ETV Bharat / bharat

କମଲା ହାରିସଙ୍କ ପ୍ରାର୍ଥିତ୍ବ ପଛର ତଥ୍ୟ ଉନ୍ମୋଚନ ଏବଂ ଆମେରିକା ନିର୍ବାଚନରେ ଭାରତୀୟ-ଆମେରିକୀୟମାନଙ୍କ ଭୂମିକା କାହିଁକି ମହତ୍ତ୍ବପୂର୍ଣ୍ଣ

author img

By

Published : Aug 24, 2020, 8:07 AM IST

Updated : Aug 24, 2020, 8:33 AM IST

କମଲା ହାରିସଙ୍କ ପ୍ରାର୍ଥିତ୍ବ ପଛର ତଥ୍ୟ ଉନ୍ମୋଚନ ଏବଂ ଆମେରିକା ନିର୍ବାଚନରେ ଭାରତୀୟ-ଆମେରିକୀୟମାନଙ୍କ ଭୂମିକା କାହିଁକି ମହତ୍ତ୍ବପୂର୍ଣ୍ଣ
କମଲା ହାରିସଙ୍କ ପ୍ରାର୍ଥିତ୍ବ ପଛର ତଥ୍ୟ ଉନ୍ମୋଚନ ଏବଂ ଆମେରିକା ନିର୍ବାଚନରେ ଭାରତୀୟ-ଆମେରିକୀୟମାନଙ୍କ ଭୂମିକା କାହିଁକି ମହତ୍ତ୍ବପୂର୍ଣ୍ଣ

ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବିରୋଧୀ ଡେମୋକ୍ରାଟ୍‌ ପାର୍ଟି ତରଫରୁ ଆନୁଷ୍ଠାନିକ ଭାବେ ଜୋ ବିଡେନ ଓ କମଲା ହାରିସଙ୍କୁ ଯଥାକ୍ରମେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି । ଆମେରିକୀୟ ଓ ଭାରତୀୟମାନଙ୍କ ପାଇଁ ବିଡେନ୍‌ଙ୍କ ନିର୍ବାଚନୀ ସାଥୀ ରୂପେ କମଲାଙ୍କୁ ପସନ୍ଦ କରିବାର ଅର୍ଥ କ’ଣ ହୋଇପାରେ ? “ରଣକ୍ଷେତ୍ର ଆମେରିକା 2020”ର ବିଭିନ୍ନ ଦିଗ ଉପରେ ଆଲୋକପାତ ପୂର୍ବକ ଏକ ଧାରାବାହିକ ବାର୍ତ୍ତାଳାପର ପ୍ରଥମ ରିପୋର୍ଟରେ ଆମେରିକାରେ ଅବସ୍ଥାପିତ ପୂର୍ବତନ ଭାରତୀୟ ରାଷ୍ଟ୍ରଦୂତ ମୀରା ଶଙ୍କର ଏବଂ ୱାଶିଂଟନ ଡିସିରେ ଅବସ୍ଥାପିତ ‘ଦି ହିନ୍ଦୁ’ର ଆମେରିକା ସମ୍ବାଦଦାତା ଶ୍ରୀରାମ ଲକ୍ଷ୍ମଣଙ୍କ ସହିତ ଆଲୋଚନା କରିଛନ୍ତି ବରିଷ୍ଠ ସାମ୍ବାଦିକ ସ୍ମିତା ଶର୍ମା ।

ହାଇଦ୍ରାବାଦ: ଗତ ସପ୍ତାହରେ ପ୍ରଥମ ଥର ପାଇଁ ଅନ୍‌ଲାଇନ୍‌ରେ ଅନୁଷ୍ଠିତ ଡେମୋକ୍ରାଟିକ୍‌ ନ୍ୟାସନାଲ କନ୍‌ଭେନ୍‌ସନରେ, ଆଗାମୀ ନଭେମ୍ବରରେ ହେବାକୁ ଥିବା ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବିରୋଧୀ ଡେମୋକ୍ରାଟ୍‌ ପାର୍ଟି ତରଫରୁ ଆନୁଷ୍ଠାନିକ ଭାବେ ଜୋ ବିଡେନ ଓ କମଲା ହାରିସଙ୍କୁ ଯଥାକ୍ରମେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି । ପ୍ରଥମ କୃଷ୍ଣକାୟ ମହିଳା ଭାବରେ ଏବଂ ପ୍ରଥମ ଭାରତୀୟ-ଆମେରିକୀୟ ଏବଂ ଏସୀୟ-ଆମେରିକୀୟ ପ୍ରବାସୀ ଭାବରେ ଆମେରିକାର କୌଣସି ପ୍ରମୁଖ ଦଳ ପକ୍ଷରୁ ଉପ ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ମନୋନୀତ ହୋଇଛନ୍ତି କମଲା ହାରିସ ।

କମଲା ହାରିସଙ୍କ ପ୍ରାର୍ଥିତ୍ବ ପଛର ତଥ୍ୟ ଉନ୍ମୋଚନ ଏବଂ ଆମେରିକା ନିର୍ବାଚନରେ ଭାରତୀୟ-ଆମେରିକୀୟମାନଙ୍କ ଭୂମିକା କାହିଁକି ମହତ୍ତ୍ବପୂର୍ଣ୍ଣ

ଆମେରିକୀୟ ଓ ଭାରତୀୟମାନଙ୍କ ପାଇଁ ବିଡେନ୍‌ଙ୍କ ନିର୍ବାଚନୀ ସାଥୀ ରୂପେ କମଲାଙ୍କୁ ପସନ୍ଦ କରିବାର ଅର୍ଥ କ’ଣ ହୋଇପାରେ ? “ରଣକ୍ଷେତ୍ର ଆମେରିକା 2020”ର ବିଭିନ୍ନ ଦିଗ ଉପରେ ଆଲୋକପାତ ପୂର୍ବକ ଏକ ଧାରାବାହିକ ବାର୍ତ୍ତାଳାପର ପ୍ରଥମ ରିପୋର୍ଟରେ ଆମେରିକାରେ ଅବସ୍ଥାପିତ ପୂର୍ବତନ ଭାରତୀୟ ରାଷ୍ଟ୍ରଦୂତ ମୀରା ଶଙ୍କର ଏବଂ ୱାଶିଂଟନ ଡିସିରେ ଅବସ୍ଥାପିତ ‘ଦି ହିନ୍ଦୁ’ର ଆମେରିକା ସମ୍ବାଦଦାତା ଶ୍ରୀରାମ ଲକ୍ଷ୍ମଣଙ୍କ ସହିତ ଆଲୋଚନା କରିଛନ୍ତି ବରିଷ୍ଠ ସାମ୍ବାଦିକ ସ୍ମିତା ଶର୍ମା ।

ଆମେରିକାର ରାଷ୍ଟ୍ରପତି ରୂପେ ବାରାକ ଓବାମାଙ୍କ କାର୍ଯ୍ୟକାଳ ସମୟରେ ନିଜେ ଉପ ରାଷ୍ଟ୍ରପତି ଭାବରେ ଦାୟିତ୍ବ ସଂପାଦନ କରିଥିବା ଜୋ ବିଡେନ୍‌ ଏବେ ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ହୋଇଛନ୍ତି ଏବଂ ଉପ ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ରୂପେ ତାଙ୍କ ଦ୍ବାରା ମନୋନୀତ କମଲା ହାରିସଙ୍କୁ କାହିଁକି ଜଣେ ଭଲ ପ୍ରାର୍ଥୀ ଭାବରେ ବିବେଚନା କରାଯାଉଛି । ସେ ସଂପର୍କରେ କହିଛନ୍ତି ଶ୍ରୀରାମ ଲକ୍ଷ୍ମଣ । ସେ କହିଛନ୍ତି, “ସାଧାରଣ ସେବା କ୍ଷେତ୍ରରେ ତାଙ୍କର (କମଲା ହାରିସଙ୍କର) ବେଶ୍‌ ଭଲ ଅଭିଜ୍ଞତା ରହିଛି ।

କାଲିଫର୍ଣ୍ଣିଆର ଜଣେ ପବ୍ଲିକ୍‌ ପ୍ରସିକ୍ୟୁଟର ରୂପେ ତାଙ୍କର ବହୁ ବର୍ଷର ଅଭିଜ୍ଞତା ରହିଛି । ସେ ନିଜେ ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ହୋଇଥିଲେ । ଏହା ସହିତ ସେ ବିଭିନ୍ନ ଜାତିଗତ ପୃଷ୍ଠଭୂମିରୁଆସିଛନ୍ତି । ସେ ଜଣେ ମହିଳା ଏବଂ କୃଷ୍ଣକାୟ ଭୋଟଦାତା ଏବଂ ଦକ୍ଷିଣ ଏସୀୟ ଭୋଟଦାତାମାନଙ୍କୁ ପ୍ରଭାବିତ କରିପାରନ୍ତି । ଏହାର ଅର୍ଥ ନୁହେଁ ଯେ, କେବଳ ସେହି କାରଣରୁ ହିଁ ସେହି ସବୁ ଦେଶର ଲୋକେ ତାଙ୍କୁ ନିଶ୍ଚିତ ଭୋଟ ଦେବେ । କିନ୍ତୁ ବିଡେନ୍‌ଙ୍କ ସାଥୀ ରୂପେ ସେ ବେଶ ପସନ୍ଦଯୋଗ୍ୟ ଏବଂ ସେହି ସବୁ କ୍ଷେତ୍ରରେ ତାଙ୍କ ପହଞ୍ଚକୁ ସେ ପ୍ରଶସ୍ତ କରାଇପାରିବେ ।

ସେ ମଧ୍ୟ ଜୋ ବିଡେନ୍‌ଙ୍କଠାରୁ ପ୍ରାୟ କୋଡ଼ିଏ ବର୍ଷ ସାନ । ଏକତ୍ର ଭାବରେ ସେମାନଙ୍କ ଯୋଡି ଅନ୍ୟୂନ ଆସନ୍ତା ଚାରି ବର୍ଷ କି ଆଠ ବର୍ଷ ଏବଂ ତା’ଠାରୁ ଅଧିକ ସମୟ ଧରି ଭବିଷ୍ୟତର ପ୍ରତିନିଧିତ୍ବ କରିପାରିବ ।” ଏ ସଂପର୍କରେ ମନ୍ତବ୍ୟ ଦେଇ ମୀନା ଶଙ୍କର କହିଛନ୍ତି, “କୃଷ୍ଣକାୟଙ୍କ ଜୀବନ ଅର୍ଥପୂର୍ଣ୍ଣ ବା ‘ବ୍ଲାକ୍‌ ଲାଇଭ୍‌ସ ମ୍ୟାଟର’ ଆନ୍ଦୋଳନ ପରିପ୍ରେକ୍ଷୀରେ ବର୍ତ୍ତମାନ ଆମେରିକା ଏକ ଜାତିଆଣ ଅଶାନ୍ତି ଘେରରେ ରହିଥିବାରୁ ଏହି ନିର୍ବାଚନରେ ବଂଶ ଏକ ମହତ୍ତ୍ବପୂର୍ଣ୍ଣ ଦିଗ । ତେଣୁ ଏହା ଏକ ସମୟୋପଯୋଗୀ ପ୍ରସଙ୍ଗ । କିନ୍ତୁ ତାହାକୁ ବାଦ୍‌ ଦେଇ ନୀତି ଓ ମୂଲ୍ୟବୋଧର ପ୍ରଶ୍ନ ମଧ୍ୟ ଉଠୁଛି ।”

ଭାରତୀୟ-ଆମେରିକୀୟମାନଙ୍କର ସଂଖ୍ୟା ଏତେ ଅଧିକ ହୋଇ ନଥିଲେ ବି କାହିଁକି ଉଭୟ ରିପବ୍ଲିକାନ୍‌ ଏବଂ ଡେମୋକ୍ରାଟ୍‌ ପାର୍ଟି ସେମାନଙ୍କୁ ପ୍ରଭାବିତ କରିବା ଲାଗି ସକ୍ରିୟ ଉଦ୍ୟମ କରୁଛନ୍ତି ବୋଲି ପ୍ରଶ୍ନର ଉତ୍ତର ଦେଇ ଏହି ଅବସରପ୍ରାପ୍ତ କୂଟନୀତିଜ୍ଞ କହିଲେ ଯେ ଏବେ ରାଜନୈତିକ ଏବଂ ଅର୍ଥନୈତିକ କ୍ଷେତ୍ରରେ ଏହି ସମାଜ ବେଶ୍‌ ସକ୍ରିୟ ହୋଇଉଠିଥିବା ଲକ୍ଷ୍ୟ କରାଯାଉଛି ।

ମୀରା ଶଙ୍କର କହିଲେ, “ଏହା ଏତେ ବଡ଼ ଭୋଟ ବ୍ୟାଙ୍କ ନୁହେଁ । ମୋଟ ଭୋଟଦାତାଙ୍କ ମଧ୍ୟରୁ ଏସୀୟମାନଙ୍କ ସଂଖ୍ୟା ପ୍ରାୟ 4.7 ପ୍ରତିଶତ । ସ୍ପେନୀୟ ବଂଶଜମାନେ ଏଠାକାର ସବୁଠାରୁ ବୃହତ୍ତମ ସଂଖ୍ୟାଲଘୁ ଗୋଷ୍ଠୀ ଏବଂ ସେମାନଙ୍କ ସଂଖ୍ୟା 13 ପ୍ରତିଶତ ଏବଂ କୃଷ୍ଣକାୟମାନଙ୍କ ସଂଖ୍ୟା 12 ପ୍ରତିଶତରୁ କିଛି ଅଧିକ । ତେଣୁ ଭୋଟ୍‌ ସଂଖ୍ୟା ଦୃଷ୍ଟିରୁ ଏହା ଏତେ ଗୁରୁତ୍ବପୂର୍ଣ୍ଣ ନୁହେଁ । କିନ୍ତୁ ଯେଉଁ ସବୁ ରାଜ୍ୟର ଭୋଟ୍‌ କୌଣସି ଜଣେ ପ୍ରାର୍ଥୀଙ୍କ ସପକ୍ଷରେ ଯାଇପାରେ, ସେହି ସବୁ ରାଜ୍ୟ ଗୁରୁତ୍ବପୂର୍ଣ୍ଣ ଏବଂ ଏହି ନିର୍ବାଚନରେ ପ୍ରତିଟି ଭୋଟ୍‌ର ମୂଲ୍ୟ ସ୍ଥାପିତ ହେବାକୁ ଯାଉଛି । ଏଭଳି କେତେକ ଦୋଳାୟମାନ ଭୋଟରଙ୍କ ରାଜ୍ୟରେ ଭାରତୀୟ-ଆମେରିକୀୟ ସଂପ୍ରଦାୟର ଭୋଟ୍‌ ଯେ କୌଣସି ପ୍ରାର୍ଥୀଙ୍କ ସପକ୍ଷରେ ବା ବିପକ୍ଷରେ ଯାଇ ଫଳାଫଳକୁ ପ୍ରଭାବିତ କରିପାରେ ।”

ଏହି ପୂର୍ବତନ ରାଷ୍ଟ୍ରଦୂତ ଆହୁରି କହିଲେ, “ଏହି ସମାଜ ଏକ ଧନଶାଳୀ ସମାଜ ଏବଂ ସେମାନେ ରାଜନୀତିରେ ଅଧିକ ସକ୍ରିୟ ରହିବାକୁ ଚାହାଁନ୍ତି । ତେଣୁ ଗତ କିଛି ବର୍ଷ ହେଲା ସେମାନେ ବିଭିନ୍ନ ରାଜନୈତିକ ଦଳକୁ ଚାନ୍ଦା ଦେଇ ଏ କ୍ଷେତ୍ରରେ ସକ୍ରିୟ ଆଗ୍ରହ ପ୍ରକାଶ କରିଆସୁଛନ୍ତି । ତେଣୁ ତୀବ୍ର ପ୍ରତିଦ୍ବନ୍ଦ୍ବିତାମୂଳକ ଲଢ଼େଇରେ ପରିଣତ ହେବାକୁ ଯାଉଥିବା ଏହି ନିର୍ବାଚନରେ ଯେତେ ସମ୍ଭବ ସେତେ ପାଣ୍ଠି ସଂଗ୍ରହ କରିବା ଲାଗି ସମସ୍ତେ, ଉଭୟ ଡେମୋକ୍ରାଟ୍‌ ଏବଂ ରିପବ୍ଲିକାନ୍‌ମାନେ ଉଦ୍ୟମ ଚଳାଇଛନ୍ତି ।

ଏହି ସବୁ କାରଣରୁ ହିଁ ଭାରତୀୟ-ଆମେରିକୀୟ ସମାଜକୁ ନିଜ ପଟକୁ ଆକର୍ଷିତ କରିବା ଲାଗି ସମସ୍ତେ ଚେଷ୍ଟା କରୁଛନ୍ତି । ଏହା ସହିତ ଆମେରିକାର ଅର୍ଥନୈତିକ କ୍ଷେତ୍ରରେ ମଧ୍ୟ କେତେକ ପ୍ରତିଷ୍ଠିତ କମ୍ପାନୀର ମୁଖ୍ୟ ଭାବେ ଭାରତୀୟ-ଆମେରିକୀୟମାନେ ଅଧିଷ୍ଠିତ ହୋଇଛନ୍ତି । ଏହା ଗୁଗ୍‌ଲ ହେଉ କି ମାଇକ୍ରୋସଫ୍‌ଟ, ଆଇବିଏମ୍‌ କିମ୍ବା ମାଷ୍ଟରକାର୍ଡ । ପୂର୍ବରୁ ପେପ୍‌ସିକୋ ମଧ୍ୟ ଏହି ବର୍ଗରେ ରହିଥିଲା ।

ଏମାନେ ଛୋଟ କି ମଧ୍ୟମ ଆକାରର କମ୍ପାନୀ ନୁହନ୍ତି । ଏମାନେ ପ୍ରକୃତ ଅର୍ଥରେ ଆମେରିକାର ବଡ଼ ବଡ଼ କମ୍ପାନୀ ବର୍ଗଭୁକ୍ତ ।” ନିର୍ବାଚନ ଫଳାଫଳକୁ ବଦଳାଇବାର ସାମର୍ଥ୍ୟ ରଖିଥିବା ପ୍ରାୟ 7ଟି ରାଜ୍ୟରେ ଏହି ସଂପ୍ରଦାୟର 13 ଲକ୍ଷ ଭୋଟର ରହିଥିବା ବେଳେ ଉଭୟ ଦଳ ସେଥିରୁ ଅନ୍ତତଃ ଦଶ ଲକ୍ଷ ଭୋଟ ପାଇବାକୁ ଚେଷ୍ଟା କରୁଥିବା ପ୍ରସଙ୍ଗ ଉପରେ ଗୁରୁତ୍ବାରୋପ କରି ଶ୍ରୀରାମ ଲକ୍ଷ୍ମଣ ମନ୍ତବ୍ୟ ଦେଇଛନ୍ତି ଯେ, “ଆମ ସଂଖ୍ୟା ଦୃଷ୍ଟିରୁ ବିଚାର କଲେ, ପାରମ୍ପରିକ ଭାବେ ଭାରତୀୟ-ଆମେରିକୀୟମାନେ ଡେମୋକ୍ରାଟ୍‌ମାନଙ୍କୁ ବହୁସଂଖ୍ୟାରେ ଭୋଟ୍‌ ଦେଇଥାଆନ୍ତି ।

ହିଲାରୀ କ୍ଲିଣ୍ଟନଙ୍କ ସପକ୍ଷରେ ପ୍ରାୟ 77 ପ୍ରତିଶତ ଭୋଟ ଦେଇଥିଲେ । 2016 ନିର୍ବାଚନରେ ଟ୍ରମ୍ପ୍‌ ଓ ହିଲାରୀ କ୍ଲିଣ୍ଟନ୍‌ଙ୍କ ଭୋଟ ବ୍ୟବଧାନ ଏହି ସବୁ ରାଜ୍ୟରେ ରହୁଥିବା ଭାରତୀୟ-ଆମେରିକୀୟ ଭୋଟରଙ୍କ ସଂଖ୍ୟା ତୁଳନାରେ କମ୍‌ ରହିଥିଲା । ତେଣୁ, ସାମଗ୍ରିକ ଭାବରେ ଉଭୟ ଦଳ ଏଥିପାଇଁ ଗୋଟି ଚାଳନା କରୁଛନ୍ତି ।” ବୟସ ଦୃଷ୍ଟିରୁ ଭାରତୀୟ-ଆମେରିକୀୟ ସମାଜ ଭିନ୍ନ ଭିନ୍ନ ଦଳକୁ ଭୋଟ ଦେଉଥିବା ପ୍ରସଙ୍ଗ ଉପରେ ଆଲୋକପାତ କରି ଶ୍ରୀରାମ କହିଲେ ଯେ, କମଲା ହାରିସ ମୂଳ ଭାରତୀୟ ବଂଶୋଦ୍ଭବ ହୋଇଥିଲେ ହେଁ ବୟସ୍କ ଭୋଟରମାନେ ହୁଏତ ଟ୍ରମ୍ପଙ୍କ ସପକ୍ଷରେ ଯିବାକୁ ଚାହିଁବେ ।

ସେ କହିଲେ, “ବୋଧହୁଏ ଭାରତରେ ଜନ୍ମ ହୋଇଥିବା ବୟସ୍କ ଭାରତୀୟ-ଆମେରିକୀୟମାନେ ଯେଉଁଭଳି ଢଙ୍ଗରେ ଭୋଟ ଦିଅନ୍ତି, ତାହା ନୂତନ ପିଢ଼ିର ଏବଂ 45 ବର୍ଷ ବୟସ୍କମାନଙ୍କର ଢଙ୍ଗଠାରୁ

ଅଲଗା । ସେମାନେ ଅନ୍ୟ ଆମେରିକୀୟମାନଙ୍କ ଢଙ୍ଗରେ ଭୋଟ ଦେବାକୁ ପସନ୍ଦ କରନ୍ତି ।” ସେ ଆହୁରି କହିଲେ, “ମୋଦି-ଟ୍ରମ୍ପ ସଂପର୍କର ସମୀକରଣ ଦୃଷ୍ଟିରୁ କେତେକ ଲୋକ ଟ୍ରମ୍ପଙ୍କ ସପକ୍ଷରେ ଯାଇପାରନ୍ତି । କିନ୍ତୁ ଆପଣ ଯେତେବେଳେ ଯୁବ ପିଢ଼ିର ଭାରତୀୟ-ଆମେରିକୀୟ ଭୋଟଦାତାଙ୍କ କଥା ବିଚାର କରିବେ, ସେମାନେ ଚାକିରି ସୁଯୋଗ ପାଇଁ ଏବଂ ଆପଣ କେମିତି ବିଶ୍ବ ମହାମାରୀ କବଳରୁ ଉଦ୍ଧାର କରିବା ଦିଗରେ ପଦକ୍ଷେପ ନେଇଛନ୍ତି, ତାହା ଦେଖି ଭୋଟ ଦେବେ । ବିଲକୁଲ ଜାତିଆଣ ପ୍ରସଙ୍ଗ ।”

କାଶ୍ମୀର, ନାଗରିକତା ସଂଶୋଧନ ଆଇନ ଏବଂ ଜାତୀୟ ନାଗରିକ ରେଜିଷ୍ଟର ଭଳି ବିବାଦୀୟ ପ୍ରସଙ୍ଗରେ ନୂଆଦିଲ୍ଲୀ ସହିତ କମଲା ହାରିସଙ୍କ ଅସହଜ ସଂପର୍କ ପ୍ରସଙ୍ଗ ମଧ୍ୟ ଆଲୋଚନାରେ ସ୍ଥାନ ପାଇଥିଲା ଏବଂ ଡେମୋକ୍ରାଟ୍‌ମାନେ ମାନବିକ ଅଧିକାର ଏବଂ ଉଦାରପନ୍ଥୀ ମୂଲ୍ୟବୋଧକୁ ଦୃଢ଼ ଭାବରେ ଅଗ୍ରାଧିକାର ଦେଇଆସୁଥିବା ବେଳେ ଭାରତରେ ଜଣେ ଲୋକପ୍ରିୟ ପ୍ରଧାନ ମନ୍ତ୍ରୀଙ୍କ ନେତୃତ୍ବରେ ପରିଚାଳିତ ଏକ ସଂଖ୍ୟାଗରିଷ୍ଠବାଦୀ ସରକାରଙ୍କ ସହିତ ସେମାନେ କିଭଳି ସଂପର୍କ ରଖିବାକୁ ପସନ୍ଦ କରିବେ ତାହା ମଧ୍ୟ ଆଲୋଚିତ ହୋଇଥିଲା ।

ମୀରା ଶଙ୍କର କହିଲେ, “ସବୁଥିରେ ସପକ୍ଷ ଓ ବିପକ୍ଷ ଦିଗ ରହିଛି । ମୋଟାମୋଟି ଭାବେ ଭାରତ ସହ ସୁସଂପର୍କ ଗଠନ ପାଇଁ ଦ୍ବିଦଳୀୟ ସମ୍ମତି ପ୍ରକାଶ ପାଇଛି । ରଣନୈତିକ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଭାରତ ପ୍ରତି ଏଭଳି ଚିନ୍ତାଧାରାର ମୂଳରେ ରହିଛି ଚୀନର ମୁକାବିଲା ମନୋଭାବକୁ ପ୍ରତିହତ କରିବାର ଉଦ୍ଦେଶ୍ୟ । ବାସ୍ତବରେ ଚୀନ୍‌ ଏସିଆରେ ଭୟଭୀତ କରାଇବା ଭଳି ବ୍ୟବହାର କରୁନଥିଲେ ବି ପତିଆରା ବଢ଼ାଇବାକୁ ଚାହୁଁଛି ।

ଏହି ବିଶେଷ କାରଣ ଯୋଗୁଁ ଉଭୟ ଭାରତ ଓ ଆମେରିକା ଏକତ୍ର ହେବାକୁ ମନ ବଳାଇଛନ୍ତି ଏବଂ ଏହି ପ୍ରସଙ୍ଗରେ ହିଁ ଉଭୟ ଦଳ ଏକମତ ହୋଇଛନ୍ତି । ଏହା କେବଳ ଡେମୋକ୍ରାଟ୍‌ ବା କେବଳ ରିପବ୍ଲିକାନ୍‌ଙ୍କ ଲାଗି ଉଦ୍ଦିଷ୍ଟ ନୁହେଁ ।” ସେ ଆହୁରି କହିଲେ ଯେ ଡେମୋକ୍ରାଟ୍‌ମାନେ ସବୁବେଳେ ମାନବାଧିକାରକୁ ପ୍ରାଧାନ୍ୟ ଦେଇଆସିଛନ୍ତି । କିନ୍ତୁ, ଅନ୍ୟ ଦେଶ ସହିତ ସଂପର୍କ କ୍ଷେତ୍ରରେ “ଦେଶର ମୂଳ ସ୍ବାର୍ଥକୁ ବାଦ୍‌ ଦେଇ ଏହା କେବେ ବି କରାଯାଇ ନାହିଁ” ଏବଂ ଭାରତ ମଧ୍ୟ ଏହି ସବୁ ପ୍ରସଙ୍ଗ ମଧ୍ୟରେ ଆଗକୁ ବଢ଼ିବାର ବାଟ ଖୋଜିନେଇଛି ।

ସେ ଯାହା ହେଉନା କାହିଁକି, ଭାରତ ତା’ର ଦାନାପାଣି ଆଧାରିତ ମୂଳ ପ୍ରସଙ୍ଗକୁ ଅଗ୍ରାଧିକାର ଦେବ ଏବଂ ବାଣିଜ୍ୟ କ୍ଷେତ୍ରରେ ସାଧାରଣ ପ୍ରାଥମିକତା ପଦ୍ଧତି (GSP) ଏବଂ ନ୍ୟୂନତମ ବିକଶିତ ଦେଶ ରୂପେ ଭାରତର ମାନ୍ୟତା ପ୍ରତ୍ୟାହାର, ଷ୍ଟିଲ ଏବଂ ଆଲୁମିନିୟମ ଆମଦାନୀରେ ଶୁଳ୍‌କ ବୃଦ୍ଧି, ଏବଂ ଏ ବର୍ଷ ଶେଷ ପର୍ଯ୍ୟନ୍ତ ଏଚ୍‌1ବି ଭିସା ରଦ୍ଦ ଭଳି ଟ୍ରମ୍ପ ସରକାରଙ୍କ କେତେକ ନିଷ୍ପତ୍ତିକୁ ଭାରତ ପରଖି ଦେଖିବ ବୋଲି ସେ ମତ ଦେଇଥିଲେ ଏବଂ ରାଜନୈତିକ କ୍ଷେତ୍ରରେ ସମ୍ବେଦନଶୀଳ ମନେ ହେଉଥିବା କେତେକ କ୍ଷେତ୍ରରେ ନୂଆଦିଲ୍ଲୀ ସପକ୍ଷରେ ଟ୍ରମ୍ପ ବିବୃତି ଦେଇଆସୁଥିଲେ ହେଁ ଏହି ସବୁ କାରଣରୁ ଭାରତର ପ୍ରତିଦ୍ବନ୍ଦ୍ବିତାମୂଳକ ଭାବଧାରା ଏବଂ ବ୍ୟବସାୟ କ୍ଷତିଗ୍ରସ୍ତ ହୋଇଛି ବୋଲି ସେ କହିଥିଲେ ।

Last Updated :Aug 24, 2020, 8:33 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.