ETV Bharat / bharat

ଗେହେଲଟଙ୍କ ନେତା ସୋନିଆ ନୁହନ୍ତି, ବସୁନ୍ଧରା ରାଜେ: ପାଇଲଟ

author img

By

Published : May 9, 2023, 10:30 PM IST

ଗେହେଲଟଙ୍କ ନେତା ସୋନିଆ ନୁହନ୍ତି ବରଂ ବସୁନ୍ଧରା ରାଜେ ସିନ୍ଧିଆ: ସଚିନ ପାଇଲଟ
ଗେହେଲଟଙ୍କ ନେତା ସୋନିଆ ନୁହନ୍ତି ବରଂ ବସୁନ୍ଧରା ରାଜେ ସିନ୍ଧିଆ: ସଚିନ ପାଇଲଟ

ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟଙ୍କ ଉପରେ ବର୍ଷିଲେ ସଚିନ ପାଇଲଟ । କହିଲେ ଗେହେଲଟଙ୍କ ନେତା ସୋନିଆ ନୁହନ୍ତି ବରଂ ବସୁନ୍ଧରା ରାଜେ ସିନ୍ଧିଆ । ଅଧିକ ପଢନ୍ତୁ

ଜୟପୁର: କଂଗ୍ରେସ ନେତା ସଚିନ ପାଇଲଟ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଉପରେ ବର୍ଷିଛନ୍ତି । କହିଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟଙ୍କ ପାଇଁ ନେତା ସୋନିଆ ଗାନ୍ଧୀ ନୁହନ୍ତି ବରଂ ବିଜେପି ନେତ୍ରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ । ଆଜି ରାଜଧାନୀ ଜୟପୁରରେ ଗଣମାଧ୍ୟମକୁ ସମ୍ବୋଧିତ କରି ପାଇଲଟ ଏପରି ସମାଲୋଚନା କରିବାକୁ ମଧ୍ୟ ପଛାନାହାନ୍ତି । ସେହିପରି ତାଙ୍କ ବିରୋଧରେ କୌଣସି ଅଭିଯୋଗ ଆଣିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ପ୍ରଥମେ ସତ୍ୟ ଓ ତଥ୍ୟ ଜାଣିବା ଆବଶ୍ୟକ ବୋଲି ମଧ୍ୟ ସଚିନ ପାଇଲଟ କହିଥିଲେ ।

ସଚିନ ପାଇଲଟ କହିଛନ୍ତି, ‘‘ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତିରୁ ଏହା ସ୍ପଷ୍ଟ ଜଣାପଡୁଛି ଯେ ତାଙ୍କ ନେତା ସୋନିଆ ଗାନ୍ଧୀ ନୁହଁନ୍ତି ବରଂ ବସୁନ୍ଧରା ରାଜେ ସିନ୍ଧିଆ । ସେ କ’ଣ କହିବାକୁ ଚାହୁଁଛନ୍ତି ତାହା ବ୍ୟାଖ୍ୟା କରିବା ଉଚିତ୍ । ମୁଁ ରାଜ୍ୟ କଂଗ୍ରେସର ସଭାପତି ଥିଲି ଏବଂ 2020 ମସିହାରେ ମୋ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହୋଇଥିଲା । ମୋତେ କରୋନା, ଦେଶଦ୍ରୋହୀ, ମୂଲ୍ୟହୀନ ମଧ୍ୟ କୁହାଯାଇଛି । ଆମ ସରକାରର ବିଧାୟକମାନଙ୍କୁ ବଦନାମ କରାଯାଉଛି ଏବଂ ବିଜେପିର ବିଧାୟକମାନଙ୍କୁ ପ୍ରଶଂସା କରାଯାଉଛି ।’’

ରାଜସ୍ଥାନରେ ଜାରି ରହିଥିବା କଂଗ୍ରେସ କନ୍ଦଳ ମଧ୍ୟରେ ନିକଟରେ ସାଙ୍ଗୀନ ଅଭିଯୋଗ ସହ ସଚିନ ପାଇଲଟଙ୍କ ଗୋଷ୍ଠୀଙ୍କୁ ଟାର୍ଗେଟ କରିଥିଲେ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲୋଟ । କହିଥିଲେ, ରାଜସ୍ଥାନରେ ସରକାର ଭାଙ୍ଗିବା ପାଇଁ ଉଦ୍ୟମ କରୁଛନ୍ତି ଅମିତ ଶାହ । ଶାହଙ୍କଠାରୁ କିଛି ବିଦ୍ରୋହୀ ବିଧାୟକ 10 କୋଟି ଲେଖାଏଁ ଟଙ୍କା ମଧ୍ୟ ନେଇଛନ୍ତି । ସେମାନେ ରାଜସ୍ଥାନରେ ସରକାରକୁ ବଞ୍ଚାଇବା ପାଇଁ ବିଜେପିଠାରୁ ଗ୍ରହଣ କରିଥିବା ଟଙ୍କାକୁ ଶାହଙ୍କୁ ଫେରାଇ ଦିଅନ୍ତୁ । ହେଲେ ଏହି ବିଦ୍ରୋହୀ ବିଧାୟକମାନେ କିଏ, ସେନେଇ ଗେହେଲୋଟ କିଛି ସ୍ପଷ୍ଟ କରିନଥିବା ବେଳେ ଏହା ସଚିନ ପାଇଲଟଙ୍କ ଗୋଷ୍ଠୀଙ୍କୁ ପରୋକ୍ଷ ଟାର୍ଗେଟ ବୋଲି କୁହାଯାଉଛି ।

ଗେହେଲୋଟ କହିଥିଲେ,"ରାଜସ୍ଥାନ ସରକାରକୁ ଭାଙ୍ଗିବା ପାଇଁ ଷଡଯନ୍ତ୍ର ହେଉଛି । ମନେସର ଯାଇଥିବା ବିଧାୟକମାନେ ବିଜେପି ଠାରୁ କୋଟି କୋଟି ଟଙ୍କା ମଧ୍ୟ ଗ୍ରହଣ କରିଛନ୍ତି । ସେମାନେ ସେହି ଟଙ୍କା ଅମିତ ଶାହଙ୍କୁ ଫେରାଇ ଦିଅନ୍ତୁ । ଯଦି ଗ୍ରହଣ କରାଯାଇଥିବା ଟଙ୍କାର କିଛି ଅଂଶ ଖର୍ଚ୍ଚ ହୋଇଯାଇଥାଏ ।" ତେବେ ତାହାର କ୍ଷତିପୂରଣ ମଧ୍ୟ ସେ ନିଜେ ଦେଇଦେବେ ବୋଲି ମଧ୍ୟ କହିଛନ୍ତି ଗେହେଲୋଟ ।

ତେବେ ଦୀର୍ଘଦିନ ହେବ ପୂର୍ବତନ ଉମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ଓ ଗେହେଲୋଟଙ୍କ ମଧ୍ୟରେ ଛକାପଞ୍ଝା ଲାଗିରହିଛି । ରାଜ୍ୟ କଂଗ୍ରେସ ଦୁଇ ଭାଗରେ ବିଭକ୍ତ ହେବା ପରି ଦୃଶ୍ୟମାନ ହେଉଛି । ହେଲେ କେନ୍ଦ୍ରୀୟ ନେତୃତ୍ବ ଏହି କନ୍ଦଳକୁ ପ୍ରଶମିତ କରି ରଖିବାକୁ ଭରପୁର ଉଦ୍ୟମ କରୁଛନ୍ତି । ଏହାରି ମଧ୍ୟରେ ଗେହେଲୋଟ ଆଜି ବିଜେପି ଓ ଅମିତ ଶାହ ତାଙ୍କ ସରକାର ଭାଙ୍ଗିବା ପାଇଁ କିଛି ବିଧାୟକଙ୍କୁ ଟଙ୍କା ଦେଇଥିବା ଅଭିଯୋଗ କରିଥଲେ । ଆଜି ପାଇଲଟ ମଧ୍ୟ ପାଲଟା ଆକ୍ରମଣ କରିବାକୁ ପଛାଇନାହାନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.