ETV Bharat / bharat

CBSE 10th exams: ଏସିଡ ଆକ୍ରମଣରେ ହୋଇଯାଇଥିଲେ ଦୃଷ୍ଟିହୀନ, ଏବେ 95 ପ୍ରତିଶତ ରଖି ସ୍କୁଲ୍‌ ଟପ୍ପର୍‌

author img

By

Published : May 14, 2023, 7:23 PM IST

CBSE 10th exams: 95 ପ୍ରତିଶତ ରଖି ସ୍କୁଲରେ ଟପ୍‌ କଲେ ଏସିଡ୍‌ ପୀଡିତା
CBSE 10th exams: 95 ପ୍ରତିଶତ ରଖି ସ୍କୁଲରେ ଟପ୍‌ କଲେ ଏସିଡ୍‌ ପୀଡିତା

ପିଲାଦିନେ ଏସିଡ୍‌ ଆକ୍ରମଣର ଶିକାର ହୋଇ ହୋଇଯାଇଥିଲେ ଦୃଷ୍ଟିହୀନ । ହସ୍ପିଟାଲ୍‌ ବେଡ୍‌ରେ କଟିଥିଲା 6 ବର୍ଷ । 95 ପ୍ରତିଶତ ରଖି ସ୍କୁଲରେ ଟପ୍ପର । ଅଧିକ ପଢନ୍ତୁ

ଚଣ୍ଡିଗଡ: ବାଲ୍ୟାବସ୍ଥାରେ ଏସିଡ ଆକ୍ରମଣର ଶିକାର ହୋଇଥିଲେ । ମୁଁହ ସମେତ ଶରୀର ଏକାଧିକ ସ୍ଥାନ ଗମ୍ଭୀର ଭାବେ କ୍ଷତିଗ୍ରସ୍ତ ହୋଇଥିଲେ । ଆଖି ହରାଇ ଦୃଷ୍ଟିହୀନ ମଧ୍ୟ ହୋଇଯାଇଥିଲେ । ହସ୍ପିଟାଲ୍‌ ବେଡରେ ଦୀର୍ଘ 6 ବର୍ଷ ଧରି ପଡିରହି ଜୀଇଁବା ପାଇଁ ସଂଘର୍ଷ କରିଥିଲେ । ହେଲେ ଜୀବନ ଆଗରେ ହାରି ନଯାଇ ସ୍ବାଭାବିକ ଭାବେ ବଞ୍ଚିବାକୁ ଦମ୍ଭ ବାନ୍ଧିଲେ ଓ ପାଠ ପଢିଲେ । ସିବିଏସଇ ଦ୍ବାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷାରେ 95 ପ୍ରତିଶତ ମାର୍କ ରଖି ସ୍କୁଲରେ ଟପ୍‌ କଲେ । ଚଣ୍ଡିଗଡର ଜଣେ ସରକାରୀ ପିଅନଙ୍କ ଝିଅ ଏସିଡ ଆକ୍ରମଣର ଶିକାର ହୋଇଥିବା ବେଳେ ନାବାଳିକା ପୀଡିତା ଝିଅର ଏହି ସଂଘର୍ଷ ଓ ସଫଳତା ଏବେ ସମଗ୍ର ଦେଶରେ ଚର୍ଚ୍ଚା ହେଉଛି ।

ଏହି ଛାତ୍ରୀଜଣଙ୍କ ହେଉଛନ୍ତି ଚଣ୍ଡିଗଡର 15 ବର୍ଷୀୟା କାଫି । କାଫିଙ୍କ ବାପା ରାଜ୍ୟ ସଚିବାଳୟରେ ଜଣେ ପିଅନ ଭାବେ କାର୍ଯ୍ୟ କରନ୍ତି । କାଫି 3 ବର୍ଷର ହୋଇଥିବା ବେଳେ କୌଣସି କାରଣରୁ ପଡୋଶୀଙ୍କ ଦ୍ବାରା ଏସିଡ ଆକ୍ରମଣର ଶିକାର ହୋଇଥିଲେ । ଅବସ୍ଥା ଏପରି ହୋଇଥିଲା ଯେ, ଆଖି ଓ ସମ୍ପୂର୍ଣ୍ଣ ମୁଁହ ହରାଇବା ସହ ବଞ୍ଚିବା ପାଇଁ ତାଙ୍କୁ ସଂଘର୍ଷ କରିବାକୁ ପଡିଥିଲା । ହସ୍ପିଟାଲ ବେଡରେ ସେ 6 ବର୍ଷ ଚିକିତ୍ସାଧୀନ ରହିଥିଲେ । ତେବେ ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ସେ ଦୃଷ୍ଟିହୀନ ହୋଇପଡିଥିବାରୁ ବାର୍ଲି ଭାଷାର ପୁସ୍ତକରେ ଅଧ୍ୟୟନ ଆରମ୍ଭ କଲେ । ତେବେ ଚଳିତ ବର୍ଷ ସିବିଏସଇ ପାଠ୍ୟକ୍ରମ ଅନୁଯାୟୀ ସେ 10ମ ଶ୍ରେଣୀ ପରୀକ୍ଷା ଦେଇଥିଲେ । ଏଥିରେ ସେ 95.02 ପ୍ରତିଶତ ମାର୍କ ରଖି ସମଗ୍ର ସ୍କୁଲରେ ସର୍ବାଧିକ ମାର୍କ ସହ ଟପ୍‌ କରିଛନ୍ତି ।

ନିଜର ଏହି ସଫଳତା ପାଇଁ ପୁରା ଦେଶରେ ଚର୍ଚ୍ଚାରେ ଥିବା କାଫି ନିଜ ପିତାମାତା ଓ ଶିକ୍ଷକଙ୍କୁ ସଫଳତାର ଶ୍ରେୟ ଦେଇଛନ୍ତି । ସମସ୍ତ ପ୍ରତିକୂଳ ପରିବେଶ ଓ ପରିସ୍ଥିତି ମଧ୍ୟରେ ପିତାମାତା ତାଙ୍କୁ ଆତ୍ମବିଶ୍ବାସ ଓ ମନୋବଳ ଦେଇଛନ୍ତି । ସେ ବାର୍ଲି ଭାଷାର ପୁସ୍ତକ ସହ ଇଣ୍ଟରନେଟ୍‌ ଓ ୟୁଟ୍ୟୁବଂ ଜରିଆରେ ମଧ୍ୟ ପାଠ ପଢିଥିଲେ । ଏଥିପାଇଁ ତାଙ୍କୁ ତାଙ୍କ ଶିକ୍ଷକ ସହଯୋଗ କରିଥିଲେ । ଶେଷରେ ସମସ୍ତଙ୍କ ସହଯୋଗ ଓ ନିଜର କଠିନ ଅଧ୍ୟବସାୟ ଫଳରେ ସେ ଏହି ବିରଳ ସଫଳତା ହାସଲ କରିବାରେ ସଫଳ ହୋଇପାରିଛନ୍ତି ବୋଲି କାଫି କହିଛନ୍ତି ।

ଅନ୍ୟପଟେ କୋମଳମତି ବୟସରେ ଏପରି ଆକ୍ରମଣର ଶିକାର ହୋଇଥିବା ନାବାଳିକା ଝିଅର ଏହି ସଫଳତାକୁ ନେଇ ବାପା-ମା’ ମଧ୍ୟ ଗର୍ବିତ । ଦୃଢ଼ ମନୋବଳ ଓ କଠିନ ପରିଶ୍ରମ ଫଳରେ ସେ ଏହି ସଫଳତା ପାଇବାରେ ସକ୍ଷମ ହୋଇଛି ବୋଲି କାଫିଙ୍କ ଅଭିଭାବକ କହିଛନ୍ତି । ଆଗକୁ ସେ ଯେଉଁ ଦିଗରେ ଉଚ୍ଚଶିକ୍ଷା ଲାଭ କରିବାକୁ ଚାହିଁବେ, ସେମାନେ ତାକୁ ସହଯୋଗ କରିବେ ବୋଲି ମଧ୍ୟ କହିଛନ୍ତି କାଫିଙ୍କ ପିତାମାତା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.