ETV Bharat / bharat

ଥାନା ଭିତରେ ପଶି ପୋଲିସକୁ ହାଣିଲେ ଖଲିସ୍ତାନୀ ସମର୍ଥକ ଗୋଷ୍ଠୀ, ବହୁ ପୋଲିସକର୍ମୀ ଆହତ

author img

By

Published : Feb 23, 2023, 7:06 PM IST

ଥାନା ଭିତରେ ପଶି ପୋଲିସକୁ ହାଣିଲେ ପ୍ରୋ-ଖଲସ୍ତାନୀ ଗୋଷ୍ଠୀ, ବହୁ ପୋଲିସକର୍ମୀ ଆହତ
ଥାନା ଭିତରେ ପଶି ପୋଲିସକୁ ହାଣିଲେ ପ୍ରୋ-ଖଲସ୍ତାନୀ ଗୋଷ୍ଠୀ, ବହୁ ପୋଲିସକର୍ମୀ ଆହତ

ଅମୃତସର ଅଜନାଲାରେ ଥାନା ଭିତରେ ପଶି ପୋଲିସକୁ ହାଣିଲେ ଖଲିସ୍ତାନୀ ସମର୍ଥକ ଗୋଷ୍ଠୀ । ସଂଗଠନର ଜଣଙ୍କୁ ଗିରଫଦାରୀ ନେଇ ହୋଇଛି ଆକ୍ରମଣ ଏକାଧିକ ପୋଲିସ କର୍ମୀ ଆହତ ସୂଚନା । ଅଧିକ ପଢନ୍ତୁ

ଚଣ୍ଡିଗଡ: ପଞ୍ଜାବ ଅମୃତସରର ଏକ ଥାନା ଭିତରେ ପଶି ପୋଲିସକର୍ମୀଙ୍କୁ ମରଣାନ୍ତକ ଆକ୍ରମଣ । ଏକ ଗିରଫଦାରୀକୁ ନେଇ ଅଜନାଲା ଥାନାରେ ମାରଣାସ୍ତ୍ର ସହ ପଶି ଖଲିସ୍ତାନୀ ସମର୍ଥକ ସଂଗଠନର ସଦସ୍ୟ ତଥା ନିହାଙ୍ଗ ଶିଖମାନେ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି । ଏଥିରେ ଏକାଧିକ ପୋଲିସ କର୍ମଚାରୀ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ‘ୱାରିସ୍ ପଞ୍ଜାବ ଦେ’ ସଂଗଠନର ମୁଖ୍ୟ ଅମୃତପାଲ ସିଂଙ୍କ ଘନିଷ୍ଠ ସହଯୋଗୀ ଲଭପ୍ରୀତ ତୁଫାନଙ୍କ ଗିରଫଦାରୀକୁ ବିରୋଧ କରି ନିହାଙ୍ଗ ଶିଖ୍ ଏହି ଆକ୍ରମଣକୁ ରୂପ ଦେଇଥିବା ସୂଚନା ମିଳିଛି ।

ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଅମୃତପାଲ ସିଂ ‘ୱାରିସ୍ ପଞ୍ଜାବ ଦେ’ ନାମକ ଏକ ସଂଗଠନ ସଞ୍ଚାଳିତ କରନ୍ତି ଓ ପୋଲିସ ଦ୍ବାରା ଗିରଫ ହୋଇଥିବା ଲଭପ୍ରୀତ ତୁଫାନ ହେଉଛନ୍ତି ତାଙ୍କର ଘନିଷ୍ଠ ସହଯୋଗୀ । ଜଣେ ବ୍ୟକ୍ତିଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ତୁଫାନଙ୍କୁ ଗିରଫ କରାଯିବା ପରେ ତାଙ୍କୁ ମୁକ୍ତ କରିବା ପାଇଁ ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଥିଲା । ଆଜି ସଂଗଠନର ସଦସ୍ୟମାନେ ହଜାର ହଜାର ସଂଖ୍ୟାରେ ହାତରେ ବନ୍ଧୁକ ଓ ଖଣ୍ଡା ଧରି ଥାନାରେ ପ୍ରବେଶ କରି ପୋଲିସ ଉପରେ ମରାଣାନ୍ତକ ଆକ୍ରମଣ କରିବା ସହ ବ୍ୟାପକ ଭଙ୍ଗାରୁଜା କରିଛନ୍ତି ।

ଜାତୀୟ ଖବର ସରବରାହ ସଂସ୍ଥା ANI ପକ୍ଷରୁ ପ୍ରଦତ୍ତ ସୂଚନା ଅନୁସାରେ, ‘ୱାରିସ୍ ପଞ୍ଜାବ ଦେ’ ସଂଗଠନର ମୁଖ୍ୟ ଅମୃତପାଲ ସିଂଙ୍କ ସମର୍ଥକମାନେ ଅମୃତସରର ଅଜନାଲା ଥାନାରେ ବାହାରେ ଲଭପ୍ରୀତ ତୋଫାନଙ୍କ ଗିରଫଦାରୀକୁ ବିରୋଧ କରି ଏକାଠି ହୋଇଥିଲେ । ପରେ ସେମାନେ ପୋଲିସ ବାରିକେଡକୁ ଭାଙ୍ଗିବା ସହ ହାତରେ ବନ୍ଧୁକ ଓ ଖଣ୍ଡା ଧରି ଥାନାରେ ପ୍ରବେଶ କରି ପୋଲିସ କର୍ମୀଙ୍କୁ ମଧ୍ୟ ଆକ୍ରମଣ କରିଥିଲେ । ଏଥିରେ ଅନେକ ପୋଲିସ ଅଧିକାରୀ ଓ କର୍ମଚାରୀ ରକ୍ତାକ୍ତ ହୋଇଛନ୍ତି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ପଞ୍ଜାବର ଅଜନାଲା ଥାନା ଅଞ୍ଚଳରେ ଜଣେ ଯୁବକଙ୍କୁ ଅପହରଣ ଓ ମାଡ ମାରିବା ଅଭିଯୋଗରେ ଅମୃତପାଲ ସିଂଙ୍କ ସମେତ ତାଙ୍କର 30 ସହଯୋଗୀଙ୍କ ନାମରେ ପୋଲିସ ମାମଲା ରୁଜୁ କରିଥିଲା । ପରେ ଅମୃତପାଲଙ୍କ ଘନିଷ୍ଠ ସହଯୋଗୀ ଲଭପ୍ରୀତ ସିଂକୁ ପୋଲିସ ଗିରଫ କିରଥିଲା । ଯାହାକୁ ନେଇ ଏହି କାଣ୍ଡ ଘଟିଛି । ‘ୱାରିସ୍ ପଞ୍ଜାବ ଦେ’ ସଂଗଠନ ହେଉଛି ସ୍ବତନ୍ତ୍ର ଖଲିସ୍ତାନୀ ଗଠନକୁ ପ୍ରଚ୍ଛନ୍ନ ସମର୍ଥନ ଦେଉଥିବା ସଂଗଠନ । ଏହାକୁ ପଞ୍ଜାବୀ ଅଭିନେତା ତଥା କୃଷକ ଟ୍ରାକ୍ଟର ରାଲି ବେଳେ ଦିଲ୍ଲୀ ଲାଲକିଲ୍ଲା ହିଂସାର ମୁଖ୍ୟ ଅଭିଯୁକ୍ତ ଦୀପ ସିଦ୍ଧୁ ପ୍ରତିଷ୍ଠା କରିଥିଲେ । ନିକଟରେ ଏକ ସଡକ ଦୁର୍ଘଟଣାରେ ସିଦ୍ଧୁଙ୍କ ମୃତ୍ୟୁ ହେବା ପରେ ଏହାର ନେତୃତ୍ବ ଅମୃତପାଲ ସିଂ ନେଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.