ETV Bharat / bharat

Atiq Ahmed Murder: ଉତ୍ତରପ୍ରଦେଶରେ ୧୪୪ ଧାରା ଲାଗୁ, ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ

author img

By

Published : Apr 16, 2023, 7:15 AM IST

ଉତ୍ତରପ୍ରଦେଶରେ ୧୪୪ ଧାରା ଲାଗୁ
ଉତ୍ତରପ୍ରଦେଶରେ ୧୪୪ ଧାରା ଲାଗୁ

ଅତିକ ଅହମ୍ମଦ ଓ ଅଶରଫ ହତ୍ୟାକାଣ୍ଡ ପରେ ଉତ୍ତରପ୍ରଦେଶରେ ୧୪୪ ଧାରୁ ଲାଗୁ । ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଅଧିକ ପଢନ୍ତୁ

ଲକ୍ଷ୍ନୌ: ମାଫିଆରୁ ରାଜନେତା ପାଲଟିଥିବା ଅତିକ ଅହମ୍ମଦ ଓ ଭାଇ ଅଶରଫ ହତ୍ୟାକାଣ୍ଡ ସାରା ଦେଶରେ ଚାଞ୍ଚଲ୍ୟ ଖେଳାଇଛି । ଗତକାଲି(ଶନିବାର) ରାତିରେ ଦୁର୍ବୃତ୍ତମାନେ ସାମ୍ବାଦିକ ବେଶରେ ଆସି ପୋଲିସ ସାମ୍ନାରେ ଦୁହିଁଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ଏହି ହତ୍ୟାକାଣ୍ଡ ପରେ ରାଜ୍ୟବ୍ୟାପୀ ହାଇଆଲର୍ଟ ଜାରି କରିବା ସହ ସମସ୍ତ ୭୫ଟି ଜିଲ୍ଲାରେ ୧୪୪ ଧାରା ଜାରି କରାଯାଇଛି । ବିଳମ୍ବିତ ରାତିରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ଡକାଯାଇ ଘଟଣା ସମ୍ପର୍କରେ ଆଲୋଚନା କରାଯାଇଛି । ମୁଖ୍ୟମନ୍ତ୍ରୀ ଏହି ହତ୍ୟାକାଣ୍ଡ ଘଟଣାକୁ ଅତି ଗୁରୁତର ସହ ନେଇ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ତିନି ଜଣିଆ ନ୍ୟାୟିକ କମିଶନ ଗଠନ କରି ମାମଲାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ହାଇକୋର୍ଟର ୩ ବିଚାରପତି ଏହାର ତଦନ୍ତ କରିବେ ।

ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ବସିଥିବା ଏହି ବୈଠକରେ ରାଜ୍ୟ ଗୃହ ବିଭାଗ ସଚିବ ସଞ୍ଜୟ ପ୍ରସାଦଙ୍କ ସହ ପୋଲିସ ଡିଜି ଆରକେ ବିଶ୍ବକର୍ମା ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ । ଏଥିରେ ରାଜ୍ୟରେ ଆଇନ ଶୃଙ୍ଖଳା ବଜାୟ ରଖିବାକୁ ମୁଖ୍ୟମନ୍ତ୍ରୀ ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ଏହି ଘଟଣା ସହ ଜଡିତ କୌଣସି ପ୍ରକାର ଗୁଜବରେ ବିଶ୍ବାସ ନକରିବାକୁ ମୁଖ୍ୟମନ୍ତ୍ରୀ ଲୋକଙ୍କୁ ଅପିଲ୍ କରିବା ସହ ଗୁଜବ ପ୍ରଚାରକାରୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି । ତେବେ ଅତିକ ଓ ତାର ଭାଇକୁ ଗୁଳି କରିଥିବା ୩ ଜଣ ଦୁର୍ବୃତ୍ତଙ୍କୁ ପୋଲିସ ହେପାଜତକୁ ନେଇଛି । ସେମାନେ ସାମ୍ବାଦିକ ବେଶରେ ଆସି ୩୬ ରାଉଣ୍ଡରୁ ଅଧିକ ଗୁଳି ଚଳାଇଥିଲେ । ଏହି ଘଟଣାରେ ୧୭ ଜଣ ପୋଲିସ ଅଧିକାରୀଙ୍କୁ ତୁରନ୍ତ ନିଲମ୍ବିତ କରାଯାଇଛି ।

ଏହାମଧ୍ୟ ପଢନ୍ତୁ: Atiq Ahmed, brother Ashraf shot dead: ପୋଲିସ କଷ୍ଟଡିରେ ଅତିକ ଓ ଅସରଫକୁ ଗୁଳି କରି ହତ୍ୟା

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଏହାପୂର୍ବରୁ ଅତିକର ପୁଅ ଅସଦ ଏବଂ ତାର ସହଯୋଗୀ ଗୁଲାମକୁ ଦୁଇ ଦିନ ତଳେ ଉତ୍ତରପ୍ରଦେଶ ପୋଲିସ ଝାନ୍ସିରେ ଏନକାଉଣ୍ଟର କରିଥିଲା । ଗତକାଲି ସକାଳେ ପୁଅର ଶେଷକୃତ୍ୟ ସମ୍ପନ୍ନ ହୋଇଥିବାବେଳେ ରାତିରେ ଅତିକ ଓ ଭାଇ ଅଶରଫକୁ ଗୁଳି କରି ହତ୍ୟା କରାଯାଇଛି । ରାଜୁ ପାଲ୍ ହତ୍ୟାକାଣ୍ଡ ଘଟଣାର ସାକ୍ଷୀ ଥିବା ଉମେଶ ପାଲ୍‌ଙ୍କୁ ହତ୍ୟା କରିବା ଘଟଣାରେ ଅତିକ ଅହମ୍ମଦ, ଅଶରଫ ଓ ପୁଅ ଅସଦ ଅଭିଯୁକ୍ତ ଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.