ETV Bharat / bharat

ମାନସିକ ସୁସ୍ଥତାର କାରଣ ଯୋଗ

author img

By

Published : May 22, 2020, 5:30 PM IST

ମାନସିକ ସୁସ୍ଥତାର କାରଣ ଯୋଗ
ମାନସିକ ସୁସ୍ଥତାର କାରଣ ଯୋଗ

ମୁଭମେଣ୍ଟ ଯୋଗ ଦ୍ବାରା ଶରୀରରେ ରକ୍ତ ସଞ୍ଚାଳନ ଠିକ୍ ହୋଇଥାଏ । ଏହାସହ ହାର୍ଟ ରୋଗ ସବୁ ଦୂର ହୋଇଥାଏ । ଫଳରେ ଆମ ମସ୍ତିଷ୍କ ଶାନ୍ତ ଭାବେ କାମ କରିଥାଏ । ଅଧିକ ପଢନ୍ତୁ...

ହାଇଦ୍ରାବାଦ: ଶରୀରରେ ରକ୍ତ ସଞ୍ଚାଳନ ସଠିକ କରିବା ଏବଂ ସମସ୍ତ ପ୍ରକାର ହାର୍ଟ ରୋଗରୁ ଦୂରେଇବା ପାଇଁ ଯୋଗ ଏକ ଉତ୍ତମ ଉପାୟ । ତେବେ ମାନସିକ ଶାନ୍ତି ଦେବା ସହ ମାନସିକ ସ୍ତରରେ ମଣିଷକୁ ସୁସ୍ଥ ରଖିବାରେ ମଧ୍ୟ ଏହା ସାହାଯ୍ୟ କରିଥାଏ । ବିଶେଷ କରି ବର୍ତ୍ତମାନ ଲକଡାଉନ ସମୟରେ ଲୋକେ ଘରେ ରହି ଅଧିକ ଅଶାନ୍ତିର ଶିକାର ହେଉଛନ୍ତି । ଏପରି ସମୟରେ ଯୋଗ ସେମାନଙ୍କ ମାନସିକ ଶାନ୍ତି ବଜାୟ ରଖିଥାଏ ବୋଲି ଏକ ରିସର୍ଚ୍ଚରୁ ଜଣାପଡିଛି ।

ସାଉଥ ଅଷ୍ଟ୍ରେଲିଆ ୟୁନିଭର୍ସିଟି ପକ୍ଷରୁ ଏହି ରିସର୍ଚ୍ଚ କରାଯାଇଥିବାବେଳେ ବ୍ରିଟିସ ଜର୍ଣ୍ଣାଲ ଅଫ୍ ସ୍ପୋର୍ଟ୍ସ ମେଡିସିନରେ ଏହା ପ୍ରକାଶ ପାଇଥିଲା । ପ୍ରଥମ ଥର ପାଇଁ ଏହି ରିସର୍ଚ୍ଚରେ ଲଣ୍ଡନ ଓ ଅଷ୍ଟ୍ରେଲିଆର କିଛି ୟୁନିଭର୍ସିଟି ଏକାଠି ଗବେଷଣା କରିଥିଲେ । ଏହା ଅନୁସାରେ ଯୋଗରେ ବାରମ୍ବାର ମୁଭମେଣ୍ଟ କରିବା ଦ୍ବାରା ଏହା ମାନସିକ ସ୍ତରରେ ଶାନ୍ତି ପ୍ରଦାନ କରିଥାଏ । ସେହିପରି ଯୋଗ ଦ୍ବାରା ମଣିଷ ମନରୁ ସମସ୍ତ ପ୍ରକାର ଚିନ୍ତା ଦୂର ହୋଇଥାଏ ।

ବର୍ତ୍ତମାନ ଲକଡାଉନରେ ଘରେ ରହି ସମସ୍ତେ ଚିଡଚିଡା ପାଲଟିଯାଇଥିବେ । ପ୍ରଥମତଃ ବାହାରକୁ ଯିବାର ନାହିଁ । ଦ୍ବିତୀୟରେ ଘରୁ ଅଫିସ କାମରେ ଅନେକ ଟେନସନ । ତୃତୀୟରେ ଘର ଲୋକଙ୍କ ବିଭିନ୍ନ ପ୍ରକାର ସମସ୍ୟା । ଅନେକ ଚିନ୍ତା ସହ ସାଙ୍ଗସାଥୀଙ୍କ ସହ ଏକାଠି ଆଉଟିଙ୍ଗରେ ଯିବା କିମ୍ବା ଜିମରେ ସମୟ ବିତାଇବା, ଜଗିଂ କରିବା ଭଳି ବିକଳ୍ପ ବନ୍ଦ ହୋଇଯାଇଛି । ଫଳରେ ଲୋକେ ଅନେକ ସମୟରେ ଏକାକି ତଥା ମାନସିକ ଅବସାଦର ଶିକାର ହେଉଛନ୍ତି । ଏପରି ସମୟରେ ମୁଭମେଣ୍ଟ ଯୋଗ ସେମାନଙ୍କ ପାଇଁ ଉପକାରୀ ବୋଲି ଏହି ରିସର୍ଚ୍ଚରେ କୁହାଯାଇଛି ।

ମୁଭମେଣ୍ଟ ଯୋଗ ଦ୍ବାରା ଶରୀରରେ ରକ୍ତ ସଞ୍ଚାଳନ ଠିକ୍ ହୋଇଥାଏ । ଏହାସହ ହାର୍ଟ ରୋଗ ସବୁ ଦୂର ହୋଇଥାଏ । ଫଳରେ ଆମ ମସ୍ତିଷ୍କ ଶାନ୍ତ ଭାବେ କାମ କରିଥାଏ । ରକ୍ତର ସଞ୍ଚାଳନ ଠିକ୍ ହେବା ଦ୍ବାରା ଆମକୁ ହାଲକା ଓ ସୁସ୍ଥ ଲାଗିଥାଏ । ଫଳରେ ଆମେ ଅନେକ ସକରାତ୍ମକ ଚିନ୍ତାଧାରାର ବଶବର୍ତ୍ତୀ ହୋଇଥାଏ । ଏହା ଆମ ମାନସିକ ଅସୁସ୍ଥତା ଦୂର କରିଥାଏ । ଏହା ଆମ ମୁଡ୍ ମଧ୍ୟ ବଦଳାଇବାରେ ସାହାଯ୍ୟ କରେ ବୋଲି ରିସର୍ଚ୍ଚରମାନେ କହିଛନ୍ତି । ଏହି ରିସର୍ଚ୍ଚ 19ଟି ଅଧ୍ୟୟନ ଉପରେ ଆଧାରିତ ହୋଇଛି । ଏଥିରେ 6ଟି ଦେଶର 1080 ଲୋକଙ୍କୁ ସାମିଲ କରାଯାଇଥିଲା । ଏହି ଦେଶଗୁଡିକ ହେଲେ ଭାରତ, ଆମେରିକା, ଜାପାନ, ଚୀନ, ଜର୍ମାନୀ ଏବଂ ସ୍ବିଡେନ ।

ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଅନୁସାରେ ସାରା ପୃଥିବୀରେ ପ୍ରାୟ 50 ମିଲିୟନ ଲୋକ ମାନସିକ ଅବସାଦର ଶିକାର । ଏମାନଙ୍କ ମଧ୍ୟରେ ଅଧିକାଂଶ ଯୁବପିଢି ଅଛନ୍ତି ଯେଉଁମାନେ ସୋସିଆଲ ଆଉଟିଙ୍ଗ ନକଲେ ଚିନ୍ତାଗ୍ରସ୍ତ ହୋଇଯାଆନ୍ତି । ଲକଡାଉନରେ ଏହି ସମସ୍ୟା ଅଧିକ ହୋଇଛି । ତେଣୁ ଏପରି ସମୟରେ ଯୋଗ ଦ୍ବାରା ନିଜ ମାନସିକ ସୁସ୍ଥତା ବଜାୟ ରଖିବା ଜରୁରୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.