ETV Bharat / bharat

କୋଚିଂ ଯିବା ବାଟରେ ଯୁବତୀଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା

author img

By

Published : Jun 22, 2023, 11:30 AM IST

କୋଚିଂ ଯିବା ବାଟରେ ଯୁବତୀଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା । ରାଜସ୍ଥାନ ବିକାନେର ଜିଲ୍ଲାରୁ ସାମ୍ନାକୁ ଆସିଛି ଏଭଳି ପାଶବିକ କାଣ୍ଡ । ଅଧିକ ପଢନ୍ତୁ

ରାଜସ୍ଥାନରେ ଯୁବତୀଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା
ରାଜସ୍ଥାନରେ ଯୁବତୀଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା

ଜୟପୁର: ରାଜସ୍ଥାନ ବିକାନେର ଜିଲ୍ଲାରେ ଏକ ଲୋମହର୍ଷଣକାରୀ କାଣ୍ଡ ଘଟିଛି । ଏଠାରେ ଜଣେ ୨୦ ବର୍ଷୀୟା ଦଳିତ ଯୁବତୀଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଛି । ପୀଡିତା କୋଚିଂ କ୍ଲାସ ଯିବା ବାଟରେ ତାଙ୍କ ସହିତ ଏପରି ପାଶବିକତା ଘଟିଛି । ଏହି କୁକର୍ମରେ ଦୁଇ ଜଣ ପୋଲିସ କର୍ମୀଙ୍କ ସମେତ ୩ ଜଣ ସାମିଲ ଥିବା ସନ୍ଦେହ କରାଯାଉଛି । ଯୁବତୀ କୋଚିଂ ଯିବା ବାଟରେ ସେହି ୩ ଜଣ ପ୍ରତିଦିନ ତାଙ୍କର ପିଛା କରୁଥିଲେ । ଏନେଇ ପୀଡିତାଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି ।

ବିକାନେର ପୋଲିସ ଆଇଜି ଓମ୍ ପ୍ରକାଶ କହିଛନ୍ତି ଯେ, ମଙ୍ଗଳବାର ଅପରାହ୍ନରେ ଖଜୁୱାଲା ଅଞ୍ଚଳରୁ ଜଣେ ଯୁବତୀଙ୍କ ମୃତଦେହ ମିଳିଥିଲା । ଖଜୁୱାଲା ଥାନାର ଦୁଇ କନେଷ୍ଟବଳ ମନୋଜ ଓ ଭାଗିରଥଙ୍କ ସମେତ ଜଣେ ଯୁବକ ତାଙ୍କୁ ଦୁଷ୍କର୍ମ କରି ହତ୍ୟା କରିଥିବା ମୃତ ଯୁବତୀଙ୍କ ବାପା ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଫରେନସିକ ଟିମ୍ ସହାୟତାରେ ଘଟଣାସ୍ଥଳକୁ ଯାଇ ଛାନଭିନ କରୁଛି । ଏସପି ତେଜସ୍ବିନୀ ଯାଦବ କହିଛନ୍ତି,"ପୀଡିତାଙ୍କ ଗୁପ୍ତାଙ୍ଗରେ ଆଘାତ ଚିହ୍ନ ଥିବାର ଦେଖାଯାଇଛି । ମୁର୍ମୁଶୁ ଅବସ୍ଥାରେ ଉଦ୍ଧାର କରାଯାଇ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।"

ପୀଡିତାଙ୍କ ପରିବାର ପକ୍ଷରୁ କୁହାଯାଇଛି, ଯୁବତୀ ପ୍ରତିଦିନ ସକାଳେ କମ୍ପ୍ୟୁଟର ସେଣ୍ଟରକୁ କୋଚିଂ ପାଇଁ ଯାଉଥିଲେ । ସବୁଦିନ ଭଳି ମଙ୍ଗଳବାର ସକାଳେ ସେ ଘରୁ କୋଚିଂ ପାଇଁ ବାହାରିଥିଲେ । ହେଲେ ଆଉ ଫେରିନଥିଲେ । ଏହାପରେ ବାପାଙ୍କୁ ଏକ ଫୋନ କଲ୍ ଆସିଥିଲା । କେହି ଜଣେ ଫୋନ କରି ତାଙ୍କ ଝିଅ ଖଜୁୱାଲା ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣାଇଥିଲେ । ପରିବାର ଲୋକେ ସେଠାରେ ପହଞ୍ଚିବା ପରେ ଝିଅର ମୃତ୍ୟୁ ସମ୍ପର୍କରେ ଜାଣିଥିଲେ ।

ପୀଡିତାଙ୍କ ବାପା ଅଭିଯୋଗ କରିଛନ୍ତି, ଦୁଇ କନେଷ୍ଟବଳ ସହ ଦିନେଶ ନାମକ ଯୁବକ ପ୍ରତିଦିନ ତାଙ୍କ ଝିଅର ପିଛା କରୁଥିଲେ । ସେହିମାନେ ହିଁ ଝିଅ ସହ ଗଣଦୁଷ୍କର୍ମ କରି ହତ୍ୟା କରିଛନ୍ତି । ଅନ୍ୟପଟେ ଏହି ଘଟଣା ପରେ ଦୁଇ କନେଷ୍ଟବଳକୁ କେବଳ ନିଲମ୍ବିତ କରାଯାଇଥିବାରୁ ପୀଡିତାଙ୍କ ଆତ୍ମୀୟଙ୍କ ମଧ୍ୟରେ ଆକ୍ରୋଶ ପ୍ରକାଶ ପାଇଛି । ତେବେ ଦୁଇ ପୋଲିସ କର୍ମୀଙ୍କ ବିରୋଧରେ ଅଭିଯୋଗ ପ୍ରମାଣିତ ହେଲେ ତାଙ୍କୁ ଚାକିରିରୁ ବରଖାସ୍ତ କରାଯିବ ବୋଲି ପୋଲିସ ବିଭାଗ ପକ୍ଷରୁ କୁହାଯାଇଛି । ପୋଲିସ ସମ୍ପୃକ୍ତ କନେଷ୍ଟବଳଙ୍କ ବିରୋଧରେ ଗଣଦୁଷ୍କର୍ମ ଓ ହତ୍ୟା ମାମଲା ରୁଜୁ କରି ଜୋରଦାର ତଦନ୍ତ ଆରମ୍ଭ କରିଛି । ସେପଟେ ଏସ୍‌ଓଜି ଦ୍ବାରା ପୁରା ଘଟଣାର ତଦନ୍ତ ପାଇଁ ଦାବି ହୋଇଛି ।

ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଏହି ଘଟଣାକୁ କଡ଼ା ନନ୍ଦା କରିବା ସହ କଂଗ୍ରେସ ସରକାରକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ, ଯେଉଁ ପୋଲିସ କାନ୍ଧରେ ମହିଳାଙ୍କ ସୁରକ୍ଷା ଦାୟିତ୍ବ ନ୍ୟସ୍ତ ଯଦି ସେହି ରକ୍ଷକ ଏହି କୁକର୍ମ ଘଟାଇଥାନ୍ତି ତେବେ ଏହାଠୁ ଅଧିକ ଲଜ୍ଜାଜନକ ଆଉ କିଛି ନହୋଇପାରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.