ETV Bharat / bharat

Bharat Jodo Yatra: ମଙ୍ଗଳବାର ୟୁପିରେ ପ୍ରବେଶ କରିବ ଭାରତ ଯୋଡ଼ ଯାତ୍ରା

author img

By

Published : Jan 2, 2023, 9:40 AM IST

bharat jodo yatra
ଭାରତ ଯୋଡ଼ ଯାତ୍ରା

ସେପ୍ଟେମ୍ବର 7 ତାରିଖରୁ କନ୍ୟାକୁମାରୀ ଠାରୁ ଆରମ୍ଭ ହୋଇଥିବା ଭାରତ ଯୋଡ଼ ଯାତ୍ରା ଆସନ୍ତାକାଲି (ମଙ୍ଗଳବାର) ଉତ୍ତର ପ୍ରଦେଶରେ ପହଞ୍ଚିବ । ଅଧିକ ପଢ଼ନ୍ତୁ

ନୂଆଦିଲ୍ଲୀ: କିଛି ଦିନର ବିରତି ପରେ ଆସନ୍ତାକାଲି(ମଙ୍ଗଳବାର) ପୁଣି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ପୁଣି ଆରମ୍ଭ ହେବାକୁ ଯାଉଛି ଭାରତ ଯୋଡ଼ ଯାତ୍ରା । ରାହୁଲଗାନ୍ଧୀଙ୍କ ସମେତ ସମସ୍ତ କଂଗ୍ରେସ ନେତା ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରି ସାରିଛନ୍ତି । କନ୍ୟାକୁମାରୀ ଠାରୁ ଆରମ୍ଭ ହୋଇ ଶ୍ରୀନଗରରେ ଶେଷ ହେବାକୁ ଥିବା ଭାରତ ଯୋଡ଼ା ଯାତ୍ରା ଜାନୁଆରୀ 3ରୁ ଉତ୍ତର ପ୍ରଦେଶରେ ପ୍ରବେଶ କରିବ । ଏହି କ୍ରମରେ ଉତ୍ତର ପ୍ରଦେଶରେ 120 କିଲୋମିଟର ଯାତ୍ରା ହେବ ବୋଲି କଂଗ୍ରେସ ନେତା ସୂଚନା ଦେଇଛନ୍ତି ।

ଜାନୁଆରୀ 3ରୁ ଉତ୍ତର ପ୍ରଦେଶରୁ ଭାରତ ଯୋଡ଼ ଯାତ୍ରା ଆରମ୍ଭ ହୋଇ ତିନୋଟି ଜିଲ୍ଲାରେ ପ୍ରବେଶ କରିବ । ଏହି ଯାତ୍ରା ଆସନ୍ତା 5 ତାରିଖରେ ଶେଷ ହେବ । ଦ୍ବିତୀୟ ପର୍ଯ୍ୟାୟରେ ହରିୟାଣାର ସୋନିପତ ଜିଲ୍ଲା ଯିବ ଏହି ଯାତ୍ରା । ସେଠାରୁ ପଞ୍ଜାବ ଓ ଜମ୍ମୁ କାଶ୍ମୀର ଯାତ୍ରା କରିବ ଭାରତ ଯୋଡ । ଏହାପରେ ଭାରତ ଯୋଡ ଯାତ୍ରା ଶେଷ ହେବ । ଏଆଇସିସି ସାଧାରଣ ସମ୍ପାଦକ ତଥା ଦଳର ମୁଖପାତ୍ର ଜୟରାମ ରମେଶଙ୍କ ଅନୁଯାୟୀ, ଆସନ୍ତାକାଲି (ଜାନୁଆରୀ 3) ଦିଲ୍ଲୀର କାଶ୍ମୀର ଫାଟକ ସ୍ଥିତ ହନୁମାନ ମନ୍ଦିର ନିକଟରେ ଭାରତ ଯୋଡ଼ା ଯାତ୍ରା ଆରମ୍ଭ ହୋଇ ମଧ୍ୟାହ୍ନ ସମୟ ସୁଦ୍ଧା ଗାଜିଆବାଦରେ ପ୍ରବେଶ କରିବ । ଯାତ୍ରାର ପ୍ରଥମ ଦିନ ବାଗପତର ମାବିକାଲା ଗ୍ରାମରେ ଶେଷ ହେବ । ସେଠାରେ ରାତିରେ ବିଶ୍ରାମ କରି ପରଦିନ ଅର୍ଥାତ 4 ତାରିଖରେ ଶାମଲି ପହଞ୍ଚିବ ଏହି ଯାତ୍ରା । ଏହାପରେ 5 ତାରିଖ ସନ୍ଧ୍ୟାରେ ହରିୟାଣା ପ୍ରବେଶ କରିବ ।

ଏହା ମଧ୍ୟ ପଢ଼ନ୍ତୁ: ନୂଆବର୍ଷରେ ରାହୁଲଙ୍କ ବାର୍ତ୍ତା, ପ୍ରତି ଗାଁ ଓ ସହରରେ ଖୋଲିବ ପ୍ରେମର ଦୋକାନ

ବାଗପତ ଜିଲ୍ଲା କଂଗ୍ରେସ ନେତା କହିଛନ୍ତି, " ଡୁଣ୍ଡାହେଡା ଚେକପୋଷ୍ଟରେ ଭାରତ ଯୋଡ଼ ଯାତ୍ରାକୁ ସ୍ବାଗତ କରାଯିବ । ରାହୁଲ ଗାନ୍ଧୀ ରହିବା ପାଇଁ ଏକ ଫାର୍ମ ହାଉସର ବ୍ୟବସ୍ଥା କରାଯାଇଛି । ଏଥିସହ ଭାରତ ଯୋଡ଼ରେ ସାମିଲ ପ୍ରାୟ 2000-2500 ଯାତ୍ରୀଙ୍କ ପାଇଁ ରହିବା ବ୍ୟବସ୍ଥା କରାଯାଇଛି ।" ଅନ୍ୟପଟେ ନିକଟରେ ପ୍ରଦେଶ କଂଗ୍ରେସ ପ୍ରବକ୍ତା ଅଶୋକ ସିଂ କହିଛନ୍ତି, ଦଳର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଉତ୍ତର ପ୍ରଦେଶରେ ଆୟୋଜିତ ଯାତ୍ରାରେ ସାମିଲ ହେବେ ।

ସୂଚନା ଥାଉକି, କନ୍ୟାକୁମାରୀଠାରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ତାମିଲନାଡୁ, କେରଳ, କର୍ଣ୍ଣାଟକ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନ, ହରିୟାଣା କରି 9ଟି ରାଜ୍ୟରେ ପହଞ୍ଚି ସାରିଛି । ମଧ୍ୟପ୍ରଦେଶର ଉଜୈନରେ ଅଭିନେତ୍ରୀ ସ୍ବରା ଭାସ୍କର ଏହି ପଦଯାତ୍ରାରେ ସାମିଲ ହୋଇଥିଲେ । ବକ୍ସର ତଥା ଅଲମ୍ପିକ୍ସ ପଦକ ବିଜେତା ବିଜେନ୍ଦ୍ର ସିଂ ମଧ୍ୟ ଏହି ଯାତ୍ରାରେ ସାମିଲ ହୋଇଥିଲେ ।

ସେହିପରି ଦିଲ୍ଲୀରେ ଅଭିନେତା କମଲ ହାସନ ମଧ୍ୟ ସାମିଲ ହୋଇଥିଲେ । ଜାନୁଆରୀ 26ରୁ କଂଗ୍ରେସର ହାତ ସେ ହାତ ଯୋଡ ଅଭିଯାନ ଆରମ୍ଭ ହେବ । ସେପ୍ଟେମ୍ବର 7ରୁ କନ୍ୟାକୁମାରୀରୁ ଭାରତ ଯୋଡ଼ ଯାତ୍ରା ଆରମ୍ଭ କରିଥିଲା କଂଗ୍ରେସ । 2024 ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ବହୁ ପ୍ରତୀକ୍ଷିତ 150 ଦିନିଆ ‘ଭାରତ ଯୋଡ଼ ଯାତ୍ରା’ ଆରମ୍ଭ କରିଛି । ଏଥିରେ ଦଳ 10 ରାଜ୍ୟ ଓ 2 କେନ୍ଦ୍ର ଶାସିତ ଅଞ୍ଚଳ ପରିକ୍ରମା କରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.