ETV Bharat / bharat

କେନ୍ଦ୍ର ସରକାରଙ୍କ ସର୍ବୋଚ୍ଚ ସ୍ତରକୁ ଆକ୍ରାନ୍ତ କଲା କରୋନା ଭାଇରସ୍‌

author img

By

Published : Jun 11, 2020, 7:53 PM IST

coronavirus-hits-the-highest-echelons-of-the-union-government
କେନ୍ଦ୍ର ସରକାରଙ୍କ ସର୍ବୋଚ୍ଚ ସ୍ତରକୁ ଆକ୍ରାନ୍ତ କଲା କରୋନା ଭାଇରସ୍‌

କେନ୍ଦ୍ର ସରକାରଙ୍କ ଶୀର୍ଷସ୍ଥାନୀୟ ଅଧିକାରୀଙ୍କ ମଧ୍ୟରେ କୋଭିଡ୍‌-19 ସଂକ୍ରମଣ ଲଗାତାର ବଢ଼ିବା ଘଟଣା ସରକାରଙ୍କ ପାଇଁ ଉଦ୍‌ବେଗର କାରଣ ହୋଇଥିଛି ଏବଂ ଫଳତଃ, ମଙ୍ଗଳବାର ଦିନ ସରକାର ଏ ଦିଗରେ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । ଈଟିଭି ଭାରତକୁ ମିଳିଥିବା ସୂଚନା ଅନୁସାରେ, କୌଣସି କୋଠରିରେ ଗୋଟିଏ ସମୟରେ ଦୁଇ ଜଣରୁ ଅଧିକ ଅଧିକାରୀ ରହିପାରିବେ ନାହିଁ ବୋଲି ସରକାରଙ୍କ ସଦ୍ୟତମ ନିର୍ଦ୍ଦେଶାବଳୀରେ ଦର୍ଶାଯାଇଛି ଏବଂ କୌଣସି କାର୍ଯ୍ୟାଳୟରେ ଉପ ସଚିବ ସ୍ତରୀୟ ଅଧିକାରୀଙ୍କଠାରୁ ତଳ ପାହ୍ୟାରେ ଥିବା 30ରୁ ଅଧିକ ଅଧିକାରୀ ଓ କର୍ମଚାରୀ ଗୋଟିଏ ସମୟରେ ଉପସ୍ଥିତ ରହିବା ଉପରେ ମଧ୍ୟ କଟକଣା ଜାରି କରାଯାଇଛି । ପୁଞ୍ଜି ପ୍ରତ୍ୟାହାର ବିଭାଗ ସଚିବ ତୁହିନ କାନ୍ତ ପାଣ୍ଡେ ସଂକ୍ରମିତ ହୋଇଥିବା ପରୀକ୍ଷଣରୁ ଜଣାପଡ଼ିବା ପରେ ମଙ୍ଗଳବାର ଦିନ ସରକାର ଏହି ନୂତନ ନିର୍ଦ୍ଦେଶ ଜାରି କରିଛନ୍ତି । କୋଭିଡ୍‌-19 ଭୂତାଣୁ ସଂକ୍ରମିତ ହେବାରେ, ପାଣ୍ଡେ କେନ୍ଦ୍ର ସରକାରଙ୍କର ଦ୍ବିତୀୟ ସଚିବସ୍ତରୀୟ ଅଧିକାରୀ । ଗତ ସପ୍ତାହରେ ପ୍ରତିରକ୍ଷା ସଚିବ ଡକ୍‌ଟର ଅଜୟ କୁମାର ଏବଂ କେନ୍ଦ୍ର ସରକାରଙ୍କ ମୁଖ୍ୟ ମୁଖପାତ୍ର କେ.ଏସ୍‌.ଧତୱାଲିଆ କୋରୋନା ପଜିଟିଭ୍‌ ବୋଲି ପରୀକ୍ଷଣରୁ ଜଣାପଡ଼ିଥିଲା ।

ଈଟିଭି ଭାରତ ଦ୍ବାରା ସମୀକ୍ଷା କରାଯାଇଥିବା କେନ୍ଦ୍ର ବସ୍ତ୍ର ମନ୍ତ୍ରାଳୟର ଏକ ନିର୍ଦ୍ଦେଶନାମାରେ କୁହାଯାଇଛି, “ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟରତ ସଂକ୍ରମିତ ଅଧିକାରୀମାନଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଅଧିକାରୀମାନଙ୍କ ସୁରକ୍ଷା ପାଇଁ ସର୍ବାଧିକ ସତର୍କତାମୂଳକ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ।” ପ୍ରସଙ୍ଗ ସହ ସଂପର୍କିତ ଜଣେ ବ୍ୟକ୍ତିଙ୍କ କହିବା ଅନୁସାରେ ବିଭିନ୍ନ ଅନ୍ୟାନ୍ୟ ମନ୍ତ୍ରାଳୟ ମଧ୍ୟ ଦିନେ ଦୁଇଦିନ ଭିତରେ ଅନୁରୂପ ନିର୍ଦ୍ଦେଶ ଜାରି କରିବାକୁ ଯାଉଛନ୍ତି । ଯେ କୌଣସି ସମୟରେ ଗୋଟିଏ କୋଠରିରେ 2 ଜଣରୁ ଅଧିକ ବ୍ୟକ୍ତି ରହିବା ଉଚିତ ନୁହେଁ ବୋଲି ଏହି ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯିବା ସହିତ ବେସରକାରୀ ଟ୍ୟାକ୍‌ସି ସମେତ ସାଧାରଣ ପରିବହନ ବ୍ୟବସ୍ଥାର ଉପଯୋଗ କରୁଥିବା କିମ୍ବା କୌଣସି କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ଆଖପାଖ ଅଞ୍ଚଳରେ ରହୁଥିବା କର୍ମଚାରୀମାନେ ଅଫିସ୍‌ ଆସିବାକୁ ବାରଣ କରାଯାଇଛି ।

ମଙ୍ଗଳବାର ଦିନ, ଦ୍ବିତୀୟ ସଚିବସ୍ତରୀୟ ଅଧିକାରୀ ଭାବରେ ପୁଞ୍ଜିନିବେଶ ଏବଂ ସାର୍ବଜନିକ ସଂପତ୍ତି ପରିଚାଳନା ବିଭାଗ ସଚିବ ତୁହିନ କାନ୍ତ ପାଣ୍ଡେ କୋରୋନା ପଜିଟିଭ ବୋଲି ସାଧାରଣରେ ରିପୋର୍ଟ ପ୍ରକାଶ ପାଇବା ପରେ ଏହି ବିଷୟକୁ ଜରୁରୀକାଳୀନ ପ୍ରାସଙ୍ଗିକତା ପ୍ରଦାନ କରାଯାଇଥିଲା ।

ପୁଞ୍ଜିନିବେଶ ଓ ସାର୍ବଜନିକ ସଂପତ୍ତି ପରିଚାଳନା ବିଭାଗ ରହିଥିବା କୋଠାକୁ ସାନିଟାଇଜ୍‌ କରିବା ଉଦ୍ଦେଶ୍ୟରେ ବନ୍ଦ କରାଗଲା ବୋଲି ବିଭାଗୀୟ କର୍ମଚାରୀମାନଙ୍କୁ ସୂଚିତ କରାଇ ଦିଆଯାଇଥିବା ସରକାରୀ ଚିଠିରେ ପୁଞ୍ଜି ପ୍ରତ୍ୟାହାର ବିଭାଗ ସଚିବଙ୍କ ସମେତ ଆଉ ଦୁଇ ଜଣ ଅଧିକାରୀ କୋରୋନା ପଜିଟିଭ୍‌ ବୋଲି ଜଣାପଡ଼ିଥିବା ବିଷୟ ମଧ୍ୟ ଉଲ୍ଲେଖ କରାଯାଇଥିଲା ।

ସରକାରୀ ମହଲରେ ଆଶଙ୍କାର କାରଣ ହେଉଛି ଯେ ତୁହିନ କାନ୍ତ ପାଣ୍ଡେ ଏକମାତ୍ର ସଂକ୍ରମିତ ଅଧିକାରୀ ନୁହନ୍ତି । ପ୍ରତିରକ୍ଷା ସଚିବ ଡକ୍‌ଟର ଅଜୟ କୁମାର ଏବଂ ପିଆଇବି ମୁଖ୍ୟ କେ.ଏସ୍‌.ଧତୱାଲିଆଙ୍କ ସମେତ ନିକଟରେ ଅନ୍ୟ ଅନେକ ବରିଷ୍ଠ ଅଧିକାରୀ କୋରୋନା ପଜିଟିଭ୍‌ ବୋଲି ଚିହ୍ନଟ ହୋଇଥିଲେ । ଅର୍ଥ ମନ୍ତ୍ରାଳୟର ଜଣେ ଅନୁସଚିବ ରୀତା ମଲ ଏବଂ ଆଇନ ଓ ନ୍ୟାୟ ମନ୍ତ୍ରାଳୟର ଜଣେ ଯୁଗ୍ମ ସଚିବ ଡକ୍‌ଟର ନାରାୟଣ ରାଓ ବାଟ୍ଟୁ ମଧ୍ୟ ପଜିଟିଭ୍‌ ବୋଲି ପରୀକ୍ଷଣରୁ ଜଣାପଡ଼ିଥିଲା ।

କେନ୍ଦ୍ର ସରକାରଙ୍କ ପ୍ରଚାର ବିଭାଗର ପ୍ରମୁଖ ମହାନିର୍ଦ୍ଦେଶକ ଭାବରେ ଧତୱାଲିଆ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ଗୃହ ବିଭାଗ ପକ୍ଷରୁ ମିଳିତ ଭାବେ ଆୟୋଜିତ କୋଭିଡ୍‌-19 ସଂପର୍କିତ ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନୋତ୍ତର ଅଧିବେଶନର ସଂଯୋଜନା କରିଆସୁଥିଲେ ।

ଏହି ପ୍ରସଙ୍ଗ ସହ ସୁସଂପର୍କିତ ବ୍ୟକ୍ତିମାନଙ୍କ କହିବା ଅନୁସାରେ, କେ.ଏସ.ଧତୱାଲିଆଙ୍କ ଡ୍ରାଇଭର ଏବଂ ଅନ୍ୟ ଜଣେ କର୍ମଚାରୀ ସଂକ୍ରମିତ ବୋଲି ଜଣାପଡ଼ିବା ପରେ ତାଙ୍କ ପାଖରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ନିଜେ ନିଜେ ପୃଥକ୍‌ବାସରେ ରହିଆସୁଛନ୍ତି ।

ହେଲେ, ଉଚ୍ଚପଦସ୍ଥ ସରକାରୀ ଅଧିକାରୀ ମହଲରେ ସତର୍କ ଘଣ୍ଟି ବାଜିବାର ବାସ୍ତବ କାରଣ ହେଉଛି ଯେ କେନ୍ଦ୍ର ସରକାରଙ୍କର ପ୍ରଚାର ବିଭାଗର ମୁଖ୍ୟ ହିସାବରେ କେ.ଏସ୍.ଧତୱାଲିଆ ବିଭିନ୍ନ କେନ୍ଦ୍ର ମନ୍ତ୍ରୀ ଏବଂ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ମନ୍ତ୍ରାଳୟର ବଡ଼ ବଡ଼ ଅଧିକାରୀମାନଙ୍କ ନିୟମିତ ସଂସ୍ପର୍ଶରେ ଆସୁଥିଲେ ।

ଗତ ସପ୍ତାହରେ, ସୋମବାର (ଜୁନ୍‌ 1) ଏବଂ ବୁଧବାର (ଜୁନ୍‌ 3) ଦିନ, କେ.ଏସ୍‌. ଧତୱାଲିଆ କ୍ୟାବିନେଟ୍‌ ନିଷ୍ପତ୍ତି ସଂପର୍କିତ ଦୁଇଟି ସମ୍ମିଳନୀର ସଂଯୋଜନା ମଧ୍ୟ କରିଥିଲେ । ସେତେବେଳେ ସେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡ଼େକର ଏବଂ ପରିବହନ ଏବଂ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ନୀତିନ ଗଡ଼କରି ଏବଂ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କ ସହ ସମ୍ମିଳନୀରେ ଉପସ୍ଥିତ ଥିଲେ ।

ମଙ୍ଗଳବାର ଦିନ ଶ୍ରୀ ଧତୱାଲିଆ, ଯୋଗାଯୋଗ, ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କର ଆଉ ଏକ ସାମ୍ବାଦିକ ସମ୍ମିଳନୀର ସଂଯୋଜନା କରିଥିଲେ ଏବଂ ଏଥିରେ ନୀତି ଆୟୋଗ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମିତାଭ କାନ୍ତ ଏବଂ ଯୋଗାଯୋଗ, ସୂଚନା ଓ ପ୍ରଯୁକ୍ତିବିଦ୍ୟା ସଚିବ ସଞ୍ଜୟ ଧୋତ୍ରେ ମଧ୍ୟ ଯୋଗ ଦେଇଥିଲେ ।

ବୁଧବାର ଦିନ ଏହି ମନ୍ତ୍ରୀମାନେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ମଧ୍ୟ ଯୋଗ ଦେଇଥିଲେ ଏବଂ ବୈଠକରେ ଅତ୍ୟାବଶ୍ୟକ ସେବା ଆଇନରେ କେତେକ ସୁଦୂରପ୍ରସାରୀ ସଂଶୋଧନ ପ୍ରସ୍ତାବ ଅନୁମୋଦିତ ହେବା ସହିତ ସାରା ଦେଶର ଯେ କୌଣସି ବଜାରରେ ନିଜ ଉତ୍ପାଦିତ ଫସଲ ବିକିବା ପାଇଁ କୃଷକମାନଙ୍କୁ ଅଧିକ ସ୍ବାଧୀନତା ପ୍ରଦାନ ସଂପର୍କିତ ଦୁଇଟି ଅଧ୍ୟାଦେଶ ମଧ୍ୟ ଅନୁମୋଦନ ଲାଭ କରିଥିଲା ।

ଶ୍ରୀ ଧତୱାଲିଆ କୋରୋନା ପଜିଟିଭ ବୋଲି ଚିହ୍ନଟ ହେବା ପରେ କେତେ ଜଣ କେନ୍ଦ୍ର ମନ୍ତ୍ରୀ ଏବଂ ଶୀର୍ଷସ୍ଥାନୀୟ ଅଧିକାରୀ ନିଜେ ନିଜେ ପୃଥକ୍‌ବାସର ନିୟମ ପାଳନ କରୁଛନ୍ତି, ତାହା ଏ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ । ହେଲେ, ସାନିଟାଇଜେସନ୍‌ ପାଇଁ ପିଆଇବି କୋଠାକୁ ସିଲ୍‌ କରିଦିଆଯାଇଛି । ଏବଂ ନିୟମିତ ଭାବେ ସାଧାରଣତଃ ବୁଧବାର ଦିନ ବସୁଥିବା କ୍ୟାବିନେଟ୍‌ ବୈଠକ ଏଥର ଆୟୋଜିତ ହୋଇନାହିଁ ।

ପିଆଇବିର ଶୀର୍ଷ ଅଧିକାରୀ ଜଣକ କୋରୋନା ପଜିଟିଭ୍‌ ବୋଲି ସାଧାରଣରେ ଖବର ପ୍ରକାଶିତ ହେବା ପରେ ସ୍ବାସ୍ଥ୍ୟ ମନ୍ତ୍ରାଳୟ ଏବଂ ଗୃହ ମନ୍ତ୍ରାଳୟ ପକ୍ଷରୁ ନିୟମିତ ଭାବେ ଆୟୋଜିତ ହେଉଥିବା କୋଭିଡ୍‌ ସଂପର୍କିତ ସାମ୍ବାଦିକ ସମ୍ମିଳନୀ ମଧ୍ୟ ଅନୁଷ୍ଠିତ ହୋଇନାହିଁ ।

ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ଜଣେ ଯୁଗ୍ମ ସଚିବ ଲବ୍‌ ଅଗ୍ରୱାଲ, ଗୃହ ମନ୍ତ୍ରାଳୟର ଯୁଗ୍ମ ସଚିବ ପୁଣ୍ୟ ସଲିଳା ଶ୍ରୀବାସ୍ତବ ଏବଂ ଭାରତୀୟ ଭେଷଜ ଗବେଷଣା ପରିଷଦ(ICMR)ର ମହାମାରୀ ବିଜ୍ଞାନ ଓ ସଂକ୍ରାମକ ରୋଗ ବିଭାଗ ମୁଖ୍ୟ ରମଣ ଆର୍‌. ଗଙ୍ଗାଖେଡ଼କର ନିଜେ ନିଜେ ପୃଥକ୍‌ବାସରେ ରହିଛନ୍ତି କି ନାହିଁ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ନୂଆଦିଲ୍ଲୀର ନ୍ୟାସନାଲ ମିଡିଆ ସେଣ୍ଟରରେ କୋଭିଡ୍‌-19 ସୂଚନା ସଂପର୍କିତ ସାମ୍ବାଦିକ ସମ୍ମିଳନୀରେ କେ.ଏସ୍‌.ଧତୱାଲିଆଙ୍କ ସହିତ ଏହି ତିନି ଅଧିକାରୀ ନିୟମିତ ଭାବେ ଯୋଗ ଦେଇ ତଥ୍ୟ ପ୍ରଦାନ କରୁଥିଲେ ଏବଂ କୋରୋନା ସଂପର୍କିତ ସୂଚନା ଦେବା କ୍ଷେତ୍ରରେ ସରକାରଙ୍କ ଚେହେରାରେ ପରିଣତ ହୋଇଥିଲେ ।

ସେହିଭଳି, ଗତ ସପ୍ତାହରେ ପ୍ରତିରକ୍ଷା ସଚିବ ଡକ୍‌ଟର ଅଜୟ କୁମାର ପଜିଟିଭ୍‌ ବୋଲି ଚିହ୍ନଟ ହେବା ପରେ ପ୍ରତିରକ୍ଷା ବିଭାଗର ଠିକ୍‌ କେତେ ଜଣ ଅଧିକାରୀ ନିଜେ ନିଜେ ପୃଥକ୍‌ବାସରେ ରହିଛନ୍ତି, ତାହା ମଧ୍ୟ ସ୍ପଷ୍ଚ ହୋଇନାହିଁ ।

ପ୍ରତିରକ୍ଷା ମନ୍ତ୍ରାଳୟର ବରିଷ୍ଠତମ ବେସାମରିକ ଅଧିକାରୀ ହିସାବରେ ଡକ୍‌ଟର ଅଜୟ କୁମାର, ନିୟମିତ ଭାବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ପ୍ରତିରକ୍ଷା ମୁଖ୍ୟ ବା ସିଡିଏସ୍‌ ଜେନେରାଲ ବିପିନ ରାୱତ ଏବଂ ତିନି ସାମରିକ ବାହିନୀର ମୁଖ୍ୟମାନଙ୍କ ସଂସ୍ପର୍ଶରେ ରହୁଥିଲେ ।

ପିଟିଆଇ ରିପୋର୍ଟ ଅନୁସାରେ, ସାବଧାନତାମୂଳକ ପଦକ୍ଷେପ ସ୍ବରୂପ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପରଦିନ ଅଫିସ୍‌କୁ ଆସି ନଥିଲେ ।

ବିଭିନ୍ନ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଡକ୍‌ଟର ଅଜୟ କୁମାରଙ୍କ ଘନିଷ୍ଠ ସଂସ୍ପର୍ଶରେ ଥିବା ସମସ୍ତ ଅଧିକାରୀ, ଆଚରଣ ବିଧି ଅନୁସରଣ କରି ସ୍ବେଚ୍ଛାରେ ପୃଥକବାସରେ ରହିଛନ୍ତି । କିନ୍ତୁ ସେମାନଙ୍କ ମଧ୍ୟରେ କୌଣସି ଉଚ୍ଚପଦସ୍ଥ ସାମରିକ ଅଧିକାରୀ ଅଛନ୍ତି କି ନାହିଁ ତାହା ପ୍ରକାଶିତ ହୋଇନାହିଁ ।

ରାଜ୍ୟସ୍ତରୀୟ ନେତା ଓ ଅଧିକାରୀମାନେ ମଧ୍ୟ କୋଭିଡ୍‌ ଭୂତାଣୁ ସଂକ୍ରମଣରେ ପୀଡ଼ିତ

କେନ୍ଦ୍ର ସରକାରଙ୍କ ସଦୃଶ, ବିଭିନ୍ନ ରାଜ୍ୟର ନେତା ଓ ଅଧିକାରୀମାନେ ମଧ୍ୟ ଏହି ଅତି ସଂକ୍ରାମକ ଭୂତାଣୁରେ ଆକ୍ରାନ୍ତ ହୋଇଛନ୍ତି ।

ବୁଧବାର ଦିନ, ଡିଏମ୍‌କେ ବିଧାୟକ ଜେ.ଅନ୍‌ବଝଗନ କୋରୋନା ସଂକ୍ରମଣର ଶିକାର ହୋଇ ମୃତ୍ୟୁମୁଖରେ ପଡ଼ିଥିଲେ ଏବଂ ଦେଶରେ ଏ ପର୍ଯ୍ୟନ୍ତ 8,000ରୁ ଅଧିକ ଏବଂ ସାରା ବିଶ୍ବରେ 4,19,000ରୁ ଅଧିକ ଲୋକଙ୍କ ପ୍ରାଣ ନେଇଥିବା ମାରାତ୍ମକ କୋରୋନା ଭାଇରସ୍‌ ସଂକ୍ରମଣରେ ପ୍ରାଣ ହରାଇବାରେ ସେ ଦେଶର ପ୍ରଥମ ବିଧାୟକ ।

ଗତ ସପ୍ତାହରେ ଉତ୍ତରାଖଣ୍ଡର ମନ୍ତ୍ରୀ ସତପାଲ ମହାରାଜ, ତାଙ୍କ ସ୍ତ୍ରୀ ଅମୃତା ରାୱତ ଏବଂ ତାଙ୍କର ଦୁଇ ପୁଅ ଓ ସେମାନଙ୍କ ପତ୍ନୀମାନେ ଏବଂ ଜଣେ ଦେଢ଼ ବର୍ଷର ନାତି ସମେତ 21 ଜଣ ପରିବାର ସଦସ୍ୟ ଏବଂ କେତେକ କର୍ମଚାରୀ କୋରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ । ପରବର୍ତ୍ତୀ ସମୟରେ, ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାୱତଙ୍କ ସମେତ ତାଙ୍କ ମନ୍ତ୍ରିମଣ୍ଡଳର ଅନେକ ସହକର୍ମୀ ନିଜକୁ ନିଜେ ପୃଥକ୍‌ବାସରେ ରଖିଥିଲେ ।

ମେ 29 ତାରିଖ (ଶୁକ୍ରବାର) ଦିନ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାୱତଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍‌ ବୈଠକରେ ସତପାଲ ମହାରାଜ ଯୋଗ ଦେଇଥିଲେ ।

ସତପାଲ ମହାରାଜଙ୍କ ସ୍ତ୍ରୀ ଅମୃତା ରାୱତ ସଂକ୍ରମିତ ହୋଇଥିବା କଥା ଶନିବାର ଦିନ (ମେ 30) ଜଣାପଡ଼ିବା ପରେ ରବିବାର ଦିନ ତାଙ୍କ ପରିବାରର ଅନ୍ୟ ସଦସ୍ୟ ଏବଂ କର୍ମଚାରୀମାନଙ୍କର ଡାକ୍ତରୀ ପରୀକ୍ଷା ହୋଇଥିଲା ଏବଂ ମନ୍ତ୍ରୀ ଓ ତାଙ୍କ ପରିବାର ଅନ୍ୟ ସଦସ୍ୟମାନଙ୍କ ସମେତ 20ରୁ ଅଧିକ ବ୍ୟକ୍ତି ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା । ସଂକ୍ରମିତ ବ୍ୟକ୍ତିଙ୍କ ପାଖରେ ରହି ଏକା ସାଙ୍ଗରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରେ କୋରୋନା ଭାଇରସ୍‌ କେତେ ଦ୍ରୁତ ଗତିରେ ବ୍ୟାପିପାରେ ତାହା ଏଥିରୁ ବୁଝିହୁଏ ।

ସେହିଭଳି, ଗତ ମାସରେ ଗୁଜରାଟ ସରକାରଙ୍କୁ ମଧ୍ୟ କୋରୋନାର ଭୟ ସେତେବେଳେ ଆକ୍ରାନ୍ତ କରିଥିଲା. ଯେତେବେଳେ ଜଣେ କଂଗ୍ରେସ ବିଧାୟକ ଇମ୍ରାନ ଖେଡ଼ାୱାଲାଙ୍କୁ ସାକ୍ଷାତ କରିଥିବା ମୁଖ୍ୟମନ୍ତ୍ରୀ ବିଜୟ ରୁପାଣିଙ୍କୁ ପୃଥକ୍‌ବାସରେ ରହିବାକୁ ପଡ଼ିଥିଲା । କାରଣ ପରବର୍ତ୍ତୀ ସମୟରେ ବିଧାୟକ ଜଣକ ପଜିଟିଭ୍‌ ବୋଲି ପରୀକ୍ଷଣରୁ ଚିହ୍ନଟ ହୋଇଥିଲେ ।

କ୍ରିଷ୍ଣାନନ୍ଦ ତ୍ରିପାଠୀ, ଈଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.