ETV Bharat / bharat

କଂଗ୍ରେସକୁ ଭୟ, ରଦ୍ଦ ହେବା ପରି ସହଜ ହେବନି ରାହୁଲଙ୍କ ସଦସ୍ୟତା ପ୍ରତ୍ୟାବର୍ତ୍ତନ

author img

By

Published : Aug 6, 2023, 7:49 PM IST

ସର୍ବୋଚ୍ଚ କୋର୍ଟରୁ ବଡ଼ ଆଶ୍ବସ୍ତି ପାଇବା ପରେ ସଂସଦର ଚଳିତ ମୌସୁମୀ ଅଧିବେଶନରେ ଅଂଶଗ୍ରହଣ ଲକ୍ଷ୍ୟରେ ରାହୁଲ ଗାନ୍ଧୀ । ହେଲେ ସହଜ ହେବନି ରାହୁଲଙ୍କ ସଦସ୍ୟତା ଫେରିପାଇବା । ଅଧିକ ପଢନ୍ତୁ

କଂଗ୍ରେସକୁ ଭୟ, ରଦ୍ଧ ହେବା ପରି ସହଜ ହେବନି ରାହୁଲଙ୍କ ସଦସ୍ୟତା ପ୍ରତ୍ୟାବର୍ତ୍ତନ
କଂଗ୍ରେସକୁ ଭୟ, ରଦ୍ଧ ହେବା ପରି ସହଜ ହେବନି ରାହୁଲଙ୍କ ସଦସ୍ୟତା ପ୍ରତ୍ୟାବର୍ତ୍ତନ

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ‘ମୋଦି ସାଙ୍ଗିଆ’ ଅପରାଧିକ ମାନହାନୀ ମାମଲାରେ ସୁପ୍ରିମକୋର୍ଟରୁ ବଡ଼ ଆଶ୍ବସ୍ତି ମିଳିଛି । ତଳକୋର୍ଟରୁ ରାହୁଲ ପାଇଥିବା ଦଣ୍ଡାଦେଶ ଉପରେ ସର୍ବୋଚ୍ଚ କୋର୍ଟ ଅନ୍ତରୀଣ ସ୍ଥଗିତାଦେଶ ଜାରି କରିଛନ୍ତି । ଏହାସହ ସୁରଟ ଜିଲ୍ଲା କୋର୍ଟଙ୍କ ଦଣ୍ଡାଦେଶ ଆସିବା ପରେ ରଦ୍ଦ ହୋଇଥିବା ଲୋକସଭା ସଦସ୍ୟତା ଫେରିପାଇବାକୁ ରାହୁଲ ପ୍ରୟାସ ମଧ୍ୟ କରିସାରିଛନ୍ତି । ହେଲେ ଦଣ୍ଡାଦେଶ ପାଇବାର ମାତ୍ର 24 ଘଣ୍ଟା ମଧ୍ୟରେ ଯେପରି ରାହୁଲଙ୍କ ସଦସ୍ୟତା ତୁରନ୍ତ ରଦ୍ଦ କରାଯାଇଥିଲା, ସେପରି ଭାବେ ସଦସ୍ୟତା ଫେରିପାଇବା ସହଜ ହେବ ନାହିଁ ବୋଲି କଂଗ୍ରେସ ମଧ୍ୟ ଅନୁଭବ କରି ସାରିଲାଣି ।

ରାହୁଲଙ୍କୁ ଅନ୍ତରୀଣ ଆଶ୍ବସ୍ତି ପରେ ସଦସ୍ୟତା ଫେରାଇବା ପାଇଁ ଦଳୀୟ ନେତାମାନେ ପ୍ରୟାସ ଆରମ୍ଭ କରିସାରିଲେଣି । ରାହୁଲଙ୍କୁ ତୁରନ୍ତ ସଦସ୍ୟତା ପ୍ରଦାନ କରି ଚଳିତ ଅଧିବେଶନରେ ଅଂଶଗ୍ରହଣ ସୁଯୋଗ ସେମାନେ ପ୍ରକ୍ରିୟା ଆରମ୍ଭ କରି ସାରିଛନ୍ତି । ଏନେଇ ଏକ ଆବେଦନ ଲୋକସଭା ବାଚସ୍ପତି ଓମ୍‌ ବିର୍ଲାଙ୍କ ନିକଟରେ ପହଞ୍ଚି ସାରିଛି । କାରଣ ଆସନ୍ତା ସପ୍ତାହରେ ସଂସଦରେ ଆଲୋଚନା ହେବାକୁ ଥିବା ଅନାସ୍ଥା ପ୍ରସ୍ତାବରେ ରାହୁଲଙ୍କ ଅଂଶଗ୍ରହଣ ନେଇ ଦଳ ଆଶା ରଖିଛି ।

ହେଲେ ବିଜେପି କହିଛି, ସର୍ବୋଚ୍ଚ କୋର୍ଟଙ୍କ ଦଣ୍ଡାଦେଶ ଉପରେ ଅନ୍ତରୀଣ ରହିତାଦେଶ ଲଗାଇଛନ୍ତି । ଏହା ଚୂଡାନ୍ତ ରାୟ ନୁହେଁ । ଏହି ପ୍ରସଙ୍ଗରେ ଆଇନ ମନ୍ତ୍ରଣାଳୟ ଓ ସମ୍ବିଧାନ ବିଶେଷଜ୍ଞଙ୍କ ପରାମର୍ଶ ଗ୍ରହଣ କରାଯିବା ସଦସ୍ୟତା ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟାକୁ ବିଳମ୍ବ ଓ ଜଳିଟ ମଧ୍ୟ କରିପାରେ । ତେଣୁ ରାହୁଲଙ୍କର ସଦସ୍ୟତା ଫେରିପାଇବା ଓ ଚଳିତ ସଂସଦ ଅଧିବେଶନରେ ଅଂଶଗ୍ରହଣ କରିବା ପାଇଁ ଦଳ ଯେଉଁ ପ୍ରୟାସ ଆରମ୍ଭ କରିଛି, ତାହା ଏତେ ସହଜ ହୋଇନପାରେ । ବିଜେପିର ମୁଖ୍ୟ ବିରୋଧୀ କଂଗ୍ରେସର ଚର୍ଚ୍ଚିତ ନେତା ରାହୁଲଙ୍କ ସଦସ୍ୟତା ପ୍ରସଙ୍ଗରେ ଲୋକସଭା ବାଚସ୍ପତିଙ୍କ ନିର୍ଣ୍ଣୟ ଉପରେ ସମଗ୍ର ଦେଶର ନଜର ରହିଛି ।

ଏହା ମଧ୍ୟ ପଢନ୍ତୁ:-Comeback Rahul: ପୁଣି ସଂସଦରେ ଗର୍ଜିବେ ରାହୁଲ, ଫେରିବ ସାଂସଦ ପଦ

ସାଂସଦ ପଦ ରଦ୍ଦର ମାତ୍ର କିଛି ଦିନ ମଧ୍ୟରେ ରାହୁଲଙ୍କୁ ସରକାରୀ କୋଟାରେ ମିଳିଥିବା 12-ତୋଗଲକ୍ ଲେନ୍ ବଙ୍ଗଳା ଖାଲି କରିବାକୁ ଲୋକସଭା ଗୃହ କମିଟି ପକ୍ଷରୁ କୁହାଯାଇଥିଲା । 2004ରେ ପ୍ରଥମ ଥର ପାଇଁ ସାଂସଦ ହେବା ପରଠାରୁ ରାହୁଲ ଏହି ବଙ୍ଗଳାରେ ରହି ଆସୁଥିଲେ । ସେ ବଙ୍ଗଳା ଖାଲି କରିବା ପରେ ସେ ମା’ ସୋନିଆ ଗାନ୍ଧୀଙ୍କ ସରକାରୀ ବଙ୍ଗଳାରେ ରହୁଛନ୍ତି । ଜିଲ୍ଲା କୋର୍ଟରୁ ସର୍ବୋଚ୍ଚ କୋର୍ଟ ପର୍ଯ୍ୟନ୍ତ ଦୀର୍ଘ ଆଇନଗତ ଲଢ଼େଇ ପରେ ପୂର୍ବତନ କଂଗ୍ରେସ ମୁଖ୍ୟଙ୍କ ଦଣ୍ଡାଦେଶ ଉପରେ ଅଗଷ୍ଟ 4 ତାରିଖରେ ରହିତାଦେଶ ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.