ETV Bharat / bharat

ମତଦାନ କେନ୍ଦ୍ରରେ ପ୍ରବେଶ ଉଦ୍ୟମ କରି ହଟହଟା ସୋନୁ, କାର ଜବତ

author img

By

Published : Feb 20, 2022, 4:25 PM IST

ମତଦାନ ବୁଥରେ ପ୍ରବେଶ କରିବାକୁ ସୋନୁ ସୁଦଙ୍କ ପ୍ରୟାସ, କାର ଜବତ
ମତଦାନ ବୁଥରେ ପ୍ରବେଶ କରିବାକୁ ସୋନୁ ସୁଦଙ୍କ ପ୍ରୟାସ, କାର ଜବତ

ପଞ୍ଜାବରେ ଚାଲିଛି ମତଦାନ । ମୋଗାରେ ଅଭିନେତା ସୋନୁ ସୁଦଙ୍କ ମତଦାନ କେନ୍ଦ୍ରରେ ପ୍ରବେଶ ଉଦ୍ୟମ । କାର ଜବତ କରିବା ସହ ଘରକୁ ପଠାଇଲା ପ୍ରଶାସନ । ଅଧିକ ପଢନ୍ତୁ

ଚଣ୍ଡିଗଡ: ପଞ୍ଜାବରେ ଜାରି ରହିଛି ମତଦାନ । ମୋଗା ଜିଲ୍ଲାର ଏକ କେନ୍ଦ୍ରରେ ମତଦାନ ଜାରି ରହିଥିବା ବେଳେ ଅଭିନେତା ସୋନୁ ସୁଦ କେନ୍ଦ୍ର ମଧ୍ୟରେ ପ୍ରବେଶ କରିଥିବାକୁ ପ୍ରୟାସ କରିଥିବା ଅଭିଯୋଗ ହୋଇଛି । ଫଳରେ ତାଙ୍କ କାରକୁ ଜବତ କରିଛି ପୋଲିସ । ପରେ ସୋନୁଙ୍କୁ ଘରକୁ ପଠାଇ ଦିଆଯାଇଥିବା ସୂଚନା ଦେଇଛି । ସୋନୁଙ୍କ ଭଉଣୀ ମାଳବିକା ସୁଦ କଂଗ୍ରେସ ପ୍ରାର୍ଥୀ ଭାବେ ମୋଗ ନିର୍ବାଚନୀ ମଣ୍ଡଳୀରେ ପ୍ରତିଦ୍ବନ୍ଦିତା କରୁଛନ୍ତି ।

ମୋଗା ଜିଲ୍ଲା ଲୋକ ସମ୍ପର୍କ ଅଧିକାରୀଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ସୋନୁ ତାଙ୍କ କାରରେ ଏକ ମତଦାନ କେନ୍ଦ୍ର ମଧ୍ୟକୁ ପ୍ରବେଶ କରିବାକୁ ଉଦ୍ଯତ ହେଉଥିବା ବେଳେ ତାଙ୍କୁ ରୋକା ଯାଇଥିଲା । ତାଙ୍କ କାରକୁ ଜବତ କରାଯିବା ସହ ଘରକୁ ଫେରିଯିବାକୁ ପରାମର୍ଶ ଦିଆଯାଇଥିଲା । ତେବେ ମତଦାନ ନସରିବା ଯାଏ ତାଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି । ଯଦି ସେ ଏପରି ପୁନର୍ବାର କରିବାକୁ ଚେଷ୍ଟା କରନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ମଧ୍ୟ ଅଧିକାରୀ ସୂଚନା ଦେଇଛନ୍ତି ।

ତେବେ ଘଟଣା ସମ୍ପର୍କରେ ସୋନୁ ସୁଦ କହିଛନ୍ତି, କିଛି ନିର୍ବାଚନ ବୁଥରେ ପରିଚାଳନାରେ ଅନିୟମିତତା ଏବଂ ଟଙ୍କା ବଣ୍ଟା ଯାଉଥିବାର ଅଭିଯୋଗ ପାଇବାରୁ ସେ ତଦାରଖ କରିବା ପାଇଁ ମତଦାନ କେନ୍ଦ୍ରରେ ପହଞ୍ଚିଥିଲେ । ଏହି ଅବ୍ୟବସ୍ଥା ଓ ବିଶୃଙ୍ଖଳା ପାଇଁ ସେ ଶିରୋମଣୀ ଅକାଳୀ ଦଳକୁ ଦାୟୀ କରିଛନ୍ତି । ପ୍ରଶାସନର ପରାମର୍ଶ କ୍ରମେ ସେ ଏବେ ଘରେ ଅଛନ୍ତି ଓ ଶାନ୍ତିପୂର୍ଣ୍ଣ ନିର୍ବାଚନ ନେଇ ଆଶାବାଦୀ ଥିବା ମଧ୍ୟ ସୋନୁ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।

ସୋନୁଙ୍କ ଭଉଣୀ ମାଳବିକା କଂଗ୍ରେସ ଟିକେଟରେ ମୋଗା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦିତା କରୁଛନ୍ତି । ମାଳବିକା ଗତ ମାସ (ଜାନୁୟାରୀ) ୧୦ ତାରିଖରେ କଂଗ୍ରେସରେ ସାମିଲ ହୋଇଥିଲେ । ଆଜି ପଞ୍ଜାବର ସମସ୍ତ ୧୧୭ ଆସନରେ ଗୋଟିଏ ପର୍ଯାୟରେ ଭୋଟ ଗ୍ରହଣ ଜାରି ରହିଛି । ତେବେ କୌଣସି ସ୍ଥାନରେ ବଡ ଧରଣର ହିଂସା ଖବର ବର୍ତ୍ତମାନ ସୁଦ୍ଧା ଆସିନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.