ETV Bharat / bharat

ମହିଳା ଜନନାଙ୍ଗ ବିକୃତି ବିରୋଧୀ ସଚେତନତା ଦିବସ

author img

By

Published : Feb 6, 2021, 3:50 PM IST

ପ୍ରତିବର୍ଷ ଫେବୃଆରୀ ୬ ତାରିଖରେ ଫିମେଲ ଜେନିଟାଲ ମୁଟିଲେସନ ବିରୋଧୀ ଶୂନ୍ୟ ସହିଷ୍ଣୁତା ଦିବସ –ଏଫଜିଏମ ପାଳନ କରାଯାଏ । ମହିଳା ଜନନାଙ୍ଗ ବିକୃତିର କୁପ୍ରଭାବ ସଂପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଏହି ଦିବସ ପାଳନ ହୋଇଆସୁଛି । ଏହି କୁତ୍ସିତ ପ୍ରଥା ଶେଷ କରିବାକୁ ସମସ୍ତ ପ୍ରକାର ଉଦ୍ୟମ ହୋଇଆସୁଛି । ୨୦୩୦ ସୁଦ୍ଧା ବିଶ୍ୱରୁ ଏହି ପ୍ରଥା ଲୋପ ପାଇଁ ମିଳିତ ଉଦ୍ୟମ ଉପରେ ଗୁରୁତ୍ୱାରୋପ କରିଛନ୍ତି ଜାତିସଂଘ ମହାସଚିବ ଆଂଟୋନିଓ ଗୁଟେରେସ । ଏହି ପ୍ରଥା ଲୋପ ପାଇଲେ ହିଁ ଝିଅ ଓ ମହିଳାଙ୍କ ସ୍ୱାସ୍ଥ୍ୟ, ଶିକ୍ଷା ଓ ଅର୍ଥନୈତିକ ଅଗ୍ରଗତି ଉପରେ ସକାରାତ୍ମକ ପ୍ରଭାବ ପକାଇବ ବୋଲି ଜାତିସଂଘ ମହାସଚିବ ନିଜ ବାର୍ତ୍ତାରେ କହିଛନ୍ତି । ଧର୍ମ ଓ ପରମ୍ପରା ନାଁରେ ମହିଳାମାନଙ୍କୁ ଶୋଷଣ କରିବା ବନ୍ଦ ହେବା ଜରୁରୀ ବୋଲି ଜାତିସଂଘ ମହାସଚିବ ।

ମହିଳା ଜନନାଙ୍ଗ ବିକୃତି ବିରୋଧୀ ସଚେତନତା ଦିବସ
ମହିଳା ଜନନାଙ୍ଗ ବିକୃତି ବିରୋଧୀ ସଚେତନତା ଦିବସ

ପ୍ରତିବର୍ଷ ଫେବୃଆରୀ ୬ ତାରିଖରେ ଫିମେଲ ଜେନିଟାଲ ମୁଟିଲେସନ ବିରୋଧୀ ଶୂନ୍ୟ ସହିଷ୍ଣୁତା ଦିବସ–ଏଫଜିଏମ ପାଳନ କରାଯାଏ । ମହିଳା ଜନନାଙ୍ଗ ବିକୃତିର କୁପ୍ରଭାବ ସଂପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଏହି ଦିବସ ପାଳନ ହୋଇଆସୁଛି । ଏହି କୁତ୍ସିତ ପ୍ରଥା ଶେଷ କରିବାକୁ ସମସ୍ତ ପ୍ରକାର ଉଦ୍ୟମ ହୋଇଆସୁଛି । ୨୦୩୦ ସୁଦ୍ଧା ବିଶ୍ୱରୁ ଏହି ପ୍ରଥା ଲୋପ ପାଇଁ ମିଳିତ ଉଦ୍ୟମ ଉପରେ ଗୁରୁତ୍ୱାରୋପ କରିଛନ୍ତି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ । ଏହି ପ୍ରଥା ଲୋପ ପାଇଲେ ହିଁ ଝିଅ ଓ ମହିଳାଙ୍କ ସ୍ୱାସ୍ଥ୍ୟ, ଶିକ୍ଷା ଓ ଅର୍ଥନୈତିକ ଅଗ୍ରଗତି ଉପରେ ସକାରାତ୍ମକ ପ୍ରଭାବ ପକାଇବ ବୋଲି ଜାତିସଂଘ ମହାସଚିବ ନିଜ ବାର୍ତ୍ତାରେ କହିଛନ୍ତି । ଧର୍ମ ଓ ପରମ୍ପରା ନାଁରେ ମହିଳାମାନଙ୍କୁ ଶୋଷଣ କରିବା ବନ୍ଦ ହେବା ଜରୁରୀ ବୋଲି ଜାତିସଂଘ ମହାସଚିବ ।

ମିଳିତ ଜାତିସଂଘ ଅନୁସାରେ - ଫିମେଲ ଜେନିଟାଲ ମୁଟିଲେସନ-ଏଫଜିଏମ ହେଉଛି ଏପରି ଏକ ପ୍ରକ୍ରିୟା, ଯାହା ଦ୍ୱାରା କି ମହିଳା ଜନନାଙ୍ଗ ବିକୃତି କରାଯାଇଥାଏ ବା ଏଥିରେ ପରିବର୍ତ୍ତନ କରାଯାଏ । ଏହା ପଛରେ ଥାଏ ସଂପୂର୍ଣ୍ଣ ଅଣ ମେଡିକାଲ କାରଣ । ମହିଳା ଜନନାଙ୍ଗ ବିକୃତିକରଣ ମାନବାଧିକାର ଉଲ୍ଲଙ୍ଘନ ବୋଲି ବିବେଚିତ ହୁଏ । ଯେଉଁମାନଙ୍କର ଫିମେଲ ଜେନିଟାଲ ମୁଟିଲେସନ ହୁଏ, ସେମାନେ ଅତ୍ୟଧିକ ଯନ୍ତ୍ରଣା ଭୋଗିଥାଆନ୍ତି । ବିଭିନ୍ନ ସଂକ୍ରମଣ, ରକ୍ତସ୍ରାବ, ପରିସ୍ରାଜନିତ କଷ୍ଟ ଅନୁଭବ କରନ୍ତି ଝିଅମାନେ । ସେମାନଙ୍କ ମାନସିକ ସ୍ଥିତି ବି ଠିକ୍ ରହେନାହିଁ । ଏତଦବ୍ୟତୀତ ସେମାନଙ୍କ ଯୌନ ଓ ସନ୍ତାନ ପ୍ରସବ କ୍ଷମତା ପ୍ରତି ବି ବିପଦ ସୃଷ୍ଟି ହୁଏ ।

ମହିଳା ଜନନାଙ୍ଗ ବିରୋଧରେ ଶୂନ୍ୟ ସହିଷ୍ଣୁତା ଦିବସର ଇତିହାସ

୧୯୯୭ରେ ମହିଳା ଜନନାଙ୍ଗ ବିକୃତ ପ୍ରଥା ବିରୋଧରେ ୟୁନିସେଫ ଓ ୟୁଏନଏଫପିଏ ସହ ମିଳିତ ଭାବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବିବୃତ୍ତି ଜାରି କରିଥିଲା । ଆଉ ସେବେଠାରୁ ଏହି ଘୃଣ୍ୟ ପ୍ରଥା ବନ୍ଦ କରିବା ପାଇଁ ଆନ୍ତର୍ଜାତିକ ସ୍ତରରେ ଉଦ୍ୟମ ହୋଇଆସୁଛି । ୨୦୦୭ ମସିହାରେ ଏଫଜିଏମ ବିରୋଧରେ ୟୁଏନଏଫପିଏ ଓ ୟୁନିସେଫ ମିଳିତ ଭାବେ ଏକ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ୨୦୧୨ ମସିହାରେ ଜାତିସଂଘର ସାଧାରଣ ସଭାରେ ଫିମେଲ ଜେନିଟାଲ ମୁଟିଲେସନ-ଏଫଜିଏମ ବିରୋଧରେ ଏକ ପ୍ରସ୍ତାବ ଗୃହୀତ ହୋଇଥିଲା ଓ ପ୍ରତିବର୍ଷ ଫେବୃଆରୀ ୬ ତାରିଖକୁ ଏଫଜିଏମ ବିରୋଧରେ ସଚେତନତା ଦିବସ ପାଳନ ପାଇଁ ନିଷ୍ପତ୍ତି ହୋଇଥିଲା ।

ଏ ବର୍ଷ ମଧ୍ୟ ୟୁନିସେଫ ଓ ୟୁଏନଏଫପିଏ ମିଳିତ ଭାବେ ଏଫଜିଏମ ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି । ଇଣ୍ଟର ଆଫ୍ରିକାନ କମିଟି ଅନ୍ ଟ୍ରେଡିସନାଲ ପ୍ରାକ୍ସିସେସ (ଆଇଏସି) ସହ ହାତ ମିଳାଇଛନ୍ତି ଦୁଇ ସଂଗଠନ । ଏ ବର୍ଷ ଏଫଜିଏମ ସଚେତନତା ଦିବସର ଥିମ ରହିଛି – ‘‘ନୋ ଟାଇମ ଫର୍ ଗ୍ଲୋବାଲ ଇନଆକସନ୍ , ୟୁନାଇଟ୍‌, ଫଣ୍ଡ୍ ଆଣ୍ଡ୍ ଆକ୍ଟ ଟୁ ଏଣ୍ଡ ଫିମେଲ ମୁଟିଲେସନ’’ । ପ୍ରତିବର୍ଷ ଆଜିର ଦିନରେ ‘ଏ ପିସ ଅଫ ମି’ ଅଭିଯାନ ଜରିଆରେ ୟୁଏନଏଫପିଏ ବିଭିନ୍ନ ସଚେତନମୂଳକ କାର୍ଯ୍ୟକ୍ରମ ଆୟୋଜନ କରେ ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ପ୍ରତିବର୍ଷ ମହିଳା ଓ ଝିଅମାନଙ୍କର ଏଫଜିଏମ ଜନିତ ପାଶ୍ୱର୍ ପ୍ରତିକ୍ରିୟା ପାଇଁ ଅନ୍ତତଃ ୧ ଦଶମିକ ୪ ବିଲିଅନ ଆମେରିକୀୟ ଡଲାର ଖର୍ଚ୍ଚ ହୋଇଥାଏ । ଏକ ହିସାବ ଅନୁସାରେ ପ୍ରତିବର୍ଷ ୨ ଶହ ମିଲିଅନ ମହିଳା ଓ ଝିଅ ଏଫଜିଏମର ସମ୍ମୁଖୀନ ହୋଇଥାଆନ୍ତି । ପରମ୍ପରା ଓ ଅଣ ମେଡିକାଲ କାରଣ ଯୋଗୁଁ ହିଁ ଏଫଜିଏମ ହୁଏ । ଜାତିସଂଘ ଅନୁସାରେ କେବଳ ଚଳିତ ବର୍ଷ ହିଁ ବିଶ୍ୱର ୪ ଦଶମିକ ୧୬ ମିଲିଅମ ଝିଅ ଫିମେଲ ଜେନିଟାଲ ମୁଟିଲେସନର ସମ୍ମୁଖୀନ ହେବା ଆଶଙ୍କା ରହିଛି । ୟୁନିସେଫ ଅନୁସାରେ ବିଶ୍ୱରେ ଏଫଜିଏମ ପୀତିତ ଏକ ଚତୁର୍ଥାଂଶ ଅର୍ଥାତ ୫ କୋଟି ୨ ଲକ୍ଷ ମହିଳା ଓ ଝିଅ ବିଭିନ୍ନ କାରଣରୁ ସ୍ୱାସ୍ଥ୍ୟ ସେବା ପାଆନ୍ତି ନାହିଁ । ଆଫ୍ରିକା ଓ ମଧ୍ୟପ୍ରାଚ୍ୟର ୩୦ଟି ଦେଶରେ ଫିମେଲ ଜେନିଟାଲ ମୁଟିଲେସନ ବା ମହିଳା ଜନନାଙ୍ଗ ବିକୃତ ପ୍ରଥା ରହିଥିଲେ ମଧ୍ୟ ସାରାବିଶ୍ୱରେ ଏହା ଏକ ସମସ୍ୟା ଭାବେ ମୁଣ୍ଡ ଟେକିଛି ।

ଏଫଜିଏମ କ’ଣ ଓ ଏହା କିପରି ହାନିକାରକ ?

ଫିମେଲ ଜେନିଟାଲ ମୁଟିଲେସନ ହେଉଛି ଏକ ଯନ୍ତ୍ରଣାଦାୟକ ପ୍ରକ୍ରିୟା । ଏଥିରେ ମହିଳାଙ୍କ ଭଲଭାରେ ଥିବା କ୍ଲିଟୋରିସ ନାମକ ଅଂଶକୁ ବ୍ଲେଡ ଦ୍ୱାରା ହଟାଇ ଦିଆଯାଏ ବା ଭଲଭାକୁ ସିଲାଇ ଦିଆଯାଏ । ନ ହେଲେ ସଂପୂର୍ଣ୍ଣ ଅଂଶକୁ ପୁରା ହଟାଇ ଦିଆଯାଏ । ଏହି ପ୍ରକ୍ରିୟା ବେଳେ ଆନାସ୍ଥେସିଆର ଦରକାର ପଡେ ନାହିଁ । ଏହି ପ୍ରକ୍ରିୟା ବେଶ ଯନ୍ତ୍ରଣାଦାୟକ ଓ ମହିଳା ବା ଝିଅ ପ୍ରକ୍ରିୟା ବେଳେ ଚେତନ ଅବସ୍ଥାରେ ଥାଆନ୍ତି । ଏହି ପ୍ରକ୍ରିୟା ଜନ୍ମରୁ ୧୫ ବର୍ଷ ମଧ୍ୟରେ ସାଧାରଣତଃ କରାଯାଏ । ଜନନାଙ୍ଗ ବିକୃତି ପରେ ମହିଳା ବା ଝିଅଙ୍କର ଡିମ୍ବାଣୁରେ ଲମ୍ଫ ସୃଷ୍ଟି ହୋଇଯାଏ । ସେମାନଙ୍କୁ ପରସ୍ରା ବେଳେ ଯନ୍ତ୍ରଣା ହୁଏ । ମାସିକ ଧର୍ମରେ ସମସ୍ୟା ସୃଷ୍ଟି ହୁଏ । ଶାରୀରିକ ସଂପର୍କ ବେଳେ ବି ସେମାନେ ସମସ୍ୟାର ସମ୍ମୁଖୀନ ହୁଅନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ଜେନିଟାଲ ମୁଟିଲେସନ ଦ୍ୱାରା ମହିଳା ବା ଝିଅଙ୍କଠାରେ ଦୁଇ ପ୍ରକାରର ପାର୍ଶ୍ବପ୍ରତିକ୍ରିୟା ଦେଖାଯାଏ । ବାଂଝପଣ, ଭାଜିନାଲ ଇନଫେକ୍ସ ଓ ଏଚଆଇଭି ପଜିଟିଭ ଭଳି ସମସ୍ୟାର ସମ୍ମୁଖୀନ ହୋଇଥାଆନ୍ତି ଏଫଜିଏମ କରିଥିବା ମହିଳା ଓ ଝିଅ ।

ଏଫଜିଏମ ବିରୋଧରେ ଆଇନ

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବୈଜ୍ଞାନିକ ଡକ୍ଟର ଖ୍ରୀଷ୍ଟିନା ପେଲିଟୋଙ୍କ ଅନୁସାରେ ଏଫଜିଏମ ବିରୋଧରେ ଅନେକ ଦେଶରେ ଆଇନ ରହିଛି । ୧୯୯୭ରେ ଆଫ୍ରିକା ଓ ମଧ୍ୟପ୍ରାଚ୍ୟର ୨୬ଟି ଦେଶ ଏହି ପ୍ରଥା ଲୋପ ପାଇଁ ଆଇନ ପ୍ରଣୟନ କରିଥିଲେ । କିନ୍ତୁ ଏବେ ବି ୩୩ଟି ଦେଶରେ ଏହି ପ୍ରଥା ଏବେ ବି ରହିଆସିଛି । ୟୁନିସେଫ ଅନୁସାରେ ଗତ ଦୁଇ ଦଶକରେ ଏଫଜିଏମ ମାମଲା ସଂଖ୍ୟା ଦୁଇଗଣ ବଢିଛି , ଯାହା କି ବଡ ଚିନ୍ତାର ବିଷୟ । ଭାରତରେ ମଧ୍ୟ ଏକ ନିର୍ଦ୍ଦିଷ୍ଟ ସଂପ୍ରଦାୟରେ ଜେନିଟାଲ ମୁଟିଲେସନ ପ୍ରଥା ରହିଆସିଛି । ଏହା ବିରୋଧରେ ଅନେକ ସାମାଜିକ ସଂଗଠନ ଅଭିଯାନ ଚଳାଇଛନ୍ତି । ଏଫଜିଏମ ବିରୋଧରେ ଆଇନ ପ୍ରଣୟମ ପାଇଁ ଦାବି ହୋଇଛି ।

କୋଭିଡ-୧୯ ଓ ଏଫଜିଏମ

୨୦୨୦ରେ କୋଭିଡ-୧୯ ମହାମାରୀ ମହିଳା ଓ ଝିଅଙ୍କ ସ୍ୱାସ୍ଥ୍ୟ ଉପରେ ନକରାତ୍ମକ ପ୍ରଭାବ ପକାଇଥିଲା । ଆଉ ଏଫଜିଏମ ମାମଲା ସଂଖ୍ୟା ବି ବୃଦ୍ଧି ପାଇଥିଲା । ସଚେତନତା ଅଭିଯାନ ସତ୍ତ୍ୱେ ବିଶ୍ୱରେ ଏବେ ବି ଏହି କୁତ୍ସିତ ପ୍ରଧା ପରମ୍ପରା ଓ ଧର୍ମ ନାଁରେ ଚଳିଆସୁଛି, ଯାହା କି ଚିନ୍ତାର ବିଷୟ । ତେଣୁ ସଚେତନତା ଅଭିଯାନ ଆହୁରି ଆକ୍ରମଣାତ୍ମକ ଭାବେ ଚଳାଇବା ଜରୁରୀ ମନେ ହୁଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.