ETV Bharat / bharat

ED ରେ ହାଜର ହେଲେନି କେଜ୍ରିଓ୍ବାଲ: କହିଲେ 'ବ୍ୟସ୍ତ ଅଛି, ଜେରା ପାଇଁ ପଠାନ୍ତୁ ଲିଖିତ ପ୍ରଶ୍ନ'

author img

By ETV Bharat Odisha Team

Published : Jan 3, 2024, 7:17 PM IST

Kejriwal reply to ED: ବିଭିନ୍ନ କାମରେ ବ୍ୟସ୍ତ । ଲିଖିତରେ ପ୍ରଶ୍ନାବଳୀ ପଠାଇଲେ ତଦନ୍ତରେ ସହଯୋଗ କରିବେ । ଆଜି ହାଜର ପାଇଁ ତୃତୀୟ ସମନରେ ଇଡିକୁ ଏପରି ପ୍ରତିଉତ୍ତର ଦେଲେ କେଜ୍ରିଓ୍ବାଲ । ଅଧିକ ପଢନ୍ତୁ

ED ରେ ହାଜର ହେବନି କେଜ୍ରିଓ୍ବାଲ: କହିଲେ ବ୍ୟସ୍ତ ଅଛନ୍ତି, ଜେରା ପାଇଁ ପ୍ରଶ୍ନ ଲିଖିତରେ ପଠାଓ
ED ରେ ହାଜର ହେବନି କେଜ୍ରିଓ୍ବାଲ: କହିଲେ ବ୍ୟସ୍ତ ଅଛନ୍ତି, ଜେରା ପାଇଁ ପ୍ରଶ୍ନ ଲିଖିତରେ ପଠାଓ

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଦିଲ୍ଲୀ ଅବକାରୀ ଘୋଟାଲା ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ନିକଟରେ ହାଜର ହେଲେନାହିଁ ସମନ ପାଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ସେ ନେଇ ତଦନ୍ତକାରୀ ସଂସ୍ଥାକୁ ଚିଠି ଲେଖି ସ୍ପଷ୍ଟ କରିଛନ୍ତି । 3 ତାରିଖ (ଆଜି)ରେ ତାଙ୍କୁ ଜେରା ହେବା ପାଇଁ ତୃତୀୟ ଥର ପାଇଁ ସମନ ଜାରି କରାଯାଇଥିଲା । ହେଲେ ସେ ଏବେ ରାଜ୍ୟସଭା ନିର୍ବାଚନ ଓ ସାଧାରଣତନ୍ତ୍ର ଦିବସ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି । ତେଣୁ ସେ ତଦନ୍ତକାରୀ ସଂସ୍ଥା କାର୍ଯ୍ୟାଳୟରେ ହାଜର ହୋଇପାରିବେ ନାହିଁ । ମାତ୍ର ସେ ତଦନ୍ତରେ ସହଯୋଗ କରିବା ପାଇଁ ପ୍ରସ୍ତୁତ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କଠାରୁ ଚାହୁଁଥିବା ମାମଲା ସହ ସମ୍ପର୍କିତ ପ୍ରଶ୍ନ ଲିଖିତ ଭାବେ ପଠାଇ ପାରିବ ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି ।

ଚିଠିରେ କେଜ୍ରିଓ୍ବାଲ ଉଲ୍ଲେଖ କରିଛନ୍ତି, ଏବେ ଜାନୁଆରୀରେ ଦିଲ୍ଲୀର 3 ରାଜ୍ୟସଭା ସାଂସଦଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି । ପାର୍ଟିର ମୁଖ୍ୟ ହୋଇଥିବା କାରଣରୁ ସେ ଏହି ନିର୍ବାଚନ ପାଇଁ ବ୍ୟସ୍ତ ଅଛନ୍ତି । ସାଧାରଣତନ୍ତ୍ର ଦିବସରେ ମଧ୍ୟ ଦିଲ୍ଲୀର ଏକାଧିକ ସ୍ଥାନରେ ବହୁ କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀ ଭାବେ ସେହି ଏହାର ପ୍ରସ୍ତୁତିରେ ପ୍ରତ୍ୟେକ୍ଷ ଭାବେ ବ୍ୟସ୍ତ ଅଛନ୍ତି । ଯଦି ମାମଲା ସମ୍ପର୍କରେ କୌଣସି ଉତ୍ତର କିମ୍ବା କାଗଜପତ୍ର ତଦନ୍ତକାରୀ ସଂସ୍ଥା ତାଙ୍କଠାରୁ ଚାହୁଁଛି, ତେବେ ଲିଖିତରେ ପଠାଇପାରିବ । ସେ ଏ ଦିଗରେ ସହଯୋଗ କରିବେ ।

ତୃତୀୟ ସମନକୁ ମନା କଲେ କେଜ୍ରିଓ୍ବାଲ:-

ତେବେ ପୂର୍ବରୁ ମଧ୍ୟ କେଜ୍ରିଓ୍ବାଲଙ୍କୁ ଦୁଇଥର ସମନ ଜାରି କରାଯାଇ ସାରିଛି । ନଭେମ୍ବର 2 ଓ ଡିସେମ୍ବର 21 ରେ ତାଙ୍କୁ ହାଜର ହେବା ପାଇଁ ସମନ ଜାରି କରାଯାଇଥିଲା । ହେଲେ ସେ ବିଭିନ୍ନ କାରଣ ଦର୍ଶାଇ ଜେରା ପାଇଁ ହାଜର ହୋଇନଥିଲେ । ଏବେ ତୃତୀୟ ସମନରେ ମଧ୍ୟ ତାଙ୍କୁ ଆଜି ହାଜର ହେବାପାଇଁ ତଦନ୍ତକାରୀ ସଂସ୍ଥା ଡାକିଥିଲା । ଆଜି ସେ ଚିଠି ଲେଖି ଏହି କାରଣ ସହ ପ୍ରଶ୍ନାବଳୀ ଲିଖିତରେ ପଠାଇବାକୁ କହିଛନ୍ତି । ତାଙ୍କ ଚିଠିର ପ୍ରତିକ୍ରିୟାରେ ତଦନ୍ତକାରୀ ସଂସ୍ଥା ଇଡି କୌଣସି ସୂଚନା ଦେଇନାହିଁ ।

ଏହା ମଧ୍ୟ ପଢନ୍ତୁ :- ଇସ୍ରାଏଲ ଏୟାର ଷ୍ଟ୍ରାଇକରେ ହମାସ ଡେପୁଟି ମୁଖ୍ୟ ନିପାତ

ପୂର୍ବରୁ ଏହି ମାମଲାରେ ଦଳର ଅନ୍ୟତମ ବରିଷ୍ଠ ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କେନ୍ଦ୍ରୀୟ ସଂସ୍ଥା ଦ୍ବାରା ଗିରଫ ହୋଇ ଏବେ ବିଚାର ବିଭାଗୀୟ ଜେଲରେ ଅଛନ୍ତି । ପୂର୍ବତନ ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ମଧ୍ୟ ଆର୍ଥିକ ହେରଫେର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ବାରା ଗିରଫ ହୋଇ ଜେଲରେ ଅଛନ୍ତି । ଉଭୟ ଗିରଫ ହେବା ପରେ ପଦରୁ ଇସ୍ତଫା ଦେଇଥିଲେ । ପରେ ଏହି କ୍ରମରେ ଦଳର ଅନ୍ୟତମ ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ସିଂଙ୍କୁ ମଧ୍ୟ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ମୁଖ୍ୟମନ୍ତ୍ରୀ ତଥା ଦଳର ପ୍ରତିଷ୍ଠାତା ଆବାହକ କେଜ୍ରିଓ୍ବାଲଙ୍କୁ ମଧ୍ୟ ସଂସ୍ଥା 3 ଥର ସମନ ଜାରି କରିସାରିଲାଣି । ଦଳ ଏହାକୁ ରାଜନୈତିକ ଇଦ୍ଦେଶ୍ୟମୂଳକ କାର୍ଯ୍ୟାନୁଷ୍ଠାନ ବୋଲି କହୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.