ETV Bharat / bharat

ଡାକ୍ତରଖାନା ନା କଂସେଇଖାନା?

author img

By

Published : Jan 13, 2020, 10:43 AM IST

ଭାରତର ଅନେକ ରାଜ୍ୟର ଥିବା ଡାକ୍ତରଖାନାରେ ଭିତ୍ତିଭୂମିର ଅଭାବ ପରିଲକ୍ଷିତ ହୋଇଛି। ସେଥିପାଇଁ ଦେଶର ଉତ୍ତରପ୍ରଦେଶ, ବିହାର, ମଧ୍ୟପ୍ରଦେଶ, ରାଜସ୍ଥାନ, ଝାଡ଼ଖଣ୍ଡ, ଛତିଶଗଡ଼ ଏବଂ ଆସାମ ପରି ରାଜ୍ୟର ୧୧୫ଟି ଜିଲ୍ଲାରେ ଜନ୍ମ ହେବାର କିଛିଦିନ ଭିତରେ ମୃତ୍ୟୁ ଘଟୁଥିବା ଦେଖିବାକୁ ମିଳୁଛି। ଏହି ରାଜ୍ୟରେ ମୃତ୍ୟୁ ଘଟୁଥିବା ପିଲାଙ୍କ ସଂଖ୍ୟା ଦେଶର ସମୁଦାୟ ଶିଶୁ ମୃତ୍ୟୁ ସଂଖ୍ୟାର ୫୦ ପ୍ରତିଶତ। ଯାହା ଫଳରେ ଡାକ୍ତରଖାନା କ୍ରମଶଃ କଂସେଇଖାନାରେ ପରିଣତ ହୋଇଛି।

hyderabad
ଡାକ୍ତରଖାନା ନା କଂସେଇଖାନା ?


ହାଇଦ୍ରାବାଦ: ସବୁ ଦେଶରେ ଶିଶୁଙ୍କୁ ଜାତୀୟ ସମ୍ପତ୍ତି ଭାବେ ବିବେଚନା କରାଯାଏ। ଏମାନଙ୍କ ଶାରୀରିକ ଓ ମାନସିକ ବିକାଶ ଆମ ଦେଶର ପ୍ରଗତିକୁ ସୂଚାଇଥାଏ। ଅର୍ଥାତ୍‌ ଏମାନଙ୍କ ବିକାଶର ଅବଦାନ ଦେଶ ଗଠନ ପାଇଁ ବେଶ ଗୁରୁତ୍ଵପୂର୍ଣ୍ଣ। ହେଲେ ଭାରତ ଭଳି ରାଷ୍ଟ୍ର, ଯେଉଁଠାରେ ୨୭ ପ୍ରତିଶତ ଶିଶୁଙ୍କ ମୃତ୍ୟୁ ଜନ୍ମର କିଛି ସମୟ ଭିତରେ ଘଟିଥାଏ ଆଉ ୨୧ ପ୍ରତିଶତ ଶିଶୁ ୫ ବର୍ଷ ବୟସ ପୂର୍ବରୁ ଆଖି ବୁଜନ୍ତି । ଏହି କ୍ଷେତ୍ରରେ ବିକାଶ ଏକ ପ୍ରହେଳିକା ସଦୃଶ ଅନୁଭବ ହୁଏ। ନିକଟରେ କୋଟା ଘଟଣା ଏହାର ସଦ୍ୟତମ ଉଦାହରଣ। ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ଏହା ନିର୍ବଚନମଣ୍ଡଳୀ। ହେଲେ ଯେଉଁଭଳି ଭାବେ ଏଠାକାର ସରକାରୀ ଡାକ୍ତରଖାନାରେ ଶିଶୁ ମୃତ୍ୟୁ ହାର ବଢ଼ିବାରେ ଲାଗିଛି, ଜଣାପଡ଼ୁଛି ଯେମିତି କୋଟାରେ ଜନସ୍ଵାସ୍ଥ୍ୟ ବ୍ୟବସ୍ଥା ପଙ୍ଗୁ ହୋଇପଡ଼ିଛି।

ରାଜସ୍ଥାନର କୋଟା ସହରରେ ଥିବା ଜେକେ ଲନ ହସ୍‌ପିଟାଲ ହେଉଛି ଏକ ଜଣାଶୁଣା ଚିକିତ୍ସା କେନ୍ଦ୍ର। ଅନେକ ଆସ୍ଥା ନେଇ ଏଠାକୁ ଆଖ ପାଖର ଲୋକେ ସେମାନଙ୍କ ଶିଶୁର ଚିକିତ୍ସା ପାଇଁ ଆସିଥାନ୍ତି। ଗତ ଡିସେମ୍ବରରେ କିନ୍ତୁ ଏହା ସର୍ବାଧିକ ଚର୍ଚ୍ଚାକୁ ଆସିଲା, ଯେତେବେଳେ ୧୦୦ରୁ ଅଧିକ ଶିଶୁଙ୍କର ଏଠାରେ ମୃତ୍ୟୁ ଘଟିଲା। ଏ ବାବଦରେ ଯେତେବେଳେ ଲୋକେ ସରକାରୀ ଅବ୍ୟବସ୍ଥା ଓ ଡାକ୍ତରଖାନା କର୍ମଚାରୀ ତଥା ଡାକ୍ତରଙ୍କ ଅବହେଳାକୁ ଦାୟୀ କଲେ, ତାହା ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କଲେ । ସେତେବେଳେ ଜାତୀୟ ଶିଶୁ ଅଧିକାର ସୁରକ୍ଷା ପରିଷଦର ଏକ ସ୍ଵତନ୍ତ୍ର ଟିମ ଆସି ତାହାର ତଦନ୍ତ କରିଥିଲେ । ତଦନ୍ତ ପରେ କମିଶନ ଅନେକ ଚମକାଇଦେଲା ଭଳି ତଥ୍ୟ ଗଣମାଧ୍ୟମରେ ଦେଲେ। କମିଟିର ରିପୋର୍ଟରେ କୁହାଗଲା ଯେ, ୨୦୧୯ ବର୍ଷରେ ଏହି ସରକାରୀ ହସପିଟାଲରେ ସମୁଦାୟ ୯୪୦ ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି। ଏହା ଏକ ଲଜ୍ଜାଜନକ ଘଟଣା ହୋଇଥିଲେ ବି ସରକାର ଏହାକୁ ଯେତିକି ଗୁରୁତ୍ଵ ଦେବା କଥା ତାହା ନ କରି ନିଜର ହାଲୁକା ମନୋଭାବ ପୋଷଣ କରିଛନ୍ତି।

ଗୋଟିଏ ଗାରକୁ ଛୋଟ କରିବା ପାଇଁ ତା ସାମ୍ନାରେ ଆଉ ଏକ ବଡ଼ ଗାର ଟାଣିଦେବା ଭଳି ଏଠାରେ ସରକାର ସେମିତି କିଛି ଚେଷ୍ଟା କରିଛନ୍ତି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ଙ୍କ ଅନୁସାରେ ଦେଶରେ ଏମିତି ଅନେକ ରାଜ୍ୟ ରହିଛି ଯେଉଁଠାରେ ପ୍ରତିବର୍ଷ ୧୩୦୦ରୁ ୧୫୦୦ ଶିଶୁଙ୍କ ମୃତ୍ୟୁ ହେଉଛି। ଅର୍ଥାତ ରାଜ୍ୟର ଅବହେଳା ପାଇଁ ଯେ ନିରୀହ ଶିଶୁଙ୍କ ଜୀବନ ଯାଇଛି ସେଥିପାଇଁ ଉତ୍ତରଦାୟୀ ହେବାକୁ ସେ ଚାହିଁଲେ ନାହିଁ। ପ୍ରଶ୍ନ ଉଠୁଛି ଏମିତି ହଜାର ହଜାର ଶିଶୁଙ୍କ ମୃତ୍ୟୁ ପ୍ରତିବର୍ଷ ହେଉଥିବାବେଳେ ସରକାର ଦୀର୍ଘ ବର୍ଷ ହେଲା କ’ଣ କରୁଛନ୍ତି? କୌଣସି ରାଜନେତା ଏ ପ୍ରଶ୍ନର ଉତ୍ତର ଦେବାକୁ ଚାହୁଁ ନାହାନ୍ତି। ଶିଶୁ ଅଧିକାର ସୁରକ୍ଷା କମିଶନଙ୍କ ରିପୋର୍ଟରେ ଜେକେ ଲନ ହସ୍‌ପିଟାଲର ପରିଚାଳନା ଏହାର ଯନ୍ତ୍ରାଂଶ ଏବଂ କ୍ୟାମ୍ପସର ସ୍ବଚ୍ଛତାରେ ଅବ୍ୟବସ୍ଥା ସମ୍ବନ୍ଧୀୟ ଅନେକ କଥା ସାମ୍ନାକୁ ଆସିଛି। ଏହି ତଦନ୍ତ ଦର୍ଶାଉଛି ଯେ, ଏହି ହସ୍‌ପିଟାଲ୍‌ରେ ଥିବା ଜରୁରୀ ଯନ୍ତ୍ରାଂଶ ସବୁ ଅଚଳ ହୋଇ ପଡ଼ିରହିଛି। ଏହି ତାଲିକାରେ ନେବୁଲାଇଜର୍‌, ୱାର୍ମର ଏବଂ ଭେଣ୍ଟିଲେଟର ପ୍ରଭୃତି ଅନ୍ୟତମ। ହେଲେ ହସ୍‌‌ପିଟାଲ କର୍ତ୍ତୃପକ୍ଷ ଏହି ରିପୋର୍ଟକୁ ଗ୍ରହଣ କରିବାକୁ ନାରାଜ। ସେମାନଙ୍କ ମତରେ ସବୁ ଯନ୍ତ୍ରାଂଶ ସଠିକ ଭାବେ ଚାଲୁଛି। ହସ୍‌ପିଟାଲ ପରିଚାଳନାରେ କୌଣସି ଭିତ୍ତିଭୂମି ବା ବ୍ୟବସ୍ଥାଗତ ତ୍ରୁଟି ହୋଇ ନାହିଁ। ଏପରିକି କି ଏହି ହସ୍‌ପିଟାଲର କ୍ୟାମ୍ପସରେ ଘୁଷୁରୀ ବୁଲୁଥିବା ମଧ୍ୟ କମିଶନ ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି।


ଜାତୀୟ ମାନବାଧିକାର କମିଶନ ଏ ବାବଦରେ ରାଜସ୍ଥାନ ସରକାର ଓ ହସ୍‌ପିଟାଲ କର୍ତ୍ତୃପକ୍ଷଙ୍କୁ ଏକ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ମିଡିଆରେ ପ୍ରକାଶିତ ରିପୋର୍ଟକୁ ଭିତ୍ତିକରି କମିଶନ ନିଜ ପକ୍ଷରୁ ଏହି ନୋଟିସ ପଠାଇଛନ୍ତି। ଯଦିଓ ହସ୍‌ପିଟାଲ କର୍ତ୍ତୃପକ୍ଷ ଏ ବାବଦରେ ଏକ କମିଟି ଗଠନ କରି ଯାଞ୍ଚ କରୁଥିବା କହୁଛନ୍ତି ତଥା ମାମଲା ଉପରୁ ଲୋକଙ୍କ ଧ୍ୟାନଚ୍ୟୁତ କରିବାକୁ ଚାହୁଁଛନ୍ତି କିନ୍ତୁ ମାନବାଧିକାର କମିଶନ ଏ ବାବଦରେ ମୁଖ୍ୟମନ୍ତ୍ରୀଙ୍କ ଜବାବ ନ ମିଳିଲା ଯାଏ ପଛକୁ ହଟିବେ ନାହିଁ। ଏହିପରି ଅବ୍ୟବସ୍ଥା ଭାରତରେ ନିକଟରେ ଅନେକଥର ଦେଖିବାକୁ ମିଳିଛି। ନିକଟରେ ବିହାରରେ ଏନସେଫାଲାଇଟସ ଆତଙ୍କ ବ୍ୟାପିବା ଏବଂ ସେଥିରେ ଶିଶୁଙ୍କ ମୃତ୍ୟୁ ଘଟିବା ସାଧାରଣରେ ଅନେକ ଚର୍ଚ୍ଚା ହୋଇଛି । ସେହିପରି ଉତ୍ତର ପ୍ରଦେଶର ଗୋରଖପୁର ଘଟଣା ଆଉ ଏଠାରେ ଅଧିକ ବର୍ଣ୍ଣନା କରିବା ଆବଶ୍ୟକ ନୁହେଁ। ବିହାରର ମୁଜାଫରପୁରଠୁ ଏହି ଏନସେଫାଲାଇଟସ ୧୮ଟି ଜିଲ୍ଲା ମୁଖ୍ୟ ହସ୍‌ପିଟାଲକୁ ବ୍ୟାପିଥିଲା। ଏହାଦ୍ଵାରା ୧୦୦୦ରୁ ଅଧିକ ଶିଶୁଙ୍କ ଜୀବନ ଯାଇଥିଲା। ସେତେବେଳେ ଯେଉଁ ଅବହେଳା ଦ୍ଵାରା ଲୋକଙ୍କ ଜୀବନ ଯାଇଥିଲା ଏବେ ମଧ୍ୟ ଠିକ୍‌ ସେହିଭଳି କିଛି ଅସୁବିଧା ହେତୁ କୋଟା ଘଟଣା ଘଟି ଦେଶରେ ଶିଶୁ ମୃତ୍ୟୁର ଆଉ ଏକ କରୁଣ କାହାଣୀ ସାମ୍ନାକୁ ଆସିଲା।

ହସ୍‌ପିଟାଲରେ ପ୍ରସବ କରାଇବା ପାଇଁ ସଚେତନତା ବଢ଼ାଇବା ଲାଗି ସରକାରୀ ସ୍ତରରେ ଅନେକ ପଦକ୍ଷେପ ନିଆଯାଇଛି। ଏ ବାବଦରେ କେନ୍ଦ୍ର ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ରାଜ୍ୟ ସରକାରଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି। ଏହି ନିର୍ଦ୍ଦେଶ ଦିଆଯିବା ଏବେ ୪ ବର୍ଷରୁ ଅଧିକ ସମୟ ହେଲାଣି, ହେଲେ କୌଣସି ସରକାରୀ ହସ୍‌ପିଟାଲରେ ଏନେଇ କୌଣସି ବିଶେଷ ପଦକ୍ଷେପ ନିଆଯାଇ ନାହିଁ। ଯାହା ଦ୍ଵାରା ଶିଶୁ ମୃତ୍ୟୁକୁ ରୋକାଯାଇପାରିବ। ଫଳରେ ଜନ୍ମର କିଛି ସମୟ ଭିତରେ ଶିଶୁଙ୍କ ମୃତ୍ୟୁହାର ବଢ଼ିବାରେ ଲାଗିଛି। ସରକାରୀ ହସ୍‌ପିଟାଲରେ କର୍ମଚାରୀ ଅଭାବ, ଜରୁରୀକାଳୀନ ମେଡିସିନ ଓ ଅନ୍ୟ ଆବଶ୍ୟକ ମୌଳିକ ସୁବିଧା ସୁଯୋଗ ଯୋଗାଇବାରେ ରାଜ୍ୟ ବିଫଳ ହୋଇଛନ୍ତି। ଅପପୁଷ୍ଟି, ସମୟ ପୂର୍ବରୁ ପ୍ରସବ ଏବଂ ରକ୍ତହୀନତା ଭଳି ସମସ୍ୟା ଆମ ଭିତରେ ଏକ ପ୍ରମୁଖ ପ୍ରସଙ୍ଗ ଭାବେ ଉଭା ହୋଇଛି। ବିଶେଷକରି ନିମ୍ନ ଆୟକାରୀ ବର୍ଗଙ୍କ ନିକଟରେ ଏହିପରି ସମସ୍ୟା ଦେଖିବାକୁ ମିଳୁଛି। ଏକ ସର୍ବେକ୍ଷଣରୁ ଜଣାପଡ଼ିଛି ଯେ ଦେଶର ଉତ୍ତରପ୍ରଦେଶ, ବିହାର, ମଧ୍ୟପ୍ରଦେଶ, ରାଜସ୍ଥାନ, ଝାଡ଼ଖଣ୍ଡ, ଛତିଶଗଡ଼ ଏବଂ ଆସାମ ପରି ରାଜ୍ୟର ୧୧୫ଟି ଜିଲ୍ଲାରେ ଜନ୍ମ ହେବାର କିଛିଦିନ ଭିତରେ ମୃତ୍ୟୁ ଘଟୁଥିବା ପିଲାଙ୍କ ସଂଖ୍ୟା ଦେଶର ସମୁଦାୟ ଶିଶୁ ମୃତ୍ୟୁ ସଂଖ୍ୟାର ୫୦ ପ୍ରତିଶତ। ଏହି ପ୍ରକାର ପରିସଂଖ୍ୟାନ ଆମ ଦେଶର ଶାସନ ବ୍ୟବସ୍ଥା ଓ ଉତ୍ତର ଦାୟିତ୍ଵ ଉପରେ ପ୍ରଶ୍ନ ଉଠାଉଛି। ଆମେ ସତରେ ଶିଶୁଙ୍କ ସ୍ଵାସ୍ଥ୍ୟ ରକ୍ଷା ପାଇଁ କେତେ ସମ୍ବେଦନଶୀଳ? ଚୀନ, ଶ୍ରୀଲଙ୍କା, ନେପାଳ, ଭୂଟାନ ଏବଂ ବାଂଲାଦେଶରେ ଯୋଗାଇ ଦିଆଯାଉଥିବା ସ୍ଵାସ୍ଥ୍ୟ ସେବାର ଗୁଣାତ୍ମକ ମାନ ଏବଂ ଲୋକଙ୍କ ପହଞ୍ଚ ଆମ ଦେଶର ସ୍ଵାସ୍ଥ୍ୟସେବା ମାନ ଓ ପହଞ୍ଚ ଠାରୁ ଯଥେଷ୍ଟ ଉନ୍ନତ। ଏଠି ପ୍ରଶ୍ନ ଉଠୁଛି ଯେତେବେଳେ ସରକାର ଏହାର ନାଗରିକଙ୍କୁ ଆବଶ୍ୟକ ଚିକିତ୍ସା ବ୍ୟବସ୍ଥା ଯୋଗାଇବାକୁ ପ୍ରତ୍ୟାଖ୍ୟାନ କରୁଛନ୍ତି ସେଠାରେ ଆମେ ସରକାରୀ ହସ୍‌ପିଟାଲ ଗୁଡ଼ିକଠାରୁ କ’ଣ ବା ଅଧିକ ଆଶା କରିବା?


ଦେଶରେ ନାଗରିକଙ୍କ ସ୍ଵାସ୍ଥ୍ୟ ସୁରକ୍ଷା ଲାଗି ସରକାର ଆବଶ୍ୟକ ଭିତ୍ତିଭୂମି ନିର୍ମାଣ ଓ କାର୍ଯ୍ୟକାରିତା ନିମନ୍ତେ ଜାତୀୟ ସ୍ଵାସ୍ଥ୍ୟ ମିଶନ ଆରମ୍ଭ କରିଥିଲେ। ହେଲେ ନିକଟରେ ତେଲେଙ୍ଗାନା ଓ ଆନ୍ଧ୍ର ପ୍ରଦେଶର ମିଳିତ ହାଇକୋର୍ଟ ଯେଉଁ ପ୍ରଶ୍ନ ଅତିରିକ୍ତ ସଲିସିଟର ଜେନେରାଲଙ୍କୁ ପଚାରିଛନ୍ତି ତାହା ବାସ୍ତବ ସ୍ଥିତିକୁ ବୟାନ କରୁଛି। କୋର୍ଟ ପ୍ରଶ୍ନ କରିଛନ୍ତି ବାସ୍ତବରେ ଏହି ମିଶନର ସଫଳତା କ’ଣ? ବାସ୍ତବ ସ୍ଥିତିକୁ ପରଖିଲେ ଏହା ସ୍ପଷ୍ଟ ହୁଏ ଯେ, ଏହି ମିଶନ ଦ୍ଵାରା ହଜାର ହଜାର ସଂଖ୍ୟାରେ ଅଙ୍ଗନବାଡ଼ି କେନ୍ଦ୍ର, ହସ୍‌ପିଟାଲ୍‌ ଏବଂ ଗ୍ରାମାଞ୍ଚଳ ସ୍ଵାସ୍ଥ୍ୟ ମିଶନ ଆରମ୍ଭ କରାଯାଇଛି। କିନ୍ତୁ ଏହିସବୁ ଅନୁଷ୍ଠାନରୁ କୌଣସିଟି ବି ଠିକଣା ଭାବେ ବା ନିରାପଦ ଅବସ୍ଥାରେ ଚାଲୁ ନାହିଁ। ଅପରପକ୍ଷେ ଆମେ ଲକ୍ଷ୍ୟ କରିଛୁ ଯେ ଆମ ଦେଶର ଗ୍ରାମାଞ୍ଚଳରେ ଶିଶୁ ମୃତ୍ୟୁହାର ସହରାଞ୍ଚଳଠୁ ଅଧିକ। ସେହିପରି ଆମ ଦେଶରେ ୫୪ ପ୍ରତିଶତ ମେଡିକାଲ ଓ ପାରା ମେଡିକାଲ ଷ୍ଟାଫ ଆବଶ୍ୟକ ଯୋଗ୍ୟତା ଅର୍ଜନ ନ କରି ଏହି ବୃତ୍ତିରେ ଅଛନ୍ତି। ଏହିପରି ଏକ ପୃଷ୍ଠଭୂମିରେ ଆମେ କୋଟା, ଗୋରଖପୁର ବା ମୁଜାଫରପୁର ଭଳି ଘଟଣାରେ କେବଳ ପୀଡ଼ିତଙ୍କ ପରିବାରକୁ କ୍ଷତିପୂରଣ ଦେଇଦେଲେ ଚଳିବ ନାହିଁ। ଆମକୁ ବାସ୍ତବ ସମସ୍ୟାକୁ ବୁଝିବାକୁ ହେବ। ଆବଶ୍ୟକ ସଂଖ୍ୟାରେ ମେଡିକାଲ କର୍ମଚାରୀଙ୍କୁ ନିଯୁକ୍ତି କରିବା ନିହାତି ଜରୁରୀ। ଜରୁରୀ ସୁବିଧାକୁ ଉପଲବ୍ଧ କରାଇବା ସହ ଖର୍ଚ୍ଚ ତୁଲାଇବା ଲାଗି ହସ୍‌ପିଟାଲଗୁଡ଼ିକୁ ଆବଶ୍ୟକ ପାଣ୍ଠି ଯୋଗାଇବା ଆବଶ୍ୟକ ରହିଛି। ସବୁ ମେଡିକାଲ ପ୍ରତିଷ୍ଠାନକୁ ଭବିଷ୍ୟତର କୌଣସି ପରିମାଣ ପାଇଁ ଉତ୍ତରଦାୟୀ ରଖିବାକୁ ହେବ। ଯେପର୍ଯ୍ୟନ୍ତ ବ୍ୟବସ୍ଥାଗତ ତ୍ରୁଟିକୁ ଆମେ ସୁଧାରିବା ନାହିଁ ତେବେ ଏଭଳି ଦୁର୍ଘଟଣାକୁ ଆମେ ଏଡ଼ାଇପାରିବା ନାହିଁ।

Intro:Body:

blank


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.