ETV Bharat / bharat

Chandrababu Naidu remand: ରାଜ୍ୟବ୍ୟାପୀ ବନ୍ଦ ଡାକରା ଦେଲା TDP, ବିଭିନ୍ନ ସ୍ଥାନରେ 144 ଜାରି

author img

By ETV Bharat Odisha Team

Published : Sep 10, 2023, 10:52 PM IST

Chandrababu Naidu remand: ରାଜ୍ୟବ୍ୟାପୀ ବନ୍ଦ ଡାକରା ଦେଲା TDP, ବିଭିନ୍ନ ସ୍ଥାନରେ 144 ଜାରି
Chandrababu Naidu remand: ରାଜ୍ୟବ୍ୟାପୀ ବନ୍ଦ ଡାକରା ଦେଲା TDP, ବିଭିନ୍ନ ସ୍ଥାନରେ 144 ଜାରି

ଚନ୍ଦ୍ରବାବୁ ନାଇଡୁଙ୍କ ଗିରଫଦାରୀ ପରେ ତାତୁଛି ଆନ୍ଧ୍ର । ଆସନ୍ତାକାଲି ରାଜ୍ୟବ୍ୟାପୀ ବନ୍ଦ ଡାକରା ଦେଲା TDP । ବିଭିନ୍ନ ସ୍ଥାନରେ 144 ଜାରି । ଗତକାଲି ଗିରଫ ପରେ ଆଜି ରିମାଣ୍ଡରେ ଯାଇଛନ୍ତି ଚନ୍ଦ୍ରବାବୁ । ଅଧିକ ପଢନ୍ତୁ

ଅମରାବତୀ: ଦୁର୍ନୀତି ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁଙ୍କ ଗିରଫଦାରୀ ପରେ ରାଜ୍ୟରେ ରାଜନୈତିକ ପାରା ଚଢିବାରେ ଲାଗିଛି । ଏହାକୁ ରାଜନୈତିକ ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ ଅଭିଯୋଗରେ ଆସନ୍ତାକାଲି (ସୋମବାର) ରାଜ୍ୟବ୍ୟାପୀ ବନ୍ଦ ଡାକରା ଦେଇଛି ଚନ୍ଦ୍ରବାବୁଙ୍କ ଦଳ ତେଲଗୁ ଦେଶମ ପାର୍ଟି (ଟିଡିପି) । ଏହାକୁ ନଜରରେ ରଖି ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାକଡି କରାଯାଇଛି । ଏକାଧିକ ସ୍ଥାନରେ 144 ଜାରି କରିଛି ପୋଲିସ । ପ୍ରତିବାଦ କିମ୍ବା କୌଣସି କାର୍ଯ୍ୟକ୍ରମ ବିନା ଅନୁମତି ନହେବା ପାଇଁ ପୋଲିସ ସମସ୍ତ ବ୍ୟବସ୍ଥା ଗ୍ରହଣ କରିଛି ।

ଆଇନ ଶୃଙ୍ଖଳା ସ୍ଥିତିକୁ ନଜରରେ ରଖି ପୋଲିସ ଓ ସ୍ଥାନୀୟ ପ୍ରଶାସନର ଅନୁମତି ବିନା କୌଣସି ରାଜନୈତିକ କିମ୍ବା ବିକ୍ଷୋଭ ଶୋଭାଯାତ୍ରା ବାହାର ନକରିବାକୁ ପୋଲିସ ନିର୍ଦ୍ଦେଶନାମା ଜାରି କରିଛି । ସେହିପରି ସମ୍ବେଦନଶୀଳ ସ୍ଥାନ ତଥା ଟିଡିପିର ପ୍ରଭାବ ଥିବା ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ବଢ଼ାଯିବା ସହ ଆଗୁଆ ଧାରା 144 ମଧ୍ୟ ଜାରି କରାଯାଇଛି । ଅନାବଶ୍ୟକ ଭାବେ ଏକାଠି ହେବା କିମ୍ବା କୌଣସି ସଭାସମିତି ଆୟୋଜନ କରିବା ଉପରେ କଟକଣା ଜାରି କରାଯାଇଛି ।

ତଦନ୍ତକାରୀ ସଂସ୍ଥାର ଅଭିଯୋଗ କହିବାନୁସାରେ, ଆନ୍ଧ୍ର ପ୍ରଦେଶରେ ଦକ୍ଷତା ବିକାଶ ଅଭିଯାନ ଅନ୍ତର୍ଗତ କ୍ଲଷ୍ଟର ଅଫ୍ ସେଣ୍ଟର୍ସ ଅଫ୍ ଏକ୍ସଲେନ୍ସ (CoEs) ପ୍ରତିଷ୍ଠା ସମୟରେ ଏହି ଦୁର୍ନୀତି ହୋଇଥିଲା । ଏହି ପ୍ରକଳ୍ପର ମୋଟ ଅଟକଳ ମୂଲ୍ୟ ଥିଲା 3,300 କୋଟି ଟଙ୍କା । ତେବେ ଏଥିରେ ଦୁର୍ନୀତି କରାଯାଇ ପ୍ରାୟ 300 କୋଟି ଟଙ୍କା ଆତ୍ମସାତ କରାଯାଇଥିଲା । ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଭାବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ନାମରେ ବର୍ଷ 2021ରେ ମାମଲା ଦାଏର ହୋଇଥିଲା ।

ଏହି ମାମଲାରେ ତଦନ୍ତ ପରିସରରେ ଥିବା ଚନ୍ଦ୍ରବାବୁ ନାଇଡୁଙ୍କୁ ଗତକାଲି (ଶନିବାର) ସକାଳ ୬ଟାରେ ରାଜ୍ୟ ସଆଇଡି ବିଭାଗର ଟିମ୍‌ ତାଙ୍କୁ ନନ୍ଦାୟାଲାରୁ ଗିରଫ କରିଥିଲା । ପରେ ତାଙ୍କୁ ତଦନ୍ତକାରୀ ସଂସ୍ଥା କାର୍ଯ୍ୟାଳୟରେ ରଖିବା ସହ ପ୍ରାଥମିକ ଜେରା କରିଥିଲା । ତାଙ୍କୁ ଲିଗାଲ ଟିମ୍‌ ସହ ଯୋଗାଯୋଗ କରିବା ପାଇଁ ସୁଯୋଗ ଦେବାକୁ ଚନ୍ଦ୍ରବାବୁ ନାଇଡ଼ୁ ଅନୁରୋଧ ମଧ୍ୟ କରିଥିଲେ । ସଂଧ୍ୟାରେ ତାଙ୍କ ପରିବାର ସଦସ୍ୟ ତାଙ୍କୁ CID ମୁଖ୍ୟାଳୟରେ ଭେଟି ଆଲୋଚନା କରିଥିଲେ ।

ଏହା ମଧ୍ୟ ପଢନ୍ତୁ :- Corruption Case: ମିଳିଲାନି ବେଲ, ଚନ୍ଦ୍ରବାବୁ ନାଇଡୁଙ୍କୁ 14 ଦିନିଆ ରିମାଣ୍ଡରେ ନେଲା CID

ଆଜି ତାଙ୍କୁ କୋର୍ଟରେ ହାଜର କରିଥିଲା ତଦନ୍ତକାରୀ ସଂସ୍ଥା । ତାଙ୍କୁ ବେଲ ପ୍ରଦାନ କରିବା କିମ୍ବା ଗୃହବନ୍ଦୀ ଭାବେ ରଖି ତଦନ୍ତ ଜାରି ରଖିବା ପାଇଁ ଚନ୍ଦ୍ରବାବୁଙ୍କ ଓକିଲ କୋର୍ଟରେ ଆବେଦନ କରିଥିଲେ । ହେଲେ ତାଙ୍କ ବେଲ ଆବେଦନ ଖାରଜ କରାଯିବା ସହ ତାଙ୍କୁ ଅଧିକ ଜେରା ପାଇଁ ତଦନ୍ତକାରୀ ସଂସ୍ଥାକୁ 14 ଦିନ ପର୍ଯ୍ୟନ୍ତ ରିମାଣ୍ଡରେ ଦେଇଥିଲେ କୋର୍ଟ । ଏହା ପରେ ରାଜନୈତିକ ପ୍ରତିକ୍ରିୟା ପ୍ରକାଶ ପାଇବା ଆରମ୍ଭ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.