ETV Bharat / bharat

ମିଡିଆ ଟ୍ରାଏଲ ମାଧ୍ୟମରେ ଦେଶରେ କଙ୍ଗାରୁକୋର୍ଟ ଚଳାଇଛି ଗଣମାଧ୍ୟମ: CJI

author img

By

Published : Jul 23, 2022, 4:01 PM IST

ସାମ୍ପ୍ରତିକ ସମୟରେ ଗଣମାଧ୍ୟମର ଭୂମିକାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କଲେ ପ୍ରଧାନ ବିଚାରପତି ଏନ.ଭି ରମଣା । କହିଲେ ମିଡିଆ ଟ୍ରାଏଲ ମାଧ୍ୟମରେ, ପ୍ରସଙ୍ଗ ଉପରେ ତର୍କହୀନ ଡିବେଟ ଗଣତନ୍ତ୍ରକୁ ଦୁର୍ବଳ କରୁଛି । ସୁସ୍ଥ ଗଣତନ୍ତ୍ର ପାଇଁ ଅତ୍ୟନ୍ତ ହାନୀକାରକ । ନୈତିକତାର ସୀମାରେ ରହି କାର୍ଯ୍ୟ କରୁ ଗଣମାଧ୍ୟମ । ଅଧିକ ପଢନ୍ତୁ

ମିଡିଆଟ୍ରାଏଲ ମାଧ୍ୟମରେ ଦେଶରେ କଙ୍ଗାରୁକୋର୍ଟ ଚଳାଇଛି ଗଣମାଧ୍ୟମ: CJI ରମଣା
ମିଡିଆଟ୍ରାଏଲ ମାଧ୍ୟମରେ ଦେଶରେ କଙ୍ଗାରୁକୋର୍ଟ ଚଳାଇଛି ଗଣମାଧ୍ୟମ: CJI ରମଣା

ନୂଆଦିଲ୍ଲୀ: ଦେଶରେ ଗଣମାଧ୍ୟମର ଖବର ପ୍ରସାରଣ ଶୈଳୀକୁ ତୀବ୍ର ସମାଲୋଚନା କରିଛନ୍ତି ପ୍ରଧାନ ବିଚାରପତି ଏନ.ଭି ରମଣା । ବର୍ତ୍ତମାନର ଗଣମାଧ୍ୟମ ଦେଶରେ ବିଭିନ୍ନ ପ୍ରସଙ୍ଗରେ ମିଡିଆ ଟ୍ରାଏଲ ଚଳାଇଛି, ଯାହା କଙ୍ଗାରୁକୋର୍ଟ ପରି । ଫଳରେ କୌଣସି ମାମଲାରେ ସଠିକ ଦିଗ ଖୋଜି ବାହାର କରିବା ଅଭିଜ୍ଞ ବିଚାରପତିମାନଙ୍କ ପାଇଁ ମଧ୍ୟ କଷ୍ଟସାଧ୍ୟ ହେବାକୁ ବସିଲାଣି । ଯାହା ସୁସ୍ଥ ଗଣତନ୍ତ୍ର ପ୍ରତି ଭୟଙ୍କର ପରମ୍ପରା ସୃଷ୍ଟି କରୁଛି ବୋଲି ଗଣମାଧ୍ୟମ ଉପରେ ବର୍ଷିଛନ୍ତି ପ୍ରଧାନ ବିଚାରପତି ।

ଆଜି (ଶନିବାର) ରାଞ୍ଚିରେ ‘ନ୍ୟାସନାଲ ୟୁନିଭରସିଟି ଅଫ ଷ୍ଟଡି ଆଣ୍ଡ ରିସର୍ଚ୍ଚ ଇନ ଲ’ କ୍ୟାମ୍ପସରେ ଏକ ସ୍ମାରକୀ ସେମିନାରରେ ଅତିଥି ଭାବେ ଯୋଗଦେଇ ନିଜ ସମ୍ବୋଧନରେ ପ୍ରଧାନ ବିଚାରପତି ଏପରି ଟିପ୍ପଣୀ କରିଥିବା ଦେଖିବାକୁ ମିଳିଛି । କୌଣସି ପ୍ରସଙ୍ଗ ନ୍ୟାୟପାଳିକାରେ ବିଚାର ପ୍ରକ୍ରିୟା ମଧ୍ୟରେ ଥିବା ସତ୍ତ୍ବେ ମଧ୍ୟ ଉଦ୍ଦେଶ୍ୟମୂଳକ ଡିବେଟ କାର୍ଯ୍ୟକ୍ରମ କରୁଛନ୍ତି ବିଭିନ୍ନ ଜାତୀୟ ଗଣମାଧ୍ୟମ । ଯାହା ସୁସ୍ଥ ଗଣତନ୍ତ୍ର ପ୍ରତି ଅତ୍ୟନ୍ତ ହାନୀକାରକ ପରମ୍ପରା ସୃଷ୍ଟି କରୁଛି । ଗଣତାନ୍ତ୍ରିକ ଦେଶରେ ଗଣମାଧ୍ୟମର ଏପରି ଭୂମିକା ଗଣତନ୍ତ୍ରକୁ ଦୁଇ ପାଦ ପଛକୁ ନେଇଯିବା ପରି ସ୍ଥିତି ସୃଷ୍ଟି କରୁଛି । ମୁଦ୍ରିତ ଗଣମାଧ୍ୟମଗୁଡିକ କିଛି ମାତ୍ରାରେ ଖବର ପ୍ରସାରଣରେ ନୈତିକତା ଅବଲମ୍ବନ କରୁଥିବା ବେଳେ ବୈଦୁତିକ ଗଣମାଧ୍ୟମଗୁଡିକ ସମସ୍ତ ନୈତିକତା ଭୁଲି ଦାୟିତ୍ବହୀନ ଭାବେ କାର୍ଯ୍ୟ କରୁଛନ୍ତି ବୋଲି ପ୍ରଧାନ ବିଚାରପତି ଉଦବେଗ ପ୍ରକାଶ କରିଛନ୍ତି ।

ସେହପିରି ବହୁଳ ବ୍ୟବହାର ହେଉଥିବା ସାମାଜିକ ଗଣମାଧ୍ୟମ ମଧ୍ୟ ସମସ୍ତ ସୀମା ଲଙ୍ଘିବାରେ ଲାଗିଛି । ଗଣମାଧ୍ୟମର ବୈଷୟିକ ଉନ୍ନତି ହୋଇଛି । ଖବର ପ୍ରସାରଣର ଦିଗ ମଧ୍ୟ ବଦଳିଛି, କିନ୍ତୁ ସେମାନେ ପ୍ରସଙ୍ଗର ଯଥାର୍ଥତା ବୁଝି ପାରୁନାହାନ୍ତି । ଉଚିତ ଓ ଅନୁଚିତ ମଧ୍ୟରେ ପାର୍ଥକ୍ୟ ମଧ୍ୟ ସେମାନେ ଅନୁଭବ କରୁନାହାନ୍ତି । ଗଣମାଧ୍ୟମର ପ୍ରଭାବ କେବେ ନ୍ୟାୟପାଳିକା ଉପରେ ରହିବା ଆବଶ୍ୟକ ନୁହେଁ । ନ୍ୟାୟପାଳିକା ତର୍କ ଓ ପ୍ରମାଣ ଆଧାରିତ ଦିଗକୁ ନେଇ ନ୍ୟାୟ ପ୍ରଦାନ କରିବା ପାଇଁ ପ୍ରାୟସ କରିଥାଏ ବୋଲି ପ୍ରଧାନ ବିଚାରପତି କହିଛନ୍ତି ।

ବିଚାରପତିଙ୍କ ସୁରକ୍ଷା ପ୍ରସଙ୍ଗରେ ମଧ୍ୟ ଉଦବେଗ ପ୍ରକାଶ କରିଛନ୍ତି ପ୍ରଧାନ ବିଚାରପତି । ରାଜନେତା, ସରକାରୀ ଅଧିକାରୀ ସେବାନିବୃତ୍ତ ହେବା ପରେ ମଧ୍ୟ ସୁରକ୍ଷା ପାଉଛନ୍ତି । କିନ୍ତୁ ବିଚାରପତିଙ୍କ କ୍ଷେତ୍ରରେ ତାହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି । ବିଭିନ୍ନ ସମ୍ବେଦନଶୀଳ ପ୍ରସଙ୍ଗରେ ରାୟ ପ୍ରଦାନ ପରେ ବିଚାରପତିଙ୍କୁ ଧମକ ଓ ଆକ୍ରମଣ ଆଦି ଘଟଣା ସାମ୍ନାକୁ ଆସୁଛି ବୋଲି ଜଷ୍ଟିସ ରମଣା କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.