ETV Bharat / bharat

IIT ମାଡ୍ରାସରେ ବିଟେକ ଛାତ୍ରଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁ, କାରଣ ଅସ୍ପଷ୍ଟ

author img

By

Published : Mar 15, 2023, 7:45 AM IST

BTech student dies by suicide in IIT madras
IIT ମାଡ୍ରାସରେ ବିଟେକ ଛାତ୍ରଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁ

ଆଇଆଇଟି ମାଡ୍ରାସରେ ବିଟେକ ଛାତ୍ରଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁ । ଘଟଣାସ୍ଥଳରେ ପୋଲିସର ତଦନ୍ତ ଆରମ୍ଭ । ଅଧିକ ପଢ଼ନ୍ତୁ

ଚେନ୍ନାଇ: ଆଇଆଇଟି ମାଡ୍ରାସରେ ଅଭାବନୀୟ ଘଟଣା । ଏଠାରେ ଅଧ୍ୟୟନରତ ଜଣେ ବିଟେକ ଛାତ୍ରଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁ ଘଟିଛି । ହଷ୍ଟେଲ ରୁମ ଭିତରେ ଜୀବନ ହାରିଥିବା ନେଇ ପୋଲିସ ସୂଚନା ଦେଇଛି । ମୃତ ଛାତ୍ର ଜଣକ ହେଉଛନ୍ତି ଆନ୍ଧ୍ରପ୍ରଦେଶର ଭାଇପୁ ପୁଷ୍ପକ ଶ୍ରୀସାଇ । ସେ ମାଡ୍ରାସ ସ୍ଥିତ ଆଇଆଇଟି ଶିକ୍ଷାନୁଷ୍ଠାନରେ ବିଟେକର ତୃତୀୟ ବର୍ଷର ଛାତ୍ରଥିଲେ । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ।

ପୋଲିସର ସୂଚନା ଅନୁଯାୟୀ, ମଙ୍ଗଳବାର ପୁଷ୍ପକ ଶ୍ରୀସାଇ କ୍ଲାସ ଯାଇନଥିଲେ । ତେଣୁ ତାଙ୍କ ସହପାଠୀମାନେ ହଷ୍ଟେଲ ରୁମକୁ ଯାଇଥିଲେ । କବାଟ ବନ୍ଦ ଥିବାରୁ ଅନେକ ଥର ଡାକିବାକୁ ଚେଷ୍ଟା କରିଥିଲେ । ମାତ୍ର ସେ କବାଟ ନ ଖୋଲିବାରୁ ପୋଲିସକୁ ସୂଚନା ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ କୋଟ୍ଟୁପୁରମ ପୋଲିସ ପହଞ୍ଚି କବାଟ ଖୋଲିଥିଲା ଏବଂ ପୁଷ୍ପକ ଶ୍ରୀସାଇଙ୍କ ମୃତଦେହ ଉଦ୍ଧାର କରିଥିଲା । ମୃତଦେହ ବ୍ୟବଚ୍ଛେଦ ପାଇଁ ନିକଟସ୍ଥ ଡାକ୍ତରଖାନାକୁ ପଠାଯାଇଥିଲା । ତେବେ ପୁଷ୍ପକଙ୍କ ମୃତ୍ୟୁ ନେଇ ପରିବାର ଲୋକଙ୍କୁ ସୂଚନା ଦେଇଛି ପୋଲିସ । ଅନ୍ୟପଟେ ଏହି ଘଟଣାରେ ଏକ ମାମଲା ରୁଜୁ କରି ହଷ୍ଟେଲ ଛାତ୍ର ଏବଂ ଅଧ୍ୟାପକଙ୍କୁ ପଚରାଉଚରା କରୁଛି । ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିବା ବେଳେ ପୋଲିସ ତଦନ୍ତ କରୁଛି ।

ପୁଷ୍ପକଙ୍କ ବନ୍ଧୁଙ୍କ କହିଛନ୍ତି ଯେ, "ହଷ୍ଟେଲରେ ତାଙ୍କର ବହୁତ ବକେୟା ଅଛି । ତେଣୁ ସେ ଗତ ଦୁଇ ଦିନ ଧରି ଚିନ୍ତାରେ ଥିଲେ ।" ପୁଷ୍ପକଙ୍କ ଫୋନର ମଧ୍ୟ ଯାଞ୍ଚ କରୁଛି ପୋଲିସ । ଗତ ଏକ ମାସ ମଧ୍ୟରେ ଆଇଆଇଟି ମାଡ୍ରାସରେ ଦୁଇଟି ଆତ୍ମହତ୍ୟା ଜନିତ ଘଟଣା ସାମ୍ନାକୁ ଆସିଛି । ସୂଚନା ଅନୁଯାୟୀ, ଗତ ୬ ବର୍ଷ ମଧ୍ୟରେ ଅନୁଷ୍ଠାନର ପ୍ରାୟ ୧୧ ଜଣ ଛାତ୍ରଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁ ଘଟିଛି । ଏଭଳି ଘଟଣା ଅନ୍ୟ ଅଭିଭାବକଙ୍କ ମନରେ ଭୟ ସୃଷ୍ଟି କରିଛି । ଅନ୍ୟପଟେ ଆତ୍ମହତ୍ୟା ରୋକିବା ନେଇ ଶିକ୍ଷାନୁଷ୍ଠାନ ପରିସରରେ ଆବଶ୍ୟକ ପଦକ୍ଷେପ ନିଆଯାଉଥିବା ଆଇଆଇଟି ନିର୍ଦ୍ଦେଶକ କହିଛନ୍ତି ।

ପ୍ରକାଶ ଥାଉକି, ଗତ ମାସରେ ଆଇଆଇଟି ପୋଓ୍ବାଇରେ ମଧ୍ୟ ଜଣେ ଛାତ୍ରଙ୍କ ଆତ୍ମହତ୍ୟାଜନିତ ମୃତ୍ୟୁ ଘଟିଥିଲା । ହଷ୍ଟେଲ୍‌ ଛାତ୍ରରୁ ଡେଇଁ ଛାତ୍ର ଜଣକ ଜୀବନ ହାରିଥିବା ନେଇ ପୋଲିସ ସୂଚନା ଦେଇଥିଲା । ମୃତ ଛାତ୍ର ହେଲେ ଅହମ୍ମଦାବାଦର ଦର୍ଶନ ସୋଲାଙ୍କି, ବୟସ ୧୮ ବର୍ଷ । ସୋଲାଙ୍କି ମୁମ୍ବାଇର ଆଇଆଇଟି ପୋଓ୍ବାଇରେ ପାଠ ପଢୁଥିବା ବେଳେ ହଷ୍ଟେଲରେ ରହୁଥିଲେ । ସେ ବିଟେକ ମେକାନିକାଲ କଲେଜରେ ନାମ ଲେଖାଇ ଥିଲେ । ତେବେ କୌଣସି କାରଣ ପାଇଁ ହଠାତ ସେ ହଷ୍ଟେଲ ଛାତକୁ ଯାଇ ଡେଇଁ ପଡିଥିବା ନେଇ ପୋଲିସ ସୂଚନା ଦେଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.