ETV Bharat / bharat

ହାଇକୋର୍ଟରୁ ଅମର୍ତ୍ତ୍ୟ ସେନଙ୍କୁ ଆଶ୍ବସ୍ତି, ବିଶ୍ବ ଭାରତୀର ଉଚ୍ଛେଦ ନୋଟିସ୍ ଉପରେ ରହିତାଦେଶ ଜାରି

author img

By

Published : May 5, 2023, 1:30 PM IST

ବିଶ୍ବ ଭାରତୀ-ଅମର୍ତ୍ତ୍ୟ ସେନ ଜମି ବିବାଦ ମାମଲା । ଉଚ୍ଛେଦ ନୋଟିସ୍ ଉପରେ ରହିତାଦେଶ ଜାରି କଲେ କୋଲକାତା ହାଇକୋର୍ଟ । ଅଧିକ ପଢନ୍ତୁ

ବିଶ୍ବ ଭାରତୀ-ଅମର୍ତ୍ତ୍ୟ ସେନ ଜମି ବିବାଦ ମାମଲା
ବିଶ୍ବ ଭାରତୀ-ଅମର୍ତ୍ତ୍ୟ ସେନ ଜମି ବିବାଦ ମାମଲା

କୋଲକାତା: ନୋବେଲ ବିଜେତା ଅର୍ଥନୀତିଜ୍ଞ ଅମର୍ତ୍ତ୍ୟ ସେନଙ୍କୁ ଆଶ୍ବସ୍ତି । ବିଶ୍ବ ଭାରତୀ ବିଶ୍ବବିଦ୍ୟାଳୟର ଉଚ୍ଛେଦ ନୋଟିସ୍ ଉପରେ ରହିତାଦେଶ ଜାରି କଲେ କୋଲକାତା ହାଇକୋର୍ଟ । ମେ' ୬ ତାରିଖ ସୁଦ୍ଧା ଜାଗା ଖାଲି କରିବାକୁ ବିଶ୍ବବିଦ୍ୟାଳୟ ନିର୍ଦ୍ଦେଶ ଦେଇଥିବା ବେଳେ କୋର୍ଟ ଏଥିରେ ରୋକ୍ ଲଗାଇଛନ୍ତି । ଅର୍ଥାତ୍ ଜମି ବିବାଦ ମାମଲାରେ ବିଶ୍ବ ଭାରତୀ ଅମର୍ତ୍ତ୍ୟ ସେନଙ୍କ ବିରୋଧରେ କୌଣସି ତତ୍କାଳ କାର୍ଯ୍ୟାନୁଷ୍ଠାନ ନେଇପାରିବ ନାହିଁ । ଆସନ୍ତା ୧୦ରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ । ପୂର୍ବରୁ ମେ' ୧୫ରେ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଥିଲା ।

ହାଇକୋର୍ଟ ବିଚାରପତି ବିଭାସ ରଞ୍ଜନ ଦେ କହିଛନ୍ତି, ଅମର୍ତ୍ତ୍ୟ ସେନଙ୍କୁ ଜାଗା ଖାଲି କରିବାକୁ ନିର୍ଦ୍ଦେଶ ଉପରେ ସୁରି କୋର୍ଟ ଦେଇଥିବା ନିଲମ୍ବନ ଆଦେଶ ମାମଲା ସମାଧାନ ନହେବା ପର୍ଯ୍ୟନ୍ତ ବଳବତ୍ତର ରହିବ । ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶକୁ ବିଶ୍ବ ଭାରତୀ ବିଶ୍ବବିଦ୍ୟାଳୟ ବିରୋଧ କରିଛି । ଆଇନଜୀବୀ ସୁଚରିତା ବିଶ୍ବାସ ଯୁକ୍ତି ବାଢିଛନ୍ତି ଯେ, ଏହି ଜମି ବିବାଦ ମାମଲାର ଶୁଣାଣି ପାଇଁ ସୁରି କୋର୍ଟଙ୍କ ଅଧିକାର ନାହିଁ । ସମ୍ପୃକ୍ତ ଜମିରେ ଯଥା ସ୍ଥିତି ବଜାୟ ରଖିବାକୁ ସମ୍ପୃକ୍ତ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହାର ଅର୍ଥ ସେନଙ୍କ ବିରୋଧରେ କୌଣସି କାର୍ଯ୍ୟନୁଷ୍ଠାନ ହେବନି । ଏପରିକି କୋଲକାତା ହାଇକୋର୍ଟ ମଧ୍ୟ ମାମଲାର ଶୁଣାଣି କରିପାରିବେ ନାହିଁ ବୋଲି କହିଛନ୍ତି ଆଇନଜୀବୀ ।

ଅନ୍ୟପଟେ ବିଶ୍ବ ଭାରତୀର ଉଚ୍ଛେଦ ନୋଟିସ୍ ଉପରେ ଅମର୍ତ୍ତ୍ୟ ସେନଙ୍କ ଓକିଲ ଆପତ୍ତି ଉଠାଇ କହିଛନ୍ତି, ଆସନ୍ତା ୧୫ରେ ମାମଲାର ଶୁଣାଣି ପୂର୍ବରୁ ମେ' ୬ ସୁଦ୍ଧା ଜାଗା ଖାଲି କରିବାକୁ ନୋଟିସ୍ ଆସିଛି । ଏହା ଗ୍ରହଣୀୟ ନୁହେଁ ବୋଲି ଓକିଲ ଯୁକ୍ତି ବାଢିଛନ୍ତି । ଗତକାଲି(ଗୁରୁବାର) ଦୁଇ ପକ୍ଷର ଯୁକ୍ତି ଶୁଣିବା ପରେ ହାଇକୋର୍ଟ ଆସନ୍ତା ୧୦ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି ।

ସୂଚନାଯୋଗ୍ୟ, ଅମର୍ତ୍ତ୍ୟ ସେନ ବିଶ୍ବ ଭାରତୀ ଅଧିନରେ ଥିବା ଶାନ୍ତି ନିକେତନ କ୍ୟାମ୍ପସର ୧.୩୮ ଏକର ଜାଗା ଦଖଲରେ ରଖିଛନ୍ତି । ବିଶ୍ବକବି ରବିନ୍ଦ୍ରନାଥ ଟାଗୋରଙ୍କ ପୁଅ ରଥିନ୍ଦ୍ରନାଥ ଅମର୍ତ୍ତ ସେନଙ୍କ ବାପା ଆଶୁତୋଷ ସେନଙ୍କୁ ୯୯ ବର୍ଷ ପାଇଁ ଏହି ଜମି ଲିଜ୍ ଦେଇଥିଲେ । ଯାହା ଉପରେ ଆଶୁତୋଷ ପ୍ରାତିଚି ବାସଭବନ ନିର୍ମାଣ କରିଥିଲେ । ଏବେ ନୋବେଲ ବିଜେତାଙ୍କୁ ଜାଗା ଖାଲି କରିବାକୁ ବିଶ୍ବ ଭାରତୀ ନିର୍ଦ୍ଦେଶ ଦେଇଛି । ଏହାକୁ ଚ୍ୟାଲେଞ୍ଜ କରି ସେନ ସୁରି କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ପରେ ମାମଲା ହାଇକୋର୍ଟରେ ପହଞ୍ଚିଥିଲା । ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ମାମଲାର ଶୁଣାଣି ସ୍ଥଗିତ ରଖିଛନ୍ତି ଉଚ୍ଚ ଅଦାଲତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.