ETV Bharat / bharat

ପୁଣେର FTIIରେ ପ୍ରଦର୍ଶିତ ହେଲା ବିବାଦୀୟ ବିବିସି ଡକ୍ୟୁମେଣ୍ଟାରୀ

author img

By

Published : Jan 29, 2023, 10:06 PM IST

ପୁଣେର FTIIରେ ବିବିସି ଡକ୍ୟୁମେଣ୍ଟାରୀ ପ୍ରଦର୍ଶିତ
ପୁଣେର FTIIରେ ବିବିସି ଡକ୍ୟୁମେଣ୍ଟାରୀ ପ୍ରଦର୍ଶିତ

ପୁଣେରେ ଥିବା ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆରେ ପ୍ରଦର୍ଶିତ ହେଲା ବିବାଦୀୟ ବିବିସି ଡକ୍ୟୁମେଣ୍ଟାରୀ । ଅଧିକ ପଢନ୍ତୁ

ମୁମ୍ବାଇ: ଅନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା ବିବିସି ଦ୍ବାରା ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ପ୍ରସ୍ତୁତ ''ଇଣ୍ଡିଆ: ଦ ମୋଦି କୋଶ୍ଚିନ'' ଭାରତରେ ବ୍ୟାନ କରାଯାଇଛି । ଏହାସତ୍ତ୍ବେ ଦେଶର ବିଭିନ୍ନ ବିଶ୍ବବିଦ୍ୟାଳୟରେ ଡକ୍ୟୁମେଣ୍ଟାରୀକୁ ପ୍ରଦର୍ଶିତ କରାଯାଉଛି । ଏବେ ପୁନେ ସ୍ଥିତ ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆରେ(FTII) ମଧ୍ୟ ଏହାକୁ ପ୍ରଦର୍ଶିତ କରାଯାଇଥିବା ଖବର ମିଳିଛି । ଛାତ୍ର ସଂଗଠନ ପକ୍ଷରୁ ସାଧାରଣତନ୍ତ୍ର ଦିବସରେ ଏହାର ସ୍କ୍ରିନିଂ ଆୟୋଜନ କରାଯାଇଥିବା ନେଇ FTII ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ, ଗତ ସପ୍ତାହରେ କେନ୍ଦ୍ର ସରକାର ସୋସିଆଲ ମିଡିଆରୁ ମୋଦିଙ୍କ ଉପରେ ପ୍ରସ୍ତୁତ ବିବିସି ଡକ୍ୟୁମେଣ୍ଟାରୀକୁ ହଟାଇବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାକୁ ନେଇ ଦେଶରେ ଦିନକୁ ଦିନ ବିଦାଦ ତେଜୁଥିବା ବେଳେ ପୁଣେରେ ଥିବା FTII କ୍ୟାମ୍ପସରେ ''ଇଣ୍ଡିଆ: ଦ ମୋଦି କୋଶ୍ଚିନ'' ପ୍ରଦର୍ଶିତ କରାଯାଇଛି । FTII ପ୍ରଶାସନ ଏ ସମ୍ପର୍କରେ ଜାଣିବା ପରେ ଏହାର ତଦନ୍ତ କରାଯିବ ବୋଲି କହିଛନ୍ତି । ତେବେ ଯାହା ସୂଚନା ମିଳିଛି ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆର ଛାତ୍ର ସଂଗଠନ ଦ୍ବାରା ଗତ ୨୬ ତାରିଖରେ ଡକ୍ୟୁମେଣ୍ଟାରୀର ସ୍କ୍ରିନିଂ ଆୟୋଜନ କରାଯାଇଥିଲା । ଏନେଇ FTII ଛାତ୍ରଛାତ୍ରୀ ଯୁକ୍ତି ବାଢିଛନ୍ତି ଯେ, ବିବିସି ଡକ୍ୟୁମେଣ୍ଟାରୀ ଉପରେ କୌଣସି ପ୍ରତିବନ୍ଧକ ଲାଗିବା ଅନୁଚିତ୍ । ଏହାକୁ ଦେଖିବେ ନା ନାହିଁ ତାହା ଦେଶର ନାଗରିକ ସ୍ଥିର କରିବେ । ସରକାର କାହିଁକି ପ୍ରତିବନ୍ଧକ ଲଗାଇଛନ୍ତି ବୋଲି ସେମାନେ ପ୍ରଶ୍ନ କରିଛନ୍ତି ।

ଅନ୍ୟପଟେ ହିନ୍ଦୁ ସେନା ପକ୍ଷରୁ ଏହି ଡକ୍ୟୁମେଣ୍ଟାରୀକୁ ତୀବ୍ର ବିରୋଧ କରାଯାଇଛି । ଏହା ଦେଶର ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି କରୁଥିବା ଅଭିଯୋଗ କରି ଏହାକୁ ବ୍ୟାନ କରିବାକୁ ଆଜି ସଂଗଠନ ନୂଆଦିଲ୍ଲୀର କସ୍ତୁରବା ଗାନ୍ଧୀମାର୍ଗରେ ଥିବା ବିବିସି ଅଫିସ ବାହାରେ ପୋଷ୍ଟର ଲଗାଇଛି । ପୋଷ୍ଟରରେ ''ବିବିସି ଭାରତ ଛାଡ'' ଉଲ୍ଲେଖ ରହିଥିବା ଦେଖିବାକୁ ମିଳିଛି । ହିନ୍ଦୁ ସେନାର ରାଷ୍ଟ୍ରୀୟ ଅଧ୍ୟକ୍ଷ ବିଷ୍ଣୁ ଗୁପ୍ତା କହିଛନ୍ତି, ''ବିବିସି ଦେଶର ଏକତା ଓ ଅଖଣ୍ଡତା ପ୍ରତି ବିପଦ । ବିଶ୍ବସ୍ତରରେ ଭାରତ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ଛବି ମଳିନ କରିବାକୁ ଏହା ଅନ୍ତରାଷ୍ଟ୍ରୀୟ ଷଡଯନ୍ତ୍ର । ତୁରନ୍ତ ଏହାକୁ ଭାରତରେ ବ୍ୟାନ କରାଯିବା ଜରୁରୀ ।''

ପ୍ରକାଶଥାଉ କି, ୨୦୦୨ ଗୁଜୁରାଟ ଦଙ୍ଗା ଉପରେ ଅନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା ବିବିସି ଦ୍ବାରା ଇଣ୍ଡିଆ: ଦ ମୋଦି କୋଶ୍ଚିନ ପ୍ରସ୍ତୁତ କରାଯାଇଛି । ଏଥିରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ମୋଦିଙ୍କ ଭୂମିକାକୁ ଅତି ବିବାଦୀୟ ଭାବେ ଚିତ୍ରଣ କରାଯାଇଛି । ତେଣୁ ଏହାକୁ ନେଇ ଦେଶରେ ବିବାଦ ବଢିବାରେ ଲାଗିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.