଂସଦଙ୍କ ବାସଭବନରେ ପହଞ୍ଚି ତନାଘନା କରିଛି । ସେଠାରେ ତାଙ୍କର ପରିଜନ, ସୁରକ୍ଷାକର୍ମୀ ଓ କର୍ମଚାରୀଙ୍କ ସମେତ ୧୪ ଜଣଙ୍କ ବୟାନ ରେକର୍ଡ କରିଥିବା ଜଣାପଡିଛି । ଏହାସହିତ କୁସ୍ତି ପ୍ରଶିକ୍ଷଣ କେନ୍ଦ୍ର ଓ ଅନ୍ୟ କିଛି ସ୍ଥାନକୁ ଯାଇ ଛାନଭିନ୍ କରିଛି ।

ଯାହା ସୂଚନା ମିଳିଛି, ଗତ ରବିବାର ସନ୍ଧ୍ୟାରେ ଦିଲ୍ଲୀ ପୋଲିସ ସାଂସଦଙ୍କ ଉତ୍ତରପ୍ରଦେଶ ଗୋଣ୍ଡା ଜିଲ୍ଲା ସ୍ଥିତ ବିଷ୍ଣୋପୁର ବାସଭବନରେ ପହଞ୍ଚିଥିଲା । ଯୌନ ନିର୍ଯାତନା ଅଭିଯୋଗ ଘଟଣାରେ ପୋଲିସ ଗୋଣ୍ଡାରେ ୧୪ ଜଣ ଲୋକଙ୍କୁ ୩ ଘଣ୍ଟା ଧରି ପଚରାଉଚରା କରିବା ସହ ସେମାନଙ୍କର ଆଧାର କାର୍ଡ, ମୋବାଇଲ ନମ୍ବର, ଠିକଣା ସଂଗ୍ରହ କରିଛି । କୁସ୍ତି ମହାସଂଘର ଅଧ୍ୟକ୍ଷଙ୍କ କିଛି ସମର୍ଥକଙ୍କୁ ମଧ୍ୟ ପଚରାଉଚରା କରିଛି । ଏହି ଘଟଣାରେ ପୂର୍ବରୁ ଦିଲ୍ଲୀ ପୋଲିସ ଦୁଇଥର ସାଂସଦ ବ୍ରିଜ ଭୂଷଣଙ୍କ ବୟାନ ରେକର୍ଡ କରିସାରିଛି । ଏବେସୁଦ୍ଧା ମୋଟ ୧୩୭ ଜଣଙ୍କ ବୟାନ ରେକର୍ଡ କରାଯାଇଛି ।

ଏହି ଘଟଣାରେ ଏସଆଇଟି କୁସ୍ତି ପ୍ରଶିକ୍ଷଣ କେନ୍ଦ୍ର ଓ ଅନ୍ୟ କିଛି ସ୍ଥାନ ପରିଦର୍ଶନ କରି ଛାନଭିନ୍ କରିଛି । କୁସ୍ତିଯୋଦ୍ଧାଙ୍କ ସମେତ ସ୍ଥାନୀୟ ଲୋକଙ୍କୁ ମଧ୍ୟ ପଚରାଉଚରା କରିଛି । ବ୍ରିଜ ଭୂଷଣଙ୍କ ପ୍ରତିନିଧି ସଞ୍ଜୀବ ସିଂହ ସ୍ପଷ୍ଟ କରିଛନ୍ତି ଯେ, ଦିଲ୍ଲୀ ପୋଲିସ ଟିମ୍ ସାଂସଦଙ୍କ ଘରକୁ ଆସି ୧୪ ଜଣଙ୍କ ବୟାନ ରେକର୍ଡ କରିଥିଲେ । ଏହା କେବଳ ଏକ ଆଇନଗତ ପ୍ରକ୍ରିୟା ଓ ବ୍ରିଜ ଭୂଷଣ ସିଂହ ତଦନ୍ତରେ ପୂର୍ଣ୍ଣ ସହଯୋଗ କରୁଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଗତ ଏପ୍ରିଲ ୨୮ରେ ଦିଲ୍ଲୀ ପୋଲିସ କୁସ୍ତି ମହାସଂଘର ଅଧ୍ୟକ୍ଷ ବ୍ରିଜ ଭୂଷଣଙ୍କ ବିରୋଧରେ କନ୍ନୌଟ ପ୍ଲେସ ଥାନାରେ ଦୁଇଟି ଏଫଆଇଆର ରୁଜୁ କରିଥିଲା । ଯୌନ ନିର୍ଯାତନା ଅଭିଯୋଗରେ ଫସିଥିବା ବ୍ରିଜ୍‌ ଭୂଷଣଙ୍କ ଇସ୍ତଫା ଦାବି କରି ଷ୍ଟାର ରେସଲରମାନେ ଆନ୍ଦୋଳନ ଜାରି ରଖିଛନ୍ତି । ବଜରଙ୍ଗ ପୁନିଆ, ଭିନେଶ ଫୋଗଡ, ସାକ୍ଷୀ ମଲିକଙ୍କ ପରି କୁସ୍ତିଯୋଦ୍ଧାମାନେ ଧାରଣାରେ ବସି ରହିଛନ୍ତି । କିନ୍ତୁ ଏଯାଏଁ ବ୍ରିଜ୍‌ ଭୂଷଣଙ୍କ ବିରୋଧରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହିଁ । ଅନ୍ୟପଟେ କଂଗ୍ରେସ ଓ ଶିଳ୍ପପତିମାନେ ତାଙ୍କୁ ଫସାଇବାକୁ ଏଭଳି ଷଡ଼ଯନ୍ତ୍ର କରିଥିବା ସାଂସଦ ଅଭିଯୋଗ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.