ETV Bharat / bharat

ଐତିହାସିକ ରାୟ

author img

By

Published : May 4, 2021, 4:56 PM IST

ଦେଶର ଚାରିଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ସର୍ବମୋଟ 824ଟି ବିଧାନସଭା ଆସନ ପାଇଁ ନିର୍ବାଚନ ହୋଇଥିଲା । ଆଉ ଏହାର ଫଳାଫଳ ରହିଛି ଐତିହାସିକ । ଅଧିକ ପଢନ୍ତୁ..

ଐତିହାସିକ ରାୟ
ଐତିହାସିକ ରାୟ

ଚଳିତ ଦଶନ୍ଧିର ପ୍ରଥମ ଏବଂ ବିଶ୍ବ ମହାମାରୀ ପ୍ରାଦୁର୍ଭାବ ପରବର୍ତ୍ତୀ ସମୟରେ ଦ୍ବିତୀୟ ଥର ପାଇଁ ଆୟୋଜିତ ବିଭିନ୍ନ ରାଜ୍ୟର ବିଧାନସଭା ନିର୍ବାଚନରେ ଏଆଇଏଡିଏମ୍‌କେ (ତାମିଲନାଡୁ) ଏବଂ ତୃଣମୂଳ କଂଗ୍ରେସ (ପଶ୍ଚିମ ବଙ୍ଗ) କ୍ରମାଗତ ତୃତୀୟ ଥର ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ । ବାମପନ୍ଥୀମାନେ କେରଳରେ ଶାସନ କ୍ଷମତା ବଜାୟ ରଖିବା ପାଇଁ ଚାହୁଁଥିଲେ ଏବଂ ବିଜେପି ଆସାମ ଓ ପଶ୍ଚିମ ବଙ୍ଗରେ କ୍ଷମତା ହାତେଇବାକୁ ମନ ବଳାଇଥିଲା । ଏଥର, ଦେଶର ଚାରିଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ସର୍ବମୋଟ 824ଟି ବିଧାନସଭା ଆସନ ପାଇଁ ନିର୍ବାଚନ ହୋଇଥିଲା ।

ଏହି ସବୁ ଆସନ ପାଇଁ 2016 ମସିହାରେ ହୋଇଥିବା ନିର୍ବାଚନରେ ବିଜେପି ମୋଟ 824ରୁ ମାତ୍ର 64ଟି ଆସନରେ ବିଜୟଲାଭ କରିଥିଲା । ସାରା ଦେଶରେ ଦଳର ପତିଆରା ବୃଦ୍ଧି କରିବା ଲକ୍ଷ୍ୟ ନେଇ ବିଜେପି ସଦ୍ୟ ସମାପିତ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିଥିଲା । ପୁଡୁଚେରୀରେ ବିଜେପି ରଙ୍ଗାସ୍ବାମୀଙ୍କ ଦଳ ସମର୍ଥନରେ ପ୍ରତିଦ୍ବନ୍ଦ୍ବିତା କରିଥିଲା । କିନ୍ତୁ, ଅନ୍ୟ ସମୟ ଭଳି ଏଥର ମଧ୍ୟ ଭୋଟଦାତାମାନଙ୍କ ମତିଗତି ଆକଳନ କରିବାରେ ନିର୍ବାଚନ ବିଶାରଦମାନେ ବିଫଳ ହୋଇଥିଲେ ।

1975 ମସିହାରେ ତାଙ୍କ ପୁଅ ଏମ.କେ.ଷ୍ଟାଲିନଙ୍କ ପିଠି ଥାପୁଢ଼ାଇ ଏମ.କେ. କରୁଣାନିଧି କହିଥିଲେ, “ଇନ୍ଦିରା ଗାନ୍ଧୀ ତମକୁ ଜଣେ ବଡ଼ ନେତା କରିବାକୁ ଚାହୁଁଛନ୍ତି । ତେଣୁ, କଠିନ ପରିସ୍ଥିତିର ସମ୍ମୁଖୀନ ହେବା ଲାଗି ପ୍ରସ୍ତୁତ ହୁଅ ।” ତଦନୁସାରେ, ପରବର୍ତ୍ତୀ ସମୟରେ ଷ୍ଟାଲିନ ଅନେକ କଠିନ ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି । କିନ୍ତୁ ଗତ ଥର ନିର୍ବାଚନ ପୂର୍ବରୁ ସମଗ୍ର ତାମିଲନାଡୁରେ ‘ନାମାକ୍କୁ ନାମେ’ ଶୀର୍ଷକ ପଦଯାତ୍ରା କାର୍ଯ୍ୟକ୍ରମ ସକାଶେ ସେ ଯେଉଁ କଠିନ ପରିଶ୍ରମ କରିଥିଲେ, ତାହାର ସୁଫଳ ଏଥର ନିର୍ବାଚନରେ ପାଇଛନ୍ତି । ଡିଏମ୍‌କେକୁ 37 ପ୍ରତିଶତ ଭୋଟ ଦେଇ ତାମିଲନାଡୁବାସୀ ଏହା ସପକ୍ଷରେ ରାୟ ଦେଇଛନ୍ତି । ହେଲେ, ଭୋଟରମାନେ ଏଆଇଏଡିଏମ୍‌କୁ ବି ସଂପୂର୍ଣ୍ଣ ଉପେକ୍ଷା କରିନାହାନ୍ତି । ସେମାନେ ଏହାକୁ 33 ପ୍ରତିଶତ ଭୋଟ ଦେଇ 77ଟି ଆସନରେ ବିଜୟୀ କରାଇଛନ୍ତି ।

ବିଶ୍ବ ମହାମାରୀ କୋରୋନାର ପ୍ରକୋପରୁ କେରଳର ଲୋକଙ୍କୁ ସୁରକ୍ଷା ପ୍ରଦାନ ଦିଗରେ ପିନାରାୟୀ ବିଜୟନ ଏକ ସୁନିୟୋଜିତ ଏବଂ ସୁସଂଗଠିତ କାର୍ଯ୍ୟକ୍ରମ ହାତକୁ ନେଇଥିଲେ । ଏଥିପାଇଁ ବିଧାନସଭା ନିର୍ବାଚନରେ ଏକ ନିର୍ଣ୍ଣାୟକ ବିଜୟ ପ୍ରଦାନର ସୁଯୋଗ ଦେଇ କେରଳର ଲୋକେ ତାଙ୍କୁ ପୁରସ୍କୃତ କରିଛନ୍ତି । ଗତ ଥର କେରଳ ବିଧାନସଭା ନିର୍ବାଚନରେ ବିଜେପି ଖାତା ଯାହା ଖୋଲିଥିଲା । ଏଥର ନିର୍ବାଚନରେ ଗୋଟିଏ ହେଲେ ଆସନ ହାତେଇବାରେ ବିଫଳ ଗୈରିକ ଦଳର ସେହି ଖାତା ବନ୍ଦ ହୋଇଯାଇଛି । ଅନେକ ଦୃଷ୍ଟିରୁ କେରଳର ଜନମତ ବିଶେଷ ଉଲ୍ଲେଖର ଆବଶ୍ୟକତା ରଖେ ।

ପଶ୍ଚିମ ବଙ୍ଗର ନିର୍ବାଚନ ରଣକ୍ଷେତ୍ର ଉପରେ ସାରା ଦେଶର ନଜର ଏଥିପାଇଁ ଲାଖି ରହିଥିଲା ଯେ, ରାଜ୍ୟରେ ଦଶ ବର୍ଷ ଧରି ଚାଲିଥିବା ମମତା ବାନାର୍ଜୀଙ୍କ ଶାସନର ଅନ୍ତ ଘଟାଇବା ପାଇଁ ବିଜେପି ଏହାର ସମସ୍ତ ଶକ୍ତି ନିୟୋଜିତ କରିଦେଇଥିଲା ।

ଏଥର ଯେଉଁ ପାଞ୍ଚଟି ବିଧାନସଭା ପାଇଁ ନିର୍ବାଚନ ହୋଇଥିଲା, ସେଥିରୁ ପଶ୍ଚିମ ବଙ୍ଗ ବିଧାନସଭା ସବୁଠାରୁ ବଡ଼ । ରାଜ୍ୟରେ ଆଠଟି ପର୍ଯ୍ୟାୟରେ ଭୋଟଗ୍ରହଣ ନିଷ୍ପତ୍ତି ହେଉ କି ପୋଲିଂ ଏଜେଣ୍ଟ ନିଯୁକ୍ତି ସଂକ୍ରାନ୍ତରେ କୋହଳ ନୀତି କିମ୍ବା ବହୁସଂଖ୍ୟକ ସିଆର୍‌ପିଏଫ୍‌ ଯବାନ ମୁତୟନ ନିଷ୍ପତ୍ତି, ପ୍ରତିଟି କ୍ଷେତ୍ରରେ ତୃଣମୂଳ କଂଗ୍ରେସକୁ ନିର୍ବାଚନ କମିଶନଙ୍କ ସହ ଲଢ଼େଇ କରିବାକୁ ପଡ଼ିଥିଲା । ପଶ୍ଚିମ ବଙ୍ଗରେ ବିଜେପି 200ରୁ ଅଧିକ ଆସନରେ ବିଜୟଲାଭ କରିବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଘୋଷଣା କରିଥିଲେ । ଅଥଚ ପଶ୍ଚିମ ବଙ୍ଗର ଭୋଟଦାତାମାନେ ମମତାଙ୍କ ଉପରେ ଗଭୀର ଆସ୍ଥା ପ୍ରକଟ କଲେ ଏବଂ ତାଙ୍କୁ ଗତ ନିର୍ବାଚନରେ ତାଙ୍କ ଦଳ ଜିତିଥିବା 211 ଆସନରୁ ଅଧିକ ଆସନ ପ୍ରଦାନ କଲେ ।

2016 ପଶ୍ଚିମ ବଙ୍ଗ ବିଧାନସଭା ନିର୍ବାଚନରେ ବିଜେପି ମାତ୍ର 10.2 ପ୍ରତିଶତ ଭୋଟ ପାଇବା ସହିତ କେବଳ ତିନିଟି ଆସନରେ ବିଜୟୀ ହୋଇଥିଲା । 2019 ସାଧାରଣ ନିର୍ବାଚନରେ ବିଜେପିର ଭାଗ୍ୟ ବଦଳିଥିଲା ଏବଂ ଦଳ 18ଟି ଲୋକସଭା ଆସନରେ ବିଜୟଲାଭ କରିଥିଲା । ଏଥିରୁ ଏହି ସଂକେତ ମିଳିଥିଲା ଯେ, ବିଜେପି 121ରୁ ଅଧିକ ବିଧାନସଭା ଆସନରେ ବେଶ୍‌ ମଜଭୁତ ସ୍ଥିତିରେ ରହିଛି । ଆଉ ସାମାନ୍ୟ ଉଦ୍ୟମ ବଳରେ ରାଜ୍ୟରେ ଶାସନ କ୍ଷମତାକୁ ଆସିପାରିବ ବୋଲି ଆଶା ନେଇ ବିଜେପି ସବୁ ଶକ୍ତି ଖଟାଇ ନିର୍ବାଚନୀ ମଇଦାନକୁ ଓହ୍ଲାଇଥିଲା । ଏହା ସହିତ ତୃଣମୂଳ କଂଗ୍ରେସ ଛାଡ଼ିଥିବା ବହୁସଂଖ୍ୟକ ନେତାଙ୍କୁ ବିଜେପି ନିଜ ଶିବିରରେ ସ୍ବାଗତ କରିଥିଲା । ପୂର୍ବରୁ ବାମ ସାମ୍ମୁଖ୍ୟକୁ ସମର୍ଥନ କରିଆସୁଥିବା ବହୁ ଲୋକ ଏଥର ବିଜେପିକୁ ସମର୍ଥନ ଜଣାଇଥିଲେ । ଜୋରଦାର ଢଙ୍ଗରେ ନିର୍ବାଚନ ପ୍ରଚାର ଚାଲିଥିବା ବେଳେ ପରସ୍ପର ପ୍ରତି ଆକ୍ଷେପ ଓ ପ୍ରତିଆକ୍ଷେପ କାରଣରୁ ପଶ୍ଚିମ ବଙ୍ଗ ବସ୍ତୁତଃ ଏକ ରଣକ୍ଷେତ୍ରରେ ପରିଣତ ହୋଇଥିଲା । ଗତ ବିଧାନସଭା ନିର୍ବାଚନରେ ବାମ ସାମ୍ମୁଖ୍ୟ 32ଟି ଏବଂ କଂଗ୍ରେସ 44ଟି ଆସନ ହାସଲ କରିଥିଲେ । ଏଥର ଉଭୟ ନିଜ ନିଜର ଖାତା ଖୋଲିପାରି ନାହାନ୍ତି । ମନେ ହେଉଥିଲା, ପଶ୍ଚିମ ବଙ୍ଗ ପାଇଁ ଲଢ଼େଇରେ ସତେ ଯେମିତି କେବଳ ତୃଣମୂଳ ଓ ବିଜେପି ହିଁ ମଇଦାନରେ ରହିଛନ୍ତି । ବାକି ସବୁ ଦଳର ପ୍ରାର୍ଥୀମାନଙ୍କୁ ବଙ୍ଗୀୟ ଭୋଟଦାତାମାନେ ଅଣଦେଖା କରିଥିଲେ । ଏଥର ନିର୍ବାଚନର ଏକମାତ୍ର ଦୁଃଖଦ ବିଡ଼ମ୍ବନା ହେଉଛି ଯେ. ମମତା ବାନାର୍ଜୀ ନିଜର ପୂର୍ବତନ ସହଯୋଗୀ ଶୁଭେନ୍ଦୁ ଅଧିକାରୀଙ୍କ ପାଖରେ ନନ୍ଦିଗ୍ରାମ ଆସନରେ ପରାଜୟ ବରଣ କରିଛନ୍ତି ।

2016 ବିଧାନସଭା ନିର୍ବାଚନରେ ଉତ୍ତର ପୂର୍ବ ରାଜ୍ୟ ସମୂହ ମଧ୍ୟରୁ ଏକ ଗୁରୁତ୍ବପୂର୍ଣ୍ଣ ରାଜ୍ୟ ରୂପେ ପରିଗଣିତ ଆସାମରେ ବିଜେପି ଆଶ୍ଚର୍ଯ୍ୟଜନକ ବିଜୟ ହାସଲ କରିଥିଲା । ଆସାମରେ ଏଥର ମଧ୍ୟ ଦଳ ନିର୍ବିଘ୍ନରେ ବିଜୟ ହାସଲ କରିଛି । ଏଆଇୟୁଡିଏଫ୍‌ ସହ ମେଣ୍ଟ କରି ରାଜ୍ୟର 34 ପ୍ରତିଶତ ମୁସଲମାନ ଭୋଟ ହାସଲ କରିବାକୁ କଂଗ୍ରେସ ଆଶା କରିଥିଲା । ଏହା ସତ୍ତ୍ବେ ବିଜେପି ନେତୃତ୍ବାଧୀନ ମେଣ୍ଟ ରାଜ୍ୟର 72ଟି ଆସନରେ ବିଜୟଲାଭ କରିଛି । ରାଜ୍ୟସ୍ତରୀୟ ପ୍ରସଙ୍ଗ ଭିତ୍ତିରେ ଆସାମର ଭୋଟରମାନେ ଏକ ପରିପକ୍ବ ଓ ଐତିହାସିକ ରାୟ ପ୍ରଦାନ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.