ETV Bharat / bharat

ଋଷ ପ୍ରସ୍ତୁତ କଲା କୋରୋନା ଭ୍ୟାକ୍ସିନ; ଭାରତ କେବେ ?

author img

By

Published : Aug 11, 2020, 5:22 PM IST

Updated : Aug 11, 2020, 5:54 PM IST

ଭାରତର କେବେ
ଭାରତର କେବେ

ସାରା ବିଶ୍ବପାଇଁ ଋଷର ଘୋଷଣା ନୂଆ ଆଶା ସୃଷ୍ଟି କରିଛି । ମହାମାରୀ କୋରୋନା ଭ୍ୟାକ୍ସିନ ପ୍ରସ୍ତୁତ କରିଥିବା ଦାବି କରିଛନ୍ତି ରାଷ୍ଟ୍ରପତି ପୁଟିନ । ତେବେ ଭାରତର ଭ୍ୟାକ୍ସିନ ପ୍ରସ୍ତୁତି କେଉଁ ସ୍ତରରେ ରହିଛି ? କେବେ ଆସିବ ଭାରତର ନିଜସ୍ବ ଭ୍ୟାକ୍ସିନ ? ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ନୂଆଦିଲ୍ଲୀ: ଋଷ ମଙ୍ଗଳବାର ବିଶ୍ବର ପ୍ରଥମ ଦେଶ ଭାବେ କୋରୋନା ଭ୍ୟାକ୍ସିନ ସଫଳତାର ସହ ପ୍ରସ୍ତୁତ କରିଥିବା ଦାବି କରିଛି । ଏହି ଖବର ସାରା ବିଶ୍ବ ପାଇଁ ଏକ ଆଶ୍ବସ୍ତିକର ଖବର ହୋଇଥିବା ବେଳେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ବର୍ତ୍ତମାନ ସୁଦ୍ଧା ଏହାକୁ ସମ୍ପୂର୍ଣ୍ଣ ଗ୍ରୀନ ସିଗନାଲ ଦେଇନାହିଁ । ତେବେ ଭାରତରେ ମଧ୍ୟ ଭ୍ୟାକ୍ସିନକୁ ନେଇ ପରୀକ୍ଷା ନିରୀକ୍ଷା ଚାଲିଛି । ଦେଶର ଅନେକ ସ୍ଥାନରେ ହ୍ୟୁମାନ ଟ୍ରାଏଲ ମଧ୍ୟ ଆରମ୍ଭ ହୋଇଛି ।

ସ୍ବାସ୍ଥ୍ୟ ବିଭାଗ ସୂଚନାର ଆଧାର ଆନୁସାରେ ଭାରତ ବାୟୋଟେକ ମୋଟ 12 ଟି ସ୍ଥାନରେ ଭ୍ୟାକ୍ସିନ ଟ୍ରାଏଲ ଆରମ୍ଭ କରିଛି । ଯେଉଁଥିରେ ଦିଲ୍ଲୀ ଏମ୍ସ ମଧ୍ୟ ଗୋଟିଏ ସେଣ୍ଟରର ରହିଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ପ୍ରଥମ ଫେଜ ସମ୍ପୂର୍ଣ୍ଣ ହୋଇନଥିବା ବେଳେ ଦ୍ବିତୀୟ ଫେଜ ପାଇଁ ମଧ୍ୟ ଜାରି ରହିଛି ଉଦ୍ୟମ ।

କେବଳ ଦିଲ୍ଲୀରେ ବର୍ତ୍ତମାନ ସୁଦ୍ଧା 16 ଜଣ ସ୍ବେଚ୍ଛାସେବୀ ସାମନାକୁ ଆସିଛନ୍ତି । ଯେଉଁମାନେ ଭ୍ୟାକ୍ସିନ ନେବାକୁ ପ୍ରସ୍ତୁତ ଅଛନ୍ତି । ସେହିପରି ସାରା ଦେଶରେ ବର୍ତ୍ତମାନ ସୁଦ୍ଧା 377 ଜଣ ସ୍ବେଚ୍ଛାସେବୀ ପ୍ରଥମ ଫେଜର ଭ୍ୟାକ୍ସିନ ନେଇଛନ୍ତି । ଭାରତ ବାୟୋଟେକ ଆଶା ରଖିଛି ସେପ୍ଟେମ୍ବର ପ୍ରଥମ ସପ୍ତାହରେ ତୃତୀୟ ଫେଜ ଆରମ୍ଭ କରିବ । ଭାରତ ବାୟଟେକର ତତ୍ତ୍ବାବଧାନରେ ଦିଲ୍ଲୀ ବ୍ୟତୀତ ଚେନ୍ନାଇ ପାଟଣା, ବେଙ୍ଗାଲୁରୁ, ଭୁବନେଶ୍ବର, ହାଇଦ୍ରାବାଦ ଭଳି ସହରରେ ହ୍ୟୁମାନ ଟ୍ରାଏଲ ଆରମ୍ଭ ହୋଇଛି । ତେବେ କେନ୍ଦ୍ର ସରକାରଙ୍କ ନିଷ୍ଠା ବୈଜ୍ଞାନିକଙ୍କ ଉଦ୍ୟମ ଓ ସଠିକ ଗବେଷଣା ପାଇଁ ଚଳିତ ବର୍ଷ ସୁଦ୍ଧା ଭାରତ ଭ୍ୟାକ୍ସିନ ପ୍ରସ୍ତୁତ କରିପାରିବ ବୋଲି ଆଶା କରାଯାଉଛି ।

ସେପଟେ ସାରା ଦୁନିଆରେ କୋରୋନା କହର ଜାରି ରହିଛି । 2 କୋଟିରୁ ଅଧିକ ଲୋକ ଆକ୍ରାନ୍ତ ହେଲେଣୀ । ଶକ୍ତିଶାଳୀ ଦେଶ ମଧ୍ୟ କରୋନା ମାଡରେ ଧ୍ବସ୍ତ ବିଧ୍ବସ୍ତ । 7 ଲକ୍ଷ ଲୋକ ପ୍ରାଣ ହରାଇଲେଣି । ସାରା ମାନବଜାତି ଏବେ ଭ୍ୟାକ୍ସିନ ଅପେକ୍ଷାରେ । ଏପରି ସ୍ଥଳେ ଋଷର ଘୋଷଣା ସମସ୍ତଙ୍କୁ ଚକିତ କରିଛି । କାହିଁକି ନା ଜୁଲାଇ ମାସରେ ଋଷ ତୃତୀୟ ଫେଜ ଟ୍ରାଏଲରେ ଥିଲା । ଆଉ ଆଜି( ଅଗଷ୍ଟ 11 ମଙ୍ଗଳବାର) ଭ୍ୟାକ୍ସିନ ପ୍ରସ୍ତୁତ କରିଥିବା ଘୋଷଣା କରିବା ସମସ୍ତଙ୍କ ମନରେ ନୂଆ ଆଶା ସୃଷ୍ଟି କରିଛି । ତେବେ ଋଷର ଭ୍ୟାକ୍ସିନ କେବଳ ଏବେ ଋଷରେ ହିଁ ସୀମିତ ରହିବ । ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଅନୁମତି ମିଳିବା ପରେ ହିଁ ଏହା ଅନ୍ୟଦେଶକୁ ରପ୍ତାନୀ କରି ପାରିବ ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Aug 11, 2020, 5:54 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.