ETV Bharat / bharat

ଅଧାରୁ ରେହେମାନଙ୍କ ସୋ’ ବନ୍ଦକଲା ପୋଲିସ୍‌

author img

By

Published : May 1, 2023, 9:34 PM IST

ଏ.ଆର ରେହେମାନଙ୍କ ସୋ’ କୁ ଅଧାରୁ ବନ୍ଦ କଲା ପୁଣେ ପୋଲିସ୍‌
ଏ.ଆର ରେହେମାନଙ୍କ ସୋ’ କୁ ଅଧାରୁ ବନ୍ଦ କଲା ପୁଣେ ପୋଲିସ୍‌

ଅଧାରୁ ବନ୍ଦ ହେଲା ଏ.ଆର ରେହେମାନଙ୍କ ସୋ’ । ସମୟ ଅତିକ୍ରାନ୍ତ କରିସାରିଥିବାରୁ ବାଧା ଦେଲା ପୋଲିସ । ଅଧିକ ପଢନ୍ତୁ

ମୁମ୍ବାଇ: ପୁଣେରେ ଚାଲିଥିବା ମ୍ୟୁଜିକ ମାଇଷ୍ଟ୍ରୋ ଏ.ଆର ରେହେମାନଙ୍କ ସୋ’କୁ ଅଧାରୁ ବନ୍ଦ କଲା ପୋଲିସ୍‌ । ସହରରେ ରାତି 10 ଟା ପରେ କୌଣସି କାର୍ଯ୍ୟକ୍ରମ ପାଇଁ ଅନୁମତି ନଥିଲା । ରେହେମାନଙ୍କ ସୋ’ ସମୟ ଏହି ଅବଧି ଅତିକ୍ରମ କରିସାରିଥିବା କାରଣରୁ ପୋଲିସ ପହଞ୍ଚି କାର୍ଯ୍ୟକ୍ରମକୁ ବନ୍ଦ କରିଥିଲା ।ହେଲେ ଆୟୋଜକ କିମ୍ବା ଅନ୍ୟ କୌଣସି କାର୍ଯ୍ୟକର୍ତ୍ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଥିବା ନେଇ କୌଣସି ସୂଚନା ନାହିଁ ।

ତେବେ ଅନ୍ୟ ଏକ ସୂଚନା ଅନୁସାରେ, କାର୍ଯ୍ୟକ୍ରମ ପାଇଁ ରାତି 10 ପର୍ଯ୍ୟନ୍ତ ଅନୁମତି ଥିବା ନେଇ ଆୟୋଜକ ମଧ୍ୟ ଅବଗତ ଥିଲେ । ପୂର୍ବ ନିର୍ଦ୍ଧାରିତ ସମୟରେ ସାମାନ୍ୟ ବିଳମ୍ବ ହେବା କାରଣରୁ ରେହେମାନ ଷ୍ଟେଜରେ ଶେଷ ସଙ୍ଗୀତ ପରିବେଷଣ କରିବା ସମୟରେ ସମୟ 10 ଅତିକ୍ରମ କରିଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆୟୋଜକଙ୍କୁ କାର୍ଯ୍ୟକ୍ରମ ବନ୍ଦ କରିବା ପାଇଁ କହିବା ପରେ ସୋ’ କୁ ବନ୍ଦ କରାଯାଇଥିଲା । ରେହେମାନ ମଧ୍ୟ ସଙ୍ଗୀତ ପରିବେଷଣ ବନ୍ଦ କରି ଷ୍ଟେଜ ଛାଡିଥିଲେ । ସମସ୍ତ ଦର୍ଶକଙ୍କୁ ଘରକୁ ଫେରିବାକୁ ନିର୍ଦ୍ଦେଶ ଦେଇଥିଲା ପୋଲିସ ।

ସ୍ଥାନୀୟ ପୋଲିସ ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ, ସର୍ବୋଚ୍ଚ କୋର୍ଟଙ୍କ ଗାଇଡଲାଇନ ଅନୁସାରେ, ସହରରେ ରାତି 10 ପରେ ଏପ୍ରକାର କୌଣସି କାର୍ଯ୍ୟକ୍ରମକୁ ଅନୁମତି ମିଳି ପାରିବନାହିଁ । ଆୟୋଜକଙ୍କୁ କେବଳ ରାତି 10ଟା ମଧ୍ୟରେ କାର୍ଯ୍ୟକ୍ରମ ଶେଷ କରିବା ପାଇଁ ପୋଲିସ କହିସାରିଛି । ଏ.ଆର ରେହେମାନଙ୍କ କାର୍ଯ୍ୟକ୍ରମରେ ପ୍ରବଳ ଦର୍ଶକଙ୍କ ଭିଡ ଥିଲା । ସମୟ ଅତିକ୍ରାନ୍ତ ହେବା କାରଣରୁ ପୋଲିସକୁ ହସ୍ତକ୍ଷେପ କରିବାକୁ ପଡିଲା । ଶାନ୍ତିପୂର୍ଣ୍ଣ ଭାବେ ସୋ’ ବନ୍ଦ କରାଯିବା ସହ ଉପସ୍ଥିତ ଦର୍ଶକଙ୍କ କାର୍ଯ୍ୟକ୍ରମ ସ୍ଥଳ ଛାଡିବାକୁ କୁହାଯାଇଥିଲା ।

2005 ରେ ସର୍ବୋଚ୍ଚ କୋର୍ଟ ଏହି ସମ୍ପର୍କିତ ଏକ ମାମଲାର ଶୁଣାଣି ସମୟରେ ଏହି ଗାଇଡଲାଇନ ଜାରି କରିଥିଲେ । ରାତି 10ଟା ପରେ ଓ ସକାଳ 6ଟା ପୂର୍ବରୁ କୌଣସି ପ୍ରକାର ଉଚ୍ଚଧ୍ବନୀ ସୃଷ୍ଟିକାରୀ ତଥା ମନୋରଞ୍ଜନଭିତ୍ତିକ କାର୍ଯ୍ୟକ୍ରମକୁ ଅନୁମତି ମିଳିପାରିବ ନାହିଁ । ସର୍ବସାଧାରଣ ସ୍ଥାନରେ ଶବ୍ଦ ପ୍ରଦୂଷଣ ରୋକିବା ସହ ବୟସ୍କ ଓ ସ୍ବାସ୍ଥ୍ୟଗତ ସମସ୍ୟା ଥିବା ବ୍ୟକ୍ତିବିଶେଷଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ପୋଲିସକୁ ଏହି ନିୟମାବଳୀ କାର୍ଯ୍ୟକାରୀ କରିବା ପାଇଁ ସର୍ବୋଚ୍ଚ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଅନ୍ୟ କିଛି ସ୍ଥାନରେ ମଧ୍ୟ ସମୟ ଅତିକ୍ରାନ୍ତ କରିବା କାରଣରୁ ପୋଲିସ କାର୍ଯ୍ୟାନୁଷ୍ଠାନ ସାମ୍ନାକୁ ଆସିବାର ନଜିର ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.